ଭୁବନେଶ୍ୱର: ଚଳିତ ମାସ ୨୦ ତାରିଖରେ କେନ୍ଦ୍ରର ବିଜେପି ସରକାର ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କର୍ଣ୍ଣାଟକ କଂଗ୍ରେସ। ପ୍ରତ୍ୟେକ ଜିଲ୍ଲାରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କର୍ଣ୍ଣାଟକ ପିସିସି ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର କହିଛନ୍ତି।
କେନ୍ଦ୍ରଠୁ ଆବଶ୍ୟକ ମୁତାବକ ଚାଉଳ ନ ପାଇବା ଯୋଗୁ ରାଜ୍ୟରେ କଂଗ୍ରେସ ସରକାର ଅନ୍ନ ଭାଗ୍ୟ ସ୍କିମ କାର୍ଯ୍ୟକାରୀ କରିପାରୁନି। ଯେଉଁ ସ୍କିମ ଅନୁଯାୟୀ ରାଜ୍ୟର ବିପିଏଲ ପରିବାରକୁ ଅତିରିକ୍ତ ୫ କିଲୋ ଚାଉଳ ଦିଆଯିବ।
ସେପଟେ କିନ୍ତୁ ରାଜ୍ୟ ସରକାର ଲୋକଙ୍କୁ ଏହି ଚାଉଳ ଯୋଗାଇ ଦେବା ପାଇଁ ଅନ୍ୟ ଉତ୍ସ ଯୋଗାଡ଼ରେ ଲାଗି ପଡିଛନ୍ତି। ତେଣୁ ଏହି ସ୍କିମରେ ଲୋକଙ୍କୁ ଚାଉଳ ଯୋଗାଣ ପାଇଁ ନିର୍ଦ୍ଧାରିତ ଜୁଲାଇ ଏକ ତାରିଖରୁ ସାମାନ୍ୟ ବିଳମ୍ବ ହୋଇପାରେ ବୋଲି କୁହାଯାଇଛି।
ସେପଟେ କେନ୍ଦ୍ରର ବିଜେପି ସରକାରର ଏଭଳି ଆଭମୁଖ୍ୟକୁ କଂଗ୍ରେସ ସମାଲୋଚନା କରିଛି। ନିର୍ବାଚନ ହାରିଲେ ଜାତୀୟ ସ୍କିମ ଗୁଡିକ ପ୍ରଭାବିତ ହେବ ବୋଲି ନିର୍ବାଚନ ପ୍ରଚାର ବେଳେ ବିଜେପି ଜାତୀୟ ସଭାପତି ଜେ ପି ନଡ୍ଡା କହିଥିବା ବେଳେ ତାହା ଏବେ କରି ଦେଖାଉଛନ୍ତି ବୋଲି ଶିବକୁମାର ତାତ୍ସଲ୍ୟ କରି କହିଛନ୍ତି।
କେନ୍ଦ୍ରର ବିଜେପି ସରକାର ଘୃଣାର ରାଜନୀତି କରୁଛି ବୋଲି ଶିବକୁମାର କହିବା ସହ ଏଫସିଆଇ ରାଜ୍ୟକୁ ଆବଶ୍ୟକ ଚାଉଳ ଯୋଗାଇ ଦେଉନି ବୋଲି କହିଛନ୍ତି। ତେଣୁ ବିଜେପିର ଏହି ନୀତି ବିରୋଧରେ କଂଗ୍ରେସ ରାଜ୍ୟବ୍ୟାପି ପ୍ରତିବାଦ କରିବ।
କିନ୍ତୁ କଂଗ୍ରେସ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛି ତାହା ପୂରଣ କରିବ ବୋଲି କୁହାଯାଇଛି। ସେଥିପାଇଁ କର୍ଣ୍ଣାଟକର କଂଗ୍ରେସ ସରକାର ପକ୍ଷରୁ ତେଲେଙ୍ଗାନା ଛତିଶଗଡ଼ ଆଦି ରାଜ୍ୟ ସହ ଆଲୋଚନା ଚାଲିଛି ବୋଲି ଡି କେ ଶିବକୁମାର କହିଛନ୍ତି।
ଏପରିକି କର୍ଣ୍ଣାଟକର ବିଜେପି ସାଂସଦ ମାନେ ମଧ୍ୟ ଏହି ପ୍ରତିବାଦରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ଶିବକୁମାର। ରାଜ୍ୟବ୍ୟାସୀଙ୍କ ସ୍ୱାର୍ଥ ପାଇଁ ସେମାନେ ସାମିଲ ହେବା ଦରକାର ବୋଲି କୁହାଯାଇଛି। ଯାହାକୁ ନେଇ କର୍ଣ୍ଣାଟକ ରାଜନୀତି ସରଗରମ ହୋଇଛି।
Comments are closed.