Latest Odisha News

BREAKING NEWS

କିଟରେ ଟାଇମ୍‍ସ ହାୟର ଏଜୁକେସନ୍‍ ଭାରତୀୟ ଫୋରମ୍‍ର ସମ୍ମିଳନୀ

ଭୁବନେଶ୍ୱର: ଶିକ୍ଷା ହେଉଛି ସାମାଜିକ ଉତ୍‍ଥାନର ଚାବି କାଠ ବୋଲି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ କହିଛନ୍ତି । ଆଜି କିଟ୍‍ ବିଶ୍ୱବିଦ୍ୟାଳୟ ଓ ଟାଇମ୍‍ସ ହାୟର ଏଜୁକେସନ୍‍ ଭାରତୀୟ ବିଶ୍ୱବିଦ୍ୟାଳୟ ଫୋରମର ମିଳିତ ଆନୁକୁଲ୍ୟରେ ଅପ୍‍ଟିମାଇଜିଂ ଲର୍ଣ୍ଣିଂ ଲ୍ୟାଣ୍ଡସ୍କେପ୍‍ ଉପରେ ଦିନିକିଆ ସମ୍ମିଳନୀକୁ ଉଦ୍‍ଘାଟନ କରି ରାଜ୍ୟପାଳ ପ୍ରଫେସର ଲାଲ୍‍ ଏହା କହିଛନ୍ତି । ମାନବକୈନ୍ଦ୍ରିକ ବୈଶ୍ୱିକରଣ ଏବଂ ସଚେତନ କୈନ୍ଦ୍ରିକ ମାନବତା ହେଉଛି ଶିକ୍ଷାର ମୂଳ ଲକ୍ଷ୍ୟ ।

ସମସ୍ତଙ୍କ ଭିତରେ ଦୟା, କ୍ଷମା, ସହନଶୀଳତା, ପରୋପକାର ଆଦି ମାନବୀୟ ମୂଲ୍ୟବୋଧର ଉତ୍‍ଥାନ କରି ସମଗ୍ର ବିଶ୍ୱକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିପାରିଲେ ଶିକ୍ଷାର ପ୍ରକୃତ ଲକ୍ଷ୍ୟ ସାଧନ ହୋଇପାରିବ । ଏଥିପାଇଁ ଆମର ଶିକ୍ଷାନୁଷ୍ଠାନ ବିଶେଷକରି ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ କହିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବ୍ରିଟିଶ୍‍ କାଉନ୍‍ସିଲର ଭାରତ ନିର୍ଦ୍ଦେଶକ ଆଲିସନ୍‍ ବାରେଟ୍‍ ଶିକ୍ଷା କ୍ଷେତ୍ରରେ ସହଭାଗିତା, ଗବେଷଣା କ୍ଷେତ୍ରରେ ସହଭାଗିତାକୁ ପ୍ରୋତ୍ସାହନ ଏବଂ ଛାତ୍ର-ଅଧ୍ୟାପକ ବିନିମୟ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ ସେ କିଟ୍‍ର ସାମାଜିକ ଦାୟିତ୍ୱବୋଧକୁ ପ୍ରଶଂସା କରି ଶିକ୍ଷା ମାଧ୍ୟମରେ ଓଡ଼ିଶାର ଗରିବ ଓ ଜନଜାତି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ କିଟ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଲ୍ଲେଖନୀୟ ଭୂମିକା ରହିଆସିଛି ବୋଲି କହିଥିଲେ । ଟାଇମ୍‍ସ ହାୟର ଏଜେୁକେସନ୍‍ ର‌୍ୟାଙ୍କିଙ୍ଗ୍‍ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକୁ ବିଶ୍ୱର ଅନ୍ୟ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ସହ ସହଭାଗିତା ଏବଂ ବିଶ୍ୱରେ ନିଜକୁ ପ୍ରଦର୍ଶନ କରିବାର ସୁଯୋଗ ସୃଷ୍ଟି କରିପାରିଛି ବୋଲି ଟାଇମ୍‍ସ ହାୟର ଏଜୁକେସନ୍‍ ବିଶ୍ୱ ବ୍ୟାପାର ମୁଖ୍ୟ ଫିଲ୍‍ ବାଟି କହିଥିଲେ ।

ଟାଇମ୍‍ସ ହାୟର ଏଜୁକେଶନ ସାମଗ୍ରିକ ର‌୍ୟାଙ୍କିଙ୍ଗ୍‍ ସର୍ଭେରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକର ଆଖିଦୃଶିଆ ଅଂଶଗ୍ରହଣ ହୋଇପାରିଛି । କିଟ୍‍ ବିଶ୍ୱବିଦ୍ୟାଳୟ କମ୍‍ ବର୍ଷର ବିଶ୍ୱବିଦ୍ୟାଳୟ ହୋଇଥିଲେ ମଧ୍ୟ ଏହା ଉଚ୍ଚତର ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ହୋଇପାରିଛି । ଟାଇମ୍‍ସ ହାୟର ଏଜୁକେସନ୍‍ ଇମ୍ପାକ୍ଟ ର‌୍ୟାଙ୍କିଙ୍ଗ୍‍ରେ ଅସମାନତା ଦୂର କ୍ଷେତ୍ରରେ ସମଗ୍ର ବିଶ୍ୱରେ କିଟ୍‍ ବିଶ୍ୱବିଦ୍ୟାଳୟ ୮ମ ସ୍ଥାନରେ ରହିବା ଉଲ୍ଲେଖନୀୟ । କିଟ୍‍ ବିଶ୍ୱବିଦ୍ୟାଳୟ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହ ବିଶ୍ୱ ବିଶ୍ୱବିଦ୍ୟାଳୟ ର‌୍ୟାଙ୍କିଙ୍ଗ୍‍ରେ ଅଳ୍ପ କେତୋଟି ଭାରତୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇପାରିଛି ବୋଲି ସେ କହିଥିଲେ ।

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ଦୟା ଓ ମାନବିକତା ଉପରେ ପର୍ଯ୍ୟବେସିତ କିଟ୍‍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ଦିନଠାରୁ ଗୁଣାତ୍ମକ ଶିକ୍ଷା, ଗବେଷଣା, ସହଭାଗିତା ଉପରେ ଗୁରୁତ୍ୱ ଦେଇଆସୁଥିବା ବେଳେ ଶିକ୍ଷା ମାଧ୍ୟମରେ ମୂଲ୍ୟବୋଧର ସଂସ୍କୃତି ସୃଷ୍ଟି କରିପାରିଛି । କିଟ୍‍ ଶିକ୍ଷା ମଡେଲ ସମସ୍ତଙ୍କ ପାଇଁ ସମାନ ଶିକ୍ଷା ଉପରେ ପର୍ଯ୍ୟବେସିତ । ଏଠାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ ଉତ୍କର୍ଷତା ପ୍ରତିପାଦନ କରିବା ନିମନ୍ତେ ସମାନ ସୁବିଧା, ସୁଯୋଗ ଯୋଗାଇ ଦିଆଯାଇଥାଏ ।

କେବଳ ଶିକ୍ଷା ନୁହେଁ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସମସ୍ତଙ୍କ ପାଇଁ ଉତ୍କର୍ଷତା ପ୍ରତିପାଦନ ନିମନ୍ତେ କିଟ୍‍ରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ଶ୍ରୀ ସାମନ୍ତ କହିଥିଲେ । କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରି କିଟ୍‍ ବିଶ୍ୱବିଦ୍ୟାଳୟ ପ୍ରଫେସର ସସ୍ମିତା ସାମନ୍ତ କହିଲେ, ଜ୍ଞାନ ହେଉଛି ଜୀବନ । ଜ୍ଞାନକୁ ସମଗ୍ର ମାନବବାଦ ସହ ସଂଯୋଗ କରାଯାଇପାରେ । ସମସ୍ତ ମାନବିକ ମୂଲ୍ୟବୋଧ ସହ ଯୋଡ଼ିହୋଇ ରହିବା ପାଇଁ ଆମକୁ ଶିକ୍ଷା ସାହାଯ୍ୟ କରିଥାଏ ବୋଲି ପ୍ରଫେସର ସାମନ୍ତ କହିଥିଲେ ।

ଟାଇମ୍‍ସ ହାୟର ଏଜୁକେସନ୍‍ ର‌୍ୟାଙ୍କିଙ୍ଗ ବିଶ୍ୱରେ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ଶିକ୍ଷା, ଗବେଷଣା ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଭାଗିତା ଓ ପ୍ରତିଯୋଗିତା ପାଇଁ ଏକ ଫୋରମ୍‍ ହୋଇପାରିଛି ବୋଲି ସେ କହିଥିଲେ । ଏହି ସମ୍ମିଳନୀରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, କୁଳସଚିବ, ଭାରତ ତଥା ବିଦେଶର ବହୁ ଶିକ୍ଷାବିତ୍‍, ଟାଇମ୍‍ସ ହାୟର ଏଜୁକେସନ୍‍ର ପ୍ରମୁଖ କର୍ମକର୍ତ୍ତା ଏବଂ ବ୍ରିଟିଶ୍‍ କାଉନ୍‍ସିଲ୍‍ର ବହୁ ଅଧିକାରୀ ଯୋଗଦେଇଥିଲେ ।

Leave A Reply

Your email address will not be published.