Latest Odisha News

ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ହଟିଲା ପ୍ରତିବନ୍ଧକ, ଢିଙ୍କିଆରେ ଯୋରଦାର ଚାଲିଛି ପାନବରଜ ମାପଚୁପ ଓ ଭଙ୍ଗାକାର୍ଯ୍ୟ

ପାରାଦୀପ: ପାରାଦୀପ ନିକଟସ୍ଥ ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଏବଂ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ପାରିପାର୍ଶ୍ବିକ ପ୍ରତିବନ୍ଧକ ହଟିବାରେ ଲାଗିଛି। ଦୀର୍ଘ ବର୍ଷ ଧରି ଶିଳ୍ପ ପ୍ରତିଷ୍ଠାକୁ ବୀରୋଧ କରି ଆନ୍ଦୋଳନ କରି ଆସୁଥିବା ଢ଼ିଙ୍କିଆ ଗାଁରେ ଏବେ ପାନବରଜ ମାପଚୁପ ଓ ଭଙ୍ଗା କାର୍ୟ୍ୟ ଜାରି ରହିଛି। ଆଜି ସେହି ଗାଁରୁ ପଚାଶଟି ପାନବରଜ ମାପଚୁପ କରାଯାଇଥିଲାବେଳେ ସେଥିରୁ ୩୨ ଟି ପାନବରଜ ଭଙ୍ଗା ଯାଇଛି। ଦୀର୍ଘ ବର୍ଷ ଧରି ଢ଼ିଙ୍କିଆ ଗାଁର ଲୋକେ ପ୍ରକଳ୍ପ ବୀରୋଧରେ ଆନ୍ଦୋଳନ କରି ଆସୁଥିବା ବେଳେ ସେମାନଙ୍କ ଗାଁର କିଛି ଲୋକ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ମଧ୍ୟ ଆଲୋଚନା କରୁଛନ୍ତି। ଆପୋଷ ଆଲୋଚନା ମାଧ୍ୟମରେ ଲୋକଙ୍କ ସହମତିରେ ଏହି କାର୍ୟ୍ୟ ଆଗେଇ ଚାଲିଛି।

BjdElectrycity

ଏରସମା ତହସିଲଦାର ଚୌଧୁରୀ ପ୍ରଞ୍ଜାନନ୍ଦ ଦାସଙ୍କ ନେତୃତ୍ୱରେ ପାଞ୍ଚଟି ଟିମ୍ ଏହି କାର୍ୟ୍ୟକୁ ତ୍ବରାନ୍ବିତ କରୁଛନ୍ତି। ଆଜି ଗୋବିନ୍ଦପୁର ଗାଁରେ ସ୍ଥାନୀୟ ଲୋକମାନଙ୍କ ଫଳନ୍ତି ଗଛର ଚିହ୍ନଟ ଓ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ତହସିଲଦାରଙ୍କ ଉପସ୍ଥିତିରେ ଆପୋଷ ଆଲୋଚନା ପରେ ଗାଁ ଲୋକେ ସହଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ ପକ୍ଷରୁ ଯାହା ମୂଲ୍ୟାୟନ କରାଯିବ ସେହି ଅନୁସାରେ ବ୍ୟକ୍ତିଗତ ଲୋକଙ୍କୁ ସେମାନଙ୍କର କ୍ଷତିପୂରଣ ଅର୍ଥ ପ୍ରଦାନ କରାଯିବ।

ସେହିପରି ପାଟଣା ପଟୁ ଆଜି ଇଡକୋ ପକ୍ଷରୁ ପ୍ରାଚୀର ନିର୍ମାଣ କାର୍ୟ୍ୟ କରାଯାଇଛି। ଏହି ନିର୍ମାଣ କାର୍ୟ୍ୟରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ତଥା ଶ୍ରମିକ ମାନଙ୍କୁ ନିୟୋଜିତ କରାଯାଇଛି। ଆଜି ସୁଦ୍ଧା ଢ଼ିଙ୍କିଆ ପଞ୍ଚାୟତରେ ୩୩୬ ଟି ପାନବରଜ ଭଙ୍ଗା ଯାଇଥିଲା ବେଳେ ପ୍ରାୟ ୪୫୦ ବରଜ ମାପଚୁପ କରାଯାଇଛି। ସେଥିରୁ ୨୪୫ ଜଣ ହିତାଧିକାରୀଙ୍କୁ ପ୍ରାୟ ୬ କୋଟି ୦୬ ଲକ୍ଷରୁ ଉର୍ଦ୍ଧ ଟଙ୍କା କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଅନେକ ହିତାଧିକାରୀ ପାନବରଜ ଭାଙ୍ଗି ଥିବା ବେଳେ ସେମାନଙ୍କ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିବାରେ ବିଳମ୍ବ କରୁଥିବାରୁ କ୍ଷତିପୂରଣ ପାଇବାରେ ବିଳମ୍ବ ହେଉଥିବାର ଦେଖିବାକୁ ମିଳିଛି। ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ କାର୍ୟ୍ୟ ଦିନକୁ ଦିନ ଆଗେଇ ଚାଲିଥିବା ବେଳେ ଇଡକୋ ପକ୍ଷରୁ ପ୍ରାଚୀର ନିର୍ମାଣ କାର୍ୟ୍ୟ ମଧ୍ୟ ଆଗେଇ ଚାଲିଛି।

Comments are closed, but trackbacks and pingbacks are open.