Latest Odisha News

BREAKING NEWS

ରାହୁଲଙ୍କ ଆଟାକରେ ଘାଇଲା କେସିଆର, ଏବେ ଶାହା ହେବେ ଅଖିଲେଶ !

ଭୁବନେଶ୍ୱର: କଂଗ୍ରେସ ଏବେ ତେଲେଙ୍ଗାନାରେ ବିଆରଏସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। କେବଳ ବିଆରଏସ ନୁହେଁ କେନ୍ଦ୍ରରେ ଶାସକ ବିଜେପି ଓ ବିରୋଧୀଙ୍କ ଟେନସନ ମଧ୍ୟ ବଢାଇଛି ଦଳ।

ଗୋଟିଏ ପଟେ ବିଜେପି ବିରୋଧୀଙ୍କ ପାଇଁ କାଳ ସାଜିଥିବା କୁହାଯାଉଥିବା ବେଳେ ବିଜେପିକୁ ଶାସନରୁ ହଟାଇବା ପାଇଁ ବିରୋଧୀ ଏକାଠି ହେଉଛନ୍ତି। ସେପଟେ କଂଗ୍ରେସକୁ ଛାଡି ବିରୋଧୀ ଏକତାର କିଛି ମାନେ ନାହିଁ ବୋଲି ଆଲୋଚନା ହେଉଛି।

ଆଞ୍ଚଳିକ କ୍ଷେତ୍ରରେ କ୍ଷମତାରେ ଥିବା ବିରୋଧୀ ମାନେ କଂଗ୍ରେସକୁ ସହଯୋଗ କରିବା ନେଇ ସର୍ତ୍ତ ମଧ୍ୟ ରଖୁଛନ୍ତି। କିନ୍ତୁ କର୍ଣ୍ଣାଟକରେ ବଡ଼ ବିଜୟ ପରେ କଂଗ୍ରେସ କିନ୍ତୁ ଦମଦାର ଢଙ୍ଗରେ ଆଗକୁ ବଢ଼ିବାରେ ଲାଗିଛି।

ଏପରିକି ବିରୋଧୀ ଏକତାର ଅଗ୍ର ଭାଗରେ ଥିବା ତେଲେଙ୍ଗାନାର ଶାସକ ଦଳ ବିଆରଏସ ଏବେ ହରଡ଼ଘଣାରେ ପଡିଛି। ଦେଶରେ ନିଜକୁ ପରିବ୍ୟାପ୍ତ କରିବାକୁ ଯୋଜନା କରିଥିବା ବିଆରଏସ ଏବେ କିଭଳି ତେଲେଙ୍ଗାନାରେ କ୍ଷମତା ବଜାୟ ରଖିବ ତାକୁ ନେଇ ଟେନସନରେ।

ପୁଣି ଏହି ଟେନସନକୁ ଆହୁରି ବଢ଼ାଇ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ତେଲେଙ୍ଗାନା ଗସ୍ତରେ ଆସି ଏକ ବଡ଼ ସାଧାରଣ ସଭାରେ ବିଆରଏସ ଉପରେ ବର୍ଷିବା ପରେ ବିଆରଏସ କିଭଳି ଏହାକୁ ସମ୍ମୁଖିନ ହେବ ତାକୁ ନେଇ ଚିନ୍ତାରେ ପଡିଯାଇଥିବା କୁହାଯାଉଛି।

ଗୋଟିଏ ପଟେ ବିଜେପିର ଆକ୍ରମଣକୁ ସମ୍ମୁଖୀନ ହେଉଥିବା କେସିଆର ଏବେ କଂଗ୍ରେସ ଆକ୍ରମଣର ଶିକାର ହୋଇଛନ୍ତି। ତେଣୁ ଏହାକୁ ସମ୍ମୁଖୀନ ହେବାକୁ ଅନ୍ୟତମ ପ୍ରମୁଖ ବିରୋଧୀ ସମାଜବାଦୀ ପାର୍ଟିର ସହାୟତା ନେଇଛନ୍ତି କେସିଆର।

ରାହୁଲଙ୍କ ଆଟାକ ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ଭେଟିଛନ୍ତି କେସିଆର। ଉଭୟ ନେତା ରାଷ୍ଟ୍ରୀୟ ରାଜନୀତିକୁ ନେଇ ଚର୍ଚ୍ଚା କରିଥିବା କୁହାଯାଇଛି।

ଗୋଟିଏ ପଟେ ପାଟନାରେ ବିରୋଧୀ ଏକତା ବୈଠକରେ ବିଆରଏସ ସାମିଲ ହୋଇ ନ ଥିଲା। ଏପରିକି ବିରୋଧୀ ଏକତା ବୈଠକକୁ ମୂଲ୍ୟହୀନ ବୋଲି ବିଆରଏସ ପକ୍ଷରୁ କୁହାଯାଇଥିଲା। କିନ୍ତୁ ସେହି ବୈଠକରେ ସମାଜବାଦୀ ପାର୍ଟି ଯୋଗ ଦେଇଥିଲା।

ବିରୋଧୀ ଏକତା ବୈଠକରେ ଯୋଗ ଦେଇ ଅଖିଲେଶ ପୁଣି କେସିଆରଙ୍କ ସହ ବୈଠକ କରିଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୁଣି ତେଲେଙ୍ଗାନାରେ ବିଆରଏସକୁ ରାହୁଲ ଜୋରଦାର ଟାର୍ଗେଟ କରିବାର ଠିକ ପରେ ପରେ ଅଖିଲେଶ କେସିଆରଙ୍କୁ ସାକ୍ଷାତ କରିବା ଘଟଣାକୁ ଭିନ୍ନ ମୋଡ଼ ଦେଇଛି।

ସେପଟେ ବିଜେପିକୁ ସତ୍ତାରୁ ହଟାଇବା ବିରୋଧୀ ଦଳଗୁଡିକର ଏକମାତ୍ର ଲକ୍ଷ ବୋଲି ଅଖିଲେଶ କହିଛନ୍ତି। କିନ୍ତୁ ଗୋଟିଏ ପଟେ ବିରୋଧୀଙ୍କ ପକ୍ଷରେ ବିଆରଏସ ରହିଲେ କଂଗ୍ରେସ ସେଥିରେ ରହିବ ନାହିଁ ବୋଲି ତେଲେଙ୍ଗାନାରେ ରାହୁଲ ଗାନ୍ଧୀ କହିସାରିଛନ୍ତି।

ଆଗକୁ ବେଙ୍ଗାଲୁରୁରେ ବିରୋଧୀ ଏକତାର ଦ୍ଵିତୀୟ ତଥା ନିର୍ଣ୍ଣାୟକ ବୈଠକ ଅଛି। କିନ୍ତୁ ତା ପୂର୍ବରୁ କଂଗ୍ରେସ ବିଆରଏସକୁ ଟାର୍ଗେଟ କରିବା ଓ ଠିକ ପରେ ପରେ ଅଖିଲେଶ କେସିଆରଙ୍କୁ ଭେଟିବା ଘଟଣା କୁ ଆହୁରି ରୋଚକ କରିଛି।

ସେପଟେ ପୂର୍ବରୁ ଅଖିଲେଶଙ୍କ ସମେତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେଉଁ ରାଜ୍ୟରେ ଯେଉଁ ବିରୋଧୀ ଶକ୍ତିଶାଳୀ ଅଛନ୍ତି ସେଠାରେ ତାଙ୍କୁ ଅଧିକରୁ ଅଧିକ ସିଟ ରେ ଲଢ଼ିବାକୁ ଦିଆଯାଉ ବୋଲି କହିଛନ୍ତି। କିନ୍ତୁ ବିରୋଧୀ ଧର୍ମ ପାଳନ କ୍ଷେତ୍ରରେ ଏଭଳି ଦେଖାଯାଉ ନାହିଁ।

ପଶ୍ଚିମବଙ୍ଗରେ ଏକମାତ୍ର କଂଗ୍ରେସ ବିଧାୟକଙ୍କୁ ତୃଣମୂଳ କଂଗ୍ରେସ ନିଜ ଦଳକୁ ନେଇଥିବା ବେଳେ ଅନ୍ୟ ଆଡେ ମଧ୍ୟ ବିରୋଧୀ ମାନେ ନିଜ ନଇଁ ଭିତରେ ଲଢୁଛନ୍ତି। ସେପଟେ ତେଲେଙ୍ଗାନାରେ ବିଆରଏସକୁ କଂଗ୍ରେସ ତୀଵ୍ର ବିରୋଧ କରୁଥିବା ବେଳେ ଅଖିଲେଶ କେସିଆରଙ୍କ ସହ ମିଶି ବିରୋଧୀ ଏକତାର କଥା ହେବା ଆଗାମୀ ଦିନରେ ବିରୋଧୀ ଏକତା ଉପରେ କିଭଳି ପ୍ରଭାବ ପକାଉଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସେପଟେ ତେଲେଙ୍ଗାନାରେ ରାହୁଲଙ୍କ ହୁଙ୍କାର ପରେ କେସିଆର କଂଗ୍ରେସ ଓ ବିଜେପିକୁ କେତେଦୂର ସମ୍ମୁଖୀନ ହୋଇ କ୍ଷମତା ବଜାୟ ରଖିପାରିବେ ତା ଉପରେ ନଜର।

 

Leave A Reply

Your email address will not be published.