Latest Odisha News

BREAKING NEWS

ଉତ୍ତରାଖଣ୍ଡରୁ ଫେରିଥିବା ଶ୍ରମିକ ଭାଇମାନଙ୍କୁ ସ୍ୱାଗତ ଜଣାଇବା କେବଳ ଏକ ଡ୍ରାମାବାଜୀ: ତେଜେଶ୍ୱର ପରିଡା

ଭୁବନେଶ୍ୱର: ଗତକାଲି ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ୫ ଓଡିଆ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଓଡିଶା ଫେରିବା ପରେ “ଓଡ଼ିଶାରେ ଚାକିରି ନାହିଁ ତେଣୁ ପୁଣି ଥରେ ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ସେହି ଟନେଲ ଭିତରକୁ ଫେରିଯିବୁ” ଏଭଳି କହି ନିଜ ଦୁଃଖ ବଖାଣିଥିଲେ ଉଦ୍ଧାର ଶ୍ରମିକ ମାନେ । ଯାହାକୁ ନେଇ ଆଜି ରାଜ୍ୟ ସରାକରଙ୍କ ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ତେଜେଶ୍ୱର ପରିଡା ।

ତେଜେଶ୍ୱର ପରିଡା କହିଛନ୍ତି ଯେ, ଆଜି ରାଜ୍ୟ ସରକାରଙ୍କର ଦୋ ମୁହାଁ ନୀତି ପଦାରେ ପଡିଛି । ଦାଦନ ଶ୍ରମିକମାନଙ୍କର ଦୁଃଖର କାହାଣୀ ଲୁଚାଇବା ପାଇଁ ସେମାନଙ୍କର ଭାବାବେଗ ଓ ଦୁର୍ବଳତାର ଫାଇଦା ନେଇ ରାଜ୍ୟ ସରକାର ଡ୍ରାମାବାଜି କରୁଛନ୍ତି, ଯାହା ରାଜ୍ୟର ବିକାଶର ମିଛ ଚିତ୍ରକୁ ପଦାରେ ପକାଇଛି । ମୃତ୍ୟୁ ମୁହଁରୁ ଜୀବନ ବଞ୍ଚାଇ ଓଡିଶା ଫେରିଥିବା ଦାଦନ ଶ୍ରମିକମାନେ ଓଡ଼ିଶାରେ ନିଯୁକ୍ତି ସୁଯୋଗ ନଥିବାରୁ ପୁଣି ଥରେ ଅନ୍ୟ ରାଜ୍ୟକୁ କାମ ପାଇଁ ଯିବାକୁ କହିବା ଠୁ ଅଧିକ କରୁଣ ପରିସ୍ଥିତି ଆମ ପାଇଁ କିଛି ହୋଇନପାରେ ।

ସେହିପରି ରାଜ୍ୟରେ ଯୁବକମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି ରାଜ୍ୟସରକାର । ଯେଉଁଥିପାଇଁ ଦାଦନ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଯାହାକୁ ନେଇ ରାଜ୍ୟ ସରକାର ନିଜ ଦୋଷକୁ ଲୁଚାଇବା ପାଇଁ ବିଧାନସଭାରେ ମଧ୍ୟ ମିଛ କହିବାକୁ ପଛାଉନାହାନ୍ତି । ଗତ ବିଧାନସଭା ଅଧିବେସନରେ ଜବାବ ରଖି ରାଜ୍ୟ ସରକାର ଜିଲ୍ଲା ଦାଦନ ଶ୍ରମିକଙ୍କ ତାଲିକା ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ଏହି ମିଛ ତାଲିକାର ଅସଲ ମୁଖା ଗତକାଲି ପର୍ଦ୍ଦାଫାଶ ହୋଇଛି ଓ ଓଡିଆ ଦାଦନ ଶ୍ରମିକଙ୍କ ଅବସ୍ଥାର ଲଜ୍ଜ୍ୟାଜନକ ସ୍ଥିତି ସାମ୍ନାକୁ ଆସିଛି ବୋଲି ଶ୍ରୀ ପରିଡା କହିଛନ୍ତି ।

ଭଦ୍ରକ ଜିଲ୍ଲାରୁ ଜଣେ ହେଲେ ପ୍ରବାସୀ ଶ୍ରମିକ ଅନ୍ୟ ରାଜ୍ୟକୁ ଯାଇନଥିବା ରାଜ୍ୟ ସରକାର ବିଧାନସଭାରେ କହିଥିଲାବେଳେ ଓଡ଼ିଶାକୁ ଏବେ ସୁଦ୍ଧା ଉତ୍ତରାଖଣ୍ଡରୁ ଫେରିନଥିବା ଜଣେ ଶ୍ରମିକଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ବୋଲି ଜଣାପଡିଛି । ଏକଥା ଯଦି ସତ ତେବେ ସରକାରଙ୍କର ବିଧାନସଭାରେ ଦେଇଥିବା ଉତ୍ତର କ’ଣ ମିଛ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ତେଜେଶ୍ୱର ପରିଡା ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.