ଭୁବନେଶ୍ଵର: ଆଜିଠାରୁ ଖଣ୍ଡଗିରି କୁମ୍ଭମେଳା । ଖଣ୍ଡଗିରିରେ ଜମିଲାଣି ଶତାଧିକ ସାଧୁସନ୍ଥଙ୍କ ଭିଡ଼ । ଆରମ୍ଭ ହେଲାଣି ହୋମ ଯଜ୍ଞ । ପବିତ୍ର ମାଘ ସପ୍ତମୀ ଅବସରରେ ସକାଳୁ ଚନ୍ଦ୍ରଭାଗାରୁ ଅଣାଯାଇଥିବା ପବିତ୍ର ପାଣିରେ କଳସ ବସିବା ପରେ ଆରମ୍ଭ ହୋଇଛି ପଞ୍ଚକୁଣ୍ଡ ହୋମ । ସେପଟେ ଖଣ୍ଡଗିରି ପ୍ରସିଦ୍ଧ କୁମ୍ଭମେଳା ପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ଵର ।
ମେଳାରେ ଯୋଗ ଦେବାକୁ ଦେଶର କୋଣ ଅନୁକୋଣରୁ ସାଧୁ ସନ୍ଥମାନେ ପହଞ୍ଚିଛନ୍ତି। ସାଧନା ସ୍ଥଳରେ ୯ ଦିନ ଧରି ଜଳିବ ଧୁନି। ରାତିଦିନ ଚାଲିବ ଅଖଣ୍ଡ ଜପ। ଚଳିତବର୍ଷ ଯାତ୍ରା ମହାକୁମ୍ଭ ଫେବ୍ରୁଆରୀ ୪ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଗତକାଲିଠାରୁ ରାଜ୍ୟ ତଥା ରାଜ୍ୟ ବାହାରର ସାଧୁସନ୍ଥଙ୍କର ଆଗମନରେ ଖଣ୍ଡଗିରିରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ମନ୍ତ୍ର ଧ୍ବନୀ ସହ ପ୍ରଭୁଙ୍କ ନାମରେ କମ୍ପୁଛି ଖଣ୍ଡଗିରି ପାଦଦେଶ ।
ଖଣ୍ଡଗିରି ମେଳାରେ ଚଳିତ ଥର ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ମେଳାରେ ପ୍ରତି ୧୦୦ ମିଟରରେ ଜଣେ ଲେଖାଏଁ ସ୍ୱଚ୍ଛ କର୍ମୀ ନିୟୋଜିତ ହେବେ । ଅନ୍ୟପଟେ ମେଳା ବୁଲିବା ସଙ୍ଗେ ସଙ୍ଗେ ଚାରିପାଖର ପରିବେଶ କିପରି ସଫା ରହିବ ଏନେଇ ସଚେତନ ହେବାକୁ ଜନସାଧାରଣଙ୍କୁ ମଧ୍ୟ ଅପିଲ କରାଯାଇଛି । ଖଣ୍ଡଗିରି ମେଳାରେ ପର୍ଯ୍ୟଟକଙ୍କ ପାଇଁ ଅସ୍ଥାୟୀ ଶୌଚାଳୟ ସହ ଆଲୋକୀକରଣ ଓ ସ୍ଥାୟୀ ଜଳଯୋଗାଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ପାର୍କିଂ, ଟ୍ରାଫିକ ବ୍ୟବସ୍ଥା ସହ ସୁରକ୍ଷା ନେଇ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ ମୋଟ ୮୦ଟି ସିସିଟିଭି କ୍ୟାମେରା ଲଗାଯାଇଛି ।
ସେପଟେ ଖଣ୍ଡଗିରି ମେଳାରେ ଏଥର ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ । ଏହା ଆମର ଐତିହ୍ୟ ଓ ସଂସ୍କୃତିର ନିଦର୍ଶନ। ମେଳାରେ ଅଶ୍ଳୀଳତାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଯଦି କେହି ଏଥିରେ ଖିଲାପ କରନ୍ତି ତେବେ ଠେଙ୍ଗା ପାହାର ତାର କମାଲ୍ ଦେଖାଇବ ବୋଲି କିଛି ଦିନ ତଳେ କହିଥିଲେ ଏକାମ୍ର ବିଧାୟକ ବାବୁ ସିଂ । ଅଶ୍ଳୀଳ ନୃତ୍ୟ ସାମ୍ନାକୁ ଆସିଲେ ସମ୍ପୃକ୍ତ ଅପେରା ପାର୍ଟିକୁ ସବୁଦିନ ପାଇଁ ଖଣ୍ଡଗିରି ବ୍ୟାନ୍ କରାଯିବ ବୋଲି ସୂଚନା ଦିଆଯାଇଛି।
Comments are closed.