Latest Odisha News

ପୁରୀ ଦଙ୍ଗାକୁ ୪ ବର୍ଷ, ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବଳିଦାନ ଦିବସ ପାଳନ

ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ଯବସ୍ଥାକୁ ନେଇ ବନ୍ଦ ପାଳନ ଓ ପୋଡ଼ାଜଳା ଘଟଣାକୁ ୪ ବର୍ଷ ପୂରିଛି । ୨୦୧୮ ଅକ୍ଟୋବର ୩ରେ ଶ୍ରୀଜଗନ୍ନାଥ ସେନା ପୁରୀରେ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଇଥିଲା । ହେଲେ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ନେଇଥିଲା ଦଙ୍ଗାର ରୂପ । ବଡ଼ଦାଣ୍ଡରେ ବ୍ୟାପକ ପୋଡ଼ାଜଳା ଓ ହିଂସାକାଣ୍ଡ ଆଜି ବି ସମସ୍ତଙ୍କ ଆଖି ଆଗରେ ନାଚି ଉଠୁଛି ।

ଆଉ ଏହି ଦିବସକୁ ଶ୍ରୀଜଗନ୍ନାଥ ସେନା ବଳିଦାନ ଦିବସ ଭାବେ ପାଳନ କରୁଛି । ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଶାନ୍ତି ପାଇଁ ଏକ ଲକ୍ଷ ଏକ ବଳିତାରେ ମହାଦୀପଦାନ କରାଯାଇଛି । ଅସଲ ଦଙ୍ଗାକାରୀ ଓ ହିଂସାକାରୀ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ମିଥ୍ୟା ମାମଲା ପ୍ରତ୍ୟାହାର ପାଇଁ ଦାବି ହେଉଛି । ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ପୁରୀ ବନ୍ଦ ଡାକରା ସଫଳ ହେବା ଯୋଗୁ ତାଙ୍କୁ ବଦନାମ କରିବା ପାଇଁ କିଛି ନେତା, ଅସାମାଜିକ ଲୋକଙ୍କୁ ଲଗାଇ ହିଂସା ଭିଆଇଥିଲେ ।

ହେଲେ ଦଙ୍ଗାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ବେଳେ ନିରୀହ ଲୋକଙ୍କୁ ଗରିଫ କରାଯାଇଥିବା କହିଛି ଶ୍ରୀଜଗନ୍ନାଥ ସେନା । ବ୍ୟାପକ ପୋଡ଼ାଜଳା, ହିଂସା ପାଇଁ ନିରୀହ ଲୋକଙ୍କ ନାଁରେ ହୋଇଥିବା ମିଛ ମାମଲା ପ୍ରତ୍ୟାହାର ପାଇଁ ଜଗନ୍ନାଥ ସେନା ଦାବି କରିଛି ।

Leave A Reply

Your email address will not be published.