ଭୁବନେଶ୍ଵର: ଆଜି ବିଶ୍ଵ କର୍କଟ ଦିବସ । ଲୋକ ମାନଙ୍କୁ ଏହି ରୋଗ ବିଷୟରେ ଶିକ୍ଷିତ କରିବା, ସଚେତନ କରିବା ତଥା ଏହି ମାରାତ୍ମକ ରୋଗ ବିରୁଦ୍ଧରେ ସରକାର ସମୟାନୁଯାୟୀ ପଦକ୍ଷେପ ଗ୍ରହଣ କରିବା ହେଉଛି ଏହି ଦିବସ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ । ସହସ୍ରାଧିକ ଲୋକଙ୍କୁ ଏହି ରୋଗ କବଳରୁ ରକ୍ଷା କରିବା ସକାଶେ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଇଥାଏ । ଚଳିତବର୍ଷର ବିଷୟ ବସ୍ତୁ ରହିଛି ‘ୟୁନାଇଟେଡ୍ ବାଏ ୟୁନିକ୍’ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବିଶ୍ୱରେ ସର୍ବାଧିକ ପ୍ରତି ୬ ଜଣରେ ଜଣେ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଠିକ୍ ସମୟରେ କର୍କଟ ରୋଗକୁ ଚିହ୍ନଟ କରି ଏହାର ଚିକିତ୍ସା କରାଗଲେ ଏହି ରୋଗରେ ପୀଡ଼ିତ ରୋଗୀ ସୁସ୍ଥ ହେବାର ଅଧିକ ସମ୍ଭାବନା ରହିଥିବା ଡାକ୍ତର କୁହନ୍ତି। ତମାଖୁ ସେବନ, ମଦ୍ୟପାନ, ଖାଦ୍ୟ ପଦାର୍ଥରେ ରାସାୟନିକ ଦ୍ରବ୍ୟର ବ୍ୟବହାର ଏବଂ କିଛି ଭୂତାଣୁ ଜନିକ ସଂକ୍ରମଣରୁ କର୍କଟ ରୋଗର ଉତ୍ପତି ହୋଇଥାଏ।
କର୍କଟ ରୋଗକୁ ଔଷଧ ଦ୍ଵାରା ଚିକିତ୍ସା କରିବା ପଦ୍ଧତିକୁ କେମୋଥେରାପି କୁହାଯାଏ । ଏହା ସାଧାରଣତଃ ଇଞ୍ଜେକ୍ସନ । ଏହାକୁ ଶରୀରରେ ପ୍ରୟୋଗ କରିବାର ବିଧି ଅତ୍ୟନ୍ତ କଠିନ ହୋଇଥିବାରୁ ଚିକିତ୍ସକ, ରୋଗୀକୁ ଏହି ଔଷଧ କିପରି ଓ କେତେବେଳେ ନେବ, ତାହା ପୂର୍ବରୁ ସୂଚନା ଦେଇଥାନ୍ତି । କେମୋଥେରାପି ପ୍ରୟୋଗ ଦ୍ଵାରା ରୋଗୀର ପାର୍ଶ୍ଵ ପ୍ରତିକ୍ରିୟା ବିଭିନ୍ନ ପ୍ରକାରର ଦେଖାଯାଏ । କେତେକ ରୋଗୀଙ୍କୁ ଏହି ପ୍ରକ୍ରିୟା ପରେ ବାନ୍ତି ଦେଖାଇବା, ତରଳ ଝାଡା ହେବା, ଦୁର୍ବଳ ଅନୁଭବ କରିବା ଏବଂ ତଳିପେଟରେ ଦରଜ ହେବା ପରି ସମସ୍ୟା ଦେଖାଦିଏ । ମାତ୍ର ଏହି ଲକ୍ଷଣଗୁଡିକ ସାତ ଦିନ ମଧ୍ୟରେ ଚାଲିଯାଇଥାଏ । ଦରକାର ପଡିଲେ ଏହି ଲକ୍ଷଣଗୁଡିକର ଚିକିତ୍ସା ପାଇଁ ଚିକିତ୍ସକ ଔଷଧ ଦେଇଥାଆନ୍ତି । ଏତଦ୍ବ୍ୟତୀତ ଏହି ଥେରାପି ପରେ ରୋଗୀର ସମସ୍ତ କେଶ ଉପୁଡିଯାଏ । ମାତ୍ର କେମୋଥେରାପି ପଦ୍ଧତି ସଂପୂର୍ଣ୍ଣ ହେଲାପରେ ମୁଣ୍ଡରେ କେଶ ପୁଣି ଉଠେ । ଏହାଛଡା ରୋଗୀର ପରିସ୍ରା ଗାଢ ହଳଦିଆ କିମ୍ବା ଲାଲ ହୋଇଥାଏ ଏବଂ ନଖଗୁଡିକ ନୀଳ କିମ୍ବା କଳା ବର୍ଣ୍ଣ ହୋଇଯାଇପାରେ । ଏଥିପାଇଁ ରୋଗୀ ଭୟଭୀତ ହେବା ଉଚିତ ନୁହେଁ ।
କେମୋଥେରାପି ସମୟରେ ସାଧାରଣତଃ ସାବଧାନତା ଅବଲମ୍ବନ କରିବା ଉଚିତ୍ । ଏହି ସମୟରେ ବିଶେଷ ଭାବରେ ଘରେ ରନ୍ଧା ହୋଇଥିବା ଖାଦ୍ୟ ଖାଆନ୍ତୁ । ଫଳଜାତୀୟ ଖାଦ୍ୟ ଖାଇବା ପୂର୍ବରୁ ଭଲଭାବେ ଧୋଇ ପରିଷ୍କାର କରି ଖାଆନ୍ତୁ । ସିଝା କିମ୍ବା ବିଶୋଧିତ ପାଣି ପିଅନ୍ତୁ । ଖାଇବା ପୂର୍ବରୁ ଭଲ ଭାବରେ ହାତ ମୁହଁ ପରିଷ୍କାର କରି ଖାଆନ୍ତୁ । ନରମ ବ୍ରସ୍ ବ୍ୟବହାର କରି ଦାନ୍ତ ଓ ପାଟିରେ ଯତ୍ନ ନିଅନ୍ତୁ । ଅଙ୍ଗୁଳିର ନଖ ବଢାନ୍ତୁ ନାହିଁ ଓ କାଟିଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ । ଲୋକଗହଳିକୁ ଯାଆନ୍ତୁ ନାହିଁ । ତଦ୍ୱାରା ରୋଗୀ ସଂକ୍ରମିତ ହେବାର ଆଶଙ୍କା ଦୂର ହୋଇଥାଏ । ଚର୍ମକୁ ନ ବାଧିଲାପରି ସରଳ ସ୍ନାନ ପଦ୍ଧତି ଅନୁସରଣ କରନ୍ତୁ । ଦେହରେ କୌଣସି ଜାଗାରେ ବଥ ବା ବ୍ରଣ ହେଲେ ତାକୁ ଛିଡାନ୍ତୁ ନାହିଁ । କେଶର ପରିଚର୍ଯ୍ୟା ପାଇଁ କମ୍ ପ୍ରତିକ୍ରିୟାଶୀଳ ସାମ୍ପୋ ଓ ନରମ ପାନିଆ ବ୍ୟବହାର କରିବା ଉଚିତ୍ । ତେବେ ଆପଣ ଚାହିଁଲେ କେଶ ଉପୁଡୁଥିବା ସମୟରେ ନକଲି କେଶ ବ୍ୟବହାର କରିପାରିବେ । କିନ୍ତୁ ଏହା ପୂର୍ବରୁ ଡାକ୍ତଙ୍କ ପରାମର୍ଶ ନେବା ନିହାତି ଜରୁରୀ ।
କ୍ୟାନ୍ସର ରୋଗ ବିଭିନ୍ନ ପ୍ରକାରର ରହିଛି। କ୍ୟାନ୍ସର ରୋଗୀଙ୍କୁ ରେଡିଏସନ୍ ତଥା କେମୋଥେରାପି ଭଳି ଚିକିତ୍ସା କରିବାକୁ ପଡ଼ିଥାଏ। ଏହାର ଅନେକ ଗୁଡ଼ିଏ ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇଥାଏ। ଏହି ସମୟରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ହେବା ସହ ସଂକ୍ରମଣର ଆଶଙ୍କା ମଧ୍ୟ ଅଧିକ ରହିଥାଏ। ତେଣୁ ଏହି ସମୟରେ ସଠିକ୍ ପୋଷଣର ଆବଶ୍ୟକତା ରହିଛି। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ ଖାଆନ୍ତୁ । କର୍କଟ ରୋଗୀ ଖାଦ୍ୟ ଖାଇବା ସମୟରେ ବାନ୍ତି ଅନୁଭବ କଲେ, ଖାଇବାର ବ୍ୟବଧାନ କମାଇ ଅଳ୍ପ ଅଳ୍ପ କରି ବେଶିଥର ଖାଇବା ଉଚିତ୍ । ତନ୍ମଧ୍ୟରେ ତରଳ ଖାଦ୍ୟର ପରିମାଣ ଅଧିକ ହେବା ବାଞ୍ଛନୀୟ । ଯଦି ଚିକିତ୍ସକ କୌଣସି ନିର୍ଦ୍ଦିଷ୍ଟ ଖାଦ୍ୟ ନିର୍ଦ୍ଧାରିତ କରି ନଥାନ୍ତି ତାହାହେଲେ ଅଧିକ ପରିମାଣରେ ଫଳ, ଅଣ୍ଡା, କଞ୍ଚା ମଟର ଦାନା, ମାଛ, ମାଂସ ଏବଂ କ୍ଷୀର ଇତ୍ୟାଦି ଖାଇପାରନ୍ତି । ଖାଦ୍ୟ ଖାଇବା ପୂର୍ବରୁ କିଛି ସମୟ ଚାଲିଲେ ରୋଗୀର କ୍ଷୁଧା ଓ ଖାଦ୍ୟ ରୁଚି ବଢିଥାଏ । ଏପରି କୌଣସି ଖାଦ୍ୟ ଯାହା ଅରୁଚିକର ବୋଧହେବ, ତାହାକୁ କ୍ଷୀର କିମ୍ବା ଫଳରସ ସହିତ ଖାଇବେ । ରୋଗୀ ପାଇଁ ମଦ୍ୟପାନ ସମ୍ପୂର୍ଣ୍ଣ ନିଷେଧ ।
Comments are closed.