Latest Odisha News

BREAKING NEWS

ରାଜ୍ୟରେ ୯୭ଟି ଶୀତଳଭଣ୍ଡାର ଅଚଳ, ସଚଳ ୩୬ରୁ ସରକାରଙ୍କ ମାତ୍ର ୪

ଭୁବନେଶ୍ୱର: ବିଭିନ୍ନ ସମୟରେ ରାଜ୍ୟରେ ଶୀତଳ ଭଣ୍ଡାର ଅଭାବରୁ ଚାଷୀ ଉତ୍ପାଦିତ ଫସଲର ମୂଲ୍ୟ ପାଆନ୍ତି ନାହିଁ । କ୍ଷେତରେ କେବେ ଫସଲ ଷଢ଼ିଯାଏ ତ ଆଉ କେବେ ମୂଳ ତ ମୂଳ ଋଣ କରି ଆଣିଥିବା ସୁଧ ଟଙ୍କା ଚାଷୀଙ୍କୁ ମିଳେନି । ରାଜ୍ୟରେ ଥିବା ଶୀତଳ ଭଣ୍ଡାରର ସ୍ଥିତି ଓ ସରକାରଙ୍କ ଆଗାମୀ ଯୋଜନା ନେଇ ବିଧାନସଭାରେ ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ଯାହାର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଏବେ ରାଜ୍ୟରେ ୩୬ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି । ୯୭ଟି ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଅଚଳ ହୋଇ ପଡ଼ିଥିବା ଶୀତଳ ଭଣ୍ଡାର ଗୁଡ଼ିକୁ ପୁଣି କାର୍ଯ୍ୟକ୍ଷମ ପାଇଁ ଯେଉଁ ପରିମାଣର ଅର୍ଥ ଆବଶ୍ୟକ ତାହା ନୂତନ ଶୀତଳ ଭଣ୍ଡାର ନିର୍ମାଣ ଅର୍ଥ ସହିତ ସମାନ ବୋଲି କହିଛନ୍ତି ମନ୍ତ୍ରୀ ।

ଏବେ କାର୍ଯ୍ୟକ୍ଷମ ଥିବା ୩୬ଟି ଶୀତଳ ଭଣ୍ଡାର ମଧ୍ୟରୁ ୩୨ଟି ଘରୋଇ ସଂସ୍ଥା ପରିଚାଳନା କରୁଥିବା ବେଳେ ୪ଟି ଶୀତଳ ଭଣ୍ଡାର ସରକାର ଓ ସମବାୟ ସଂସ୍ଥା ଦ୍ୱାରା କାର୍ଯ୍ୟକ୍ଷମ ରହିଛି । କଟକ ଜଗତପୁରରେ ଗୋଟିଏ, ଭୁବନେଶ୍ୱର ପଟିଆରେ ଗୋଟିଏ, ପୁରୀ ନିମାପଡ଼ାରେ ଗୋଟିଏ, ରାୟଗଡ଼ାରେ ଗୋଟିଏ ଶୀତଳ ଭଣ୍ଡାର ସରକାର ଓ ସମବାୟ ସଂସ୍ଥା ଦ୍ୱାରା ପରିଚାଳିତ ହେଉଛି ।

ମନ୍ତ୍ରୀ ସୂଚନା ଅନୁସାରେ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କର ଫୁଲ, ଫଳ ଓ ପନିପରିବା ସଂରକ୍ଷଣ କରିବା ପାଇଁ ରାଜ୍ୟ ସରକାର ଚଳିତ ବର୍ଷଠାରୁ ୧୦୦ କି.ଗ୍ରା କ୍ଷମତା ବିଶିଷ୍ଟ ସବଜି କୁଲର ପ୍ରତିଷ୍ଠା ପାଇଁ ଶତକଡ଼ା ୭୦ ଭାଗ ରିହାତି ଦେଉଛନ୍ତି । ବେସରକାରୀ ସ୍ତରରେ ଶୀତଳ ଭଣ୍ଡାର ପାଇଁ ସାଧାରଣ ଅଞ୍ଚଳରେ ୫୫% ଓ ଅନୁସୂଚିତ ଅଞ୍ଚଳରେ ୭୦% ଟଙ୍କା ସରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ।

ପଞ୍ଚାୟତିରାଜ ଓ ପାନୀୟ ଜଳ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଚାଷୀ ସଂଗଠନ ମାନଙ୍କ ସହାୟତାରେ ପଞ୍ଚାୟତ ସ୍ତରୀୟ ସୌରଚାଳିତ ଶୀତଳୀକରଣ ଗୃହ (Solar Cold Room) ନିର୍ମାଣ ପାଇଁ ସରକାର ଚଳିତ ବର୍ଷ ଠାରୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଭଳି ୧ ହଜାରଟି ଶୀତଳୀକରଣ ଗୃହ ସ୍ଥାପନ ପାଇଁ ପଦକ୍ଷେପ ନିଆ ଯାଇଥିବା କହିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.