ଭୁବନେଶ୍ୱର: କର୍ଣ୍ଣାଟକରେ ହାରିବା ପରେ ବିଜେପି ଭିତରେ ଲଢେଇ ଥମିବାର ନାଁ ଧରୁନି। ଗୋଟିଏ ପଟେ ପରାଜୟକୁ ନେଇ ପରସ୍ପର ମଧ୍ୟରେ ଦୋଷ ଲଦାଲଦି, ଖୋଲାଖୋଲି ଲୋକଙ୍କ ସମ୍ମୁଖରେ ପରସ୍ପର ବିରୋଧରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିବା ଓ ସାମ୍ବାଦିକ ସମ୍ମିଳନୀରେ ନିଜ ଦଳର ନେତାଙ୍କୁ କୁତ୍ସାରଟନା ବ୍ୟାପକ ଭାବେ ହୋଇଛି।
ଏଭଳି କାର୍ଯ୍ୟରେ ଲଗାତର ଭାବେ ଲିପ୍ତ ଥିବା ରାଜ୍ୟର ପ୍ରମୁଖ ୧୧ ଜଣ ନେତାଙ୍କୁ ବିଚାର ପରିସରକୁ ଆଣିଛି ଦଳ। ବରିଷ୍ଠ ବିଜେପି ନେତା ବି ଏସ ୟେଦ୍ୟୁରପ୍ପାଙ୍କୁ ଏହି ନେତାଙ୍କ ସହ କଥା ହେବାକୁ କୁହାଯାଇଛି।
ବସନାଗଉଡା ପାଟିଲ ୟାଟନାଲ, ଏଏସ ପାଟିଲ, ବିରାନ୍ନା ଚରନ୍ତିମାଥ, ପ୍ରତାପ ସିମହା, ଥାମେସ ଗୌଡା, ମୁରୁଗେଶ ନିରାନୀ, ରମେଶ ଜିଗାଜିନାଗି ଆଦି ନେତାଙ୍କୁ ସମନ କରାଯାଇଥିଲା। ଏହି ନେତାମାନେ ଦଳର ପରାଜୟ ପରେ ଖୋଲାଖୋଲି ନିଜ ଦଳ ଓ ନେତାଙ୍କ ବିରୋଧରେ ମନ୍ତବ୍ୟ ରଖୁଛନ୍ତି।
କିନ୍ତୁ ଏହି ୧୧ ଜଣ ନେତାଙ୍କୁ ଡକାଯାଇଥିଲେ ମଧ୍ୟ ସେଥିରୁ ୫ ଜଣ ବରିଷ୍ଠ ନେତାଙ୍କୁ ଦେଖିବାକୁ ମିଳି ନ ଥିଲା। ବୈଠକରେ ନିରାନୀ, ଚହ୍ୱାନ, ଜିଗାଜିନାଗି, ଠାକୁର ଓ ରେଣୁକାଚାର୍ଯ୍ୟଙ୍କୁ ଦେଖିବାକୁ ମିଳି ନ ଥିଲା।
ତେଣୁ ଏହି ନେତାଙ୍କୁ କାରଣ ଦର୍ଶାଅ ଜାରି କରିବାକୁ ନିର୍ଦେଶ ଦିଆଯାଇଛି। ସେପଟେ ବୈଠକରେ ସାମିଲ ନ ହୋଇ କିଛି ନେତା ବାହାରେ ପ୍ରତିକ୍ରିୟା ରଖିଛନ୍ତି। ସେପଟେ ଦଳ ପକ୍ଷରୁ ବିଶୃଙ୍ଖଳା କାରୀ ନେତାଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି।
ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ନେତାଙ୍କ ସହ ଆଲୋଚନା ହୋଇଥିବା ବେଳେ ଆଗକୁ ଏଭଳି ନ କରିବାକୁ ଚେତାବନୀ ଦିଆଯାଇଥିବା କର୍ଣ୍ଣାଟକ ବିଜେପି ସଭାପତି ନଳିନୀକାନ୍ତ କାତିଲ କହିଛନ୍ତି।
ତେଣୁ ଦଳର ଏଭଳି ଅସନ୍ତୋଷ ମଧ୍ୟରେ ବିରୋଧୀ ଦଳ ନେତା ପଦ ପାଇଁ ଲଢେଇ ମଧ୍ୟ ତୀଵ୍ର ହୋଇଛି। ରାଜ୍ୟ ସଭାପତି ଓ ବିରୋଧୀ ଦଳ ନେତା ପଦ ଭିତରୁ ବିରୋଧୀ ଦଳ ନେତା ପଦ ପାଇଁ ବହୁ ନେତା ଆଶାୟୀ ରହିଛନ୍ତି।
କର୍ଣ୍ଣାଟକରେ ନୂଆ କଂଗ୍ରେସ ସରକାର ଗଠନ ହେବା ପରେ ଆସନ୍ତା ସୋମବାର ବିଧାନସଭାର ପ୍ରଥମ ଅଧିବେଶନ ହେବ। କିନ୍ତୁ ଏ ଯାଏ ବିଜେପି ବିରୋଧୀ ଦଳ ନେତା ଚୟନ କରିପାରିନି।
ଏପରିକି ଦଳର ନୂଆ ରାଜ୍ୟ ସଭାପତି ସହ ସଂଗଠନରେ ବହୁ ପରିବର୍ତ୍ତନ ହେବ। ରାଜ୍ୟର ଲିଙ୍ଗାୟତ, ଭୋକାଲିଗା ଓ ପଛୁଆ ବର୍ଗଙ୍କୁ ଅଧିକ ପ୍ରତିନିଧିତ୍ୱ ଦେବାକୁ ଦଳ ଯୋଜନା କରିଛି।
ତେଣୁ ସବୁ ଦୃଷ୍ଟିରୁ ଦେଖିଲେ ନିର୍ବାଚନରେ ବଡ଼ ପରାଜୟ ପରେ ବିଜେପିକୁ କର୍ଣ୍ଣାଟକରେ ଅତି ଖରାପ ସମୟ ମଧ୍ୟରେ ଗତି କରୁଥିବା ଚର୍ଚ୍ଚା ହେଉଛି।
ତେଣୁ ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଦଳର କେନ୍ଦ୍ରୀୟ ନେତୃତ୍ୱ ଏସବୁକୁ କିଭଳି ମ୍ୟାନେଜ କରୁଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
Comments are closed.