Latest Odisha News

BREAKING NEWS

ରହସ୍ୟ ଘେରରେ ଭାରତର ଏହି ସ୍ଥାନ: ରାତାରାତି ଏଠାରୁ ଲୋକେ ହୋଇଯାଇଥିଲେ ଗାଏବ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭୁତ ପ୍ରେତ ଆଦିଙ୍କୁ ନେଇ ଅନେକ କଥା ଶୁଣିବାକୁ ମିଳେ । କେହି ଏହାକୁ ମନର ଭ୍ରମ କହି ଏଡାଇ ଯାଉଥିବାବେଳେ ଆଉ କେହି ଏହା ସତ ବୋଲି ଦାବି କରନ୍ତି । ଏମିତି ଏକ ଗାଁ ଆମ ଦେଶରେ ରହିଛି, ଯାହା ନାଁ ଶୁଣିଲେ, ସମସ୍ତେ ମନାକରନ୍ତି ସେଠାକୁ ଯିବାକୁ । ଆଉ ସେଠାରେ ରାତିରେ ରହିବା ତ ସମ୍ପୂର୍ଣ୍ଣ ଭାବରେ ନିଷେଧ କରାଯାଇଛି । କୁହାଯାଏ, ସେଠାରେ ରାତିରେ ଯିଏ ରହିଛି, ଆଉ ସେଠାରୁ ଫେରିନାହିଁ । ସ୍ଥାନୀୟ ଲୋକମାନେ ବି ଦିନବେଳା ଏହି ସ୍ଥାନକୁ ଯିବାକୁ ଭୟ କରନ୍ତି । ତେବେ ଆସନ୍ତୁ ଜାଣିବା ସେହି ଅଦ୍ଭୁତ ଗାଁ ବିଷୟରେ…

ରାଜସ୍ଥାନର ଜୈସଲମେର ଜିଲ୍ଲାରେ ରହିଛି ଏହି ଭୂତ ଗାଁ । ଯାହାର ନାଁ ହେଉଛି କୁଲଧରା ଗାଁ। ଏହା ଜୈସଲମେରଠାରୁ ପ୍ରାୟ ୨୦ କିଲୋ ମିଟର ଦୂରରେ ରହିଛି। କୁହାଯାଏ ଯେ ଏହି ଗାଁ ଅଭିଶପ୍ତ ଗାଁ। ଯେଉଁଠାରେ ଭୂତମାନେ ବାସ କରନ୍ତି। ଏହି ଗାଁକୁ ଯିବା ପାଇଁ ଆଖପାଖର ଲୋକମାନେ ଭୟ କରନ୍ତି। ପ୍ରାୟ ଦୁଇବର୍ଷ ପୂର୍ବେ ଏହି ଗାଁ ପୂରା ଖାଲି ହୋଇଯାଇଥିଲା। ସେବେଠାରୁ ଏହି ଗାଁକୁ ଭୂତିଆ ଗାଁ ବୋଲି କୁହାଯାଉଛି। ଏହି ଗାଁରେ ବହୁତ ପୁରୁଣା ଘର ରହିଛି ଯାହାକି ଏବେ ମାଟିରେ ମିଶବାକୁ ଲାଗିଲାଣି।

୧୨୯୧ରେ ପଲିୱାଲ ବ୍ରାହ୍ମଣମାନେ ଏହି ଗାଁକୁ ବସେଇଥିଲେ। ଏହି ବ୍ରାହ୍ମଣ ଗୋଷ୍ଠୀ ପଲୀର ନିବାସୀ ଥିଲେ। ଏକାଦଶ ଶତାବ୍ଦୀରେ ସେମାନେ ପଲୀରୁ ବିସ୍ଥାପିତ ହୋଇ ରାଜସ୍ଥାନର ବିଭିନ୍ନ ସ୍ଥାନ ଯଥା ଯୋଧପୁର, ଜୈସଲପୁର, ସାଥଲମେର୍, ବିକାନେର୍ ଆଦି ସ୍ଥାନରେ ଆସି ରହିବାକୁ ଲାଗିଲେ। ସେ ସମୟରେ କୁଲଧରା ବହୁତ ସମୃଦ୍ଧ ଗାଁ ଥିଲା। ଏଠାରେ ସବୁ ପ୍ରକାର ସୁଖ ସୁବିଧା ଉପଲବ୍ଧ ଥିଲା। ଅଚାନକ ଏହି ଗାଁରେ ଏମିତି କିଛି ହେଲା ଯାହା ଦ୍ୱାରା ସବୁ କିଛି ବଦଳିଗଲା।

ଏକ ସୂଚନା ଅନୁସାରେ ଏଠାର ରାଜକୁମାରଙ୍କ ଦେୱାନ ସାଲେମ୍ ସିଂହଙ୍କ ନଜର ଗାଁର ଏକ ବ୍ରାହ୍ମଣଙ୍କ କନ୍ୟା ଶକ୍ତି ମୈୟାଙ୍କ ଉପରେ ପଡିଲା। ସେ ତାଙ୍କୁ ବିବାହ କରିବାକୁ ଚାହିଁଲେ। କିନ୍ତୁ କନ୍ୟାଙ୍କ ପିତା ତାଙ୍କ ଝିଅଙ୍କୁ ଅନ୍ୟ କୌଣସି ସଂପ୍ରଦାୟ ସହିତ ବିବାହ କରିବାକୁ ଚାହୁଁ ନ ଥିଲେ। ଏଭଳି ପରିସ୍ଥିତିରେ ସାଲେମ୍ ସିଂହ ଗ୍ରାମବାସୀଙ୍କୁ ଧମକ ଦେଲେ ଯେ ଯଦି ସେ ଶକ୍ତି ମୈୟାଙ୍କୁ ବିବାହ ନ କରନ୍ତି ତେବେ ସେ ଗାଁକୁ ଧ୍ୱଂସ କରିଦେବେ। ଫଳରେ ଗ୍ରାମର ସବୁ ପଲିୱାଲ ବ୍ରାହ୍ମଣ ଏକ ପଞ୍ଚାୟତରେ ଠିକ କଲେ ଯେ ସେମାନେ ଗ୍ରାମ ଛାଡି ପଳେଇଯିବେ। ଏହାପରେ ସମସ୍ତ ବ୍ରାହ୍ମାଣ ରାତାରାତି ସେ ଗାଁ ଛାଡି ପଳେଇଗଲେ। ଯିବା ସମୟରେ ସେମାନେ ଅଭିଶାପ ଦେଇଗଲେ, ଯିଏବି ଏହି ଗାଁରେ ରହିବାକୁ ଚେଷ୍ଟା କରିବ ସେ ପୂରା ବର୍ବାଦ ହୋଇଯିବ।

ସେହିଭଳି ଆଉ ଏକ କଥାକୁ ଯଦି ବିଶ୍ୱାସ କରାଯାଏ ତେବେ ଗ୍ରାମବାସୀ ସାଲେମ୍ ସିଂହଙ୍କ ଦ୍ୱାରା ଅତ୍ୟଧିକ ମାତ୍ରାରେ କର ଦେବାକୁ ବାଧ୍ୟ ହେଉଥିବାରୁ ହଇରାଣ ହୋଇ ଗାଁ ଛାଡିବାକୁ ବାଧ୍ୟ ହୋଇଥିଲେ। ଏହି ରହସ୍ୟ ପଛରେ ଯେଉଁ ତୃତୀୟ କାରଣଟି ରହିଛି ତାହା ବୈଜ୍ଞାନିକ ସମ୍ମତ। କୁହାଯାଏ ଯେ ଗାଁର ଜଳସ୍ତର ନିମ୍ନକୁ ଖସିବା କାରଣରୁ ପଲିୱାଲ ବ୍ରାହ୍ମଣମାନେ ଏହି ଗାଁକୁ ଛାଡିଥିଲେ। କିନ୍ତୁ ଆଜି ବି ଅନେକ ଲୋକ କୁହନ୍ତି ଯେ ବ୍ରାହ୍ମଣଙ୍କ ଅଭିଶାପ ଯୋଗୁଁ ଆଜିବି ଏହି ଗାଁରେ ପୈଶାଚିକ ଘଟଣା ଘଟୁଥିବା ଦେଖାଯାଏ।

Leave A Reply

Your email address will not be published.