Latest Odisha News

BREAKING NEWS

ଅଧାରେ ଅଟକିଛି ନିଃଶ୍ୱାସ: ସ୍ୱାମୀ ୟେମେନରେ ବନ୍ଦୀ, ସ୍ତ୍ରୀ ୟୁକ୍ରେନରେ ବଙ୍କରରେ ଲୁଚିଛି

ଭୁବନେଶ୍ୱର: ଅପ୍ରତ୍ୟଶିତ ସମୟ ଦେଇ ଗତି କରୁଛି ସମଗ୍ର ବିଶ୍ୱ । ମହାମାରୀ, ପ୍ରାକୃତିକ ଦୁର୍ବିପାକ, ଆତଙ୍କବାଦ ଓ ଯୁଦ୍ଧ ଭଳି ସ୍ଥିତି ମଣିଷ ଜାତିର ସରଳ ଜୀବନକୁ ଜଟିଳ କରିଦେଇଛି । ଏହି ଧାରାରେ ଭାରତର ଏକ ଦମ୍ପତ୍ତି ଏମିତି ଏକ ସମସ୍ୟା ସହ ଜୁଝୁଛନ୍ତି, ଯାହାର ସମାଧାନ ବୋଧ ହୁଏ କାହାରି ପାଖରେ ଥିବ ।

କେରଳର ଅଲପ୍ପୁଜା ଜିଲ୍ଲା ଚେପ୍ପାଡ ଗାଁର ୨୫ ବର୍ଷୀୟ ଅଖିଲ୍ ରଘୁ ଓ ୨୩ ବର୍ଷୀୟ ଜିଥିନା ଗତବର୍ଷ ଅଗଷ୍ଟ ୨୦ ତାରିଖରେ ବିବାହ କରିଥିଲେ । ଅଖିଲ୍ ଏକ ଆରବୀୟ କାର୍ଗୋ ସିପ୍‌ରେ ଡେକ୍ କ୍ୟାଡେଟ୍ ଭାବେ କାର୍ଯ୍ୟରତ ଥିଲେ । ଗତବର୍ଷ ଡିସେମ୍ବର ୩୧ରେ ତାଙ୍କୁ ୟେମେନର ହାଉତି ବିଦ୍ରୋହୀମାନେ ଅପହରଣ କରି ପ୍ରାୟ ଦୁଇମାସ କାଳ ପାଖରେ ରଖଥିଲେ । ପରେ ତାଙ୍କୁ ୟେମେନର ସେନା ଅପହରଣକର୍ତ୍ତାଙ୍କଠାରୁ ଉଦ୍ଧାର କରିଥିଲା । ହେଲେ ୟେମେନରେ ଚାଲିଥିବା ଗୃହଯୁଦ୍ଧ ପାଇଁ ଅଖିଲ ସେଠାରୁ ମୁକୁଳିପାରୁନାହାନ୍ତି ।

ସେହିଭଳି ଜିଥିନା ଡାକ୍ତରୀ ପାଠ ପଢିବା ଲାଗି ୟୁକ୍ରେନରେ ପହଂଚିଥିଲେ । ସଦ୍ୟ ସ୍ଥିତିରେ ଋଷିଆର ଘନଘନ ଆକ୍ରମଣ ଭୟରେ ସେ ଏବେ କିଭ୍ ସହରର ଏକ ବଙ୍କରରେ ଲୁଚି ରହିଛନ୍ତି । ଉଭୟ ଅଖିଲ୍ ଓ ଜିଥିନାଙ୍କୁ ଉଦ୍ଧାର କରିବା ଲାଗି ତାଙ୍କ ପରିବାର ଲୋକେ କେନ୍ଦ୍ରମନ୍ତ୍ରୀଠାରୁ ଆରମ୍ଭ କରି ସାଂସଦ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତଥାପି ସେମାନଙ୍କୁ ଉଦ୍ଧାର କରିବା ଲାଗି କେହି ବି କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିନାହାନ୍ତି ।

ଅଖିଲ୍‌ଙ୍କ ସମେତ ଅନ୍ୟ ୧୪ ଜଣ ଭାରତୀୟ ୟେମେନରେ ଫଶି ରହିଛନ୍ତି । ସେପଟେ ଜିଥିନାଙ୍କ ସହ ଅନ୍ୟ ୫ଜଣ ଭାରତୀୟ ଛାତ୍ରୀ କିଭ୍ ସହର ସ୍ଥିତ ବଙ୍କରରେ ଲୁଚି ରହିଛନ୍ତି । ଜିଥିନା ନିଜ ପରିବାର ଲୋକଙ୍କ ସଂସ୍ପର୍ଶରେ ଥିବାବେଳେ ଅଖିଲ ନିଜ ଭାଇଙ୍କ ସଂପର୍କରେ ରହିଛନ୍ତି । ହେଲେ କେହି ବି ନିଜ ସଦ୍ୟ ସ୍ଥିତିକୁ ମୁକୁଳିବାକୁ ବାଟ ପାଉନାହାନ୍ତି । ତଥାପି ୟୁକ୍ରେନରେ ଫଶି ରହିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ଲାଗି ଭାରତ ସରକାର ଚେଷ୍ଟା ଚଳାଇଛନ୍ତି । ହେଲେ ଅଖିଲଙ୍କ କଥା ବୁଝିବ କିଏ ?

Comments are closed, but trackbacks and pingbacks are open.