Latest Odisha News

BREAKING NEWS

ଝଡ଼ର ଇଗଲ୍‌: ଉଡ଼ାଣର ରୋମାଞ୍ଚ

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ ପ୍ରକାଶିତ ହେଉଥିବା ଆଲେଖ ‘ଝଡ଼ର ଇଗଲ୍‌’ର ଏହା ହେଉଛି ୧୦ମ କଡ଼ି ।)

ଆକାଶରେ ଝଡ଼ ଆସିଲେ ପକ୍ଷୀମାନେ ଡରିଯାଆନ୍ତି । ଆଶ୍ରାଖୋଜି ଛପିଯାଆନ୍ତି ଯିଏ ଯୁଆଡ଼େ । ମାତ୍ର ଇଗଲ୍‌ର ଖାତିର୍ ନଥାଏ । ଝଡ଼ ଉପରକୁ ଉଠିଯାଇ ସେ ଉଡ଼ାଣ ନେଇପାରେ । ବିପଦକୁ ସାମନା କରେ । ପକ୍ଷୀମାନଙ୍କ ମେଳରେ ସେ ନିଆରା । ଜୀବନ ତା’ର ସାହସିକତାରେ ଭରା ।

ଝଡ଼ର ଇଗଲ୍ ଏକ ଦୁଃସାହସିକ ଜୀବନର କାହାଣୀ । ସେ ଜୀବନ ଜଣେ ଅନନ୍ୟ ଓଡ଼ିଆଙ୍କର ଯିଏ ଦେଶ ଓ ଦଶର ଆବଶ୍ୟକତା ପୂରଣ ସକାଶେ ଯେ କୌଣସି ବିପଦକୁ ସାମନା କରିବା ଲାଗି ଥିଲେ ସଦା ତତ୍ପର । ଶେଷରେ ସର୍ବସ୍ୱ ତ୍ୟାଗ କରିଦେଇଥିଲେ ସାମଗ୍ରିକ ଓଡ଼ିଶାର ବିକାଶ ଚିନ୍ତାରେ ।

ସେ ହେଉଛନ୍ତି ସ୍ୱର୍ଗତ ବିଜୟାନନ୍ଦ ପଟ୍ଟନାୟକ । ଲୋକମୁଖରେ ବିଜୁ ପଟ୍ଟନାୟକ । ଓଡ଼ିଶାର ପ୍ରାଚୀନ କଳିଙ୍ଗ ସ୍ମୃତିରେ ବିଭୋର ଅପ୍ରତିରୋଧ୍ୟ ଜନନାୟକ ସେ । ଝଡ଼-ବିଜୟୀ ବିଜୁ ପଟ୍ଟନାୟକ ।

ଉଡ଼ାଣର ରୋମାଞ୍ଚ

ଉଦ୍ଦାମତା ଓ ସାହସିକତାକୁ ଉଡ଼ାଜାହାଜ ଭିତରେ ସବୁଠାରୁ ଅଧିକ ଅନୁଭବ କରିଥିଲେ ବିଜୁ । ଜଣେ ଓଡ଼ିଆ ଯୁବକ ଲାଗି ସେତେବେଳେ ଏ ବସ୍ତୁଟି ଥିଲା ସ୍ୱପ୍ନ, ମାତ୍ର ତାକୁ ଅନାୟାସରେ ସାଥୀ କରିପାରିଥିଲେ ବିଜୟାନନ୍ଦ ପଟ୍ଟନାୟକ ।

ଷୋହଳ ବର୍ଷ ନ ପୂରୁଣୁ ସେ ଛୁଇଁଥିଲେ ତାକୁ । କୋଡ଼ିଏ ବର୍ଷ ପୂରିଲାବେଳକକୁ ତା’କୁ ସମ୍ପୂର୍ଣ୍ଣ ଆୟତ୍ତ କରିସାରିଥିଲେ । ବ୍ରିଟିଶ୍ ସରକାର ଆଖିରେ ସୁଦ୍ଧା ସେ ପାଲଟିଥିଲେ ଦୁର୍ଦ୍ଧର୍ଷ ପାଇଲଟ୍‌, ଉଡ଼ାଣ ସର୍ଦ୍ଦାର ।

ଏଇ ଉଡ଼ାଣ-ଜୀବନରେ ସେ ପାଦ ଦେଇଥିଲେ ଆଦ୍ୟ ଯୌବନରେ । ପ୍ରଥମରୁ ତାଙ୍କର ସମ୍ପର୍କ ହୋଇଥିଲା ଦୁଇ ପ୍ରକାରର ବିମାନ ସହିତ । ଗୋଟିଏ ହେଲା ଡାକୋଟା ଓ ଅନ୍ୟଟି ହେଉଛି ସ୍ପିଟ୍‌ଫାୟାର୍ । ଆମେରିକାର ଡଗ୍‌ଲାସ୍ । ଏୟାରକ୍ରାଫ୍ଟ୍ କମ୍ପାନୀ ଦ୍ୱାରା ତିଆରି ଡିସି-୩ ଡାକୋଟା ଥିଲା ଏକ ମାଲ୍‌ପରିବହନକାରୀ ଉଡ଼ାଜାହାଜ । ଏ ବ୍ୟୋମଯାନଟି ବିଗତ ତିରିଶ ଚାଳିଶ ଦଶକରେ ଉଡ଼ାଣ ପରିବହନର ଏକ ନୂଆ ପରିଚୟ ସୃଷ୍ଟି କରିପାରିଥିଲା । ସେତେବେଳକା ବୈଜ୍ଞାନିକ ସଫଳତାକୁ ଲୋକେ ଆକାଶରେ ଉଡ଼ିଯାଉଥିବା ଏ କଳ ଚଢେଇଟି ମାଧ୍ୟମରେ ଅନୁଭବ କରୁଥିଲେ । ଏ ପରିକି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ନାଜି ଶକ୍ତି ଉପରେ ମିତ୍ରଶକ୍ତିର ଯେଉଁ ବିଜୟ ହୋଇଥିଲା ତା’ର ଅଧିକାଂଶ ଶ୍ରେୟ ଆମେରିକାର ରାଷ୍ଟ୍ରପତି ଦେଇଥିଲେ ଏହି ଡାକୋଟା ବିମାନର ବହୁଳ ବ୍ୟବହାରକୁ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ବେଳକୁ ବିଜୁଙ୍କୁ ମାତ୍ର ତେଇଶ ବର୍ଷ ବୟସ । ସେଇ ବୟସରେ ସେ ରୟାଲ୍ ଇଣ୍ଡିଆନ ଏୟାରଫୋର୍ସରେ ପାଇଲଟ୍ ଭାବେ ଯୋଗଦେଇ ଇଂଲଣ୍ଡର ‘ସୁପର୍‌ମାରାଇନ୍‌’ ଦ୍ୱାରା ନିର୍ମିତ ପ୍ରଖ୍ୟାତ ବ୍ରିଟିଶ୍ ଫାଇଟର୍ ପ୍ଲେନ୍ ‘ସ୍ପିଟ୍ ଫାୟାର୍‌’ ଉଡ଼ାଇ ନିଜର ଅସମ୍ଭବ ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ସେହି ସମୟରେ ‘ସ୍ପିଟ୍ ଫାୟାର୍‌’ ସଙ୍ଗକୁ ‘ହକର୍ ହରିକେନ୍‌’ ଥିଲା ବ୍ରିଟେନର ପ୍ରମୁଖ ଲଢୁଆ ବିମାନ । ଯୁଦ୍ଧବେଳେ ଜର୍ମାନ ଦେଶର ପ୍ରସିଦ୍ଧ ‘ଲଫୱାଫେ’ ବିମାନକୁ ଟକ୍କର୍ ଦେବାରେ ତାହା ଥିଲା ବେଶ୍ ସମର୍ଥ ।

ଅଧିକ ପଢନ୍ତୁ – ଝଡ଼ର ଇଗଲ୍‌: ତାଲିମ୍ ନେଉ ନେଉ…

ବିଜୁ ‘ଡାକୋଟା’ରୁ ଆରମ୍ଭ କରି ‘ସ୍ପିଟ୍ ଫାୟାର୍‌’ ଓ ‘ହକର୍ ହରିକେନ୍‌’ ଧରି ଆକାଶମାର୍ଗରେ ଅବାଧ ବିଚରଣ କରିପାରୁଥିଲେ । ସେ କହୁଥିଲେ, ପୃଥିବୀ ଯେତିକି ସୁନ୍ଦର ଆକାଶରୁ ତା’ର ରୂପ ଆହୁରି ଲୋଭନୀୟ । ରାସ୍ତାରେ ଗାଡ଼ି ଚଳାଇବାର ରୋମାଞ୍ଚ ଠାରୁ ଆକାଶୀ ଉଡ଼ାଣର ରୋମାଞ୍ଚ ଶତଗୁଣ ଅଧିକ ଆହ୍ୱାନରେ ଭରା ।

ପାଇଲଟ୍ ଭାବରେ ବିଜୁ କିନ୍ତୁ ଅଭିନ୍ନ ରୂପେ ଯୋଡ଼ି ହୋଇଥିଲେ ‘ଡାକୋଟା’ ଉଡ଼ାଜାହାଜ ସହିତ । ପରେ ପରେ ଯେତେବେଳେ ମନକୁ ଆସିଲା ଯେ ସେ ମଧ୍ୟ ଗୋଟାଏ ଉଡ଼ାଜାହାଜ କମ୍ପାନୀ ଖୋଲିବେ, ତାଙ୍କୁ ଏଇ ଡାକୋଟା ବିମାନଗୁଡ଼ିକ ପ୍ରିୟ ବନ୍ଧୁ ଭଳି ମନେ ହୋଇଥିଲେ । ତେଣୁ ୧୯୪୬ ବେଳକୁ
ପ୍ରାୟ ୧୨ଟି ଡିସି-୩ ‘ଡାକୋଟା’ ଓ ତା’ର ରୂପାନ୍ତରିତ ସି-୪୭ ମଡ଼େଲ୍ ଉଡ଼ାଜାହାଜକୁ ନେଇ ସେ ଆରମ୍ଭ କରିଥିଲେ କଳିଙ୍ଗ ଏୟାର୍‌ଲାଇନ୍ସ । ଏହି କମ୍ପାନୀର ସେ ଥିଲେ ଏକମାତ୍ର ସଂସ୍ଥାପକ ଓ ପ୍ରଧାନ ବୈମାନିକ ।

ହେଲେ ଏଭଳି କମ୍ପାନୀ ଗଢିବା ପୂର୍ବରୁ ବିମାନ ଉଡ଼ାଣ କ୍ଷେତ୍ରରେ ଓ ଭାରତୀୟ ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ଯେଉଁ ଅକଳ୍ପନୀୟ ଯୋଗଦାନ ଦେଇଥିଲେ ତାହା ସାରା ଭାରତର ଯୁବମାନସରେ ସୃଷ୍ଟି କରିଥିଲା ଅସମ୍ଭବ ରୋମାଞ୍ଚ ।

ଭାରତର ବ୍ରିଟିଶ୍ ଶାସନ ବିରୋଧୀ ଅନ୍ତିମ ପର୍ଯ୍ୟାୟର ସଂଗ୍ରାମ ଆରମ୍ଭ ହୋଇଥିଲା ୧୯୪୨ ଅଗଷ୍ଟ ୯ ତାରିଖରେ । ଦେଶର ସବୁ ପ୍ରାନ୍ତରୁ ଅସଂଖ୍ୟ ଯୁବକ ଯୁବତୀ ଗାନ୍ଧୀଜୀଙ୍କର ଭାରତଛାଡ଼ ଡାକରାରେ ଡେଇଁପଡ଼ିଥିଲେ ଆଗକୁ । ଦେଶପାଇଁ ‘କର ବା ମର’ ଥିଲା ପଣ । ଅସଂଖ୍ୟ ନରନାରୀ ଡେଇଁ ପଡ଼ିଥିଲେ ସେଥିରେ । ଛବିଶ ବର୍ଷର ଯୁବକ ବିଜୁଙ୍କ ଅନ୍ତରାତ୍ମାକୁ ବ୍ୟଥିତ କରିଥିଲା ଏ ଡାକ । ଦେଶମାତୃକାର ସେବା ଲାଗି ସେ ଖୋଜିଥିଲେ ବାଟ । ବ୍ରିଟିଶ୍ ସରକାର ଅତ୍ୟାଚାରୀ । ତା’ ଆଖିରେ ଧୂଳିଦେଇ ସାହାଯ୍ୟ କରିବାକୁ ପଡ଼ିବ ଭାରତର ସଂଗ୍ରାମୀ ଧାରାକୁ । ଆଗରେ ଚ୍ୟାଲେଞ୍ଜ୍ ।

ଭାରତର ଜଣେ ପ୍ରମୁଖ ସଂଗ୍ରାମୀ ଅରୁଣା ଆସଫଅଲ୍ଲୀ ଲେଖିଛନ୍ତି । ‘ଏ ଚ୍ୟାଲେଞ୍ଜ୍ ଗ୍ରହଣ କରି ସାମ୍ନାକୁ ଆସିଥିବା ହଜାର ହଜାର ଯୁବକ ଯୁବତୀଙ୍କ ମଧ୍ୟରୁ ଡାଲମିଆ ଜୈନ୍ ଏୟାର୍‌ୱେଜ୍‌ର ମୁଖ୍ୟ ପାଇଲଟ୍ ବିଜୁ ପଟ୍ଟନାୟକ ଥିଲେ ନିର୍ଭିକତାର ଏକ ଜ୍ୱଳ୍ୱନ୍ତ ଉଦାହରଣ । ଜୟପ୍ରକାଶ ନାରାୟଣ, ଅଚ୍ୟୁତ ପଟ୍ଟବର୍ଦ୍ଧନ, ରାମ ମନୋହର ଲୋହିୟା ଏବଂ ମୋ ଭଳି ଆଉ କେତେଜଣଙ୍କୁ ନେଇ ଗଠିତ ‘ଅଣ୍ଡର ଗ୍ରାଉଣ୍ଡ୍ ଡିରେକ୍ଟୋରେଟ୍‌’ କୁ ସାହାଯ୍ୟ କରିବା ଲାଗି ସେ ତାଙ୍କର ସାଥୀ ପାଇଲଟ୍ ମାନଙ୍କୁ ପ୍ରେରଣା ଓ ନେତୃତ୍ୱ ପ୍ରଦାନ କରିଥିଲେ । ସେମାନଙ୍କ ସାହସ ଓ ନିର୍ଭିକତା ବିନା ଆମେ କେବେହେଲେ ବମ୍ବେ, କଲିକତା, ମାଡ୍ରାସ ଓ ନୂଆଦିଲ୍ଲୀରେ ଆମ ସଂଗ୍ରାମୀ ସାଥୀମାନଙ୍କ ସହ ଯୋଗସୂତ୍ର ରଖିପାରିନଥାନ୍ତୁ ।

ଆମର ଯୋଜନା ସମ୍ପର୍କରେ ଦେଶର ଗୁପ୍ତ ସଂଗଠନମାନଙ୍କୁ ଖବର ଦେବାର ସମସ୍ୟା ଏହାଫଳରେ ଦୂରେଇ ଯାଇଥିଲା । ବ୍ରିଟିଶ୍ ଶାସନ ବିରୋଧରେ ଗୁପ୍ତ ବିଦ୍ରୋହ ପାଇଁ ଛଦ୍ମନାମରେ ଆମେ ଏୟାର୍ ଲାଇନ୍ସ ବିମାନ ବ୍ୟବହାର କରୁଥିଲୁ । ଥରେ ରାଜଗୋପାଳଚାରୀ ଆମକୁ ଭେଟିବାର ଅଭିପ୍ରାୟ ପ୍ରକାଶ କରିବାରୁ ବିଜୁ ପଟ୍ଟନାୟକ ନିଜେ ରାଜାଜୀଙ୍କୁ ମାଡ୍ରାସରୁ ନୂଆଦିଲ୍ଲୀ ଉଡ଼ାଇ ଆଣି ଜୟପ୍ରକାଶ ନାରାୟଣ ଓ ଅଣ୍ଡରଗ୍ରାଉଣ୍ଡ୍ ଡିରେକ୍ଟୋରେଟ୍ ସହ ସାକ୍ଷାତ କରାଇଥିଲେ ।’

ବିଜୁ ଉଡ଼ାଣର ରୋମାଞ୍ଚ ସହ ଦେଶଭକ୍ତିକୁ ମଧ୍ୟ ସାମିଲ୍ କରିଥିଲେ । ଦେଶ ଆମର, ବ୍ୟକ୍ତିଗତ ସୁଖ ସୁବିଧା ବା ସୁରକ୍ଷା ପଛ, ଏଇ କଥାରେ ସେ ପିଲାଟି ଦିନରୁ ବ୍ରତୀ ହୋଇଥିଲେ ।

ଥରେ କଲିକତା ରନ୍‌ୱେରୁ ଏକ ପରିତ୍ୟକ୍ତ ପ୍ରାୟ ଡାକୋଟା ବିମାନକୁ ଷ୍ଟାର୍ଟ କରି ଆକାଶ ଆଡ଼କୁ ଚାହିଁଲା ବେଳକୁ କେହି ଜଣେ ସାବଧାନ କରି କହିଥିଲେ – ‘ବିଜୁ ସାବଧାନ୍‌’ ଝଡ଼ ଆସୁଛି । ବିଜୁ ଉଡ଼ାଜାହାଜକୁ ଆଗେଇ ନେଉନେଉ ହସି ହସି କହିଥିଲେ – ‘ପରୁଆ ନାଇଁ । ବିଜୁର ଜାହାଜ ଇଗଲ୍ ପରି ଝଡ଼ ଉପରେ ଉଡ଼େ ।’

ଝଡ଼ର ଇଗଲ୍ ବିଜୁ ପଟ୍ଟନାୟକ ।

(ଲେଖକ ଓଡ଼ିଆ ସାହିତ୍ୟଜଗତର ଜଣେ ସୁପ୍ରତିଷ୍ଠିତ ସାହିତ୍ୟିକ ତଥା ସ୍ତମ୍ଭକାର )

 

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.