Latest Odisha News

BREAKING NEWS

କୋଣାର୍କ ସାହିତ୍ୟ ଉତ୍ସବ: ସାରସ୍ୱତ ସାଧନା ସର୍ବଦା ସଂଯୋଗ ଓ ସମ୍ପର୍କର ସେତୁ ଭାବେ କାର୍ଯ୍ୟ କରିଥାଏ

ଭୁବନେଶ୍ୱର: ସାରସ୍ୱତ ସାଧନା ସର୍ବଦା ସଂଯୋଗ ଓ ସମ୍ପର୍କର ସେତୁ ଭାବେ କାର୍ଯ୍ୟ କରିଥାଏ ଭୁବନେଶ୍ୱର ଗୀତଗୋବିନ୍ଦ ସଦନଠାରେ ଆୟୋଜିତ କୋଣାର୍କ ଓଡ଼ିଶା ପରିବାରର ଷଷ୍ଠ ବାର୍ଷିକ ସାହିତ୍ୟ ଉତ୍ସବରେ ଯୋଗଦେଇ ବକ୍ତାମାନେ ମତପୋଷଣ କରିଛନ୍ତି ।

ଉତ୍ସବରେ ଓଡ଼ିଶାର ପଞ୍ଚାୟତିରାଜ ଓ ଆଇନ ବିଭାଗର ମାନ୍ୟବର ମନ୍ତ୍ରୀ ପ୍ରତାପ ଜେନା ଉଦ୍ଘାଟକ ଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ସାହିତ୍ୟ ସଦାବେଳେ ଚିରସ୍ଥାୟୀ, ଭାଷା, ସାହିତ୍ୟ, ସଂସ୍କୃତି ସଭ୍ୟତାକୁ ପରିପୃଷ୍ଠ କରି ବିଶ୍ୱ ଦରବାରେ ପ୍ରତିପାଦିତ କରିବା ପାଇଁ ସଦାବେଳେ ସହାୟକ ହୋଇଥାଏ । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ କଟକ ଆକାଶବାଣୀ କେନ୍ଦ୍ରର ପ୍ରାକ୍ତନ କେନ୍ଦ୍ର ନିର୍ଦ୍ଦେଶକ ଦୀପକ ସାମନ୍ତରାୟ କହିଲେ ଯେ, ସୋସିଆଲ ମିଡ଼ିଆର ଆବିର୍ଭାବ ଯୋଗୁଁ ଅନେକ ଲୁକ୍କାୟିତ ପ୍ରତିଭା ଆଜି ଲୋକଲୋଚନକୁ ଆସିପାରିଛି ।

ଶବ୍ଦ ପ୍ରୟୋଗ ଓ ପ୍ରୟୋଗ ଶୈଳୀ ଆଧୁନିକ ସାହିତ୍ୟ ଜଗତରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଅନ୍ୟତମ ଅତିଥି ଭାବେ ଯୋଗଦେଇ ଆୟକର ବିଭାଗର ପ୍ରାକ୍ତନ ପ୍ରଧାନ ଆୟକର ଆୟୁକ୍ତ ଶ୍ରୀଯୁକ୍ତ ଶରତ ଦାଶ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ସାହିତ୍ୟର ବିଭିନ୍ନ ଦିଗ ଏବଂ ଏକ ସୁସ୍ଥ ସମାଜ ଗଠନରେ ସାହିତ୍ୟର କାଳଜୟୀ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୮ଜଣ ପ୍ରତିଭାଙ୍କୁ କୋଣାର୍କ ଓଡ଼ିଶା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ କୋଣାର୍କ ଓଡ଼ିଶା ପରିବାରର ସମ୍ପାଦକ ବିଚିତ୍ର ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଓ ସଭାପତି କପିଳେଶ୍ୱର ଖମାରୀ ସଭାପତତ୍ୱ କରିଥିଲେ ।

କୋଣାର୍କ ଓଡ଼ିଶା ପରିବାରର ବରିଷ୍ଠ ଉପଦେଷ୍ଟା ଡ଼ଃ ହୁସେନ୍ ରବି ଗାନ୍ଧୀ ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ବହୁ ସଂଖ୍ୟାରେ ଏହି ପରିବାରରେ ଯୋଗ ଦେଇ ସାହିତ୍ୟ, କଳା, ସଂସ୍କୃତିର ଅଭିବୃଦ୍ଧି ନିମନ୍ତେ ଚେଷ୍ଟା କରିବାକୁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ସର୍ବାଣୀ ଦାସ, ଦେବୀ ପ୍ରସାଦ ମହାପାତ୍ର ଓ ମନୋଜା ନାୟକଙ୍କ ସଂଯୋଜନାରେ ଆୟୋଜିତ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୦୦ରୁ ଉଦ୍ଧ୍ୱର୍ କବି ଓ କବୟିତ୍ରୀ ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ ।

Leave A Reply

Your email address will not be published.