Latest Odisha News

BREAKING NEWS

ମଶାଣିରେ ଜଳୁଥିଲା ଯବାନଙ୍କ ଜୁଇ; ଏପଟେ ଗାଁ ମାଟି ଭିଜୁଥିଲା ଲୁହରେ..କୋହରେ…

ସାକ୍ଷୀଗୋପାଳ: ଗାଁ ମଶାଣିରେ ଜଳୁଥିଲା ଜୁଇ । ଏପଟେ ଭିଜୁଥିଲା ଗାଁ ମାଟି.. ଲୁହରେ..କୋହରେ… । ଏ ମାଟି ମା’ର କୋଳ ଶୂନ୍ୟ କରି ଚାଲିଗଲା ତାର ସୁଯୋଗ୍ୟ ସନ୍ତାନ । ଏମିତି ଯୋଦ୍ଧା ପୁଅ ପାଇଁ ମା’ ଗର୍ବିତ ନିଶ୍ଚୟ । ହେଲେ ଶୂନ୍ୟ କୋଳକୁ ଚାହିଁଦେଲେ ଛାତି ଫାଟି ଯାଉଛି । ଆଖିରୁ ଲୁହ ନୁହେଁ ଯେମିତି ଲହୁ ନିଗିଡି ଆସୁଛି ।

ଜନ୍ମମାଟିରେ ଜନସମୁଦ୍ର । ଗାଁ ମାଟି କମ୍ପୁଛି.. ସହିଦ ଦେବାଶିଷ ଅମର ରହେ ଧ୍ୱନିରେ । ସେ ଶବ୍ଦ ଭିତରେ ହଜି ଯାଉଛି ପତ୍ନୀର ଛାତି ଫଟା କାନ୍ଦ । ୭ ମାସର କୁନି ଝିଅ  ଜାଣେନି…ବାପା ଡାକର ତାର ସବୁଦିନ ପାଇଁ ହଜିଗଲା ବୋଲି । ସମସ୍ତଙ୍କ କାନ୍ଦ ଦେଖି ସେ ଖାଲି  କାନ୍ଦୁଛି ।  ବାପା-ମା, ଜେଜେ ବାପା, ଜେଜେ ମା’ ସମସ୍ତେ  ସ୍ତବ୍ଧ । ଯାହାର କାନ୍ଧରେ ଦିନେ ସେ ଶେଷ ଯାତ୍ରା କରିଥାନ୍ତେ ଆଜି ତାର ଶେଷ ଯାତ୍ରା ଏ ଆଖି ଦେଖୁଛି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସହିଦ ଯବାନ ଦେବାଶିଷ ବିଶ୍ୱାଳଙ୍କ ଗାଁ ସାକ୍ଷୀଗୋପାଳ ନିକଟ ଖଣ୍ଡାୟତ ସାହି ଗାଁରେ ।

ଏ କାନ୍ଦ, ଏ ଲୁହ..କୋହ କିଛି କରିପାରଲାନି । ଏ ନିଷ୍ଠୁର ସତ୍ୟକୁ ଅଟକାଇ ପାରିଲାନି । ଗାଁ ମଶାଣି ଜୁଇରେ ଜଳିଗଲେ ବୀର ସହିଦ ।  ପଞ୍ଚଭୂତରେ ବିଲୀନ ହୋଇ ଯାଇଥିଲେ ବୀର ଦେବାଶୀଷ । ଦେବାଶୀଷଙ୍କ ସହ ସେ ଜୁଇରେ  ଜଳୁଗଲା ଗୋଟିଏ ମା’ର ମମତା..ସ୍ତ୍ରୀର ସ୍ୱପ୍ନ.. ।

ପୁଞ୍ଚରେ ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିଲେ ବୀର ଓଡ଼ିଆ ଯବାନ ଦେବାଶୀଷ ବିଶ୍ୱାଳ । ଆଜି ତାଙ୍କର ମରଶରୀର ସାକ୍ଷୀଗୋପାଳ ସ୍ଥିତ ଖଣ୍ଡାସାହି ଗାଁରେ ପହଞ୍ଚିଥିଲା । ଆଜି ତାଙ୍କର ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ  ରାଜ୍ୟପାଳ ଗଣେଷୀ ଲାଲ ଶେଷ ଦର୍ଶନ କରିଥିଲେ ।

ସେଠାରୁ ଜନ୍ମମାଟି ଅଭିମୁଖେ ଆସିଥିଲା ସହିଦ ପୁଅର ମରଶରୀର । ସହିଦଙ୍କ ଶେଷଥର ପାଇଁ ଟିକିଏ ଦେଖିବା ଲାଗି ରୁଣ୍ଡ ହୋଇଥିଲେ ଶହଶହ ଲୋକ । ସହିଦ ଦେବାଶୀଷ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ପରିବେଶ । ଗାଁ ମଶାଣିରେ ସଜ ହେଉଥିଲା ଶେଷଶଯ୍ୟ ।  ଶେଷରେ ସେନାବାହିନୀର ତୋପ ସଲାମୀ ପରେ ଗାଁ ମଶାଣିରେ ଜଳିଥିଲା ବୀର ଓଡ଼ିଆ ପୁଅର ଜୁଇ ।

Leave A Reply

Your email address will not be published.