Latest Odisha News

BREAKING NEWS

ପଟାଙ୍ଗୀ ରାଜନୀତିର ଖେଳ ବିଗାଡିବ କୋଟିଆ !

ଭୁବନେଶ୍ୱର: ଓଡ଼ିଶାରେ ପ୍ରାକ ନିର୍ବାଚନ ବାତାବରଣ ତିଆରି ହୋଇସାରିଥିବାବେଳେ ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ନେଇ ଆଲୋଚନା ଜୋର ଧରିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଉପରେ ଏବେ ବିଭିନ୍ନ ରାଜନୈତିକ ଦଳର ନଜର ରହିଛି।

ସେଥିମଧ୍ୟରୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ଅନ୍ୟତମ। ଏହି ନିର୍ବାଚନ ମଣ୍ଡଳୀ ଏବେ ଅଧିକ ଚର୍ଚ୍ଚାରେ ରହିବାର ମୁଖ୍ୟ କାରଣ ହେଲା କୋଟିଆ। କୋଟିଆ ଉପରେ ଆନ୍ଧ୍ରପ୍ରଦେଶ ନିଜ ଅଧିକାର ସାବ୍ୟସ୍ତ କରୁଥିବା ବେଳେ ଜୋରଜବରଦସ୍ତ ବିଭିନ୍ନ କାର୍ଯ୍ୟ କରୁଛି। ଯାହାକୁ ନେଇ ଓଡ଼ିଶାରେ ରାଜନୈତିକ ଲଢେଇ ତୀଵ୍ର ହୋଇଛି।

ତେଣୁ ପଟାଙ୍ଗୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ ଏବେ ପ୍ରମୁଖ ରାଜନୈତିକ ଦଳଗୁଡିକର ନଜର ରହିଛି। ଏହି ନିର୍ବାଚନ ମଣ୍ଡଳୀ ଏବେ ଶାସକ ବିଜେଡି ହାତରେ ରହିଛି।

ବିଜେଡିର ପୀତମ ପାଢ଼ୀ ଏବେ ପଟାଙ୍ଗୀର ବିଧାୟକ ଅଛନ୍ତି। ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ଲଢିଥିବା ପୀତମ ୫୧ ହଜାର ୨୪୪ ଖଣ୍ଡ ଭୋଟ ପାଇଥିଲେ। ପୂର୍ବତନ କଂଗ୍ରେସ ବିଧାୟକ ତଥା କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମଙ୍କୁ ସେ ହରାଇଥିଲେ।

କାଡାମ ୪୬ ହଜାର ୯୮୯ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିଲେ। ସେହିପରି ବିଜେପି ପ୍ରାର୍ଥୀ ରାମଚନ୍ଦ୍ର ପାଙ୍ଗୀ ୨୫ ହଜାର ୯୫୬ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

୨୦୧୪ ନିର୍ବାଚନରେ ଶାସକ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗି ନିର୍ବାଚନ ଜିତିଥିଲେ। କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମଙ୍କୁ ହରାଇଥିଲେ ପ୍ରଫୁଲ୍ଲ। କାଡାମଙ୍କୁ ୧୦ ହଜାର ୭୬୪ ଖଣ୍ଡ ଭୋଟରେ ପ୍ରଫୁଲ୍ଲ ହରାଇଥିଲେ।

୨୦୦୯ ନିର୍ବାଚନରେ କିନ୍ତୁ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମ ବିଜେଡିର ପ୍ରଫୁଲ୍ଲ ପାଙ୍ଗିଙ୍କୁ ହରାଇଥିଲେ। ତେଣୁ ଗତ ତିନୋଟି ନିର୍ବାଚନର ଫଳାଫଳକୁ ଦେଖିଲେ ପଟାଙ୍ଗୀ ନିର୍ବାଚନରେ ହାରଜିତ ପ୍ରାୟ ପାଞ୍ଚରୁ ଦଶ ହଜାର ମଧ୍ୟରେ ରହୁଛି।

ତେଣୁ ଏଥର ନିର୍ବାଚନ ବେଶ ନିର୍ଣ୍ଣାୟକ ହୋଇପାରେ। ବର୍ତ୍ତମାନ ବିଧାୟକ ଥିବା ପୀତମ ପାଢ଼ୀ ପୂର୍ବରୁ କଂଗ୍ରେସରେ ଥିବାବେଳେ ଗତ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିବା ସହ ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା।

କିନ୍ତୁ ଏବେ ସ୍ଥିତି ବଦଳିବା ସହ ଶାସକ ଦଳର କିଛି ପ୍ରଭାବୀ ସ୍ଥାନୀୟ ନେତା ଓ କର୍ମୀ ତାଙ୍କୁ ବିରୋଧ କରୁଥିବା କୁହାଯାଉଛି। ତେଣୁ ଦଳ ତାଙ୍କ ଉପରେ ଆଉ ଭରସା କରି ନ ପାରେ ବୋଲି ଚର୍ଚ୍ଚା ହେଉଛି।

ତେଣୁ ଆଗାମୀ ନିର୍ବାଚନରେ ବିଜେଡି ଟିକେଟ ପାଇଁ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗିଙ୍କ ସମେତ ଅନ୍ୟ ବହୁ ଦାବିଦାର ରହିଛନ୍ତି। ଏପରିକି ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି।

ସେପଟେ କଂଗ୍ରେସ ପୁଣିଥରେ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମଙ୍କୁ ରିପିଟ କରିବା ସମ୍ଭାବନା ଅଧିକ। କଂଗ୍ରେସର ଅନ୍ୟ କିଛି ନେତା ଦଳୀୟ ଟିକେଟ ପାଇଁ ଦାବିଦାର ଥିଲେ ମଧ୍ୟ କାଡାମଙ୍କ ପଲ୍ଲା ଭାରି ରହିଛି। ଏପରିକି ରାମଚନ୍ଦ୍ର କାଡାମ ଦୁଇଥର ବିଧାୟକ ହୋଇସାରିଛନ୍ତି।

ବିଜେପି ପ୍ରତ୍ୟେକଥର ପ୍ରାର୍ଥୀ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳିଛି। ସେଥିପାଇଁ ଏଥର ଦଳ କାହାକୁ ପ୍ରାର୍ଥୀ କରିବ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଦଳ ଏଥର ବି ନୂଆ ଚେହେରାକୁ ମଇଦାନକୁ ଆଣିପାରେ ବୋଲି କୁହାଯାଉଛି।

ପଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ କୋଟିଆ ଥିବାରୁ ଓ ଏହି କ୍ଷେତ୍ରକୁ ନେଇ ରାଜନୀତି ତୀଵ୍ର ହୋଇଥିବାରୁ ନିର୍ବାଚନରେ ଏହି ପ୍ରସଙ୍ଗ ନିର୍ଣ୍ଣାୟକ ଭୂମିକା ନେଇପାରେ। ଏପରିକି କୋଟିଆରେ ବିଜେଡି ସରକାର ବହୁ ଅର୍ଥ ବିନିଯୋଗ କରି ବିକାଶମୂଳକ କାର୍ଯ୍ୟ କରୁଥିବା କୁହାଯାଉଥିଲେ ମଧ୍ୟ ଆନ୍ଧ୍ରର ମାନମାନି ବଢ଼ିବାରେ ଲାଗିଛି।

ସେପଟେ କିଛି ମାସ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଠାରେ ଆନ୍ଧ୍ର ଗୋ ବ୍ୟାକ ନାରା ଦେଇ ରାଜନୈତିକ ଚର୍ଚ୍ଚାକୁ ବଢ଼ାଇ ଦେଇଥିଲେ। ଏପରିକି ଦକ୍ଷିଣ ଓଡିଶାରେ କଂଗ୍ରେସର ଏକ ଭଲ ଭୋଟ ବ୍ୟାଙ୍କ ବି ରହିଛି। ତେଣୁ ଏସବୁକୁ ଦେଖିଲେ ପଟାଙ୍ଗୀରେ ଏଥର ତ୍ରିମୁଖୀ ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.