Latest Odisha News

BREAKING NEWS

ବିଜେପିକୁ ବିଶୃଙ୍ଖଳିତ ଦଳର ଆଖ୍ୟା !

ଭୁବନେଶ୍ୱର: କର୍ଣ୍ଣାଟକରେ ଗୋଷ୍ଠୀକନ୍ଦଳ ମଧ୍ୟରେ ନିଜର ସ୍ଥିତି ସଜାଡ଼ିବାକୁ ଉଦ୍ୟମ କରୁଥିବା ବିଜେପିକୁ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଟାର୍ଗେଟ କରିଛନ୍ତି। ବିଜେପିକୁ ସବୁଠୁ ବିଶୃଙ୍ଖଳିତ ଦଳ ବୋଲି କହିବା ସହ ଜୋରଦାର ସମାଲୋଚନା କରିଛନ୍ତି।

ଲୋକଙ୍କ ସମ୍ମୁଖରେ ନିଜ ନିଜ ମଧ୍ୟରେ ଲଢେଇ ଓ ବିରୋଧୀ ଦଳ ନେତା ଏ ଯାଏ ଚୟନ କରି ନ ପାରିବା ଆଦି ପ୍ରସଙ୍ଗକୁ ନେଇ ବିଜେପିକୁ ସମାଲୋଚନା କରାଯାଇଛି। ବିଜେପି ଭିତରେ ଗୋଷ୍ଠୀକନ୍ଦଳ ଥିବାରୁ ବିରୋଧୀ ଦଳ ନେତା ଚୟନରେ ଅହେତୁକ ବିଳମ୍ବ ହୋଇଥିବା ସେ କହିଛନ୍ତି।

ବିଜେପି ନିଜକୁ ଶୃଙ୍ଖଳିତ ଦଳ ବୋଲି କହୁଥିଲେ ମଧ୍ୟ ସବୁଠୁ ବିଶୃଙ୍ଖଳିତ ଦଳ ହେଉଛି ବିଜେପି ବୋଲି ସିଦ୍ଦରମେୟା କହିଛନ୍ତି। କର୍ଣ୍ଣାଟକ ବିଧାନସଭା ଅଧିବେଶନ ଆରମ୍ଭ ହୋଇସାରିଥିଲେ ମଧ୍ୟ ଏ ଯାଏ ବିଜେପି ବିରୋଧୀ ଦଳ ନେତା ଚୟନ କରିପାରି ନାହିଁ। ବିରୋଧୀ ଦଳ ନେତା ଚୟନ କରିବା ପାଇଁ କେନ୍ଦ୍ରର ଦୁଇଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିଲେ ମଧ୍ୟ କିଛି ଫଳ ମିଳିନାହିଁ।

ଯାହାକୁ ନେଇ ବିଜେପିକୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡୁଥିବା ବେଳେ କଂଗ୍ରେସ ଏବେ ଜୋରଦାର ଟାର୍ଗେଟ କରିଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ମଧ୍ୟ ବିଜେପିକୁ ଏ ପ୍ରସଙ୍ଗରେ ସମାଲୋଚନା କରିଛନ୍ତି। ୧୯୫୨ ମସିହା ଠାରୁ ଏ ଯାଏ ମୁଖ୍ୟ ବିରୋଧୀ ବିନା ଗୃହ ଚାଲିବା ଭଳି ଘଟଣା ପ୍ରଥମଥର ହେଉଛି ବୋଲି ସେ କହିଛନ୍ତି।

ଦଳ ଜିତିଲେ ବିଜେପି ବଡ଼ ପାଟି କରେ କିନ୍ତୁ ହାରିଲେ ଟୁକଡା ଟୁକଡା ହୋଇଯାଏ ବୋଲି ରମେଶ କହିଛନ୍ତି। ଏପରିକି ଖୋଦ ନିଜ ଦଳର ନେତାମାନେ ମଧ୍ୟ ବିରୋଧୀ ଦଳ ନେତା ପ୍ରସଙ୍ଗକୁ ନେଇ ନେତୃତ୍ୱକୁ ସମାଲୋଚନା କରିଛନ୍ତି।

କର୍ଣ୍ଣାଟକ ନିର୍ବାଚନ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସିଦ୍ଦରମେୟା ଓ ଡି କେ ଶିବକୁମାରଙ୍କ ମଧ୍ୟରେ ଲଢେ଼ଇ ଚାଲିଥିବା ବେଳେ ବିଜେପି କଂଗ୍ରେସକୁ ସମାଲୋଚନା କରିଥିଲା। ଏପରିକି ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଗେହଲଟ ଓ ପାଇଲଟ ଲଢ଼େଇକୁ ନେଇ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଜୋରଦାର ସମାଲୋଚନା କରିଛନ୍ତି।

ତେଣୁ ଏଭଳି ସ୍ଥିତିରେ କର୍ଣ୍ଣାଟକରେ ବିଜେପିର ଗୋଷ୍ଠୀକନ୍ଦଳ ଚରମ ସୀମାରେ ପହଂଚିଥିବାରୁ କଂଗ୍ରେସ ସୁଯୋଗକୁ ହାତଛଡା କରି ନ ଥିବା ବେଳେ ସିଦ୍ଦରମେୟା ବିଜେପିକୁ ସବୁଠୁ ଅଧିକ ବିଶୃଙ୍ଖଳିତ ଦଳ ବୋଲି କହି ବର୍ଷିଛନ୍ତି।

ତେଣୁ ସିଦ୍ଦରମେୟାଙ୍କ ଏହି ବଡ଼ ବୟାନ ପରେ ବିଜେପିକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି। ସେପଟେ ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଦଳ ଭିତରେ ବ୍ୟାପକ ଅସନ୍ତୋଷ ସାରା ଦେଶକୁ ଏକ ଖରାପ ବାର୍ତା ଦେଉଛି ବୋଲି ଚର୍ଚ୍ଚା ହେଉଛି।

Comments are closed.