Latest Odisha News

BREAKING NEWS

ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ: ପୁରୀ ଗଜପତି ମହାରାଜାଙ୍କୁ ଭେଟିଲେ ଆମିକସ୍ କ୍ୟୁରୀ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସଂସ୍କାର ନିମନ୍ତେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ପୁରୀସ୍ଥିତ ଗଜପତିଙ୍କ ରାଜନଅରରେ ଭେଟିଛନ୍ତି ।

ଶ୍ରୀଜଗନ୍ନାଥ ମନ୍ଦିରରେ ବିଭିନ୍ନ ପ୍ରକାରର ୧୨ଟି ସଂସ୍କାର ସମ୍ପର୍କରେ ଏକ ରିପୋର୍ଟ ସୁପ୍ରିମକୋର୍ଟରେ ପ୍ରଦାନ କରିବେ ଆଇନଜୀବୀ ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ।

ଶନିବାର ଦିନ ୧୦ ସମୟରେ ପୁରୀ ରାଜନଅରରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସହିତ ଆଇନଜୀବୀ ସୁବ୍ରମଣ୍ୟମ ପହଞ୍ଚିଥିଲେ ।

ରାଜନଅରରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୁବ୍ରମଣ୍ୟମଙ୍କୁ ଏକ ଖଣ୍ଡୁଆ ପାଟ ଦେଇ ସମ୍ପର୍ଦ୍ଧିତ କରିଥିଲେ । ଏହାସହିତ ସୁବ୍ରମଣ୍ୟଙ୍କୁ ସ୍ୱାମୀ ଚିଦାନନ୍ଦଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକ ପ୍ରଦାନ କରିଥିଲେ ଗଜପତି ମହାରାଜା ।

ଗଜପତି ମହାରାଜାଙ୍କ ସହିତ ସାକ୍ଷାତ ଆଲୋଚନା ପରେ ସୁବ୍ରମଣ୍ୟମ ମନ୍ଦିର ପରିଚାଳନା କମିଟି ସହିତ ଏକ ବୈଠକରେ ଯୋଗଦେବେ । ତାପରେ ସେ ପୁରୀ ସାଂସଦ ପିନାକୀ ମିଶ୍ର ଏବଂ ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ପରେ ସେ ଛତିଶା ନିଯୋଗ ଏବଂ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଭେଟି ମନ୍ଦିର ସଂସ୍କାର ସମ୍ବନ୍ଧୀୟ ବିଭିନ୍ନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ହୋଇଥିବା ଆଇନଜୀବୀ ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ତାଙ୍କର ଏହି ଦୁଇଦିନିଆ ଗସ୍ତକ୍ରମରେ ଶୁକ୍ରବାର ଦିନ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିବା ସହିତ ଆଇନ ସଚିବ ତଥା ପୁରୀ ଜିଲ୍ଲା ଜଜଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ବିଶଦ ଆଲୋଚନା କରିଥିଲେ ।

Leave A Reply

Your email address will not be published.