Latest Odisha News

BREAKING NEWS

ଆଜି ସାବିତ୍ରୀ ବ୍ରତ: ପ୍ରାଣପ୍ରିୟଙ୍କ ଦୀର୍ଘାୟୁ କାମନା କରି ଓଷା କରୁଛନ୍ତି ପତ୍ନୀ

ଭୁବନେଶ୍ଵର: ଆଜି ପବିତ୍ର ସାବିତ୍ରୀ ବ୍ରତ । ପ୍ରତି ସଧବାଙ୍କ ପାଇଁ ଆଜି ଦିନଟି ଗୁରୁତ୍ବ ବହନ କରେ । ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଥାନ୍ତି ସ୍ତ୍ରୀ । ସଧବାର ସମ୍ପତ୍ତି ଶଙ୍ଖା, ସିନ୍ଦୁରକୁ ବଜର ରଖିବା ପାଇଁ ମାନସିକ କରି ବ୍ରତ ପାଳିଥାଆନ୍ତି ପତ୍ନୀ ।

ପରମ୍ପରା ଅନୁସାରେ ବିବାହିତା ମହିଳାମାନେ ଏହି ବ୍ରତ କରିଥାନ୍ତି । ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ ହୁଏ । ସାବିତ୍ରୀ ସଧବା ନାରୀଙ୍କର ଆଦର୍ଶ। ଏହି ଦିନକୁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି ପ୍ରତ୍ୟେକ ବିବାହିତ ନାରୀ। ସକାଳୁ ମନ୍ଦିର ଯାଇ ଶାଢୀ, ଶଙ୍ଖା ଓ ସିନ୍ଦୁର ପୂଜା କରିବା ସହ ନିର୍ଜଳା ବ୍ରତ କରି ସେଠାରେ ପୂଜାର୍ଚ୍ଚନା କରିଥାନ୍ତି । ଏହି ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଥିଲେ ତାହାକୁ ଆଧାର କରି ମା’ ସାବିତ୍ରୀଙ୍କୁ ପୂଜା କରାଯାଏ ।

କିମ୍ବଦନ୍ତୀ ଅନୁସାରେ, ସତ୍ୟବାନ ଅଳ୍ପାୟୁ ଥିଲେ ବି ମୃତ୍ୟୁକୁ ଜୟ କରିଥିଲେ । ଏହା ସମ୍ଭବ ହୋଇଥିଲା ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ପାଇଁ । ତେଣୁ ପ୍ରତ୍ୟେକ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ ପାଳନ କରିଥାଏ ସାବିତ୍ରୀ ବ୍ରତ । ପରିବେଶ ଓ ପରିସ୍ଥିତି ସହ ତାଳ ଦେଇ ସାବିତ୍ରୀ ବ୍ରତର ପରମ୍ପରା ଯଦିଓପରି ବଦଳିଛି କିନ୍ତୁ ପ୍ରତ୍ୟେକ ନାରୀ ଏହାକୁ ନିଷ୍ଠାର ସହ ପାଳନ କରିଥାନ୍ତି ।

Comments are closed.