Latest Odisha News

BREAKING NEWS

ଗୋଟିଏ ଖବର.. ଇଂଲଣ୍ଡ କ୍ରିକେଟର ମୃତ୍ୟୁ ଘଟିଛିରୁ ଆରମ୍ଭ ହେଲା ବିଶ୍ୱର ସବୁଠାରୁ ପୁରାତନ ଆଶେସ ସିରିଜ

ବିଶ୍ୱ କ୍ରିକେଟର ସବୁଠାରୁ ପୁରାତନ ଆଶେସ ସିରିଜର ୭୩ ସଂସ୍କରଣ ଜୁନ ୧୬ରୁ ଆରମ୍ଭ ହେବ । ୧୮୮୨ରୁ ଆରମ୍ଭ ହୋଇଥିବା ଏହି ସିରିଜ ସର୍ବଦା ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ପାଇଁ ସମ୍ମାନର ବିଷୟ ହୋଇ ରହିଛି । ଏହା ପୂର୍ବରୁ ଉଭୟ ଦେଶ ମଧ୍ୟରେ ଟେଷ୍ଟ ସିରିଜ ଖେଳା ଯାଉଥିଲା । ତେବେ ଏହାର ନାମ ଆଶେସ ସିରିଜ କାହିଁକି ରଖାଗଲା, ଆସନ୍ତୁ ଜାଣିବା.. ୧୮୮୨ରେ ଇଂଲଣ୍ଡ ମାଟିରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିଥିଲା । ଏହା ଇଂଲଣ୍ଡର କ୍ରିକେଟପ୍ରେମୀଙ୍କୁ ବହୁତ ବାଧିଥିଲା । ସେ ସମୟରେ ଦି ସ୍ପୋର୍ଟିଂ ଟାଇମ୍ସରେ ଇଂଲଣ୍ଡ କ୍ରିକେଟର ମୃତ୍ୟୁ ଘଟିଛି ବୋଲି ଖବର ପ୍ରକାଶ ପାଇଥିଲା । ଏଥିରେ ଲେଖା ହୋଇଥିଲା ଇଂଲଣ୍ଡ କ୍ରିକେଟର ମୃତ୍ୟୁ ଘଟିଛି ।

ଏହାକୁ କବର ଦିଆ ସରିଛି । ବଳକା ପାଉଁଶ ଅଷ୍ଟ୍ରେଲିଆ ଖେଳାଳିମାନେ ସେମାନଙ୍କ ସହିତ ନେଇ ଯାଇଛନ୍ତି । ୪ ମାସ ପରେ ଇଂଲଣ୍ଡ ଟିମ ଅଷ୍ଟ୍ରେଲିଆ ଗସ୍ତରେ ବାହାରିଥିଲା । ସେ ସମୟର ଅଧିନାୟକ ଇଭୋ ବ୍ଲିଗ କହିଥିଲେ ଅଷ୍ଟ୍ରେଲିଆ ନେଇ ଯାଇଥିବା ପାଉଁଶକୁ ଆମେ ଆଣିବାକୁ ଯାଉଛୁ । ସେବେଠାରୁ ଏହା ଆଶେସ ସିରିଜ ଭାବେ ପରିଚିତ ହେଲା । ୧୮୮୨ରେ ଇଂଲଣ୍ଡ ଟିମ ଆଶେସ ଟ୍ରଫି ଜିତି ସ୍ୱଦେଶ ପ୍ରତ୍ୟାବର୍ତନ କରିଥିଲେ । କ୍ରିକେଟର ସବୁଠାରୁ କ୍ଷୁଦ୍ର କପ ମଧ୍ୟରେ ପ୍ରକୃତରେ କଣ ପାଉଁଶ ରହିଛି ? କେତେକ ରିପୋର୍ଟ ଅନୁସାରେ କେତେକ ମହିଳା ମେଲବୋର୍ଣ୍ଣ ଟେଷ୍ଟ ପରେ ବେଲ୍ସକୁ ପୋଡି ଏହାର ପାଉଁଶ କପ ମଧ୍ୟରେ ରଖିଥିଲେ । ତେବେ ବିଧିବଦ୍ଧ ଏହାର ସତ୍ୟତା ନେଇ କୌଣସି ଘୋଷଣା କରାଯାଇ ନାହିଁ । ଏବେ ବି ଏହା ଏକ ପ୍ରକାର ରହସ୍ୟ ହୋଇ ରହିଛି ।

ପ୍ରକୃତ ଟ୍ରଫି ଏମସିସି ମ୍ୟୁଜିୟମରେ ରଖାଯାଉଛି । ଏବେ ବିଜୟୀ ଦଳ ଏହାର ପ୍ରତିକୃତୀକୁ ନେଇଥାନ୍ତି । ଏ ପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ ୭୨ଟି ସିରିଜ ଖେଳାଯାଇଛି । ଅଷ୍ଟ୍ରେଲିଆ ୩୪ ଓ ଇଂଲଣ୍ଡ ୩୨ରେ ବିଜୟୀ ହୋଇଛି । ବାକି ୬ଟି ସିରିଜ ଡ୍ର ରହିଛି । ଚଳିତ ସଂସ୍କରଣ ୧୬ ଜୁନରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଖେଳାଯିବ । ଓଭରାଲ ୩୪୭ ମ୍ୟାଚରୁ ଅଷ୍ଟ୍ରେଲିଆ ୧୪୫ ଓ ଇଂଲଣ୍ଡ ୧୦୮ ମ୍ୟାଚ ଜିତିଛି । ୯୪ ମ୍ୟାଚ ଡ୍ର ରହିଛି । ଅଷ୍ଟ୍ରେଲିଆ ସାର ଡନ ବ୍ରାଡମ୍ୟାନ ଆଶେସର ଟପ ସ୍କୋରର ଏବେ ବି ରହିଛନ୍ତି । ସେ ୩୭ ମ୍ୟାଚରେ ୫୦୨୮ ରନ କରିଛନ୍ତି । ତାଙ୍କ ପଛକୁ ଇଂଲଣ୍ଡର ଜ୍ୟାକ ହବ୍ସ ରହିଛନ୍ତି । ସେ ୪୧ ମ୍ୟାଚରେ ୩୬୪୬ ରନ ସଂଗ୍ରହ କରିଛନ୍ତି ।

ଅଷ୍ଟ୍ରେଲିଆ ଶେନ ୱର୍ଣ୍ଣ ୩୬ ମ୍ୟାଚରେ ୧୯୫ ୱିକେଟ ନେଇ ଶୀର୍ଷରେ ରହିଛନ୍ତି । ଇଂଲଣ୍ଡ ପକ୍ଷରୁ ଇଆନ ବୋଥାମ ୩୬ ମ୍ୟାଚରେ ୧୪୮ ୱିକେଟ ନେଇ ୪ର୍ଥ ସ୍ଥାନରେ ରହିଛି । ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଡେନିସ ଲିଲି(୧୫୭) ଓ ଗ୍ଲେନ ମ୍ୟାକଗ୍ରା ରହିଛନ୍ତି ।

Leave A Reply

Your email address will not be published.