ଓଡ଼ିଶାର ପାରମ୍ପରିକ ଲୋକ ବାଦ୍ୟ ଧୁଡୁକି ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଧୁଡୁକି (ଘୁଡ଼ୁକି ଭାବେ ମଧ୍ୟ ଜଣାଶୁଣା) ।ଓଡ଼ିଶାର ଏକ ପାରମ୍ପାରିକ ବାଦ୍ୟ ଯନ୍ତ୍ର ।ଏହାକୁ ଭିତ୍ତି କରି ପରିବେଷିତ ହେଉଥିବା ଲୋକକଳା ଘୁଡ଼ୁକି ବା ଧୁଡ଼ୁକି ନାଚ ନାମରେ ପରିଚିତ । ଧୁଡୁକିଆ ଶବର(ମୁଣ୍ଡପୋତା କେଳା) ସମ୍ପ୍ରଦାୟର ଲୋକେ ଏହି ବାଜା ବଜେଇ, ଲୋକମାନଙ୍କର ମନୋରଞ୍ଜନ କରନ୍ତି । ଧୁଡୁକି ବଜେଇ, ଏମାନେ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକବିତା, ରାଧାକୃଷ୍ଣଙ୍କ ପ୍ରେମ କାହାଣୀ, ବିଭିନ୍ନ ଗ୍ରନ୍ଥ ଉପନିଷେଦର କଥା ବୋଲି ଶୁଣେଇଥାନ୍ତି ।ଢେଙ୍କାନାଳ, ନୟାଗଡ଼, ଯାଜପୁର ଆଦି ଅଞ୍ଚଳରେ ଏହି କଳାକାରମାନେ ଦେଖାଯାଆନ୍ତି।

ଧୁଡୁକି, ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ବାଦ୍ୟଯନ୍ତ୍ର ଓ ବଜେଇବା ଲୋକେ ନିଜେ ଏହାକୁ ତିଆରି କରିଥାନ୍ତି । କାଠର ଏକ ନଳର ଗୋଟିଏ ପାର୍ଶ୍ୱରେ ଏକପ୍ରକାର ଚମଡାର ଆବରଣ ପକାଯାଇ, ତାହାର ମଧ୍ୟଭାଗରେ ଏକ ପ୍ଲାଷ୍ଟିକ ବା ଧାତୁ ନିର୍ମିତ ଡୋରି ବନ୍ଧାଯାଇଥାଏ । ଡୋରିର ଅନ୍ୟ ପ୍ରାନ୍ତରେ ଏକ ଦଣ୍ଡ ବନ୍ଧାଯାଇଥାଏ ।

କାଖରେ ଧୁଡୁକିର ନଳରଖି, ପାପୁଲିରେ ଦଣ୍ଡକୁ ଭିଡିଧରିବା ସହ, ଅନ୍ୟ ହାତର ଚାରି ଆଙ୍ଗୁଠି ସାହାଯ୍ୟରେ ଡୋରିକୁ ଟାଣି ଏହାକୁ ବଜାଯାଏ । ଏହାର ଧ୍ୱନୀକୁ ଆହୁରି ସୁନ୍ଦର କରିବା ପାଇଁ, ଦଣ୍ଡରେ ଘୁଙ୍ଗୁର ମଧ୍ୟ ବନ୍ଧାଯାଇଥାଏ । ଧୁଡୁକିର ତାଳେ ତାଳେ, ଘୁଙ୍ଗୁରର ଶବ୍ଦ ବେଶ ମଧୁର ଧ୍ୱନୀ ସୃଷ୍ଟିକରିଥାଏ ।

ଗଞ୍ଜାମରେ ଏହା ‘କାଲା ଘୁଡ଼ୁକି’ ଭାବରେ ଜଣା । ଘୁଡ଼ୁକି ଯନ୍ତ୍ରଟି ମୂଳତଃ ଶୁଦ୍ଧଶବର ଜାତିମାନଙ୍କ ନୃତ୍ୟଗୀତରୁ ଉତ୍ପନ୍ନ । ଗଞ୍ଜାମର ପୁରାତନ ଗୁରୁ ପ୍ରାଣବନ୍ଧୁ ତରାଇ ଘୁଡ଼ୁକିକୁ ସର୍ବପ୍ରଥମେ ନୂଆ ରୂପ ଦେଇ ବହୁ ପ୍ରସିଦ୍ଧ କରେଇପାରିଥିଲେ । ସେ ଅଳ୍ପ କାଲା ଥିବାରୁ ଲୋକେ ଧୀରେ ଧୀରେ ‘କାଲା ଘୁଡ଼ୁକି’ ଭାବେ ସମ୍ବୋଧନ କରିବା ଆରମ୍ଭ କରିଲେ । ପ୍ରାଣବନ୍ଧୁଙ୍କ ପୁତ୍ର ନୀଳକଣ୍ଠ ତରାଇ ମଧ୍ୟ ଘୁଡ଼ୁକିନାଟର ପ୍ରମୁଖ ଗୁରୁମାନଙ୍କ ମଧ୍ୟରୁ ଅନ୍ୟତମ ।