Latest Odisha News

BREAKING NEWS

ଗଜପତି ମହାରାଜାଙ୍କ ଇଷ୍ଟଦେବୀ ମା’ ବିମଳାଙ୍କ ଅଲୌକିକତା ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ମା ବିମଳା ଶ୍ରୀମନ୍ଦିର ମଧ୍ୟରେ ଥିବା ଏକ ଶାକ୍ତ ବା କୌଳଭୈରବୀଙ୍କ ମନ୍ଦିର । ମୂଳାଷ୍ଟମୀ ଅବସରରେ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା’ବିମଳାଙ୍କ ଷୋଡ଼ଶ ଦିନାତ୍ମକ ଶାରଦୀୟ ପୂଜା ପାରମ୍ପରିକ ରୀତିମତେ ଆରମ୍ଭ ହୋଇଥାଏ ଓ ଆଶ୍ଵିନ ଶୁକ୍ଳନବମୀ ପର୍ଯ୍ୟନ୍ତ ଚାଲେ । ଏହି ସମୟରେ ମହାସପ୍ତମୀ, ମହାଷ୍ଟମୀ, ମହାନବମୀ ଦିନ ଅର୍ଦ୍ଧରାତ୍ରି ସମୟରେ ଯେତେବେଳେ ମହାନିଶା ସମୟ ଆସିଥାଏ । ତିନି ଦିନ ସେହି ସମୟରେ ପଶୁପ୍ରୋକ୍ଷଣ ବା ବଳିଦାନ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିର ସତ୍ତ୍ଵଲିପି ଅନୁସାରେ ବିମଳାଙ୍କ ଷୋଳଦିନ ପୂଜା ଭିତରେ କୌଣସି ସ୍ତ୍ରୀଲୋକ ମନ୍ଦିର ଭିତରକୁ ଯାଆନ୍ତି ନାହିଁ ।

ଇତିହାସ ଓ ତାନ୍ତ୍ରିକ ଆଖ୍ୟାନ:

ସୋମବଂଶୀ ରାଜତ୍ଵ(ସପ୍ତମ ଶତାବ୍ଦୀ) ସମୟରେ ସମଗ୍ର ଓଡ଼ିଶାରେ ଶକ୍ତି ଉପାସନା ପ୍ରସିଦ୍ଧି ଲାଭ କରିଥିଲା । ଏହି ସମୟରେ ଓଡ଼ିଶା ତନ୍ତ୍ରର ପ୍ରମୁଖ ପୀଠ ଓଡ୍ଡୀୟାନ ଭାବେ ପରିଚିତ ହୋଇସାରିଥିଲା ।

ଦେବୀଙ୍କ ପ୍ରକୃତ ସ୍ଵରୂପ:

ଦେବୀ ଚତୁର୍ଭୁଜା, ତ୍ରିନେତ୍ରା, ଗଳାରେ ମୁଣ୍ଡମାଳାଧାରିଣୀ ଏବଂ ଅଷ୍ଟଦଳ ପଦ୍ମ ଉପରେ ଦଣ୍ଡାୟମାନା । ସେ ଉପର ଦୁଇଟି ହସ୍ତରେ ନାଗଫାଶ, ମତ୍ସ୍ୟକନ୍ୟା ଧାରଣ କରିଛନ୍ତି ଓ ନିମ୍ନ ହସ୍ତ ଦୁଇଟିରେ ଜପମାଳା ଧାରଣ କରିଛନ୍ତି କରିଛନ୍ତି । ଦେବୀଙ୍କ ଦୁଇ ପାର୍ଶ୍ଵରେ ଦୁଇଜଣ ଦେବକନ୍ୟା ଓ ନାଗକନ୍ୟା ଠିଆହୋଇଛନ୍ତି । ଏତଦ୍ ବ୍ୟତୀତ ମନ୍ଦିରରେ ସପ୍ତମାତୃକା, ଦଶମହାବିଦ୍ୟା, ଦୁର୍ଗା ଆଦି ମଧ୍ୟ ପୂଜାପାଉଛନ୍ତି ।

ପୂଜାପଦ୍ଧତି ଓ ନୀତି:

ପ୍ରତ୍ୟହ ଦେବୀ ଷୋଡଶଉପଚାରରେ ସକାଳ, ମଧ୍ୟାହ୍ନ ଏବଂ ସାୟଂ କାଳରେ ପୂଜିତା ହୁଅନ୍ତି । ତେବେ ବର୍ଷ ର ସମସ୍ତ ସମୟରେ ଦେବୀ ପରମବୈଷ୍ଣବୀ ଭାବେ ପୂଜା ପାଉଥିଲାବେଳେ ଶରତକାଳିନ ଦୁର୍ଗାପୂଜା ବେଳେ ମା କୌଳାଚାର ତନ୍ତ୍ର ଅନୁସାରେ କୌଳଭୈରବୀ ରୂପେ ପୂଜିତା ହୋଇଥାନ୍ତି ଦେବୀଙ୍କ ସମସ୍ତ ଉତ୍ସବ ମଧ୍ୟରେ ଶାରଦୀୟ ଷୋଡଶ ଦିନାତ୍ମକ ରହସ୍ୟ ଦୁର୍ଗା ପୂଜା ଏବଂ ଶାକ୍ତ ଗୁଣ୍ଡିଚା ପ୍ରସିଦ୍ଧ । ଏହା ଆଶ୍ୱିକ କୃଷ୍ଣପକ୍ଷ ଅଷ୍ଟମୀରୁ ଆରମ୍ଭ ହୋଇ ଶୁକ୍ଲପକ୍ଷ ଦଶମୀ ପର୍ଯ୍ୟନ୍ତ ଚାଲେ । ଏହି ସମୟରେ ସପ୍ତମୀ, ଅଷ୍ଟମୀ, ନବମୀ ଅର୍ଦ୍ଧରାତ୍ରୀ ସମୟରେ ମହାନିଶା ପୂଜା ଅନୁଷ୍ଠିତ ହୋଇଥାଏ ଯେଉଁଥିରେ ଦେବୀଙ୍କ ପାର୍ଶ୍ଵ ରେ ଥିବା ନାଗକନ୍ୟା ଓ ଦେବକନ୍ୟା ତଥା ଚଉଷଠି ଯୋଗିନୀଙ୍କୁ ଛାଗବଳି ଦିଆଯାଇଥାଏ ।

ଏହିନୀତି ଅର୍ଦ୍ଧରାତ୍ରରେ ପହୁଡ଼ ପଡ଼ିଲାପରେ ହୋଇଥାଏ, ବେଢ଼ାବାହାରେ ବଳି ଦିଆଯାଇ କେବଳ ଛାଗର ମସ୍ତକ ଭିତରକୁ ଅଣାଯାଇଥାଏ । କେବଳ ନିର୍ବାଚିତ କୌଳିକ ବ୍ରାହ୍ମଣ ମାନେ ଏହିନୀତି ସମ୍ପାଦନ କରିଥାନ୍ତି ଓ ଅନ୍ୟ କାହାକୁ ପ୍ରବେଶ ଅନୁମତି ଦିଆଯାଏ ନାହିଁ । ଏହି ଷୋହଳଦିନ ମହିଳାମାନେ ବିମଳାଦେବୀଙ୍କ ମନ୍ଦିରରେ ପ୍ରବେଶ କରନ୍ତି ନାହିଁ ।

ପ୍ରତ୍ୟେକଦିନ ମହାପ୍ରଭୁ ଜଗନ୍ନାଥ ତଥା ରତ୍ନସିଂହାସନସ୍ଥ ସପ୍ତାବରଣ ଦିଅଁମାନଙ୍କୁ ନୈବେଦ୍ୟ ଅର୍ପଣ କରାଗଲାପରେ ସେହି ନୈବେଦ୍ୟରୁ ତୁଳସୀ ପତ୍ରମାନ ବାହାର କରିଦିଆଯାଏ, ଏହାପରେ ଓଡ୍ଡୀୟାନ ବିଧି ଅନୁସାରେ ପଇଡ଼ ପାଣି ଦ୍ଵାରା ସେହି ସଙ୍ଖୁଡ଼ିକୁ ବିମଳାଙ୍କୁ ଅର୍ପଣ କରାହୁଏ । ତାହାପରେ ହିଁ ଏହି ପ୍ରସାଦ ମହାପ୍ରସାଦ ରୂପେ ପରିଗଣିତ ହୁଏ ତଥା ଭକ୍ତମାନଙ୍କର ଗ୍ରହଣଯୋଗ୍ୟ ହୁଏ । ଏହି ସଙ୍ଖୁଡ଼ି ବା ଆଗରୁ ନିବେଦନ କରାହୋଇଥିବା ନୈବେଦ୍ୟ ଭକ୍ଷଣ କରୁଥିବାରୁ କେହି କେହି ବିମଳାଙ୍କୁ ଉଚ୍ଛିଷ୍ଟଭୈରବୀ କହିଥାନ୍ତି ।

Leave A Reply

Your email address will not be published.