Latest Odisha News

BREAKING NEWS

କ’ଣ କହୁଛି ଧାମନଗର ବିଧାନସଭା ନିର୍ବାଚନ ଇତିହାସ ? କାହା ପଲ୍ଲା କେତେ ଭାରି ?

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି । ବିଜେପି ପୁଣି ଥରେ ଆସନ ଅକ୍ତିଆର କରିବ ବୋଲି ଦାବି କରିଥିବା ବେଳେ ବିଜେଡି କହିଛି ଏକତରଫା ବିଜୟ ହେବ । ହେଲେ ୨ ହଜାର ମସିହାରୁ ଆଜି ଯାଏ ୨୨ ବର୍ଷ ଭିତରେ ଧାମନଗରବାସୀ କୌଣସି ଗୋଟିଏ ଦଳ କି ପ୍ରାର୍ଥୀ ଉପରେ ଭରସା କରି ନାହାଁନ୍ତି । ଉପକୂଳର ଏହି ଚର୍ଚ୍ଚିତ ଆସନରେ ଗତ ୫ଗୋଟି ବିଧାନସଭା ନିର୍ବାଚନରେ ବିଜେଡି ଓ ବିଜେପି ପ୍ରାର୍ଥୀ ୨ ଥର ଜିତିଥିବା ବେଳେ ଗୋଟିଏ ଥର ସ୍ୱାଧୀନ ପ୍ରାର୍ଥୀ ବାଜିମାତ୍ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ୬ରେ ଭୋଟ୍ ଗଣତି

ନଜର ପକାଇବା ଧାମନଗର ନିର୍ବାଚନ ଇତିହାସ ଉପରେ, ୨ ହଜାର ମସିହାରେ ଦେଶରେ ବିଜେପିର ବିଜୟବାନା ଉଡ଼ୁଥିବା ବେଳେ ଧାମନଗର ବାସୀ ସ୍ୱାଧୀନ ପ୍ରାର୍ଥୀ ମାନସରଞ୍ଜନ ମଲ୍ଲିକଙ୍କୁ ଭରସା କରିଥିଲେ । ବିଜେପି ପ୍ରାର୍ଥୀ ମନମୋହନ ସାମଲଙ୍କୁ ୧ ହଜାର ୭୦୩ ଭୋଟରେ ହରାଇଥିଲେ ମାନସ ମଲ୍ଲିକ ।

ସେହିଭଳି ୨୦୦୪ ମସିହାରେ ଧାମନଗର ଆସନ ହାତେଇଥିଲା ବିଜେପି । କଂଗ୍ରେସ ପ୍ରାର୍ଥୀ ଜଗନ୍ନାଥ ରାଉତଙ୍କୁ ୨୮ ହଜାର ୯୪୦ ଭୋଟରେ ହରାଇ ବିଧାୟକ ହୋଇଥିଲେ ବିଜେପିର ମନମୋହନ ସାମଲ । ୨୦୦୯ ନିର୍ବାଚନରେ ଧାମନଗର ଆସନ ଦେଖିଥିଲା କଡ଼ା ଟକ୍କର । ବିଜେଡିର ରାଜେନ୍ଦ୍ର ଦାସ ଓ ବିଷ୍ଣୁ ସେଠୀଙ୍କ ମଧ୍ୟରେ ହୋଇଥିବା କଡ଼ା ପ୍ରତିଦ୍ୱନ୍ଦ୍ୱୀତାରେ ୪ ହଜାର ୯୪୪ ଭୋଟରେ ବାଜି ମାରି ନେଇଥିଲେ ରାଜେନ୍ଦ୍ର ଦାସ ।

୨୦୧୪ ମସିହାରେ ବିଜେିଡର ମୁକ୍ତିକାନ୍ତ ମଣ୍ଡଳଙ୍କ ସହ ବିଜେପିର ବିଷ୍ଣୁ ସେଠୀ ପ୍ରତିଦ୍ୱନ୍ଦୀତା କରିଥିବା ବେଳେ ୯ ହଜାର ୧୯୨ ଭୋଟରେ ମୁକ୍ତିକାନ୍ତ ନିର୍ବାଚନ ଜିତିଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ବାଜି ପଲଟି ଯାଇଥିଲା । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ୪ ହଜାର ୬୨୫ ଭୋଟରେ ହରାଇ ଧାମନଗର ଆସନରୁ ବିଧାୟକ ହୋଇଥିଲେ ବିଷ୍ଣୁ ସେଠୀ ।

ଏବି ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି । ନଭେମ୍ବର ୩ ତାରିଖରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଉପନିର୍ବାଚନ ତାରିଖ ଘୋଷଣା ପରେ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସରେ ପ୍ରାର୍ଥିତ୍ୱକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ବିଗତ ବର୍ଷମାନଙ୍କରେ ହୋଇଥିବା ସବୁ ଉପନିର୍ବାଚନରେ ବିଜେଡି ଜିତିଥିବାରୁ ଦଳର ମନୋବଳ ବେଶ୍ ଦୃଢ଼ ରହିଛି ।

ଅନ୍ୟପଟେ ବିଷ୍ଣୁଙ୍କ ବିୟୋଗ ପରେ ସହାନୁଭୂତି ଭୋଟରେ ପୁଣି ଧାମନଗର ବିଧାନସଭା ଆସନ ହାତେଇବାକୁ ଲକ୍ଷ୍ୟ ରଖିଛି ବିଜେପି । ତେବେ ବିଜେପି, ବିଜେଡି ଓ କଂଗ୍ରେସ କେହି ପ୍ରାର୍ଥୀଙ୍କ ନାଁ ଏଯାଏ ଘୋଷଣା କରି ନାହାନ୍ତି । କିନ୍ତୁ ଆଲୋଚନା ହେଉଛି ଏଠି ଦ୍ୱିମୁଖୀ ଲଢ଼େଇ ହେବ ।

Leave A Reply

Your email address will not be published.