Latest Odisha News

BREAKING NEWS

ବଦଳୁଛି କି ଦିଲୀପ ରାୟଙ୍କ ମୁଡ୍ ?

ଭୁବନେଶ୍ୱର: ହକି ବିଶ୍ୱକପ୍ ଆରମ୍ଭ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଉରକେଲା ବିଧାୟକଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି । ନିକଟରେ ଦିଲୀପଙ୍କ ଜନ୍ମଦିନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓ ଏକାଠି ହୋଇଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଅସନ୍ତୁଷ୍ଟଙ୍କୁ ନେଇ ନୂଆ ସମୀକରଣର କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ।

ଏବେ ଦିଲୀପ ରାୟଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଶୁକ୍ରବାର ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ସ୍ପେନ୍ ବିପକ୍ଷରେ ବିଜୟୀ ମ୍ୟାଚ୍ ଖେଳିଥିଲା ଭାରତ । ବିର୍ସା ମୁଣ୍ଡା ଷ୍ଟାଡିୟମ୍ ଉଦଘାଟନ୍ ବେଳେ ଦେଖା ଯାଇ ନଥିବା ଦିଲୀପ ପ୍ରଥମ ମ୍ୟାଚ୍ ଉପଭୋଗ କରିବା ସହ ରାଜ୍ୟ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ।

ତେବେ, ଦିଲୀପ ପ୍ରଥମ ଥର ପାଇଁ ନବୀନଙ୍କୁ ପ୍ରଶଂସା କରି ନାହାନ୍ତି । ଏହା ପୂର୍ବରୁ ୨୦୨୦ ଡିସେମ୍ବର ମାସରେ ରାଉରକେଲାରେ ହକି ଷ୍ଟାଡୟିମ୍ ନିର୍ମାଣ ନେଇ ନବୀନଙ୍କୁ ପ୍ରଶଂସା କରିଥିଲେ ଦିଲୀପ ରାୟ ।

ବାରମ୍ବାର ନବୀନଙ୍କୁ ଦିଲୀପ କାହିଁକି କରୁଛନ୍ତି ପ୍ରଶଂସା ? ବଦଳୁଥିବା ରାଜନୈତିକ ସ୍ଥିତିରେ ନୂଆ ସମୀକରଣ ଆଙ୍କି ବିଜେଡିକୁ ବଳ ଦେବେ କି ଦିଲୀପ ? ୨୦୧୮ ପର ଠାରୁ ରାଜନୀତିରୁ ଏକ ପ୍ରକାର ଦୂରେଇ ରହିଥିବା ଦିଲୀପ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହୋଇଥିଲା । ଏପରିକି ନିଜେ ଦିଲୀପ ନବୀନ ନିବାସ ଯାଇଥିଲେ ବି ଶେଷ ମୁହୂର୍ତ୍ତରେ ଅଙ୍କ ଛିଡ଼ି ନଥିଲା । ଏବେ ପୁଣି ଦିଲୀପଙ୍କ ରାଜନୈତିକ ଜୀବନକୁ ନେଇ ନାନା କଳ୍ପନାଜଳ୍ପନା ହେଉଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ରଖୁ ନାହାଁନ୍ତି ।

Leave A Reply

Your email address will not be published.