Latest Odisha News

ଖାଇରେ ଖସି ପଡ଼ିଲା ସେନା ଆମ୍ବୁଲାନ୍ସ: ୨ ଯବାନ ମୃତ

ଶ୍ରୀନଗର:ଜମ୍ମୁକଶ୍ମୀରର ରାଜୌରୀ ଠାରେ ସେନା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ସେନାର ଏକ ଆମ୍ବୁଲାନ୍ସ  ନିୟନ୍ତ୍ରଣ ହରାଇ ଏକ ଖାଇରେ ଖସିପଡିଛି । ଫଳରେ ୨ ଜଣ ଯବାନଙ୍କର ମୃତ୍ୟୁ ଘଟିଛି । ସେନା ଅଧିକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ନିୟନ୍ତ୍ରଣ ରେଖା ନିକଟ ଡୁଙ୍ଗି ଗାଲା ନିକଟରେ ଏହି ଦୁର୍ଘଟଣା ଘଟିଛି । ରାସ୍ତାର ଏକ ବୁଲାଣିରେ କଟିବା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । ଫଳରେ ଆମ୍ବୁଲାନ୍ସଟି ଖାଇରେ ଖସି ପଡିଥିଲା ।

ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ଜଣେ ଯବାନଙ୍କର ମୃତ୍ୟୁ ଘଟିଛି । ପରେ ଉଦ୍ଧାରକାରୀ ଟିମ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ । ଏହି ଦୁର୍ଘଟଣାରେ କେତେଜଣ ଯବାନ ଆହତ ମଧ୍ୟ ହୋଇଛନ୍ତି । ପୋଲିସ ଟିମ ପହଞ୍ଚି ଆହତଙ୍କୁ ଆର୍ମି ହସ୍ପିଟାଲ ରାଜୌରୀରେ ଭର୍ତ୍ତି କରିଛି । ସେମାନଙ୍କ ଅବସ୍ଥା ଗୁରୁତର ଅଛି ।

ମୃତ ଯବାନ ହେଲେ ବିହାରର ହାବିଲଦାର ସୁଧିର କୁମାର ଓ  ରାଜୌରୀର ପରମବୀର ଶର୍ମା ।

ଗତବର୍ଷ ଡିସେମ୍ବରରେ ଉତ୍ତର ସିକ୍କିମ ନିକଟରେ ସେନାର ଏକ ଗାଡି ନିୟନ୍ତ୍ରଣ ହରାଇ ଖସି ପଡିଥିବାରୁ ୧୬ ଯବାନଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ୪ ଜଣ ଯବାନ ଆହତ ହୋଇଥିଲେ । ଦୁର୍ଘଟଣା ସମୟରେ ସେନାର ୩ଟି ଗାଡି ଯାଉଥିଲା ।

ଏପ୍ରିଲ ୨୦ ତାରିଖରେ ଜମ୍ମୁ-କଶ୍ମୀର ରାଜୌରୀ ସେକ୍ଟରରେ ଭୀମବେର ଗଳି ଏବଂ ପୁଞ୍ଛ ରାସ୍ତାରେ ସେନାର ଏକ ଗାଡିକୁ ଆତଙ୍କୀମାନେ ଉଡାଇ ଦେଇଥିଲେ । ଫଳରେ ୫ ଜଣ ଯବାନ ସହିଦ ହୋଇଥିଲେ । ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ ।

Leave A Reply

Your email address will not be published.