Latest Odisha News

ଶ୍ରୀମନ୍ଦିରରେ ଆଜିଠୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ଆଶ୍ବିନ ମାସ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଏହି ନୀତି ମହାପ୍ରଭୁଙ୍କର ଚାଲିବାକୁ ଥିବାବେଳେ ଏକ ମାସ ଧରି ମହାପ୍ରଭୁଙ୍କ ସ୍ବତନ୍ତ୍ର ବାଳଭୋଗ ସହ ରାଧାଦାମୋଦର ବେଶ ଆରମ୍ଭ ହୋଇଛି । ଯାହାକୁ ଦେଖିବାଲାଗି ଭକ୍ତଙ୍କ ପ୍ରବଳ ଭିଡ ଲାଗିଛି ।ତେବେ ଗତକାଲି ଦଶହରାରେ ମହାପ୍ରଭୁଙ୍କ ଅନେକ ଗୁଡ଼ିଏ ନୀତିକାନ୍ତି ଥିବାରୁ ରାତ୍ର ପହୁଡ଼ କରାଯାଇନଥିଲା । ତେଣୁ ଆଜି ସକାଳ ୭ ଟା ୧୫ ମିନିଟରେ ମଙ୍ଗଳ ଆଳତୀ ପରେ କାର୍ତ୍ତିକ ନୀତି ସୁରୁଖୁରୁରେ ଶେଷ ହୋଇଛି ।

ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି ସହ ଅବକାଶ ପରେ ରାଧାଦାମୋଦର ବେଶ, ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ତପ ଓ ମଧ୍ୟାହ୍ନ ଧୂପ ସରିଥିଲା । ତେବେ କାର୍ତ୍ତିକ ନୀତିରେ ବାଳଧୂପ ଏକ ସ୍ବତନ୍ତ୍ର ଭୋଗ ଥିବାରୁ ଏଥିରେ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡିଆ, ଚାଉଳିଆ, ସେଓ, କମଳା, କଦଳୀ, କାକୁଡି, ପଇଡ ଆଦି ଭୋଗ କରାଯାଇଥାଏ ।

କାର୍ତ୍ତିକ ବ୍ରତ ପାଳନ ପାଇଁ ଆଗକୁ ମଧ୍ୟ ଧିରେ ଧିରେ ପୁରୀରେ ହବିଶିଆଳୀଙ୍କ ଭିଡ ବଢିବ । ତେବେ ଚଳିତବର୍ଷ ବହୁ ଭକ୍ତଙ୍କ ସମାଗମ ହେବ ନେଇ ଏବେଠାରୁ ଭିଡକୁ ଆକଳନ କରିଛି ଶ୍ରୀମନ୍ଦିର ପ୍ରଶାସନ । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ଅନେକ ବନ୍ଦୋବସ୍ତ କରାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.