ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ବିଭାଗରେ କୃଷ୍ଣପ୍ରସାଦ ମିଶ୍ର ସ୍ମୃତି ପରିସଦ ପକ୍ଷରୁ ଏକ ସଭା ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସୁସାହିତ୍ୟିକ ଅଧ୍ୟାପକ ବିଶ୍ବ ରଞ୍ଜନ ନିଜର ମତ ପ୍ରକାଶ କରି କହିଛନ୍ତି ଯେ, ଲେଖକଟିଏ ଏବେ କଣ ଲେଖିବ ତାହା ନ ଭାବି ଲେଖିଲେ କଣ ପାଇବ ସେକଥା ଭାବୁଛି । ଯନ୍ତ୍ରଣା ଜର୍ଜରିତ ମଣିଷର ଗପ କହିବାକୁ ଅବା ଶୁଣିବାକୁ ଅବସର ନାହିଁ କି ଆଗ୍ରହ ବି ନାହିଁ । ଅରଣ୍ୟ ଧ୍ବଂସ କରି ମଣିଷ ତା ଉପରେ ଉପବନ ସୃଷ୍ଟି କରୁଛି ।
ବିନା ସାହିତ୍ୟରେ ଦର୍ଶନ ହୋଇପାରିବ ସିନା ବିନା ଦର୍ଶନରେ ସାହିତ୍ୟ ସୃଷ୍ଟି ହେବା ସମ୍ଭବ ନୁହଁ । ନଚିକେତା, ଆଦି ଶଙ୍କର ଓ ଗୌତମ ବୁଦ୍ଧଙ୍କ ଆଧର୍ଶରେ ସମୃଦ୍ଧ ଭାରତୀୟ ଋଷି ପରମ୍ପରା ହେଉଛି ଏକ ମାନବ କଲ୍ୟାଣକାରୀ ତ୍ୟାଗପୂତ ପରମ୍ପରା । ଯାହା ପାଶ୍ଚାତ୍ୟ ଭୂମିର ଇନ୍ଦ୍ରୀୟ ଭାଗ ଆଧାରିତ ଅସ୍ଥିତ୍ବବାଦୀ ପରମ୍ପରା ଠାରୁ ଭିନ୍ନ । କୃଷ୍ଣପ୍ରସାଦଙ୍କ ସାହିତ୍ୟରେ ଏହାର ଚମତ୍କାର ପରିସ୍ପୁଟନ ହୋଇଛି । ହେଲେ ଏହାର ମହତ୍ତ୍ବ ପାଠକ ଠିକ୍ ଭାବରେ ଆତ୍ମସ୍ଥ କରିପାରିନାହାନ୍ତି । ଆଧୁନିକ ଓଡିଆ ସାହିତ୍ୟରେ ମାନବବାଦର ପ୍ରଥମ ପ୍ରବକ୍ତା କୃଷ୍ଣପ୍ରସାଦ ବୋଲି ସଭାପତି ଅଭିଭାଷଣରେ ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ ସୂଚନା ଦେଇଥିଲେ ।
ପ୍ରଫେସର ଗଣେଶ ପ୍ରସାଦ ଦାସ, ଡକ୍ଟର ମନୋରଞ୍ଜନ ମଲ୍ଲିକ ଆଲୋଚନାରେ ଅଂଶଗ୍ରହଣ କରି ସ୍ମୃତି ଅର୍ଘ୍ୟ ଅର୍ପଣ କରିଥିଲେ । ବିଭାଗୀୟ ମୁଖ୍ୟ ନନ୍ଦୀନି ମିଶ୍ର ସ୍ବାଗତ ଭାଷଣ ଦେବା ସଙ୍ଗେ ସଙ୍ଗେ ପରିଷଦର ସମ୍ପାଦକ ଡକ୍ଟର ବିରାଜ ମୋହନ ଦାସ କୃଷ୍ଣପ୍ରସାଦଙ୍କ ସାହିତ୍ୟ ଓ ଦାର୍ଶନିକ କୃତି ସମ୍ପର୍କରେ ସମ୍ୟକ ଆଲୋଚନା କରିଥିଲେ । ଏବଂ ସଭାଶେଷରେ କୃଷ୍ଣପ୍ରସାଦଙ୍କ ଜ୍ୟେଷ୍ଠ ପୁତ୍ର ଡାକ୍ତର ସିଦ୍ଧାର୍ଥ ମିଶ୍ର ସ୍ମୃତି ଚାରଣ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ସୁସାହିତ୍ୟିକ ଡକ୍ଟର ପ୍ରଫେସର ସଙ୍ଘମିତ୍ରା ମିଶ୍ର, ଦର୍ଶନ ବିଭାଗର ଡକ୍ଟର ସୁଧାକର ଜାଲି, ଡକ୍ଟର ସରୋଜକାନ୍ତ କର, ଡକ୍ଟର କବିତା ଦାସ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା, କମଳା ନେହରୁ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ସୁଶାନ୍ତ କୁମାର ଦାସ ଏବଂ ବିଭାଗୀୟ ଛାତ୍ରଛାତ୍ରୀ ମାନେ ଯୋଗଦାନ କରି ଉତ୍ସବକୁ ମହିମା ମଣ୍ଡିତ କରିଥିଲେ ।
Comments are closed.