ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଉଡାଣ

ପୂର୍ବ ଚିଠିର ପ୍ରତିକ୍ରିୟାରେ ମୋତେ ମିଳିଥିବା ମତସବୁକୁ ପଢୁଥିଲାବେଳେ ସୁଜୁର ଉତ୍ତର ଅଟକେଇ ରଖିଲା କିଛି କ୍ଷଣ । କାହିଁକି ଲାଗିଲା ତୁମ ପ୍ରତି ମୋର ସମ୍ପର୍କକୁ ସଠିକ ଶବ୍ଦରେ ଖଞ୍ଜିପାରିନି ବୋଧହୁଏ ସେହି ଚିଠିରେ । ପ୍ରେମ ଘୃଣାର ବିପରୀତ ନୁହେଁ ବୋଲି ମୁଁ ବୁଝେ । କାହା ନିନ୍ଦା , ପ୍ରଶଂସା , ବିଚାର କି ମତରେ ପ୍ରେମ ଭଳି ଅନୁଭବକୁ ଗଢ଼ିବା ଅପେକ୍ଷା ଅନ୍ତରର ନିର୍ଦ୍ଦେଶରେ ଆପଣା ମୁତାବକ ଗଢିହେଉଥିବା ଏହି ମହାର୍ଘ ଅନୁଭବ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ । ସତରେ କଣ ସ୍ଵୀକୃତି ବୋଲି କିଛି ଥାଏ ଏହି ଦୁନିଆଁରେ ନା ସ୍ୱୀକୃତି କାହାକୁ ଗଢେ ? ସ୍ଵୀକୃତି ତ ଉଚ୍ଚାକାଂକ୍ଷାର ଆଉ ଏକ ଅଙ୍ଗ । ହଁ , ସମ୍ପର୍କମାନଙ୍କୁ ନେଇ ଆମେ ନିର୍ଭରଶୀଳ ।

ଏମିତିରେ ଦେଖିଲେ ନିର୍ଭରଶୀଳତା ପାରସ୍ପରିକ ଏବଂ ସାର୍ବଜନୀନ କଥା । ମୋ ନିଜକୁ ପରଖିବାର ସୂତ୍ରଟି ସେବେ ପାଇଲି ଯେତେବେଳେ ବୁଝିଲି ମୁଁ ତୁମ ଉପରେ ନିର୍ଭର କରେ । ମୁଁ ନିର୍ଭର କରିପାରେ କାରଣ ମୁଁ ତୁମକୁ ପ୍ରେମ କରେ । ଜରୁରୀ ନୁହେଁ ଦୁନିଆଁ ତିଆରି କରିଥିବା କିଛି ଗତାନୁଗତିକତାକୁ ରାସ୍ତା କରି ତୁମେ ମୋ ପାଖକୁ ଆସିବା କି ମୁଁ ତୁମ ପାଖକୁ ଯିବା । ଆବାମିକାର ଶକ୍ତି ଏତେ ଅଧିକ ଯେ ପ୍ରତି ମୁହୂର୍ତ୍ତରେ ମିଳନର ରାସ୍ତା ଖୋଲି ଖୋଲି ଯାଏ ଦେହର ପ୍ରତିଟି ଶିରାପ୍ରଶିରା ଭଳି ଆତ୍ମାର ଡ଼ାକରାରେ । ତୁମେ ଅଛ ତେଣୁ ଇ ତ ଏକାତ୍ମବୋଧର ଭାବ ତିଆରି ହୋଇପାରେ ପାରସ୍ପରିକତାର ଏହି ସହାଯାତ୍ରାରେ । ତୁମ ଜନିତ ଭାବନାକୁ କେଉଁଠି ବି ଥାପି ଦେଇ ଯେତେଥର ନିଜ ପାଇଁ କାମ ସାଉଁଟୁଥାଏ ତ ଲାଗୁଥାଏ ଯନ୍ତ୍ରବତ ମୁଁ ଘୋଷାରି ହେଉଥାଏ । ତୁମ ଅବର୍ତ୍ତମାନ ବିଷାଦର ଉଚ୍ଚାଟନ ତା ବାଟରେ ତିଆରି କରି ଚାଲିଥାଏ ।

ବାରମ୍ବାର କହିଛି ତୁମକୁ ଏବଂ ଆଜି ବି କହୁଛି ତୁମ ପାଇଁ ପ୍ରତିଟି ମୁହୂର୍ତ୍ତ ଅଦ୍ଭୁତ ଏକ ଲୋଡିବାପଣରେ ବତରୁଥାଏ । ପ୍ରକୃତି ବୁଝେ ମୋର ଅନୁଭବକୁ । କିଛି ବି ସେ ବାସ୍ନା ହେଉ କି ବର୍ଷା , ସେ ପବନର ହିଲ୍ଲୋଳ ହେଉ କି ଜହ୍ନର ରଙ୍ଗ , ସେ ଅନ୍ଧାରର ନିବିଡ଼ତା ହେଉ କି ଆଉଟା ସୁନାରଙ୍ଗରେ ଡହକୁଥିବା ଖରା ତୁମଠୁ ଆଣିଥିବା ଉତ୍ତରକୁ ସଙ୍କେତର ଲଫାପାରେ ଖଞ୍ଜି ବଢ଼େଇ ଦିଏ ପ୍ରକୃତି ଯଥାରୀତି ମୋତେ ପୂର୍ଣ୍ଣତାରେ ତୁମେମୟ କରି । ସେହି ନିର୍ଦ୍ଦିଷ୍ଟ ସମୟରେ ମୋ ଭିତରେ ତିଆରି ହେଉଥିବା ଅଫୁରନ୍ତ ଶକ୍ତିର ଉତ୍ସକୁ ସମର୍ପଣ କହିବି ନା ନିର୍ଭରଶୀଳତା ? ଆମେ ଅନ୍ୟ ଉପରେ ଚାପ ହୋଇରହିବାକୁ ନିର୍ଭରଶୀଳତା ଭାବୁ କିନ୍ତୁ ପ୍ରକୃତି ସାମଗ୍ରିକ ଭାବରେ ଜୀବନକୁ ଏମିତି କରି ଗଢ଼ିଛି ଯେ ସବୁ ସତ୍ତା ପରସ୍ପର ଉପରେ ନିର୍ଭରଶୀଳ । ଏହି ପାରସ୍ପରିକ ପ୍ରକ୍ରିୟାକୁ ଆମେ ଛନ୍ଦି ହେବା ନକହି ମୁକ୍ତିଗାମୀ କହିପାରିବା । ନୁହେଁ ? ନିଜକୁ ଅଲଗା କରି ଭାବିଲେ ସମର୍ପଣର କଥା ଆସେ । ତ୍ୟାଗ , ସମର୍ପଣ, ସେବା ଭଳି ତଥାକଥିତ ବଡ଼ ବଡ଼ କଥାର ଆଟୋପରେ ମୁଁ ତୁମ ପ୍ରତି ଥିବା ଲୋଡିବାପଣକୁ ଦୂର କରିବାକୁ ଚାହେଁଇ ନାହିଁ । କାରଣ ଏହି ସବୁ ଶବ୍ଦମାନଙ୍କୁ ବାହାନା କରି ପ୍ରେମର ମାନବୀୟ ଦିଗକୁ ଅବହେଳା କରିବାର ସପକ୍ଷରେ ମୁଁ ନାହିଁ ।

ମୁଁ ଅଛି ତୁମ ଅନୁରାଗ ଓ ଯତ୍ନରେ ଯାହାକୁ ମୁଁ ପ୍ରେମ ବୋଲି ବୁଝେ । ମୁଁ ଅଛି ତୁମ ଆଦର ଓ ସଂପୃକ୍ତିରେ ଯାହାକୁ ମୁଁ ପ୍ରେମ ବୋଲି ବୁଝେ । ମୁଁ ଅଛି ତୁମ ବିଶ୍ୱାସ ଏବଂ ସମ୍ମାନରେ ଯାହାକୁ ମୁଁ ପ୍ରେମ ବୋଲି ବୁଝେ । ତୁମ କରୁଣାର ସ୍ପର୍ଶ ମୋ ଡେଣାରେ ଶକ୍ତି ଭରେ । ତୁମ ଦିଆ ପ୍ରତ୍ୟୟ ମୋ ମୁଣ୍ଡ ଉପରେ ଆକାଶ ବିଛାଏ । ମୋତେ କେବଳ ଆକାଶ ହିଁ ଦିଶେ । ତାର ବ୍ୟାପ୍ତି ଯେମିତି ମୋର ପ୍ରାପ୍ତି । ତୁମ ଭଲପାଇବାର ରଙ୍ଗରେ ମୋ ଦେହରେ ଅଜସ୍ର ରଙ୍ଗୀନ ପର କଅଁଳେ । ମୁଁ ଯେକୌଣସି ଆହ୍ୱାନ ପାଇଁ ନିଜକୁ ପ୍ରସ୍ତୁତ କରିପାରେ । ଏଇ ନିର୍ଭରଶୀଳତାକୁ ମୁଁ ପ୍ରେମ ହିଁ ବୁଝେ । ତୁମକୁ ଜଣେଇ ଦେଲା ପରେ ମୋ ଭିତରେ ଏବେ ହଜାର କିସମର ଉନ୍ମାଦନା ହଜାର ରଙ୍ଗର ସମ୍ମିଶ୍ରଣରେ ଏହି ଅମୂର୍ତ୍ତର ଭାବନାକୁ ରୂପ ଦେବାକୁ । ଯାଏଁ ….କିଛି ଆଙ୍କେ ।
ତୁମର
“ମୁଁ”