Latest Odisha News

BREAKING NEWS

ମୌସୁମୀ ଛୁଇଁବା ପୂର୍ବରୁ ଜଳୁଛି ଓଡ଼ିଶା: ଝାରସୁଗୁଡ଼ା ୪୪.୮ ଡିଗ୍ରୀ, ୨୪ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାରେ ମୌସୁମୀ ଛୁଇଁବାରୁ ଅଳ୍ପଦିନ ବାକି ରହିଥିବା ବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗୁରୁବାର ୨୪ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସନ୍ଧ୍ୟା ବୁଲେଟିନ୍ ଅନୁଯାୟୀ, ଦିନରେ ୭ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ଅତିକ୍ରମ କରିଛି।

ଗୁରୁବାର ରାଜ୍ୟର ସବୁଠାରୁ ଉତ୍ତପ୍ତ ସ୍ଥାନ ଥିଲା ଝାରସୁଗୁଡ଼ା ୪୪.୮ ଡିଗ୍ରୀ ସେଲସିୟସ, ହୀରାକୁଦ ୪୪.୧ ଡିଗ୍ରୀ, ସୁନ୍ଦରଗଡ଼ ୪୪ ଡିଗ୍ରୀ, ସମ୍ବଲପୁର ୪୩.୯ ଡିଗ୍ରୀ, ସୋନପୁର ୪୩.୮ ଡିଗ୍ରୀ, ରାଉରକେଲା ୪୩.୨ ଡିଗ୍ରୀ, ଏବଂ ବାରିପଦାରେ ୪୩ ଡିଗ୍ରୀ ତାପମାତ୍ରା ରହିଛି।

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆସନ୍ତା ୪ ଦିନ ଯାଏଁ ଓଡ଼ିଶାରେ ତାପମାତ୍ରାରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ। ଏହି ସମୟ ମଧ୍ୟରେ କିଛି ସ୍ଥାନରେ ୫-୭ ଡିଗ୍ରୀ ସେଲସିୟସ ଯାଏଁ ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିପାରେ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି ଯେ ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ ଏବଂ ଏହାପରେ ସାମାନ୍ୟ ହ୍ରାସ ପାଇବ। ତେବେ ବିଶେଷ କରି ସକାଳ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ବାହାରକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ତେବେ ଶୁକ୍ରବାର ସକାଳ ଯାଏ କେତେକ ସ୍ଥାନରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କନ୍ଧମାଳ, ନୟାଗଡ଼, କଟକ ଏହି ସବୁ ଜିଲ୍ଲା ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ।

ଗ୍ରୀଷ୍ମ ପ୍ରବାହ ଜଳବାୟୁ ପରିବର୍ତ୍ତନର ବିପଦକୁ ମନେ ପକାଇ ଦେଉଛି। ଭାରତରେ ଜଳବାୟୁ ପରିବର୍ତ୍ତନକୁ ନେଇ ଯେଉଁ ରାଜ୍ୟଗୁଡ଼ିକ ଅଧିକ ପ୍ରଭାବିତ ହେଉଛନ୍ତି, ସେଥିମଧ୍ୟରୁ ଓଡ଼ିଶା ଅନ୍ୟତମ। ରାଜ୍ୟରେ ବନ୍ୟା, ମରୁଡ଼ି, ବାତ୍ୟା ଭଳି ସାମ୍ପ୍ରତିକ ବର୍ଷଗୁଡ଼ିକରେ ଅନେକ ଭୟଙ୍କର ପାଗ ଅନୁଭୂତ ହୋଇସାରିଛି।

Leave A Reply

Your email address will not be published.