ଅହମ୍ମଦାବାଦ: ବିରାଟ କୋହଲିଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୫ ୱିକେଟରେ ଗୁଜରାଟ ଟାଇଟାନ୍ସକୁ ହରାଇ କ୍ରମାଗତ ଦ୍ୱିତୀୟ ଥର ପାଇଁ ଆଇପିଏଲ ଟାଇଟଲ ହାସଲ କରିଛି । ଗତ ସଂସ୍କରଣରେ ଆରସିବି ପ୍ରଥମ ଥର ପାଇଁ ଚାମ୍ପିୟନ ହୋଇଥିଲା । ଫାଇନାଲରେ ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୧୫୫ ରନ କରିଥିଲା । ଜବାବରେ ବେଙ୍ଗାଲୁର ୧୮ ଓଭରରେ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । କୋହଲି ୪୨ ବଲରେ ୭୫ ଓ ଜୀତେଶ ଶର୍ମା ୧୪ ବଲରେ ୧୧ ରନ କରି ଅପରାଜିତ ରହିଥିଲେ ।
୪.୩ ଓଭରରେ ଭେଙ୍କେଟେଶ ଆୟାର ଓ କୋହଲି ପ୍ରଥମ ୱିକେଟରେ ୬୨ ରନ ଯୋଗ କରି ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ । ଏହା ପରେ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲେ ମଧ୍ୟ କୋହଲି ଗୋଟିଏ ପଟେ କ୍ରିଜରେ ରହି ଦଳକୁ ବିଜୟୀ କରାଇଥିଲେ । ଦେବଦତ ପାଡିକଲ(୧), ରଜତ ପାଟୀଦାର (୧୫)ଓ କୃଣାଳ ପାଣ୍ଡ୍ୟା ୧ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଟିମ ଡେଭିଡ ଦ୍ରୁତ ୨୪ ରନ ସଂଗ୍ରହ କରିଥିଲେ ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟାନ୍ସ ବିପକ୍ଷ ଦଳର ଭଲ ବୋଲିଂ ପ୍ରଦର୍ଶନ ଯୋଗୁ ୨୦ ଓଭରରେ ୮ ୱିକେଟ ହରାଇ ୧୫୫ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । କ୍ୱାଲିଫାୟର୨ରେ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିବା ଶୁଭମନ ଗିଲ ୧୦ ଓ ସାଈ ସୁଦର୍ଶନ ୧୨ ରନ କରି ଆଉଟ ହୋଇଯିବା ଫଳରେ ଦଳ ଚାପରେ ପଡିଥିଲା । ନିଶାନ୍ତ ସିନ୍ଧୁୂ ୨୦, ଜୋସ ବଟଲର ୧୯, ଆର୍ଶଦ ଖାଁ ୧୫ ରନ କରିଥିଲେ । ଆରସିବିର ରସିକ ସଲାମ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଭୁବନେଶ୍ୱର କୁମାର, ଜୋଶ ହାଜେଲଉଡ ୨ଟି ଲେଖାଏଁ ଏବଂ କୃଣାଳ ପାଣ୍ଡ୍ୟା ଗୋଟିଏ ୱିକେଟ ନେଇଥିଲେ ।