Latest Odisha News

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ଈଶ୍ୱର ମରିଗଲା ପରେ (୭)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’

ଏସବୁ ଭିତରେ ଯେ ନିରବରେ ତାକୁ ସମର୍ଥନ କଲାପରି ପାଖରେ ଠିଆହୁଅନ୍ତି ସେ ତା\’ ବାପା । ଜୀବନତମାମ ଗୋଟେ ନିରୁତା ନୀରିହ ମଣିଷଟେ ହୋଇ ରହିଗଲେ । ଯେ ଆଜିଯାଏ ବୋଉ ଶବ୍ଦବାଣରେ ଶବ୍ଦଟିଏ ମଧ୍ୟ କହିପାରିଲେନାହିଁ । କେବେ ମଧ୍ୟ କୌଣସି କଥାରେ ଉଚ୍ଚସ୍ୱରରେ ଚିତ୍କାର କରି କହିବା କେହି ଦେଖିନାହିଁ ।  ଜେଜେମା ଥିବା ଯାଏ ବୋଉ ପ୍ରାୟ ଟିକେ ଦବିକରି କହୁଥିଲା । ଆଜିକାଲି ତାହା ମଧ୍ୟ ନାହିଁ । ବୋଉର ମନ କିନ୍ତୁ ଦିନେ ଖୁବ୍ କଅଁଳ ଥିଲା, ମିଷ୍ଟଭାଷି । ପିଲାଦିନେ ଫିଲିମ୍ ନେଇକି ଯାଉଥିଲା ବାପାଙ୍କ ସାଙ୍ଗରେ ସଜ ହୋଇ । ଦାଦାମାନଙ୍କୁ (ବାପାଙ୍କ ଭାଇ) ସେ ପାଳି ବଡ଼ କରିଥିଲା । ସେ ଯେବେ ବାହାହୋଇ ଆସିଥିଲା ବୋଉ ବଡ଼ଭାଉଜ । ବାକି ସବୁ କୁନିକୁନି । ସବା ସାନ ଦିଅର ତା’ଠାରୁ ଦଶବର୍ଷ ସାନ ଥିଲେ । ମାତ୍ର ଧିରେ ଧିରେ ସବୁ ଦାୟିତ୍ୱ ସରିଲା ବେଳକୁ ଆମେମାନେ ଜନ୍ମ ।

ଆମେମାନେ ବଡ଼ହେବା ବେଳକୁ ଦାଦାମାନଙ୍କର ଭାଗନେବା, ଅଭାବରୁ ସ୍ୱଭାବକୁ ଯାଇଥିବା ଦାଦାମାନଙ୍କର ଉଦାସିନ୍ୟ, ନପଚାରିବା କାରଣରୁ କ୍ରମଶଃ ବୋଉ ବିତୃଷ୍ଣା ହୋଇଗଲା, ସବୁଠାରୁ ବୋଧହୁଏ । ଆଜିକାଲି ସେ ଶକ୍ତ ଏତେ ଯେ ବୁଝିହୁଏ ନାହିଁକି ବୁଝାଇ ହୁଏ ନାହିଁ ।

ସେଦିନ ଈଶ୍ୱର ଉଠି ବାହାରକୁ ଗଲା ଅପରାଧି ଢଙ୍ଗରେ । ଗାଈ ପାକୁଳି କରୁଥିଲେ ଖୁଣ୍ଟରେ । ଦାଣ୍ଡ ଟିୱଲ ମାରି ସେ ମୁହଁ ଧୋଇଲା । ସିପ୍ରା ଆଜି ଭାଇର ହାତକୁ ଚା’ ଦେଉଦେଉ କହିଲା ନେହୁରା କଲା ପରି – “କାଲିଠାରୁ ଦାନ୍ତ ମୁଣ୍ଡ ସବୁ ବିନ୍ଧୁଛି କଟ୍‌କଟ୍ କରି, ଲବଙ୍ଗଜାକି ମଧ୍ୟ କିଛି ଭଲ ହେଉନି । ତୁ ଔଷଧ ଆଣିଦେନା”… ।

କାଲି ମଧ୍ୟ କହିଥିଲା ସେ ଘରୁ ବାହାରିବା ବେଳେ ଯାହା ବୋଉ ଶୁଣିଥିଲା । ବୋଉର ହଠାତ୍ କ’ଣ ହେଲା କେଜାଣି ଦଣ୍ଡେ ଅନେଇଲା ଈଶ୍ୱର ଆଡ଼କୁ ଆଉ ଦଣ୍ଡେ ଦୁଆରେ ଘାସ କାଟୁଥିବା ବାପାଙ୍କ ଆଡ଼କୁ । ଈଶ୍ୱରର ଲୁଗାପଟା ସବୁ ତା’ ବ୍ୟାଗ୍‌ରେ ପୁରାଇ ହଠାତ୍ ଆଣି ଫିଙ୍ଗିଦେଲା ଦାଣ୍ଡ ଅଗଣାରେ । କଟମଟ୍ କରି ଅନେଇଲା ଈଶ୍ୱର ଚକିତ ଭାବେ । କିନ୍ତୁ ବୋଉର ଆଖିରୁ ନିଆଁ ହିଁ ବାହାରୁଥିଲା ରାଗରେ । କହିଲା କୁପିତ କଣ୍ଠରେ – ଯା ବାହାରିଯା ଏ ଘରୁ… । କାମଦାମ କରି ଖାଇବୁ… ବସିଖାଇବାକୁ ଦେବାକୁ ଆମର ସାମର୍ଥ ନାହିଁ… । ନଇଲେ ଚାଷ କର ବାପାସାଙ୍ଗରେ ଆଜିଠାରୁ ଏଇ ମୁହୂର୍ତ୍ତରୁ… ।

କେଇ ମୁହୂର୍ତ୍ତ ପାଇଁ ବିବାକ୍ ମୂକ ପାଲଟି ଯାଇଥିବା ଈଶ୍ୱର ଅପମାନରେ ଜଳିଯାଇଥିଲା । କାହାର ମା’ ଜନ୍ମଦାତ୍ରୀ ହୋଇ ଏମିତି କହିପାରେ ନିଜପୁଅକୁ । ସେ ବ୍ୟାଗଟି ଧରି ବାହାରି ଆସିଥିଲା ଘରୁ । ପିନ୍ଧିଥିବା ବରମୁଣ୍ଡାଟିକୁ ଓହ୍ଲାଇ ଥୋଇ ଦେଲା ଅଗଣା ତାରରେ । ବ୍ୟାଗରେ ତା’ର ଲୁଗା ଆଉ ବହି ଦିଖଣ୍ଡ ଆଣି ବାହାରି ଆସିଥିଲା ଘରୁ ଅଖିଆ ଅପିଆ । ତା’ ପଛେ ପଛେ ବାପା ଆସିଥିଲେ, ଈଶ୍ୱର ରାଗିଥିଲା ସେଦିନ ବାପାଙ୍କ ଉପରେ ଢ଼େର । ବହୁ କଟୁକଥା କହିଥିଲା ବାପା ନାମି ମଣିଷଟିକୁ । ସୀପ୍ରା କାନ୍ଦୁଥିଲା ଗାଲରେ ହାତଚାପି, ଏମିତି ଅତର୍କିତ ଭାବେ ସେ ବାହାରି ଆସିଥିଲା ତା’ ଜନ୍ମମାଟିର ସେଇ ଘରଭିତରୁ । ବିନାଶବ୍ଦରେ, ବିନାବାକ୍ୟରେ ବାହାରିଆସିଲା ଘରୁ । ଲୁହ ସବୁ ନିଆଁପରି ଛାତିରେ ଜଳୁଥିଲା । ଏତେ ଅପମାନ, ମରିଯିବାକୁ ଇଚ୍ଛା ହେଉଥିଲା ସେଇ ମୁହୂର୍ତ୍ତରେ ।

ବାପାଙ୍କଆଖିରେ ଲୁହଥିଲା, ଅନେକ ଅସମର୍ଥ ଶବ୍ଦମାନ ତାଙ୍କ ଆଖିରେ ଥିଲା, ପୁଅ ପାଇଁ ଯାହା ଈଶ୍ୱର ଅକ୍ଳେଶରେ ପଢ଼ିପାରୁଥିଲା । ତା’ ହାତରେ ବାପା ଗୁଞ୍ଜି ଦେଇଥିଲେ ଗୋଟେ କାଗଜ ଓ ଦୁଇଶହ ଟଙ୍କା ଯାହା ତାଙ୍କ ଅଣ୍ଟିରେ ଥିଲା । ସେ ବସ୍ ଚଢ଼ିଥିଲା । ବାପା ଢେରବାଟ ପର୍ଯ୍ୟନ୍ତ ବସ୍‌ର ପଛ କରି ସାଇକେଲ୍ ପେଲି ଆସୁଥିବାର ସେ ଦେଖି ପାରୁଥିଲା । ରାଗରେ ମୁଠାଇ ଧରିଥିବା କାଗଜକୁ ସେ ଖୋଲିଲା ଦେଖିବାପାଇଁ କ’ଣ ଅଛି । ସେଥିରେ ବାପା ଲେଖିଥିଲେ ବଙ୍କାତେଢ଼ା କରି ଜଣେ ଦୂରସଂପର୍କୀୟଙ୍କର ଠିକଣା । ଯେଉଁଟିକି କେବେ ମଧ୍ୟ ସେ ଆସିନଥିଲା ଆଗରୁ । ଦୁଇଚାରିଖଣ୍ଡ ମଳିଚିଆ ପ୍ୟାଣ୍ଟସାର୍ଟ ଥିଲା ବ୍ୟାଗରେ । ମଳିଚିଆ ଉସୁମିଳିଆ ଗନ୍ଧ ହେଉଥିବା ଗାମୁଛା, ଥିବା ବ୍ୟାଗ ଥିଲା କାନ୍ଧରେ ।

ଭୋକରେ ପେଟମୋଡ଼ି ଦେଉଥିଲା । ସେ ଠିକଣା ଭୁଲିଯାଇଥିଲା କାଗଜଟିକୁ ରାଗରେ ଦଳି ଗୁଳାକରି ବ୍ୟାଗର କେଉକୋଣକୁ ଫିଙ୍ଗି ଦେଇଥିଲା ସେ ବସ୍‌ରେ ଓହ୍ଲାଇଲା ବେଳକୁ ତା’ ମୁଣ୍ଡ ମଧ୍ୟ ବିନ୍ଧୁଥିଲା କଟ୍‌କଟ୍ କରି । ସେ ଚା’ ପିଇବାକୁ ଚାହିଁଥିଲା । ସେ ବ୍ୟାଗକୁ କାନ୍ଧରୁ ଓହ୍ଲାଇଲା ଚା’ ଦୋକାନ ଆଗରେ । ଦିଚାରିଟା ବିସ୍‌କୁଟ୍ ସହ ଚା’ ପିଇଥିଲା ଅତି ଆକୁଳତା ସହ କେମିତି ସେ ଖାଇନି ବର୍ଷ ବର୍ଷ ଧରି । ମୁଣ୍ଡର ଚୁଟିଗୁଡ଼ାକ ଥିଲା ବିକ୍ଷିପ୍ତ । ଚା’ ଦୋକାନୀ ଅନେଇ ଥିଲା ଚିଡ଼ିଆଖାନାରୁ ପଳାଇ ଆସିଥିବା ଜନ୍ତୁ ପରି ପାଦରୁ ମୁଣ୍ଡଯାଏ । ସାମାନ୍ୟ ହସିଥିଲା ତାଚ୍ଛଲ୍ୟ ହସ । ଯାହା ଜମା ବରଦାସ୍ତ କରିପାରିନଥିଲା ଈଶ୍ୱର । ସେ ମଧ୍ୟ ଭଲ୍‌କରି ଅନାଇଥିଲା ଦୋକାନୀକୁ । ସେ ଆଙ୍ଗୁଠି ଦେଖାଇ ଥିଲା ତା’ ସାର୍ଟ ଆଡ଼କୁ ଓଲଟପାଲଟ କରି ନିଆଯାଇଥିବା ସାର୍ଟ ଖଣ୍ଡକ ଓହଳିଥିଲା ଅପ୍ରିୟ ସତ୍ୟ ପରି ତା’ ଦେହ ଉପରେ । ତା’ ପାଦର ଚପଲ, ମୁଣ୍ଡର ବାଳ, ସାର୍ଟ ସବୁ ଯେମିତି ବେଶ୍ ସୁସ୍ପଷ୍ଟ କରିଥିଲା ସେ ନିପଟ ଗୋଟେ ମଫସଲ ଗାଁରୁ ଆସିଛି ପ୍ରଥମ କରି ସହର ।

ଆଖି ତା’ର ବାନ୍ଧି ହୋଇ ପଡ଼ୁଥିଲା । ନଇଁ ପଡ଼ୁଥିଲା ଢ଼ୋଳା ଉପରେ ପତାଯୋଡ଼ିକ ଲାଜକୁଳୀ ଲତାର ଛୁଆଁ ପରେ ଯେମିତି ଯୋଡ଼ିହୋଇ ଯାଏ । ଯେତେ ଚେଷ୍ଟାକଲେ ମଧ୍ୟ ସେ ଅନେଇ ପାରୁନଥିଲା ଖୋଲା ଆକାଶ ଆଡ଼କୁ । ତେଜଦୀପ୍ତ ଲାଗୁଥିଲା ସେ ଆକାଶ । ତା’ର ମୁଣ୍ଡ ବୁଲାଇ ଦେଲା । ସେ ତଳେ ଖସିପଡ଼ିଲା । ତା’ର ମନେନାହିଁ ସେ କେତେଦିନ, କେତେ ବର୍ଷ ହେଲା ଶୋଇଛି ସେ ଘର ଭିତରେ । ତା’ର କେଇ ଘଣ୍ଟା ତାକୁ କେଇ ବର୍ଷ ପରି ଲାଗୁଥିଲା । ସେ ଆଖି ଖୋଲିଲା ବେଳକୁ ଯେଉଁ ସ୍ତ୍ରୀ ଲୋକଟି ତା’ର ବିଛଣା ପାଖରେ ଠିଆହୋଇଥିଲା, ତାକୁ ଭୟପ୍ରଦାନ କରୁଥିଲା । ତା’ର ଡୋଳା ବାରମ୍ବାର ଅପେକ୍ଷାକୃତ ଭାବେ ବଡ଼ହେଇ ଯାଉଥିଲା । ତା’ର ହାତରେ ଗୋଟେ କଳା କଚ୍‌କଚ୍ ଦାଗ ବିରିବିରି ହୋଇ ଦିଶୁଥିଲା ଅତି ସ୍ପଷ୍ଟଭାବେ । ପୁଳାଏ ଘା’ ମୁହଁଯାକ । ଅନ୍ଧାର ଭିତରେ ସେ ନେସି ହୋଇଯିବା ପରି ଦିଶୁଥିଲା ।

ଈଶ୍ୱର ଦୌଡ଼ିଲା ପ୍ରାୟ ବାହାରି ଆସିଲା ପଦାକୁ । ଷ୍ଟେସନ୍ ପାଖରେ ଥିଲା ଘରଟା ସଂଭବତଃ । ତା’ ବ୍ୟାଗ ଛାଡ଼ି ଆସିଥିଲା ସେ ବୋଧେ । ସେ ଯିବ କି ଯିବନି ପୁଣି ଥରେ ଭାବିଲା । କେମିତି ଆସିଲା ସେ ଏଠିକି, କାହିଁକି… ଅନେକ ପ୍ରଶ୍ନ ଥିଲା ତା\’ ମନରେ ପୁଳାଏ ମାନସାଙ୍କ ପରି । ସଂଧ୍ୟା ହୋଇ ରାତି ଆଡ଼କୁ ବଢ଼ୁଥିଲା ସମୟ । ଝିପିଝିପି ବର୍ଷା ଆରମ୍ଭ ହୋଇସାରିଥିଲା । ତା’ ସାଙ୍ଗକୁ ଉତ୍କଟ ମୁଣ୍ଡବିନ୍ଧା ଓ ବୋଉର କଥା ସବୁ ମନେପଡ଼ିଯାଉଥିଲା, ହୃଦୟ ସତେକି ଫାଟି ଯାଉଥିଲା ତା’ର । ପ୍ରଥମ କରି ଘରଛାଡ଼ିବାର ଦୁଃଖ ତାକୁ ଆଉ ମ୍ରିୟମାଣ କରୁନଥିଲା ଯଦିଓ ଗୋଟେ ଅସୁରକ୍ଷିତ ଭୟପ୍ରଦ ଅସହାୟତା ବେଢ଼େଇ ଧରିଥିଲା ଈଶ୍ୱରକୁ ।

ସେ ଷ୍ଟେସନ୍‌ରେ ହାତ ଜାକି ଠିଆହେଲା, ଯେଉଁଟି ଖଟି ଜମି ଥିଲା । ଲୋକମାନେ କତାଦଉଡ଼ିରୁ ନିଆଁ ଲଗାଇ ସିଗାରେଟ୍ ଟାଣୁ ଥିଲେ । ଅନେକ କାଳରୁ ଦଣ୍ଡାୟମାନ ପିଲାଟି ଆଡ଼ଆଖିରେ ଅନାଉଥିବା ପାନଦୋକାନୀକୁ ପଚାରିଲା – ୟାପରେ କେଉ ଟ୍ରେନ୍‌ଟା ଆସିବ କି?? ସେ ଗରାଖ ଉଣ୍ଡାଳୁଥିଲା ଦୂରରେ ଥିଲା ତା’ର ରିକ୍ସା । ସନା ପାନରେ ଚୁନ ମାରୁମାରୁ ଗରଗର ହୋଇ କହିଲା – ସେପଟେ ଯାଇ ଦେଖୁନୁ – ମୁଁ କ’ଣ ଠିକା ନେଇଛି ତୋ’ର… ସବୁବେଳେ ଚାଲିଆଉଚି… ଗାଁରୁ ଆଇଚ… ଆଁ…!!

ଈଶ୍ୱର ବୋକାପାଲଟି ଯାଇଥିଲା ଗଲା କେଇ ଘଣ୍ଟା ଭିତରେ ସତରେ । ସେ ମୁଣ୍ଡଟୁଙ୍ଗାରି କହିଲା – ‘ହଁ’ ଗାଁରୁ…!! ପ୍ରଶ୍ନ ତା’ ପାଇଁ ନଥିଲା ମୋଟେ । କିନ୍ତୁ ଉତ୍ତରଟା ଶୁଣି ପାନଦୋକାନୀ ଆଉଥରେ ଠାରରେ ପଚାରିଲା କେଉଠୁ??  ମାଧପୁର… ଏତକ କହିଲା ବେଳକୁ ଥଙ୍ଗ ମଙ୍ଗ ଈଶ୍ୱରକୁ କାନ୍ଦ ମାଡ଼ିଥିଲା ଖୁବ୍ ଜୋର୍‌ରେ ।

ତା’ପାଖରେ ଗୋଟେ ଟିଣ ଟ୍ରଙ୍କ ମୁଣ୍ଡାଇ ବସିଥିବା ମା’ଝିଅ ଉଠିଯାଇଥିଲେ ଟିକେ ଦୂରକୁ । ଯେଉଁଠି ଝିଅଟି ବାନ୍ତି କରୁଥିଲା ଲାଇନ୍ ତଳକୁ ମୁହଁକରି ପଲସ୍ତରା ଉଚ୍ଚପାହାଚ ଉପରୁ ତଳକୁ ମୁହଁକରି । ଦୁହିଁ ହୋଇଯାଉଥିଲା ତା’ର ମୁହଁ । ତା’ ପିଠିକୁ ଆଉଁସି ଦେଉଥିଲା ତା’ ମା’ ହୁଏତ ସେ । ମଧ୍ୟବୟସ୍କା ମହିଳା ଜଣଙ୍କର ଶାଢ଼ୀ ଖସିପଡ଼ିଥିଲା କାନ୍ଧରୁ ତଳକୁ । ତା’ର ନଇଁ ଯାଇଥିବା ସ୍ତନ ଖୁବ୍ ଦୟନୀୟ ଦିଶୁଥିଲା ।

ବୋଉ!! ତାରିପରି ଠିକ୍ ଓଲଟାଇ ଶାଢ଼ୀ ପିନ୍ଧେ ଓଡ଼ିଆଣୀ ଭଙ୍ଗୀରେ ଘରେ । କୁଆଡ଼େ ବାହାରକୁ ଗଲେ ପିନ୍ଧେ ସାଧାଭଳି । ରଂଗ ବେଶୀ ଗୋରା ନୁହେଁ କି କଳା, ବରଂ ଗୋଟେ ଗହମବାଦାମି ରଂଗ ଭିତରେ ତା’ର ଆଖିଯୋଡ଼କ ଖୁବ୍ ସୁନ୍ଦର । କପାଳରେ ଅପେକ୍ଷାକୃତ ଭାବେ ବେଶ୍ ବଡ଼ସାଇଜ୍‌ର ସିନ୍ଦୂର ପିନ୍ଧେ ସେ । ତା’ ବୋଉ ମଧ୍ୟ ଏମିତି ଦେହ ପା’ ଜଗିବସେ ଅସୁସ୍ଥ ଥିଲେ । ବିକଳ ହୋଇ ହାତବୁଲାଏ । ମାତ୍ର ବାପା ବେଶୀ ବ୍ୟସ୍ତ ହୁଅନ୍ତି । ଆସିଲା ବେଳେ କାନ୍ଦି କାନ୍ଦି ଧାଇ ଆସିଥିଲେ ଅନେକ ବାଟ ।

Leave A Reply

Your email address will not be published.