Latest Odisha News

BREAKING NEWS

ଓଡ଼ିଶାରେ ରୋଜଗାର ମେଳା: ୨୩୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

ଭୁବନେଶ୍ୱର: ଦୀପାବଳି ଅବସରରେ ମୋଦୀ ସରକାରଙ୍କ ରୋଜଗାର ମେଳା । ଓଡ଼ିଶାର ୨୩୯ ଜଣଙ୍କୁ ନିଯୁକ୍ତି ପ୍ରଦାନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ୱର ଟୁଡୁ। ଭୁବନେଶ୍ବରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଟକରେ ବିଶ୍ବେଶ୍ବର ଟୁଡୁ ନିଯୁକ୍ତି ପ୍ରଦାନ କରିଛନ୍ତି।

ଡାକ ବିଭାଗର ୮୯ ଜଣ, ଭବନେଶ୍ଵର ଆଇଆଇଟିରେ ୫୫, ଇଏସଆଇସିରେ ୨୭, ଏସଏଲବିସିରୁ ୨୧ ଜଣ ଏମିତି ମୋଟ ୧୧ଟି ବିଭାଗର ମୋଟ ୨୩୯ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର କରିଛନ୍ତି କେନ୍ଦ୍ର ସରକାର।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଯୁବକମାନଙ୍କୁ ଚାକିରି ସୁଯୋଗ ଦେବା ଦିଗରେ ପ୍ରଧାନମନ୍ତ୍ରୀଜୀଙ୍କ ପଦକ୍ଷେପ ଦେଶରେ ନିଯୁକ୍ତି ଦୃଶ୍ୟପଟ୍ଟକୁ ମଜବୁତ୍ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ସକରାତ୍ମକ ଭାବନା ଜାଗ୍ରତ କରିବ । ଆଗାମୀ ଦିନ ମାନଙ୍କରେ ରୋଜଗାରମେଳା ଉତ୍ତମ ଭବିଷ୍ୟତ ପାଇଁ ଯୁବସମାଜକୁ ସମର୍ଥ କରିବ।

ସାରା ଦେଶରେ ମୋଦୀ ସରକାର ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୭୫ ହଜାର ଯୁବ ବର୍ଗଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ କେନ୍ଦ୍ର ସରକାର  “ରୋଜଗାର ମିଶନ” ଆରମ୍ଭ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରୁ ବଛାଯାଉଥିବା ନବନିଯୁକ୍ତମାନେ ଭାରତ ସରକାରଙ୍କ ୩୮ଟି ମନ୍ତ୍ରଣାଳୟ ଓ ବିଭାଗରେ ଯୋଗ ଦେବେ । ସେମାନେ ସରକାରଙ୍କ ବିଭିନ୍ନ ଶ୍ରେଣୀ ଯଥା ଗ୍ରୁପ-ଏ ଓ ଗ୍ରୁପ-ବି ଗେଜେଟେଡ । ଗ୍ରୁପ-ବି (ନନଗେଜେଟେଡ) ଓ ଗ୍ରୁପ-ସିରେ ଯୋଗ ଦେବେ । ଯେଉଁ ପଦବୀରେ ନିଯୁକ୍ତିମାନ ହେବ ସେଗୁଡ଼ିକ ମଧ୍ୟରେ କେନ୍ଦ୍ରୀୟ ସଶକ୍ତବଳ ଅଧିକାରୀ, ସବ ଇନସିପେକ୍ଟର, କନେଷ୍ଟବଳ, ଏଲଡିସି, ଷ୍ଟେନୋ, ପିଏ, ଆୟକର ଇନିସପେକ୍ଟର, ଏମଟିଏସ ଇତ୍ୟାଦି ଅନ୍ତର୍ଭୁକ୍ତ।

ଏହି ନିଯୁକ୍ତ ମିଶନ ମୋଡରେ ମନ୍ତ୍ରଣାଳୟ ଓ ବିଭାଗ ଦ୍ୱାରା ଅନ୍ୟାନ୍ୟ ନିଯୁକ୍ତକାରୀ ସଂସ୍ଥା ଯଥା ୟୁପିଏସସି, ଏସଏସସି, ରେଳବାଇ ନିଯୁକ୍ତି ବୋର୍ଡ ଦ୍ୱାରା କରାଯାଇଛି । ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଚୟନ ପ୍ରକ୍ରିୟା ସରଳ ଓ ପ୍ରଯୁକ୍ତି ମାଧ୍ୟମରେ କରାଯାଇଛି ।

Leave A Reply

Your email address will not be published.