Latest Odisha News

BREAKING NEWS

ବର୍ଷାଦିନେ କିପରି ନେବେ ପିଲାଙ୍କ ଯତ୍ନ, ଆସନ୍ତୁ ଜାଣିବା କିଛି ଟିପ୍ସ

ଭୁବନେଶ୍ୱର: ବର୍ଷାରେ ଭିଜିବା ପ୍ରାୟ ସମସ୍ତଙ୍କର ପସନ୍ଦ । କିନ୍ତୁ ଛୋଟ ପିଲାମାନଙ୍କର ଏହା ବୋହୁତ ପସନ୍ଦ । କିନ୍ତୁ ପରବର୍ତ୍ତୀ ସମୟରେ ଏଥିପାଇଁ ସେମାନଙ୍କୁ ବିଭିନ୍ନ ରୋଗର ଶିକାର ହେବାକୁ ପଡ଼େ । ସାଧାରଣତଃ ବର୍ଷାଦିନେ ପିଲାମାନଙ୍କୁ ଥଣ୍ଡା, ଜ୍ବର, କାଶ, ଝାଡ଼ାବାନ୍ତି ପରି ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଚର୍ମ ଓ ଶ୍ୱାସଜନିତ ଆଲର୍ଜି ମଧ୍ୟ ଏହି ଋତୁରେ ଦେଖାଯାଏ। ପରିବେଶରେ ଥିବା ଅତ୍ୟଧିକ ଆର୍ଦ୍ରତା ଯୋଗୁଁ ତ୍ବଚାରେ ବିଭିନ୍ନ ପ୍ରକାର ଫଙ୍ଗାଲ୍ ସଂକ୍ରମଣ ମଧ୍ୟ ହୋଇଥାଏ। ବର୍ଷାଦିନରେ ଦୂଷିତ ପରିବେଶ ଓ ମଶା ପାଇଁ ଜଣ୍ଡିସ୍, ଟାଇଫଏଡ୍‌, ଡେଙ୍ଗୁ ଓ ମ୍ୟାଲେରିଆ ହେବାର ଆଶଙ୍କା ମଧ୍ୟ ବଢ଼ିଯାଏ। ତେଣୁ ଏସବୁ କ୍ଷେତ୍ରରେ ଶିଶୁଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ତେଣୁ ବର୍ଷାଦିନେ କିପରି ପିଲାଙ୍କ ତ୍ୱଚାର ଯତ୍ନ ନେବେ ଆସନ୍ତୁ ଜାଣିବା କିଛି ଟିପ୍ସ…

ବର୍ଷାଦିନେ ପିଲାମାନଙ୍କୁ ଫଙ୍ଗଲ ଇନ୍ଫେକ୍ସନ ହେବାର ଆଶଙ୍କା ଅଧିକ ଥାଏ। ତେଣୁ ବର୍ଷାପାଣି ସଂସ୍ପର୍ଶରେ ଅସିଲେ ଏଭଳି ସମସ୍ୟା ନ ଉପୁଜିବା ଲାଗି ପିଲାମାନଙ୍କୁ ଆଣ୍ଟିସେପ୍ଟିକ କ୍ରିମ କିମ୍ବା ଲୋଶନ ଲଗାଇବାକୁ ଭୁଲନ୍ତୁ ନାହିଁ। ବର୍ଷାଦିନେ ରାତିରେ ଶୋଇବା ପୂର୍ବରୁ ପିଲାଙ୍କ ପାଦରେ ନଖ ଉଷୁମ ସୋରିଶ ତେଲ ଘଷିବା ଦ୍ୱାରା ଆରାମ ଲାଗିବା ସହ ଫଙ୍ଗଲ ଇନ୍ଫେକ୍ସନ ଏବଂ ଥଣ୍ଡା, କାଶ, ଜ୍ୱର ଆଦି ସମସ୍ୟାକୁ ଏଡାଇ ପାରିବେ।

ଯଦି ପିଲାମାନଙ୍କ ଦେହ କୌଣସି କାରଣରୁ କୁଣ୍ଡେଇ ହୁଏ, ଫଳି ଯାଏ ବା ଲାଲ ଦାଗ ପଡ଼ିଯାଏ, ତେବେ ତୁରନ୍ତ ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କିମ୍ବା ଆପଣ ଘରୋଇ ଉପଚାର ଭାବେ ଲିମ୍ବ ପତ୍ରକୁ ବାଟି ଉକ୍ତ ସ୍ଥାନରେ ଲଗାଇପାରିବେ। ଅଧିକାଂଶ ଲୋକଙ୍କ ମନରେ ଏକ ଭ୍ରାନ୍ତ ଧାରଣା ଥାଏ ଯେ, ବର୍ଷାଦିନେ ପିଲାମାନେ ଗାଧୋଇବା ଠିକ ନୁହେଁ। ଗଧୋଇଲେ ପିଲାମାନଙ୍କୁ ସର୍ଦ୍ଦି ଧରିଯାଏ । ହେଲେ ଏପରି ଆଦୌ ନ କରି ପିଲାଙ୍କୁ ସଫା, ନିରୋଗ ଓ ଜୀବାଣୁମୁକ୍ତ ରଖିବା ଲାଗି ନିୟମିତ ନଖ ଉଷୁମ ପାଣିରେ ଗାଧୋଇ ଦିଅନ୍ତୁ। ଗାଧୋଇବା ପାଇଁ ଉଷୁମ ପାଣି ସହିତ ସାଧାରଣ ଆଣ୍ଟିସେପ୍ଟିକ୍‌ ଡେଟଲ୍‌ କିମ୍ବା ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ କୌଣସି ଔଷଧୀୟ ସାବୁନ୍‌ ବ୍ୟବହାର କରିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ।

ଅଦା, ହଳଦୀ, ତୁଳସୀ ଭଳି ହର୍ବାଲ୍‌ କାଢ଼ା ପିଇବାକୁ ଦିଅନ୍ତୁ ଏବଂ ଥଣ୍ଡା, ଜ୍ବର ଆଦି ଦୂର କରିବା ପାଇଁ କେତେକ ତୁଟୁକା ଚିକିତ୍ସା ଜାଣିରଖନ୍ତୁ। ଥଣ୍ଡା,କାଶ ଓ କଫ ବୃଦ୍ଧି କରୁଥିବା ଥଣ୍ଡାପାନୀୟ, ଫଳ ଓ ଖାଦ୍ୟ ପରିବର୍ତ୍ତେ ସୁପ୍‌ ଓ ବିଭିନ୍ନ ପ୍ରକାର ଉଷୁମ ଖାଦ୍ୟ ଦିଅନ୍ତୁ। ଖାଦ୍ୟକୁ ଘୋଡ଼ାଇ ରଖନ୍ତୁ ଏବଂ ପିଲାଙ୍କୁ ପ୍ରଚୁର ପାଣି ପିଇବାକୁ କୁହନ୍ତୁ।

 

Leave A Reply

Your email address will not be published.