Kailash Mansarovar: ନେପାଳ ବନ୍ୟାରେ ଭାସିଗଲେ ଶହ ଶହ କୈଳାସ ମାନସରୋବର ତୀର୍ଥଯାତ୍ରୀ! ଜାଣନ୍ତୁ କେତେ କଷ୍ଟକର ଏହି ଯାତ୍ରା…କେଉଁ ବାଟ ଦେଇ ଯାଆନ୍ତି ଭାରତୀୟ?
ନୂଆଦିଲ୍ଲୀ: ନେପାଳରେ ହଠାତ୍ ଆସିଥିବା ଭୟଙ୍କର ବନ୍ୟା ପରେ କୈଳାସ ମାନସରୋବର ଯାତ୍ରା ପୁଣି ଚର୍ଚ୍ଚାକୁ ଆସିଛି। ନେପାଳର ରାସୁୱା ଜିଲ୍ଲା ଓ ତିବ୍ବତ ସୀମା ନିକଟରେ ଫ୍ଲାସ୍ ଫ୍ଲଡ୍ ଯୋଗୁଁ ପ୍ରାୟ ୪୦୦ ତୀର୍ଥଯାତ୍ରୀ ନିଖୋଜ ଥିବା ଖବର ଆସିଛି। ଏଥିରେ ଶହେରୁ ଅଧିକ ଭାରତୀୟ ଥିବା ରିପୋର୍ଟରେ କୁହାଯାଇଛି। ଏହା ପରେ କୈଳାସ ମାନସରୋବର ଯାତ୍ରାର ରୁଟ୍ ଏବଂ ଏହାର କଠିନତାକୁ ନେଇ ଜାଣିବା ପାଇଁ ଆଗ୍ରହ ବଢ଼ିଛି।
କୈଳାସ ମାନସରୋବର ଯାତ୍ରା ପାଇଁ ଭାରତୀୟ ତୀର୍ଥଯାତ୍ରୀଙ୍କର ମୁଖ୍ୟତଃ ୩ଟି ରୁଟ୍ ରହିଛି। ପ୍ରଥମ ହେଲା ଲିପୁଲେଖ ପାସ୍ ରୁଟ୍: ଦିଲ୍ଲୀରୁ ଆରମ୍ଭ ହୋଇ ଆଲ୍ମୋରା, ଧାରଚୁଲା, ଗୁଞ୍ଜି ଦେଇ ୫,୨୦୦ ମିଟର ଉଚ୍ଚ ଲିପୁଲେଖ ପାସ୍ ଦେଇ ତିବ୍ବତରେ ପ୍ରବେଶ କରାଯାଏ। ଏହା ଭାରତ ସରକାରଙ୍କ ଆୟୋଜନରେ ହୁଏ। ଦ୍ୱିତୀୟଟି ହେଲା ନାଥୁଲା ପାସ୍ ରୁଟ୍: ଦିଲ୍ଲୀରୁ ଗ୍ୟାଙ୍ଗଟକ୍ ଦେଇ ନାଥୁଲା ପାସ୍ ଅତିକ୍ରମ କରି ତିବ୍ବତ ଯିବାକୁ ପଡ଼େ। ଏହି ରୁଟ୍ରେ ଟ୍ରେକିଂ ତୁଳନାରେ ଯାନବାହନ ବ୍ୟବହାର ଅଧିକ। ତୃତୀୟଟା ହେଲା ନେପାଳ ରୁଟ୍: କାଠମାଣ୍ଡୁରୁ ନେପାଳଗଞ୍ଜ/ସିମିକୋଟ୍ ଦେଇ ହିଲ୍ସା-ୟାରି ସୀମା କିମ୍ବା ରାସୁୱାଗଢ଼ି-କେରୁଙ୍ଗ ରାସ୍ତାରେ ତିବ୍ବତ ପ୍ରବେଶ କରାଯାଏ। ଏହି ଯାତ୍ରା ସାଧାରଣତଃ ବେସରକାରୀ ଟୁର୍ ଅପରେଟରଙ୍କ ମାଧ୍ୟମରେ ହୁଏ। ବର୍ତ୍ତମାନର ବନ୍ୟାର ସବୁଠାରୁ ଅଧିକ ପ୍ରଭାବ ଏହି ରୁଟ୍ରେ ପଡ଼ିଛି।
କୈଳାସ ମାନସରୋବର ଯାତ୍ରା ସମୁଦ୍ର ପତ୍ତନଠାରୁ ୪,୫୦୦ ମିଟରରୁ ଅଧିକ ଉଚ୍ଚତାରେ ହୁଏ। ଅମ୍ଳଜାନ କମ୍ ରହିବା ସହ ଥଣ୍ଡା, ଅନିଶ୍ଚିତ ପାଣିପାଗ, ଭୂସ୍ଖଳନ ଓ ଦୁର୍ଗମ ପାହାଡ଼ିଆ ରାସ୍ତା ଯାତ୍ରାକୁ କଷ୍ଟକର କରିଥାଏ। ସବୁଠାରୁ କଠିନ ଅଂଶ ହେଉଛି ପ୍ରାୟ ୫୨ କିଲୋମିଟର କୈଳାସ ପରିକ୍ରମା, ଯେଉଁଥିରେ ପ୍ରାୟ ୫,୬୩୦ ମିଟର ଉଚ୍ଚ ଡୋଲ୍ମା ଲା ପାସ୍ ଅତିକ୍ରମ କରିବାକୁ ପଡ଼େ।
ହିନ୍ଦୁ, ବୌଦ୍ଧ, ଜୈନ ଏବଂ ବୋନ୍ ଧର୍ମାବଲମ୍ବୀଙ୍କ ପାଇଁ କୈଳାସ ମାନସରୋବର ଅତ୍ୟନ୍ତ ପବିତ୍ର। ହିନ୍ଦୁ ଧର୍ମରେ କୈଳାସ ପର୍ବତକୁ ଭଗବାନ ଶିବଙ୍କ ବାସସ୍ଥାନ ଭାବେ ମଣାଯାଏ। କୈଳାସ ପର୍ବତର ଉଚ୍ଚତା ପ୍ରାୟ ୬,୬୩୮ ମିଟର ଏବଂ ମାନସରୋବର ମଧ୍ୟ ଧାର୍ମିକ ଭାବେ ବିଶେଷ ମହତ୍ତ୍ୱ ରଖେ।
ସରକାରୀ ମାର୍ଗରେ ଯାତ୍ରା ପାଇଁ ବୈଧ ପାସପୋର୍ଟ, ଆବଶ୍ୟକ ଭିସା ଓ ପରମିଟ୍, ମେଡିକାଲ ଫିଟନେସ୍ ସାର୍ଟିଫିକେଟ୍ ଆଦି ଆବଶ୍ୟକ। ଚୀନ୍ର ତିବ୍ବତ ଅଞ୍ଚଳକୁ ଯିବା ପାଇଁ ଆବଶ୍ୟକ ଭିସା ଓ ପରମିଟ୍ ପ୍ରକ୍ରିୟା ପୂରଣ ହେବା ଦରକାର। ଘୋଷଣା ହେଲେ ଭାରତୀୟମାନେ ବିଦେଶ ମନ୍ତ୍ରଣାଳୟର ଅଧିକୃତ କୈଳାସ ମାନସରୋବର ଯାତ୍ରା ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରନ୍ତି।
ତେବେ ନେପାଳର ସାମ୍ପ୍ରତିକ ବନ୍ୟା ଘଟଣା ଦେଖାଇଦେଇଛି ଯେ, ଆଧ୍ୟାତ୍ମିକ ଭାବେ ଯେତେ ପବିତ୍ର ଏହି ଯାତ୍ରା, ଭୌଗୋଳିକ ଓ ପାଣିପାଗ ଦୃଷ୍ଟିରୁ ଏହା ସେତେ ଚ୍ୟାଲେଞ୍ଜିଂ।

