Latest Odisha News

BREAKING NEWS

ଜୀବନ ବୀମା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ନିରଞ୍ଜନ ରାଉରତାୟ ସେଦିନ ବଜାରରୁ ଫେରିଲା ବେଳେ ବାଟରେ ପଡୁଥିବା ଉଠାଣି ପାଖରେ ଆଉ ଉଠିପାରିଲାନି। ତା ସାଇକଲର ପେଡାଲଟା ତାକୁ କୁଇଣ୍ଟାଲେ ଓଜନରୁ ଅଧିକ ଲାଗୁଥିଲା। ଯେତେ ଚେଷ୍ଟା କଲେ ବି ସେ ଆଉ ପେଡାଲ ମାରିପାରୁନଥିଲା। ସେପଟେ ସାମ୍ନାପଟୁ ବହୁଥିବା ଦକ୍ଷିଣା ପବନର ବେଗ ଏତେ ଜୋର ଥିଲା ଯେ, ତା ସାହସ ଆହୁରି କମି ଯାଉଥିଲା। ତା ଛଡ଼ା ଅନ୍ଧାର ରାତିରେ ଆଗକୁ ବଢ଼ିଲା ବେଳେ ଦୁଇ ପଟେ ଧାଡ଼ି ଧାଡ଼ି ଝଙ୍କାଳିଆ ବରଗଛ। ସେ ବରଗଛର ଗହଳଟା ଅନ୍ଧାରକୁ ଆହୁରି ବହଳ କରିଦେଉଥିଲା। ବାଧ୍ୟ ହୋଇ ସାଇକଲରୁ ଓହ୍ଲାଇ ପଡ଼ିଲା ନିରଞ୍ଜନ। ଅନ୍ଧାର ବୋଲି ତାକୁ ଡର ବି ଲାଗୁଥିଲା। ଦେଖିଲା ଦୂରରେ କେହି ଜଣେ ସାଇକଲ ଗଡ଼ାଇ ଗଡ଼ାଇ ଟର୍ଚ୍ଚ ଲାଇଟରେ ଆଲୁଅ ପକାଇ ଧୀରେ ଧୀରେ ଚାଲୁଛନ୍ତି। ସେ ପଛରୁ ଡାକ ପକାଇଲା। ଆଗରେ କିଏ ଯାଉଛରେ ପିଲେ? ଟିକିଏ ରହିଯାଆ। ମିଶିକି ଯିବା। ପଛରୁ ଡାକ ଶୁଣି ଆଗରେ ଚାଲିଥିବା ଗୋପାଳ ସାର୍ ଅଟକି ଗଲେ। ପଛକୁ ଫେରି ଚାହିଁଲେ। ଟର୍ଚ୍ଚର ଆଲୁଅ ପକାଇଲେ ପଛକୁ। ଦେଖିଲେ, ତାଙ୍କରି ପୁରୁଣା ଛାତ୍ର ନିରଞ୍ଜନ ଆସୁଛି। କହିଲେ, କିରେ ନିରଞ୍ଜନ କିରେ? କଣ ହେଲା ତୋର? ଭେଣ୍ଡିଆ ପିଲାଟା କଣ ଉଠାଣି ଉଠି ପାରୁନୁ? ଗୋପାଳ ସାର୍ ଅଟକି ରହି ନିରଞ୍ଜନକୁ ଅପେକ୍ଷା କଲେ।

ପାଖକୁ ଆସିବା ପରେ ନିରଞ୍ଜନ ଜାଣି ପାରିଲା, ତା ସାମ୍ନାରେ ଗୋପାଳ ସାର୍। ସେ ନମସ୍କାର ହେଲା। କହିଲା, ନାଇଁ ସାର୍.. ପଳେଇ ଯାଇଥାନ୍ତି ଯେ, ଆଜି ଟିକେ ବେଶୀ ହାଲିଆ ଲାଗୁଛି। ସେଥିପାଇଁ ଆଉ ସାଇକଲ ଚଳାଇ ପାରିଲିନି। ଗୋପାଳ ସାର୍ ଓ ନିରଞ୍ଜନ ସମାନ୍ତରାଳ ଭାବେ ସାଇକଲ ଗଡ଼ାଇ ଚାଲି ଚାଲି ଉଠାଣି ଉଠୁଥାନ୍ତି। ଏତିକି ବେଳେ ଦକ୍ଷିଣା ପବନରୁ ଦଲକାଏ ପବନ ନିରଞ୍ଜନକୁ ଅତିକ୍ରମ କରି ଗୋପାଳ ସାରଙ୍କୁ ବାଜିଲା। ଭଣ ଭଣ ଗନ୍ଧ। ନିରଞ୍ଜନ ପେଟେ ଦେଶୀ ମଦ ପିଇଛି। ମଦନିଶାରେ ଥିଲେ ବି, ଆଦୌ ସେ ତାର ସଣ୍ଠଣା ଭୁଲିନି। ସାର୍ କହିଲେ, ନିରଞ୍ଜନ .. ତୁ ମଦ ପିଇଛୁ? ସେ କିଛି ଉତ୍ତର ଦେଲାନି। ତା ପରେ ପୁଣି ପଚାରିଲେ ସାର୍, ଆରେ ତତେ ପଚାରୁଛି ପରା, ତୁ କଣ ମଦ ପିଇଛୁ? ତୁ ତ ଭଲ ପିଲାଟାଏରେ। ତୋର ଏ ଦୁର୍ବୁଦ୍ଧି କୁଆଡୁ ଆସିଲା? କାହାଠୁ ଶିଖିଲୁ ତୁ ମଦ ପିଇବା? ନିରଞ୍ଜନ ଭୋ ଭୋ ହୋଇ କାନ୍ଦି ଉଠିଲା। କହିଲା ସାର୍, ମୁଁ ମୋ ଦୁଃଖ ଭୁଲିବା ପାଇଁ ମଦ ପିଉଛି। ମୋ ପାଖରେ ଆଉ କୌଣସି ବିକଳ୍ପ ରାସ୍ତା ନାହିଁ। ଆଦୌ ବିରକ୍ତ ନ ହୋଇ ଗୋପାଳ ସାର୍ କହିଲେ, ତୋର ଏମିତି କଣ ହେଲା ଯେ, ତୋ ପାଖରେ ମଦ ପିଇବା ବ୍ୟତୀତ ଆଉ କୌଣସି ବିକଳ୍ପ ନାହିଁ। କହିଲୁ ଦେଖି? ନିରଞ୍ଜନ ଆରମ୍ଭ କଲା ତା କାହାଣୀ। ସେତେବେଳକୁ ଉଠାଣି ସରିଯାଇଥାଏ। ଏବେ ସେମାନେ ଚାହିଁଲେ ସାଇକଲ ଚଢ଼ି ସହଜରେ ପେଡାଲ ମାରି ଆଗକୁ ବଢ଼ିପାରନ୍ତେ। କିନ୍ତୁ ନା .. କଥାବାର୍ତ୍ତାରେ ଏତେ ବ୍ୟସ୍ତ ହୋଇଗଲେ ଯେ, ଆଉ ସାଇକଲ ଚଢ଼ିବା କଥା ସେମାନଙ୍କ ମନରେ ହିଁ ନଥିଲା। ନିରଞ୍ଜନ କହିଲା ସାର୍, ଆପଣ ଦେଖିଛନ୍ତି, ମୋ ବାପା ମାଆ କେତେ ପରିଶ୍ରମ କରି, ଅନ୍ୟମାନଙ୍କ ଜମିବାଡ଼ିରେ କାମ କରି ମୋତେ ପାଠ ପଢ଼ାଇ ମଣିଷ କରିଛନ୍ତି। ସେମାନେ ବୁଢ଼ାବୁଢ଼ୀ ହେବାକୁ ବସିଲେଣି। ତଥାପି ଏବେ ବି ଜମିରେ କାମ କରୁଛନ୍ତି। ମୁଁ ସେମାନଙ୍କୁ କୌଣସି ପ୍ରକାର ସାହାଯ୍ୟ ସହଯୋଗ କରିବା ତ ଦୂରର କଥା, ଓଲଟା ସେମାନଙ୍କ ଉପରେ ବୋଝ ହୋଇ ରହିଛି। ତା ପରେ ପୁଣି କାନ୍ଦି ଉଠିଲା ନିରଞ୍ଜନ। ଗୋପାଳ ସାର୍ କହିଲେ, ତୁ ଧୈର୍ଯ୍ୟ ଧର। କନ୍ଦାକଟା ନକରି ମୋତେ ସିଧାସଳଖ କହ, କଣ ହୋଇଛି ତୋର?

ନିରଞ୍ଜନ କହିଲା, ମୋ ସ୍ତ୍ରୀ ମୋଠାରୁ ପାଞ୍ଚ ବର୍ଷ ବଡ଼। କେବଳ ସେଥିପାଇଁ ମୋ ବାହାଘର ବେଳେ ମୁଁ ମୋ ସାଙ୍ଗସାଥୀ, ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ କରିନଥିଲି। କେବଳ ଯୌତୁକ ଲୋଭରେ ମୋ ମାଆ ମୋତେ ସେ ଝିଅ ସାଙ୍ଗେ ବାହାଘର କରାଇ ଦେଇଥିଲା। ବର୍ଷ ବର୍ଷ ଧରି ତାର ବାହାଘର ହୋଇପାରୁନଥିଲା ବୋଲି, ତାର ପାଞ୍ଚ ପାଞ୍ଚଟା ଭାଇ ସବୁ ପ୍ରକାର ଫନ୍ଦି ଫିକର କରିଥିଲେ। ଶେଷରେ ମୋ ମାଆକୁ ବୁଝା ସୁଝା କରି ସେ ଝିଅ ସାଙ୍ଗରେ ମୋ ବାହାଘର କରାଇଦେଲେ। ପିଲାଦିନରୁ ମୁଁ ତାକୁ ଦେଖିଛି। ସେ ମୋଠୁ ବଡ଼। ଆପଣ କହିଲେ ଦେଖି, ତାକୁ ସ୍ତ୍ରୀ ଭାବରେ ଗ୍ରହଣ କରିବା ମୋ ପାଇଁ କେତେ କଷ୍ଟ ହୋଇଥିବ। ତଥାପି ମୁଁ ସେ କଥାକୁ ବି ଗ୍ରହଣ କଲି। ହେଲେ ଯୌତୁକ ନେଇ ଆସିଥିଲା ବୋଲି, ସେ ଯେମିତି ଚାହିଁଲା ମୋତେ ସେମିତି ନଚେଇଲା। ଦିନେ ବି ଘରେ କେବେ ରାନ୍ଧୁନି ସେ। ମୋ ମାଆକୁ ଘରର ଚାକରାଣୀ ଭଳି କାମ କରାଉଛି। ମୋ ମାଆ ସବୁ କାମ କରିବା ସତ୍ତ୍ୱେ ତାକୁ ଦି ମୁଠା ଠିକ୍ ଭାବେ ଖାଇବାକୁ ଦେଉନାହିଁ। ମୁଁ ଯଦି କେବେ କିଛି କହିଦିଏ, ତାହେଲେ ମୋତେ ଘର ଭିତରେ ବିଧା ଗୋଇଠା ବର୍ଷି ଦେଉଛି। ସ୍ତ୍ରୀ ହାତରୁ ମାଡ଼ ଖାଇଲି ବୋଲି କାହା ଆଗରେ କହିବି ସାର୍? କେମିତି କହିବି, ମୋ ଦୁଃଖ କାହା ଆଗରେ? ଗୋପାଳ ସାର୍ ବଡ଼ ଅମାୟିକ ବ୍ୟକ୍ତିତ୍ୱ। କହିଲେ, ବାବୁରେ.. ଧୈର୍ଯ୍ୟ ଧର। ସବୁ ଠିକ୍ ହୋଇଯିବ। ସମୟ ବଡ଼ ବଳବାନ୍। ତା ଉପରେ ଭରସା ରଖ।

ଏତିକି ବେଳେ ଆହୁରି ଜୋରର ଫାଟି ପଡ଼ିଲା ଭଳି କାନ୍ଦିବାରେ ଲାଗିଲା ନିରଞ୍ଜନ। କହିଲା, ସାର୍ .. ଏ ସବୁ କଥା ଠିକ୍ ଅଛି। ଏତେ ସବୁ ନିର୍ଯାତନା ସହିଲେ ବି ମୁଁ କୌଣସି ପ୍ରତିକ୍ରିୟା ଜଣାଇ ନାହିଁ। ଓଲଟା ନିଜ ଭାଗ୍ୟକୁ ଦୋଷ ଦେଇ ମୁଁ ନିରବ ରହିଛି। କିନ୍ତୁ ଏବେ କିଛି ଦିନ ହେଲା ମୋତେ ଯେଉଁ ମାନସିକ ଯନ୍ତ୍ରଣା ମିଳୁଛି, ତାକୁ ଆଉ ମୁଁ ସମ୍ଭାଳି ପାରୁନି। ସେଥିପାଇଁ ହିଁ ମୁଁ ବାଧ୍ୟ ହୋଇ ମଦ ପିଉଛି। ଗୋପାଳ ସାର୍ କହିଲ, ଏମିତି କଣ ହୋଇଗଲାରେ? ଏଇତକ କଥାରେ ସତେ ଯେମିତି ନିରଞ୍ଜନର ମନ ଭିତରେ କୂଳ ଲଙ୍ଘୁଥିବା ଦୁଃଖର ଜୁଆର ହୃଦୟ ଫଟାଇ ବାହାରକୁ ଆସିଗଲା। ସେ କହିଲା, ସାର୍ .. ମୋ ସ୍ତ୍ରୀ କହୁଛି, ତୋ ମାଆ ଓ ବାପା ନାଁରେ ମୁଁ ଜୀବନବୀମା କରିଛି। ତେଣୁ ତୋତେ ଯେମିତି ହେଲେ, ସେ ଦୁହିଁଙ୍କୁ ରାସ୍ତାରୁ ହଟାଇବାକୁ ପଡ଼ିବ। ସେମାନେ ମଲେ ହିଁ ମୋତେ ବୀମା ଟଙ୍କା ମିଳିବ। ଏଇତକ କଥା କହିଦେଇ ଆହୁରି ଜୋରରେ କାନ୍ଦି ଉଠିଲା ନିରଞ୍ଜନ। କହିଲା, ଆପଣ କୁହନ୍ତୁ ସାର୍ .. ମୁଁ ଜୀବନବୀମା ପାଇଁ ମୋ ବାପା ମାଆଙ୍କୁ କେମିତି ମାରିପାରିବି? ଏଇଆ ଶୁଣିବା ପରେ ହଠାତ୍ ଅଟକି ଯାଇଥିଲେ ଗୋପାଳ ସାର୍। ତାଙ୍କୁ ଲାଗୁଥିଲା ସତେ ଯେମିତି ତାଙ୍କ ଗୋଡଦୁଇଟି ମହାଦ୍ରୁମ ଭଳି ମାଟିଭିତରେ ପୋତି ହୋଇ ଯାଉଛି। ସେ ଆଉ ଆଗକୁ ବଢ଼ିବା ଅବସ୍ଥାରେ ନାହାନ୍ତି। ସେ ଧୀରେ ଧୀରେ ପାଲଟି ଯାଉଛନ୍ତି ସ୍ଥାଣୁ।

ଗୋପାଳ ସାରଙ୍କୁ ଅଟିକ ଯିବା ଦେଖି ଠିଆ ହୋଇପଡ଼ିଲା ନିରଞ୍ଜନ। ଦେଖିଲା ସାର୍ ନିର୍ବାକ୍ ଅଛନ୍ତି। କିଛି ସମୟ ଦେଖିବା ପରେ, ନିରଞ୍ଜନ କହିଲା, ସାର୍ .. ସାର୍ .. ଆପଣ ଶୁଣୁଛନ୍ତି ନା ମୋ କଥା? ନିରଞ୍ଜନର ଡାକରେ ପ୍ରକୃତିସ୍ଥ ହେଲେ ଗୋପାଳ ସାର୍। କହିଲେ, ହଁରେ ମୁଁ ଠିକ୍ ଅଛି। ମୁଁ କେବଳ ତୋ କଥା ଭାବୁଛି। ତୋ ଉପରେ କିଭଳି ମାନସିକ ଚାପ ରହିଛି, ତାହା ମୁଁ ଅନୁମାନ କରିପାରୁଛି। ଏମିତି ହିଁ କଥା ହୋଇ ଚାଲୁ ଚାଲୁ କେତେବେଳେ ଗୋପାଳ ସାରଙ୍କ ଗାଁ ଆସିଯାଇଥିଲା ଜଣାପଡ଼ିଲାନି। ସାର୍, ମୁଖ୍ୟ ରାସ୍ତାରୁ ବୁଲି ନିଜ ଗାଁ ଭିତରକୁ ସାଇକଲ ମୋଡ଼ିଲେ। ତେଣେ ଗୋପାଳ ସାରଙ୍କ ଗାଁ ଅତିକ୍ରମ କରି ଆଗକୁ ଆହୁରି ଦୁଇ କିଲୋମିଟର ଗଲେ ନିରଞ୍ଜନର ଗାଁ। ସେ ଆଗକୁ ଚାଲିଲା। ଅବଶ୍ୟ ସାଇକଲ ଚଢ଼ି ପେଡାଲ ମାରି।

ସେଦିନ ରାତିରେ ଏକ ଭାରାକ୍ରାନ୍ତ ମନ ନେଇ ଘରକୁ ଫେରିଲେ ଗୋପାଳ ସାର୍। ରାତିରେ ଖାଇବା ପାଇଁ ବସିଲା ବେଳେ ବି, ଅନ୍ୟ ମନସ୍କ ଥାଆନ୍ତି ସେ। ତାଙ୍କ କାନରେ ବାରମ୍ବାର ଗୋଟିଏ କଥା ପ୍ରତିଧ୍ୱନିତ ହେଉଥାଏ, ସାର୍ .. ମୋ ସ୍ତ୍ରୀ କହୁଛି, ତୋ ମାଆ ଓ ବାପା ନାଁରେ ମୁଁ ଜୀବନବୀମା କରିଛି। … ସେମାନେ ମଲେ ହିଁ ମୋତେ ବୀମା ଟଙ୍କା ମିଳିବ। .. ଏଇ କଥା ମନେ ପଡ଼ିଗଲା କ୍ଷଣି ବଡ଼ ବିବ୍ରତ ହୋଇପଡୁଥିଲେ ଗୋପାଳ ସାର୍। ନିରଞ୍ଜନ କଥା ଭାବି ସେ ଆହୁରି ଭାଙ୍ଗିପଡୁଥିଲେ। ନିରଞ୍ଜନ ଯେତେବେଳେ ପ୍ରଥମ ଶ୍ରେଣୀରେ ସ୍କୁଲରେ ନାଁ ଲେଖାଇଥିଲା, ସେତେବେଳେ ଗୋପାଳ ସାର୍ ଥିଲେ ତାର ପ୍ରଧାନ ଶିକ୍ଷକ। ସରସ୍ୱତୀ ପୂଜାରେ ସେ ହିଁ ତାର ବିଦ୍ୟାରମ୍ଭ କରାଇଥିଲେ। ନିରଞ୍ଜନ ତାଙ୍କରି ଆଖି ଆଗରେ ବଢ଼ିଛି। ଭଲ ଶାନ୍ତ ଶିଷ୍ଟ ଓ ସୌମ୍ୟ ପିଲାଟିଏ। ଅତି ଗୁଣର। ଆଜି ତାକୁ ମଦ ପିଇବା ଅବସ୍ଥାରେ ଦେଖିଲା ପରେ ଗୋପାଳ ସାର୍ ନିଜକୁ ନିଜେ ବିଶ୍ୱାସ କରିପାରୁନାହାନ୍ତି। ଏମିତି ଅନେକ କଥା ଭାବୁ ଭାବୁ କେତେବେଳେ ଶୋଇପଡ଼ିଛନ୍ତି ସେ ଜାଣିନାହାନ୍ତି।
ପରଦିନ ସକାଳୁ ଉଠିଲା ବେଳକୁ ଗାଁରେ ହଇଚଇ। ପାଖ ଗାଁର କେହି ଗୋଟେ ଲୋକ ଖବର ଧରି ଆସିଛି। ବିଲମାଳର ବାମ୍ଫି ଭିତରେ ବୁଡ଼ି ଦୁଇଜଣ ବୁଢ଼ା ବୁଢ଼ୀ ପ୍ରାଣ ହରାଇଛନ୍ତି। ବୁଝୁ ବୁଝୁ ଜଣା ପଡ଼ିଲା, ସେ ଉଭୟ ମୃତ ଦମ୍ପତି ନିରଞ୍ଜନର ବାପା ମାଆ। ଏଇ ଖବରଟା ଶୁଣିବା କ୍ଷଣି ଠିଆ ହୋଇଥିବା ସ୍ଥାନରେ ଲଥ୍ କରି ବସି ପଡ଼ିଲେ ଗୋପାଳ ସାର୍। ଏକ ଶୂନ୍ୟଦୃଷ୍ଟିରେ ଆକାଶ ଆଡ଼କୁ ଅନାଇ ସେ କହୁଥିଲେ, ସବୁ ଜୀବନ ବୀମାର ଖେଳ। ଅସମୟରେ ଦୁଇ ଜଣ ନିରୀହ ମଣିଷଙ୍କ ଜୀବନ ନେଇଗଲା ଜୀବନ ବୀମା। ଏତିକି ବେଳେ ଗୋପାଳ ସାରଙ୍କ ଦୁଇ ଆଖି କୋଣରୁ ଝରି ଆସୁଥିଲା ଲୁହର ଦୁଇଟି ଧାର।

 

ମିଡିଆ ଷ୍ଟଡିଜ୍
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪

 

Leave A Reply

Your email address will not be published.