ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ଗୋପାଳ ବାବୁଙ୍କ ବଡ଼ ପୁଅ ଏବଂ ସାନ ପୁଅ ଭିତରେ ଅନେକ ଭିନ୍ନତା। ସାନପୁଅ ପୂରା ଦୁନିଆଟାକୁ ନିଜର କରି ଚାଲେ। ବଡ଼ପୁଅ କହେ, ଯାହାର ଚୌହଦି ଯେତେ ବଡ଼, ସେ ସେତେବଡ଼ ଦୁଃଖୀ। ଅନ୍ୟମାନଙ୍କ ଦୁଃଖରେ ସମଦୁଃଖୀ ହେବାରେ ତାର କିଛି ଅସୁବିଧା ନାହିଁ। ଏପରିକି ସବୁଠୁ ସମ୍ବେଦନଶୀଳ ମଣିଷ ବୋଲି ତାକୁ କହିଲେ କିଛି ଭୁଲ୍ ହେବନି। କିନ୍ତୁ ଲୋକମାନେ ଯେତେବେଳେ ଅନ୍ୟର ସରଳତାର ସୁଯୋଗ ନେଇ ତାର ଫାଇଦା ଉଠାଇବାକୁ ଚେଷ୍ଟା କରନ୍ତି ଏବଂ ଆବଶ୍ୟକତା ଅନୁସାରେ ବ୍ୟବହାର କରନ୍ତି, ସେ କଥାଟା ତାକୁ ବେଶୀ ବାଧେ। ସେଥିପାଇଁ ସମୟ ଅନୁସାରେ ଜୀବନ ପ୍ରତି ତାର ଦୃଷ୍ଟିଭଙ୍ଗୀରେ ଏମିତି ପରିବର୍ତ୍ତନ ଆସିଛି। ଦୁଇ ପୁଅଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଗୋପାଳ ବାବୁ। ସେ କେବେ ବି ଅନ୍ୟ କାହାର ଅମଙ୍ଗଳ ଚିନ୍ତା କରିନାହାନ୍ତି। ଜୀବନରେ ଅନ୍ୟମାନଙ୍କୁ ସହାୟତା କରିବା ସତେ ଯେମିତି ତାଙ୍କ ଜୀବନଧର୍ମ। କିନ୍ତୁ ଅନେକ ସମୟରେ ସେ ନିଜ ସମ୍ପର୍କୀୟମାନଙ୍କ ଦ୍ୱାରା ପ୍ରତାରିତ ହୋଇଛନ୍ତି ବା ସେମାନଙ୍କ ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଏପରିକି ଅନ୍ୟମାନଙ୍କ ଖୁସି ପାଇଁନିଜ ଅସମ୍ମାନକୁ ସେ ସ୍ୱୀକାର କରିଯାଆନ୍ତି। ତେବେ ଗୋପାଳ ବାବୁଙ୍କ ଏହି ଗୁଣଟି ତାଙ୍କ ଦୁଇ ପୁଅଙ୍କୁ ଭଲ ଲାଗେନି। ସେମାନେ ଏହି ମାମଲାରେ ବାପାଙ୍କ ବିରୋଧ କରନ୍ତି।
ଯେତେବେଳେ ସମ୍ପର୍କୀୟମାନେ ହଇରାଣ ହରକତ କରନ୍ତି, ସେତେବେଳେ ଗୋପାଳ ବାବୁ ରାଗି ଯାଇ ପୁଅମାନଙ୍କୁ କହନ୍ତି, ତୁମର ଯଦି ଜ୍ଞାତି ଅଛନ୍ତି, ତାହେଲେ ଆଉ ଶତ୍ରୁ ଦରକାର ନାହିଁ। ଘରେ ନିଆଁ ଲଗାଇବା ପାଇଁ ଜ୍ଞାତି ହିଁ ଯଥେଷ୍ଟ। ପୁଅମାନେ ବଡ଼ ଆଚମ୍ବିତ ହେଲା ଭଳି ଦେଖନ୍ତି। ସେତେବେଳେ ସେ କହନ୍ତି, ମୋତେ ତୁମେମାନେ ଟିକିଏ କହ, କୃଷ୍ଣଙ୍କୁ ମାରିବା ପାଇଁ ଯିଏ ସବୁଚେଷ୍ଟା କରୁଥିଲା, ସେ କିଏ .. କଂସ, ତାଙ୍କ ମାମୁ। ରାମଙ୍କୁ ବନବାସ ପଠାଇବା ପାଇଁ ଷଡ଼ଯନ୍ତ୍ର କିଏ କରିଥିଲା, ତାଙ୍କ ସାବତ ମାଆ। ପାଣ୍ଡବମାନଙ୍କୁ ଖାଣ୍ଡବପ୍ରସ୍ଥ କିଏ ପଠେଇଥିଲା, ରାଜ୍ୟରୁ ବିତାଡ଼ିତ କିଏ କରିଥିଲା, କୌରବ .. ସେମାନଙ୍କ ଭାଇ। ଏମିତି ଆଉ କେତେ ଉଦାହରଣ ଦରକାର ତମମାନଙ୍କୁ? ସତକଥା କହିବାକୁ ଗଲେ, ଯୁଗେ ଯୁଗେ ଜ୍ଞାତି ହିଁ ଶତ୍ରୁ ଭାବେ ମୁଣ୍ଡ ଟେକିଛନ୍ତି ଆଉ ସର୍ବନାଶର କାରଣ ପାଲଟିଛନ୍ତି। ପୁରାଣ ଦେଖ କି ଇତିହାସ, ସବୁଠି ଶହ ଶହ ଉଦାହରଣ ମିଳିବ ଏହାକୁ ନେଇ। ପୁଅମାନେ ପରିସ୍ଥିତିକୁ ଟିକିଏ ହାଲୁକା କରିବାକୁ ଯାଇ କହନ୍ତି, ଆମେ ଶତ୍ରୁ ଭାବିଲେ, ସେମାନେ ଶତ୍ରୁ, ଆମେ ମିତ୍ର ଭାବିଲେ ସେମାନେ ଆମ ଜ୍ଞାତି। ଗୋପାଳ ବାବୁ ପୁଣି ବୁଝାଇବାକୁ ଚେଷ୍ଟା କରନ୍ତି, ମୁଁ ଯାହା ସବୁ ଉଦାହରଣ ଦେଲି, ସେଥିରେ ଜ୍ଞାତିଙ୍କ ଦ୍ୱାରା ପ୍ରତାରିତ ବା ପୀଡ଼ିତ ହୋଇଥିବା ବ୍ୟକ୍ତିମାନେ କେବେ ସେମାନଙ୍କୁ ଶତ୍ରୁ ବୋଲି ଭାବିଥିଲେ କି? ଉତ୍ତର ନିଶ୍ଚିତ ଭାବେ ନା। ତଥାପି କାହିଁକି ସେମାନଙ୍କୁ ଶତ୍ରୁତାର ସାମ୍ନା କରିବାକୁ ପଡ଼ିଲା, ସେ କଥା କେବେ ଭାବିଛ?
ଗୋପାଳ ବାବୁ ଏ କଥା ବାରମ୍ବାର କହନ୍ତି ପୁଅମାନଙ୍କୁ। କିନ୍ତୁ ନିଜ ସମ୍ପର୍କୀୟଙ୍କ ପାଇଁ ନିଜର ସର୍ବସ୍ୱ ଅଜାଡ଼ି ଦେବା ପାଇଁ ଅହର୍ନିଶ ପ୍ରସ୍ତୁତ ଥାଆନ୍ତି। ସେଦିନର ବିରକ୍ତି ପଛର କାରଣ ଜାଣିବାକୁ ଚାହୁଁଥିଲେ ପିଲାମାନେ। ବୁଝୁ ବୁଝୁ ଜଣାପଡ଼ିଲା ଗୋପାଳ ବାବୁ ରାଗିଛନ୍ତି ତାଙ୍କ ଦାଦା ପୁଅ ଗୋବର୍ଦ୍ଧନ ଉପରେ। ଗୋବର୍ଦ୍ଧନ ତାଙ୍କ ସାନ ଜେଜେଙ୍କ ପୁଅର ପୁଅ। ତେଣୁ ତୃତୀୟ ପିଢ଼ିର ସମ୍ପର୍କ। ତଥାପି ଜମିବାଡ଼ି, ଘରଦ୍ୱାର ସବୁଠି ଗୋବର୍ଦ୍ଧନ ହେଉଛି ଗୋପାଳ ବାବୁଙ୍କ ପଡ଼ୋଶୀ। ଗୋପାଳ ବାବୁଙ୍କ ଧାନ ଜମିର ହିଡ଼ଟା ନବେ ଡିଗ୍ରୀ ସଳଖ। ବର୍ଷ ବର୍ଷ ଧରି ଏହା ସେମିତି ହିଁ ଥିଲା। କିନ୍ତୁ ଯେବେଠାରୁ ଗୋପାଳ ବାବୁଙ୍କ ଦାଦାଙ୍କ ପରଲୋକ ହେଲା, ତା ପରଠୁ ଏହାକୁ ସମ୍ଭାଳୁଛି ଗୋବର୍ଦ୍ଧନ। ସେବେଠାରୁ ଧୀରେ ଧୀରେ ସେହି ଜମି ହିଡ଼ଟି ବଙ୍କା ହେବାରେ ଲାଗିଛି। ଗତ କିଛି ବର୍ଷ ଭିତରେ ଏହି ସରଳରେଖାକୃତିର ହିଡ଼ଟି ଶିବଧନୁ ପାଲଟି ଗଲାଣି। କେବଳ ଏହି ଗୋଟିଏ କଥା ନୁହେଁ, କେତେବେଳେ ସେ ଜମିରୁ ପାଣି କାଟିଦିଏ ତ, ପୁଣି କେତେବେଳେ ପାଚିଲା ଧାନ କ୍ଷେତରେ ଗୋରୁ ଛାଡ଼ିଦିଏ। ସେ ସୁଯୋଗ ଖୋଜୁଥାଏ, କେମିତି କେଉଁଠି ଗୋପାଳ ବାବୁଙ୍କୁ ଅପମାନିତ କରିବ ବା ଅସମ୍ମାନ କରିବ। ଅନେକ ସମୟରେ ଗୋପାଳ ବାବୁଙ୍କ ପତ୍ନୀ ଏହି କଥାରେ ତାଗିଦ୍ କରିବା ପାଇଁ ଗୋପାଳ ବାବୁଙ୍କୁ କହନ୍ତି। କିନ୍ତୁ ସେତେବେଳେ ସେ କିଛି କହନ୍ତି ନାହିଁ। ଓଲଟା କହନ୍ତି, ତାର ବୁଦ୍ଧି ବାମ ହୋଇଗଲାଣି। ଏମିତି ଜମି ହିଡ଼ ହାଣି ହାଣି କେହି କେବେ ବଡ଼ଲୋକ ହୋଇଯାଇନି। ଏବେ ଗୋଟିଏ ହାତରେ ଖାଉଛି, ଏମିତି ହେଲେ ଦୁଇ ହାତରେ ଖାଇବାକୁ ପଡ଼ିବ। ପୁଅମାନେ କିଛି ବୁଝନ୍ତିନି। କେବଳ ନିରବ ରହନ୍ତି। ସେଦିନ ଗୋପାଳ ବାବୁ ଯେତେବେଳେ ଗୋବର୍ଦ୍ଧନକୁ ବିଲ ହିଡ଼ ଉପରେ ହିଁ ଠିଆ ହୋଇ କହିଲେ, ତୁ ନିଜେ ଦେଖି ପାରୁଥିବୁ ଗୋବର୍ଦ୍ଧନ। ଏକଦା ସରଳ ରେଖା ଭଳି ଥିବା ହିଡ଼ର ଅବସ୍ଥା ତୁ କଣ କଲୁଣି। ଏବେ ଅନ୍ତତଃ ଏହାକୁ ସିଧା କରିଦେବା। ଏଇ କଥାରେ ନିଜର ଉଗ୍ରରୂପ ଦେଖାଇଲା ଗୋବର୍ଦ୍ଧନ। କହିଲା, ଯାହାକୁ କହିବାର ଅଛି କହ। ଏଇ ହିଡ଼ ଏମିତି ହିଁ ରହିବ। ଯଦି ତୋ ହାତରେ କିଛି ହୋଇ ପାରୁଛି, ତୁ କର। ତା ପରେ ମୁଁ ଦେଖିବି। ଗୋବର୍ଦ୍ଧନର ଏହି ଅଭଦ୍ରାମୀରେ ଅତ୍ୟନ୍ତ ବ୍ୟଥିତ ହୋଇଥିଲେ ଗୋପାଳ ବାବୁ। ତା ସହିତ ଆଉ କୌଣସି ତର୍କ ନକରି ସିଧା ଘରକୁ ଫେରିଥିଲେ ସେ। ଏବଂ ତା ପରେ ଥିଲା ତାଙ୍କର ଏହି ଜ୍ଞାତିଶତ୍ରୁ ରୂପକ ପ୍ରତିକ୍ରିୟା।
ସାନପୁଅ କହିଲା, ବାପା .. ଏହାକୁ ନେଇ ବ୍ୟଥିତ ହେବାର କିଛି ନାହିଁ। କେବଳ ଅପେକ୍ଷା କର। ସମୟ ଆସିଲେ ସବୁ ଠିକ୍ ହୋଇଯିବ। ସତକୁ ସତ, ମାତ୍ର ଛଅ ମାସ ପରେ ଗୋବର୍ଦ୍ଧନ ନିଜ ଝିଅର ବାହାଘର ପାଇଁ ଅର୍ଥ ଯୋଗାଡ଼ କରୁଥିଲା। ଯେତିକି ଟଙ୍କା ଦରକାର ଥିଲା, ସେତିକି ଯୋଗାଡ଼ କରିବା ତା ପାଇଁ ସମ୍ଭବ ହେଉନଥିଲା। ଏତିକି ବେଳେ ଗୋପାଳ ବାବୁଙ୍କୁ କେଉଁ ମୁହଁରେ ସେ ସହାୟତା ମାଗିବ, ସେ କଥା ଭାବି ପାରୁନଥିଲା। ତାର ସାହସ ବି ହେଉନଥିଲା। ଏମିତି ସ୍ଥଳେ ତା ମୁଣ୍ଡରେ କି ବୁଦ୍ଧି ଆସିଲା କେଜାଣି, ଗୋପାଳ ବାବୁଙ୍କ ସାନପୁଅକୁ ଡାକି କହିଲା, ହଇରେ ବାପ, ତମ ଜମିକୁ ଲାଗି ଆମର ଯେଉଁ ଜମିଟା ଅଛି, ତାକୁ ତୁ କିଣୁନୁ। ଘର ଜମି ଘରେ ହିଁ ରହିବ। ଆଉ କାହାକୁ କାହିଁକି ବିକିବା? ଏକଥା ଶୁଣି ଖୁବ୍ ଜୋରରେ ହସିଥିଲା ଗୋପାଳ ବାବୁଙ୍କ ସାନ ପୁଅ। କହିଲା, ମୁଁ କଣ ଘରର ମୁରବି? ତମକୁ ଯଦି ଜମି ବିକିବାର ଅଛି, ତାହେଲେ ବାପାଙ୍କ ସହିତ କଥାବାର୍ତ୍ତା କରୁନ କାହିଁକି? ଗୋବର୍ଦ୍ଧନର ଆଉ ସାହସ ହେଲାନି। ସେଥିପାଇଁ ସେ ଯୋଗାଡ଼ଯନ୍ତ୍ର କରି ଅନ୍ୟ ଜଣକୁ ବିକିଲା ସେହି ଜମି।
ଏ ସବୁ ଭିତରେ ଯେଉଁଦିନ ଗୋବର୍ଦ୍ଧନର ପୁଅ ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲା, ସେତେବେଳେ ନିଜେ ଗୋବର୍ଦ୍ଧନ ଘରେ ନଥିଲା। ତା ପୁଅ ପାଖରେ ଡାକ୍ତରଖାନାରେ ଥିଲେ ଗୋପାଳ ବାବୁ ଏବଂ ତାଙ୍କ ସାନ ପୁଅ। ଡାକ୍ତରଖାନାରେ ଆବଶ୍ୟକ ସମସ୍ତ ସୁବିଧା ଯୋଗାଇବା ସହିତ, ତାର ଚିକିତ୍ସାରେ ଯେମିତି କୌଣସି ଅସୁବିଧା ନହୁଏ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରିଥିଲା ଗୋପାଳ ବାବୁଙ୍କ ସାନପୁଅ। ଗୋବର୍ଦ୍ଧନ, ପୁଅର ଦୁର୍ଘଟଣା ଖବର ପାଇ ଦୌଡ଼ିଲା ଡାକ୍ତରଖାନା। ସେତେବେଳକୁ ପ୍ରାୟ ଚାରି ଘଣ୍ଟା ବିତି ସାରିଥାଏ। ପୁଅ ତାର ସେତେବେଳେ ବି ନିଶ୍ଚେତ ଅବସ୍ଥାରେ ପଡ଼ିଥାଏ ହସ୍ପିଟାଲରେ। ଡାକ୍ତରଖାନାରେ ପହଞ୍ଚିଲା ପରେ ସେ ଦେଖିଲା, ତା ପୁଅ ପାଖରେ ବସିଛନ୍ତି ଗୋପାଳ ବାବୁ। ପୁଅର ହାତରେ ଲାଗିଛି ସାଲାଇନ୍। ଏଣେ ଗୋପାଳ ବାବୁଙ୍କ ସାନପୁଅ ହସ୍ପିଟାଲ ବାରଣ୍ଡାରେ ଡାକ୍ତରଙ୍କ ସହିତ ଆଲୋଚନା କରୁଥାଏ। ତାଙ୍କୁ ନିବେଦନ କରୁଥିଲା ସେ, ଯେମିତି ଚିକିତ୍ସାରେ କୌଣସି ଅବହେଳା ନହୁଏ, ସେଥିପାଇଁ। ପଛରେ ଠିଆ ହୋଇ ଏ ସବୁ ଶୁଣୁଥାଏ ଗୋବର୍ଦ୍ଧନ। କିଛି କହିବାକୁ ଚାହିଁଲେ ବି, ତାର ଆଉ ସାହସ ହେଉନଥାଏ। ଏପରିକି ଗୋପାଳ ବାବୁଙ୍କୁ ବି କିଛି କହିବାକୁ ଚାହୁଁଥିଲେ ବି, ସେ କହିପାରୁନଥିଲା। ସେତେବେଳେ ଗୋପାଳ ବାବୁ ଗୋବର୍ଦ୍ଧନକୁ ଦେଖି ଠିଆ ହୋଇପଡ଼ିଲେ। ଦୁଇ ପାଦ ଆଗକୁ ଆସି ତା ହାତ ଧରି ପକାଇଲେ। କହିଲେ, ତୁ କିଛି ବ୍ୟସ୍ତ ହୁଅନା। ତୋ ପୁଅ ଠିକ୍ ହୋଇଯିବ। ଠିକ୍ ସମୟରେ ତାକୁ ଡାକ୍ତରଖାନାରେ ପହଞ୍ଚାଇ ଦିଆଯାଇଛି। ତାର ଚିକିତ୍ସା ଠିକ୍ ଭାବେ ଚାଲିଛି। ତେଣୁ ତାକୁ ନେଇ ତୁ ଆଦୌ ବିବ୍ରତ ହୁଅନା। ଗୋବର୍ଦ୍ଧନର ମୁହଁରେ ଆଉ ଭାଷା ନଥିଲା। ସେ ବିଲକୁଲ୍ ଚୁପ୍ ହୋଇ ଠିଆ ହୋଇଥିଲା।
ପ୍ରାୟ ଦଶ ଦିନ ଡାକ୍ତରଖାନାରେ ରହିବା ପରେ ଶେଷକୁ ଡିସଚାର୍ଜ ହୋଇଥିଲା ଗୋବର୍ଦ୍ଧନର ପୁଅ। ତାକୁ ଗୋଟିଏ ଗାଡ଼ିରେ ବସାଇ ଯେତେବେଳେ ଗୋପାଳ ବାବୁଙ୍କ ସାନପୁଅ ଘରକୁ ଧରି ଆସିଲା, ସେତେବେଳେ ଗାଁଟା ଯାକର ଲୋକ ଦେଖୁଥାନ୍ତି। ଗାଡ଼ିରୁ ଓହ୍ଲାଇବା କ୍ଷଣି ଗୋବର୍ଦ୍ଧନର ପୁଅ କହିଲା, ମୁଁ ଆଉ ଆମ ଘରେ ରହିବି ନାହିଁ। ଏଣିକି ବଡ଼ବାପାଙ୍କ ଘରେ ରହିବି। ମୁଁ ସେ ଘରର ପୁଅ। ଏ ଘରର ନୁହେଁ। ବଡ଼ ତାଜୁବ୍ ହୋଇ ଅନାଇଥାଏ ଗୋବର୍ଦ୍ଧନ। ଏତିକିବେଳେ ପୁଅ କହିଲା, ବାରମ୍ବାର କହୁଥିଲି ନା, ବଡ଼ବାପାଙ୍କ ସହିତ କେବେ ଅଭଦ୍ରଙ୍କ ଭଳି ବ୍ୟବହାର କରନାହିଁ ବୋଲି। ଆଜି ତମେ ଯେତେବେଳେ ଅସୁବିଧାରେ ପଡ଼ିଲ, ତମ ପାଖରେ ଠିଆ ହେଲା କିଏ? ସେ, ନା ଆଉ କିଏ? ଗୋପାଳ ବାବୁ ସାମ୍ନାକୁ ଆସି କହିଲେ, ନାଇଁରେ ବାପ, ତୁ ପିଲାଲୋକ ଜାଣି ପାରିବୁ ନାହିଁ। ସିଏ ସାନଟା। ତାର ଭୁଲ୍ କରିବା ଅଧିକାର ଅଛି। ସେଥିପାଇଁ ତାର ତୁ ଯଦି ଅସମ୍ମାନ କରିବୁ, ତାହେଲେ ତା ଭିତରେ ଆଉ ତୋ ଭିତରେ ଫରକ୍ କଣ ରହିଯିବ? ତୁ ପାଠଶାଠ ପଢ଼ିଛୁ, ତୁ ଯଦି ତା ଭଳି ମୂର୍ଖାମୀ କରିବୁ, ତାହେଲେ ଲୋକେ କଣ କହିବେ, କହିଲୁ ବାପ?ଗୋପାଳ ବାବୁଙ୍କ କଥା ଶୁଣି, ସେ କିଛି କହିବା ପୂର୍ବରୁ ଗୋବର୍ଦ୍ଧନ ଦୌଡ଼ି ଆସି ଗୋପାଳ ବାବୁଙ୍କ ଗୋଡ଼ ଧରି ପକାଇଲା। କହିଲା, ଭାଇ, ମୁଁ ଯେଉଁ ଭୁଲ୍ କରିଛି, ସେଥିପାଇଁ ମୁଁ କ୍ଷମା ମାଗିବା ପାଇଁ ବି ଯୋଗ୍ୟ ନୁହେଁ। ତଥାପି ତମେ ମୋ ପୁଅର ଜୀବନ ବଞ୍ଚାଇ ଦେଲ। ମୋ କଥା ଭାବିଥିଲେ ତମେ କେବେ ବି ମୋ ପୁଅ ପାଖରେ ଠିଆ ହୋଇନଥାନ୍ତ। ମୋ କୁଳ ବୁଡ଼ି ଯାଇଥାନ୍ତା। ମୋତେ ଯାହା ଦଣ୍ଡ ଦେବାର ଅଛି ଦିଅ। କିନ୍ତୁ ମୋ ପୁଅକୁ ମୋ ଘରକୁ ନେବାରେ ମୋତେ ସାହାଯ୍ୟ କର। ଗୋପାଳ ବାବୁ କହିଲେ, ଆରେ ସେମିତି କଛି ହେବନି। ସେ ତୋରି ଘରକୁ ହିଁ ଯିବ। ଗୋବର୍ଦ୍ଧନ ସେମିତି ହିଁ ଗୋପାଳ ବାବୁଙ୍କ ଗୋଡ଼ ପାଖରେ ବସିଥାଏ। କହିଲା, ଭାଇ, ଏମିତି କୌଣସି ସ୍ଥାନ ନାହିଁ, ଯେଉଁଠି ମୁଁ ତମକୁ ଅସମ୍ମାନିତ କରିବା ପାଇଁ ଚେଷ୍ଟା କରିନି। ତମକୁ ଖରାପ ଭାଷା କହିନି। ଆଉ ତମ ଅମଙ୍ଗଳ ପାଞ୍ଚିନି। ମୋର ସେ ସବୁ ଭୁଲର ଦଣ୍ଡ ମୋତେ ମିଳି ସାରିଲାଣି। ମୋ ପୁଅର ଦୁର୍ଘଟଣା ସେହି ସବୁ ଭୁଲର ଦଣ୍ଡ। ମୁଁ ପ୍ରକୃତରେ ତମ ଜ୍ଞାତିଶତ୍ରୁ ରୂପେ ପରିଚିତ ହେବାକୁ ଯୋଗ୍ୟ। କିନ୍ତୁ, ମୋ ଭୁଲ୍ ପାଇଁ ଏବେ ମୁଁ ପଶ୍ଚାତ୍ତାପ କରୁଛି ଭାଇ। ସାନ ବୋଲି ଭାବି, ମୋ ଭୁଲ୍ କ୍ଷମା କରିଦେବ। ଗୋପାଳ ବାବୁ ତାକୁ ତଳୁ ଉଠାଇ କହିଲେ, ତୁ କେବେ ଶତ୍ରୁ ହେବୁନି। ତୁ ଭାଇ, ଜ୍ଞାତି .. ଜ୍ଞାତି ହିଁ ରହିବୁ। ଈଶ୍ୱର ତତେ ସଦବୁଦ୍ଧି ଦିଅନ୍ତୁ। ତା ପରେ ପୁଅକୁ ନେଇ ଘରକୁ ଯାଇଥିଲା ଗୋବର୍ଦ୍ଧନ। …
ମିଡିଆ ଷ୍ଟଡିଜ୍
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪
Comments are closed.