Latest Odisha News

BREAKING NEWS

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ଈଶ୍ୱର ମରିଗଲା ପରେ (୪)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’

ଈଶ୍ୱର କାନ କୁଣ୍ଡାଇ ଟିକେ ଲାଜ ଲାଜ ହୋଇ କହିଥିଲା
– ନାଇ, କେଉଠୁ ଶିଖିନି!! କିନ୍ତୁ ଭଲ ଲାଗେ ଗାଏ…
– ବାଃ!! ନଶିଖି ଏତେ ଚମତ୍କାର ଗାଇ ପାର… ଭଲ କଥା । କେହି ତୁମ ପରିବାର ଗୀତ ଗାଆନ୍ତି ନାହିଁ ସତରେ??
– ନା’…
– ଏହା ତୁମକୁ ମା’ ସରସ୍ୱତୀ ଦେଇଛନ୍ତି… ଖୁବ୍ ଭଲଗାଉଛ… ରହୁଚ କେଉଁଠି??
– ରାଉସାପଟଣ ବସ୍ତିରେ…
– ଆଚ୍ଛା!! ମୁଁ ତୁମର ଗୋଟେ ସ୍କେଚ୍ ନେବି…??
– ସେଇଟା କ’ଣ?? ଆଶ୍ଚର୍ଯ୍ୟ ହୋଇ ପଚାରିଥିଲା ଓଲଟି ରିକ୍ସା ସିଟ୍‌ରୁ ଝିଅଟି ଆଡ଼େ ।
– ମୁଁ ଜଣେ ଆର୍ଟିଷ୍ଟ, ରହେ ଦିଲ୍ଲୀରେ । ଏଇଠି ମୋ\’ର ଘର! ପୂଜା ବୁଲି ଆସିଛି । ମୁଁ ମୋ’ ତୂଳୀରେ ବାନ୍ଧିରଖିବାକୁ ଚାହେଁ ଅନେକ ସ୍ମୃତି… । ତୁମ କଥା ମୋତେ ଛୁଇଁଗଲା, ମୁଁ ତୁମକୁ ବାନ୍ଧିରଖିବାକୁ, ଚାହେଁ ମୋ’ ତୂଳୀରେ!! ବାସ!!

ସେଦିନ କାଠଯୋଡ଼ି ବନ୍ଧ ପାଖରେ ରିକ୍ସାସିଟ୍‌ରେ ପୋଜ୍ ଦେଇ ଈଶ୍ୱର ନିଜର ସ୍କେଚ୍ ଦେଇଥିଲା ଅଦିତି ମିଶ୍ରଙ୍କୁ । ଏ କଥା ଶହେରୁ ଅଧିକ ଲୋକଙ୍କୁ କହିଥିଲା ଆତ୍ମହରା ହୋଇ ।

ତାପରେ ଆଉ ଅଦିତି ମିଶ୍ର ଝିଅଟି ସହ କଦାପି ଭେଟ ହୋଇନାହିଁ ଈଶ୍ୱରର କିନ୍ତୁ ତାକୁ ଭୁଲି ନାହିଁ ଈଶ୍ୱର ।
ଦୁଇ ପ୍ଲାଟଫର୍ମରେ ପହଞ୍ôଚଲା ପୂର୍ବରୁ କେମିତି କେଜାଣି ଗୋଡ଼ଟା ତା’ର ମକଚି ହୋଇଯାଇଥିଲା । ଗୋଡ଼ ଘୋସାରି ଘୋସାରି ସେ ପ୍ଲାଟଫର୍ମରେ ପହଞ୍ଚିଲା । ସାଇକେଲ୍‌ରୁ ବାଲାନ୍ସ ହରାଇ ଖସିପଡ଼ିଥିଲା ସେ ଚିପ୍‌ସ ଗଦା ଉପରେ । ଗୋଡ଼କୁ ଦି’ଚାରିଥର ଆଉଁସିଥିଲା ଯନ୍ତ୍ରଣାରେ କାତର ହୋଇ ।

ସିମେଣ୍ଟ ବେଞ୍ଚ ଉପରକୁ ପାଦଟି ଉଠାଇ ନେଇ ଲମ୍ବାଇ ଦେଇଥିଲା, ଯେହେତୁ ସେଇଟି ପ୍ଲାଟଫର୍ମର ଶେଷ ବେଞ୍ଚ ଥିଲା ଏବଂ ଫାଙ୍କା ମଧ୍ୟ । ସେ ତା’ର ଚିରାଚରିତ ବସିବା ଢଙ୍ଗରେ ହାତକୁ ଲମ୍ବାଇ ଦେଇଥିଲା ବେଞ୍ଚର ଉପରଭାଗକୁ । ସେଠିଥିଲା ବିରାଟ ବରଗଛ ଯାହାର ବିସ୍ତାର ଥିଲା ଖୁବ୍ ଅଧିକ । ସେଠି ଆଶ୍ରୟ ନେଇଥିଲେ ଅନେକ ଧଳାବଗ ଫଳତଃ ବେଞ୍ଚଟି ବଗଙ୍କର ମଳରେ ପରିପୂର୍ଣ୍ଣ ଥିଲା ।

ସିମେଣ୍ଟ ବେଞ୍ଚରୁ ଖସି ପଡ଼ିଥିଲା ସିମେଣ୍ଟ ପଲସ୍ତରା । ତା’ ଉପରେ ଦିଆଯାଇଥିବା ନାଲି ରଂଗ କ୍ରମଶଃ ଛାଡ଼ି ଛାଡ଼ି ଆସୁଥିଲା ଠିକ୍ କୌଣସି କୁତିର ଦେହରୁ ରୁମ ଛାଡ଼ିବା ପରି । ଦୟନୀୟ ଦିଶୁଥିଲା ବେଞ୍ଚ ଖଣ୍ଡକ । ଅନେଇଲା ପ୍ଲାଟଫର୍ମ ଆଡ଼କୁ । ପ୍ଲାଟଫର୍ମରେ ଥିଲା କୋଳାହଳ, ବ୍ୟସ୍ତତା ଓ ଅପେକ୍ଷା ସହ ପୁଳାଏ ଅସହାୟ ଦୃଷ୍ଟି ।

ବେଞ୍ଚ ଗୁଡ଼ାକ ଆପାତତଃ ପରିପୂର୍ଣ୍ଣ ଥିଲା । କେହି କେହି ଗଦାଏ ଜିନିଷପତ୍ର ଲଦି ବସିଥିଲେ ଗୋଡ଼ଟେକି, ଗାଲରେ ହାତଦେଇ । ଦୁଇଟା ଛୋଟଛୁଆ ଚକଲେଟ୍ ଓ ଆଳୁଚିପ୍‌ସ୍ ପାଇଁ କଳି ହେଉଥିଲେ । ପ୍ଲାଟଫର୍ମରେ ଧାଁ ଧପଡ଼ କରୁଥିଲେ ତା’ ମା’ ରାଗରେ ଗରଗର ହୋଇ ହଁ… ହାଁ କରୁଥିଲା ମାତ୍ର ପିଲାଗୁଡ଼ାକ ବିଲକୁଲ୍ ତା’ ମା’ କଥାକୁ ଭ୍ରୁକ୍ଷେପ କରୁ ନଥିଲେ ।

ଆଉ କିଛି ହାତ ଦୂରରେ ଥିବା ବେଞ୍ଚରେ ଦୁଇଜଣ ତରୁଣତରୁଣୀ ତାଙ୍କର ସ୍ୱପ୍ନପ୍ରବଣ ଭାବନାକୁ ଆଦାନପ୍ରଦାନରେ କରିବାରେ ବ୍ୟସ୍ତ ଥିଲେ ।
ଦୁଇଜଣଙ୍କର ହାତଥିଲା ଛନ୍ଦାଛନ୍ଦି ହୋଇ । ଝିଅଟି ମଝିରେ ମଝିରେ ନିଜର ମୁକୁଳା ବାଳକୁ ଉଠାଇ ନେଉଥାଏ କାନପାଖକୁ । ପୁଣି ଖସି ଯାଉଥାଏ ତା’ର ଷ୍ଟେଟ୍ ସିଲ୍‌କି ଚୁଟି କେରାକ । ନଖରେ ଥିଲା ତା’ର ନୀଳରଂଗର ନଖପାଲିସ୍ । ପାଖ ବେଞ୍ଚରେ ବସିଥିବା ବୃଦ୍ଧି ବ୍ୟକ୍ତିଜଣକ, ନିଜର ବିଡ଼ି ଟାଣୁଟାଣୁ ଅତି ତୀକ୍ଷ୍ମ ଦୃଷ୍ଟିରେ ଅନେଇ ରହିଥିଲେ ତରୁଣତରୁଣୀଙ୍କୁ ।

ବାରମଜା… ବାରମଜା… ଝାଲମୁଢ଼ି… ଦେବି ବାବୁ?? ଗରମାଗରମ ମୁଢ଼ି ଥରେ ଖାଇବ… ବିଖ୍ୟାତ ଝାଲ୍‌… ପାଟିରେ ଲାଗିବ ଯାଇ ବାପାବୋଉଙ୍କୁ କହିବ… ବାରମଜା… ବାରମଜା… ଝାଲ୍‌ମୁଢ଼ି… ପ୍ଲାଟଫର୍ମରେ ଥିଲା କୋଳାହଳ… ବେକରେ ଲଟକି ପଡ଼ିଛି ତା\’ର ଝାଲମୁଢ଼ୀର ପାଛିଆ । ତା’ ଭିତରେଥିବା ଅନେକ ଛୋଟବଡ଼ ପ୍ଲାଷ୍ଟିକ୍ ବୋତଲ ଓ ମୁଢ଼ିଡ଼ବା । ଗୋଟେ ଫାଳକ, ସିଝା ମଟର, ଲଙ୍କା, ଧନିଆପତ୍ରର ବିଡ଼ା, କଟା ପିଆଜ ମିକ୍‌ଚର, ବାଦାମ… ଚୁନାଚୁନା କଟା କାକୁଡ଼ି ସହ ଅଛି ଗାଜର ଆଉ ବିଟ୍ ମଧ୍ୟ । ରଙ୍ଗଯୁକ୍ତ ବିଭିନ୍ନ ଚିଜ ଥାଇ ଗୋଟେ ଅପୂର୍ବ ବାସ୍ନା ପାଟିକୁ ଲାଳଯୁକ୍ତ କରିଦେଉଛି ଦେଖାଇବା ମାତ୍ରେ…!

ବେକରେ ଏଇ ଡବାର ସମ୍ଭାର ନେଇ ବୁଲୁଥିବା ଲୋକଟି ହେଉଛି ଛୋଟା । ଗୋଟେ ଗୋଡ଼ ତା\’ର ପୋଲିଓ ଗ୍ରସ୍ତ । ଏଇ ପ୍ଲାଟଫର୍ମ ତା\’ର ଘର । ଏଇଠି ରହେ ମାସ ମାସ… ଗାଁକୁ ପଇସା ପଠାଏ । କେବେ ଦେହଖରାପ ହେଲେ ଯାଏ ଗାଁ… । ସେ ଯୁଦ୍ଧକରେ ଭାଗ୍ୟ ଓ ଭଗବାନଙ୍କ ସହ ଅଭିଯୋଗର ଅନେକ ଫର୍ଦ୍ଦ ନେଇ ଏଇ ପ୍ଲାଟଫର୍ମରେ ।

ଈଶ୍ୱର ତା’ର ଯନ୍ତ୍ରଣାରେ କଟ୍ କଟ୍ କରୁଥିବା ଗୋଡ଼କୁ ଆଉଥରେ ଆଉଁସି ଦେଲା । ମଳିଚମ ସାମାନ୍ୟ ଉଠି ଯାଇଥିଲା ଗଣ୍ଠି ପାଖରୁ । ଯାହା
ରୁଗୁରୁଗୁ ଯନ୍ତ୍ରଣାହିଁ ଦେଉଥିଲା । ସେ ପ୍ୟାଣ୍ଟକୁ ଟେକି ଗୋଡ଼କୁ ଟିକେ ନିରିଖେଇ ଚାହିଁଲା । ସେଇବେଳେ ଛୋଟାର ଚିତ୍କାର ବଡ଼ କର୍କଷ ଶୁଭୁଥିଲା ତାକୁ ସତେକି ସେ ଆପ୍ୟାୟିତ କରୁନି ଖାଦ୍ୟ ବରଂ ଯୁଦ୍ଧ ଘୋଷଣାର ଡାକରା ଦେଉଛି ।

ବରାପିଆଜି ଦୋକାନରେ ପିଆଜି ଓ ବରାସହ ଆଳୁକଷାର ମହମହ ବାସ୍ନା ଓ ଖଡ଼ିକା ବାଡ଼େଇବାର ଶବ୍ଦ ସେ କୋଳାହଳ ଭିତରେ ଆପଣାର
ଅସ୍ତିତ୍ୱକୁ ଜାହିର୍ କରୁଥିଲା । ପାଚିଲା କଦଳୀର ଠେଲାଗାଡ଼ି ପାଖରେ ମକରନ୍ଦ ଓ ତା’ର ସ୍ତ୍ରୀ ଫୁଲ୍‌କୀ ବ୍ୟସ୍ତ କଦଳୀ ବିକ୍ରି କରିବାରେ । ଅପେକ୍ଷାକୃତ କମ୍‌ ଦାମରେ ଦେଉଥିବାରୁ ଶିଘ୍ର ବିକ୍ରି ସରିଯାଏ ଦୁହିଁଙ୍କର । ତାଙ୍କର ଦୁଇଟା ଛୁଆଙ୍କୁ ଘରେ ଛାଡ଼ିକି ଆସିଥିବା ଫୁଲ୍‌କୀ ବ୍ୟସ୍ତ ହୁଏ ଘରକୁ ଶିଘ୍ର ଫେରିଯିବାକୁ ମକରନ୍ଦକୁ ଭଲକରି ଶୁଭାଯାଏନି । ବାଧ୍ୟ ହୋଇ ଫୁଲ୍‌କୀ ସାଙ୍ଗରେ ଆସେ । ଗରଗର ହୁଏ ବେଳେବେଳେ ଭୁଲ୍ ଶୁଭାଯାଉଥିବା କଥାମାନଙ୍କର ପ୍ରତିଉତ୍ତର ଶୁଣି ।

ସେଇଠି ସେମାନଙ୍କର ଆଖଡ଼ା ବସେ । କାରଣ ଆପାତତଃ ଅଧିକ ପ୍ରଶସ୍ତ ଥାଏ ତାଙ୍କ ଠେଲା ପାଖ ଖୁମ୍ବ । ବସିବାରେ ଅସୁବିଧା ହୁଏ ନାହିଁ । ସେଠି ଲାଗିଥିଲା ପାନଦୋକାନ, ଯେଉଁଠି ଲମ୍ବା ରସିରେ ନିଆଁଲଗା ନେଇଥାଏ । ତା’ର ଲମ୍ବା ରସିରେ ନିଆଁ ସୁପ୍ତଭାବେ ଥାଏ ରଡ଼ହେଇ । ଲାଲ୍ ଦିଶୁଥାଏ ତା’ର ଅଗ୍ରଭାଗ । ଯେଉଁଠୁ ସଭିଏଁ ସିଗାରେଟ୍ ଓ ବିଡ଼ିର ନିଆଁ ଲଗାନ୍ତି । ରାଜନୀତି ଚର୍ଚ୍ଚା ଠାରୁ ପାରିବାରିକ ଚର୍ଚ୍ଚା ସବୁ ହୁଏ ।
ଈଶ୍ୱର ଯାଇ ବସିଲା ଫୁଲ୍‌କୀ ପାଖରେ । ଗୋଟେ କଦଳୀରୁ ଚୋପା ଛଡ଼ାଇ ଖାଇଲା । ଶିବୁ ବର୍ତ୍ତମାନ କ୍ୟାଭେଣ୍ଡର ସିଗାରେଟ୍‌କୁ ଟାଣୁଥିଲା
ରାଜାଠାଣିରେ । ମନେପଡ଼ିଯାଉଛି ଗାଁ… । ସେ ଓ ତା’ର ଅତୀତ । ଅତୀତ ଏମିତି ଗୋଟେ ଅଠା ଯାହା ଲାଗିଗଲେ ସହଜରେ ଛାଡ଼େ ନାହିଁ । ମନେପଡ଼ିଯାଉଛି ଗାଁ… ବୋଉ… ସତୀର୍ଥ । ତା’ର ବିରାଟ ଖେଳପଡ଼ିଆ । ଅନାବନା ଘାସବଗିଚା ସହ ତାଙ୍କର ବିରାଟ ଆମ୍ବତୋଟା ।
ନଈକୂଳ, ପ୍ରଥମ ପ୍ରେମ, ପ୍ରଥମ ଚିଠି… ପ୍ରଥମ ଆକର୍ଷଣ । ଜୀବନର ଅସରନ୍ତି ଗପର ପୁଟୁଳି । । । ସବୁ ମନେପଡ଼ିଯାଏ । ଗାଁର କଥା ତା\’ ବୋଉର କଥା । ତା’ର ପିଲାଦିନର କଥା । ଯାହା ଜୀବନର ସବୁଠାରୁ ଐଶ୍ଚର୍ଯ୍ୟପୂର୍ଣ୍ଣ ଏବଂ ସବୁଠାରୁ ପ୍ରିୟତମ ସ୍ମୃତି ବୋଲି କୁହାଯାଏ । ଯାହା କେବେ ମଧ୍ୟ ପୁଣି ଫେରେନାହିଁ ଚାହିଁମଧ୍ୟ । ବୋଧହୁଏ ସେଇ ପାଇଁ ସେଇ ନିଆରା ଅନୁଭବକୁ ମଣିଷ ନିଇତି ଝୁରେ । ମନେପଡ଼ିଯାଉଛି ସବୁକଥା – ତାଙ୍କ ଗାଁର ବିରାଟ ଖେଳପଡ଼ିଆ । ଅନାବନା ଘାସର ଲହଡ଼ି ଖେଳୁଥିବା ଅନାବାଦି ଗୋଚର ଆମ୍ବତୋଟା ଯେଉଁଠି ରଜରେ ଦୋଳି ଲାଗେ ବାଉଁଶର । ସେଇଠି ସବୁ ଝିଅମାନେ ଅଧିକ ଟିକେ ସଜ ହୋଇ ଫୁଲେଇ ହୋଇ ଆସନ୍ତି ଦେଖାଇ ହେବା ପ୍ରବଣତା ନେଇ ।

କ୍ରମଶଃ

Leave A Reply

Your email address will not be published.