Latest Odisha News

BREAKING NEWS

ବାଲାଘାଟରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ୪ ନକ୍ସଲ ନିହତ

ଭୋପାଳ: ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ସୁରକ୍ଷା ବାହିନୀ ଏକ ବଡ଼ ଅପରେସନ୍ ଚଳାଇଛନ୍ତି। ମଧ୍ୟପ୍ରଦେଶରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର। ବାଲାଘାଟ ଜିଲ୍ଲାର ପଚମା ଦାଦର ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାବାହିନୀ ଓ ନକ୍ସଲ। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିପାତ ହୋଇଛନ୍ତି। ନିହତ ନକ୍ସଲଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ନକ୍ସଲମାନଙ୍କଠାରୁ ଗ୍ରେନେଡ୍ ଲଞ୍ଚର୍, ଏସଏଲଆର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି। ସୂତ୍ର ଅନୁସାରେ, ଆହୁରି ମୃତଦେହ ମିଳିବାର ସମ୍ଭାବନା ରହିଛି।

ଏହି ଏନକାଉଣ୍ଟର ବେଳେ ଆଉ କିଛି ନକ୍ସଲ ଖସି ଚମ୍ପଟ ମାରିଥିବାର ସୂଚନା ମିଳିଛି।ପଚାମା ଦାଦର ଜଙ୍ଗଲରେ ନକ୍ସଲମାନେ ଲୁଚିଥିବା ନେଇ ପୋଲିସକୁ ଖବର ମିଳିଥିଲା। ଏହାପରେ ସୁରକ୍ଷାବଳ ପକ୍ଷରୁ ଜଙ୍ଗଲରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ। ଏହି ସମୟରେ ଅଚାନକ ନକ୍ସଲମାନେ ସୁରକ୍ଷାବଳ ଉପରକୁ ଗୁଳିମାଡ କରିଥିଲେ। ବର୍ତ୍ତମାନ ସୁଦ୍ଧା ମୃତକମାନଙ୍କୁ ଚିହ୍ନଟ କରାଯାଇପାରିନି । ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସ୍ଥାନୀୟ ପୋଲିସ ଓ ହକ୍ ଫୋର୍ସର (Hawk Force)ର ମିଳିତ ଅପରେସନରେ ଏହି ସଫଳତା ମିଳିଛି ।

ଏହା ପୂର୍ବରୁ ଫେବୃୟାରୀ ୧୯ରେ ବାଲାଘାଟ ଜଙ୍ଗଲରେ ଏନକାଉଣ୍ଟରରେ ୪ ମହିଳା ନକ୍ସଲଙ୍କ ମୃତ୍ୟୁ ହୋଇଥିଲା । ରଉଣ୍ଡା ଫରେଷ୍ଟ କ୍ୟାମ୍ପ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା । ସେହିପରି କିଛି ଦିନ ତଳେ ଛତିଶଗଡର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ୩୦ ମାଓବାଦୀ ଟଳିଥିଲେ ।

Comments are closed.