Latest Odisha News

BREAKING NEWS

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ସୌକୁମାର୍ଯ୍ୟ 

ଅନ୍ତରଙ୍ଗତା, ଶ୍ରଦ୍ଧା,ଭଲ ପାଇବା ଏସବୁ ଶବ୍ଦ ଆମରି ମୁଣ୍ଡରୁ ବାହାରେ। ଆମ ଅନୁଯାୟୀ ତାର ପ୍ରସ୍ଥ , ଆୟତନ , ଦୈର୍ଘ୍ୟ ବାହାରୁ ବାହାରୁ ସେହିସବୁ ସ୍ଥୂଳତାର ରୂପ ପରିଗ୍ରହ କରେ । ମୁଁ ଭାବେ ଏସବୁ ଭାବ ଉପରେ କଣ ମଣିଷର ଏକଚାଟିଆ ଅଧିକାର ? ଏ ସୀମାହୀନ ପ୍ରକୃତିରେ କୋଉ ଉପାଦାନ ବା ଅନ୍ତରଙ୍ଗତାରେ ଗଢା ନୁହେଁ ?

ନିଜକୁ ଛୋଟ ଚାରାଟିଏ ଭିତରେ ଥାପି ମୁଁ ଅନୁଭବ କରେ ଅନ୍ତରଙ୍ଗତାର ସ୍ପନ୍ଦନ । ଛୋଟ ପ୍ରଜାପତିଟି ଭିତରେ ନିଜକୁ ପ୍ରବେଶ କରାଇ ମୁଁ ପାଏ ଜୀବନର ସ୍ପନ୍ଦନ, ଭୋଗେ ତା’ର ଉଲ୍ଲାସ । ବହନ୍ତା ନଈସହ ମୁଁ ବହିଯାଏ କିଛି ବାଟ ଏବଂ ବହିଯିବାରେ ଯେଉଁ ଆନନ୍ଦ ଟିକକ ଅନୁଭୂତ ହୁଏ ତହିଁରେ ମୁଁ ଜାଣିପାରେ ମୁଁ ଭଲପାଇବାରେ ଅଛି ।

ମୋଟାମୋଟି କହିଲେ ପ୍ରକୃତିର ସୁନ୍ଦରତା ହିଁ ମୋତେ ଜାଗ୍ରତ କରାଏ ଯେ ମୁଁ ଭଲ ପାଇବାରେ ଅଛି । ଦୁନିଆଁର ନିଷ୍ଠୁରତାକୁ ସାମ୍ନା କଲାବେଳେ ସାହସ ସାଉଁଣ୍ଟୁ ସାଉଁଣ୍ଟୁ ଲାଗେ ଯେ ମୁଁ ଭଲ ପାଇବାରେ ଅଛି। ଅନିଚ୍ଛା ସତ୍ତ୍ୱେ ଉତ୍ତୁରି ଆସୁଥିବା ଅଭିମାନ ଲୁହ ହୋଇ ବହି କହି ଦେଇ ଯାଏ ଯେ ମୁଁ ଭଲ ପାଇବାରେ ଅଛି । ମୁଁ ଭଲ ପାଇବାରେ ଅଛି ବୋଲି ବୁଝିପାରେ ନୀରବତା , ବୁଝିପାରେ ଏଡ଼େଇ ହୋଇଯିବାର ମାନସିକତା ଏବଂ ତମାମ୍ ଅନ୍ୟମନସ୍କତା ।

ଭଲ ପାଇବା ସୂଚେଇ ଦିଏ ଜାଣତ କି ଅଜାଣତରେ ସ୍ଵର ହୋଇ ଛିଟିକି ଆସୁଥିବା ତୀରପ୍ରାୟ ଶବ୍ଦରେ କ୍ଷତାକ୍ତ ହେବାର ମୂହ୍ୟମାନ୍ୟତା।
ଭଲପାଇବାରେ ଅଛି ବୋଲି ଭଲ ପାଇପାରେ ନିଜ ହିସାବରେ ପ୍ରଚଣ୍ଡ ଭାବରେ । ସେହି ଦମ୍ଭରେ ମୁଁ କିଛି ନା କିଛି ଶକ୍ତ ଆକଟକୁ ଡ଼େଇଁ ଯାଇପାରେ ସ୍ବେଚ୍ଛାରେ, ବିନା ହିସାବରେ । ଲୁହ ବୁନ୍ଦାଏର ସାମର୍ଥ୍ୟରେ ଫୁଲ ଗଛଟିଏ ପୋତିବାର ନିଷ୍ଠା ଏବଂ ପ୍ରବଣତା ଆୟତ୍ତ କରିପାରିଛି ଯେହେତୁ ମୁଁ ଭଲ ପାଇବାରେ ଅଛି । ମୁଁ ଭଲ ପାଇବାରେ ଅଛି ତେଣୁ ଇ ତ ଚିହ୍ନି ନେଇ ପାରୁଛି ନିଜ ଯୁକ୍ତି ଏବଂ କଳ୍ପନା ଶକ୍ତିରେ ଯଥାର୍ଥ ବୋଲାଉଥିବା ପାପକୁ , ଆବଶ୍ୟକତା ସାଜରେ ନିଖୁଣ ଭାବରେ ସଜେଇ ହୋଇଥିବା ଦର୍ପିତ ଲୋଭକୁ , ସୁକୁମାରତାର ପୋଷାକରେ ଦପ୍ ଦପ୍ କରୁଥିବା ଅହଙ୍କାରକୁ, ମୋର ସକଳ ସୀମୀତତାକୁ ପୁଣି ସେସବୁରୁ ନିଜକୁ ମୁକୁଳେଇ ଆଣି ନିଜକୁ ନିହାତି ସାଧାରଣ କରି ଠିଆ କରେଇବାର ଅସାଧାରଣ ଆଶା ପୋଷଣ କରିପାରିବାକୁ ।

ଭଲ ପାଇବାରେ ଅଛି ବୋଲି ତିଆରିଛି ଏକ ସତ୍ତା ତାକୁ ନେଇ ମୋ ଭଲପାଇବାର ସାମଗ୍ରୀକତା । ନିଜ ସତ୍ତାକୁ ଗୌଣ କରି ଗଢ଼ି ସାରିଛି ବିଶାଳ ଏକ ସତ୍ତା । ସତ୍ତାର ଥିବା ନଥିବାଠୁଁ ବଳେଇ ପଡିଛି ମୋ ଲୋଡ଼ିବାପଣର ତୀବ୍ରତା । ଭାଙ୍ଗି ରୁଜି ପୁନଶ୍ଚ ଭିନ୍ନ ଭିନ୍ନ କଳେବରରେ ରୂପାନ୍ତରିତ ହେବାର ଦୃଢ଼ତା । କେବେ କେବେ ମନେ ହୋଇଛି ମୁଁ ଏକ ଅଂଶ ସମଗ୍ରର । ସମଗ୍ରତାରୁ ମୁଁ ଅବିଚ୍ଛିନ୍ନ । ଏ ଅନୁଭବ ମୋତେ ସ୍ୱତନ୍ତ୍ର ଭାବରେ ସୁକୁମାର କରିଛି ବୋଲି ମୁଁ ବୁଝେ । ଦୁବ କେରାଏରୁ ଦାରୁ ପର୍ଯ୍ୟନ୍ତ ସବୁଠି ମୁଁ ମୋ ସତ୍ତାକୁ ଖୋଜେ ,ପାଏ । ପୁଣି ମୂର୍ତ୍ତତାରେ ବଞ୍ଚୁ ବଞ୍ଚୁ ଲାଗେ ମୁଁ କେଉଁଠି ବି ନାହିଁ । କେତେବେଳେ ବି ନାହିଁ । ମୋତେ ଦିଶିଯାଏ କୋମଳତା ଓ ସୁକୁମାରତାର ବିସ୍ତାର । ଏ ଦୁନିଆରେ ନଖ, ଦାନ୍ତ ଆଉ ଅସ୍ତ୍ର ଠାରୁ ବଳିୟାର ଏ ସୌକୁମାର୍ଯ୍ୟ । ଭବିଷ୍ୟତକୁ ଟାକିବାର ସ୍ପୃହା ନାହିଁ ମୋର । ଦିନେ କେବେ ନିଷ୍ଠୁରତା ଯିବ ଭାବେନା । ବୁଝେ ଏଇ ମୁହୂର୍ତ୍ତ ହିଁ ସୁକୁମାରତାର ସାମ୍ରାଜ୍ୟକୁ ଆବିଷ୍କାର କରିବାର ବେଳ , ନିଜକୁ ନିଜେ ଗରିମା ମଣ୍ଡିତ କରିବାର ବେଳ । ଏବେ ଅଦ୍ଭୁତ ଏକ ସ୍ଥିତିରେ ମୁଁ । ହଜାର ପ୍ରଶ୍ନଙ୍କ ଆତଙ୍କରେ ଇନ୍ଦ୍ରଧନୁର ରଙ୍ଗ ବୋଳିବାର ପ୍ରକ୍ରିୟାରେ ମୁଁ । ନିଜକୁ ଖୋଜି ହେଉଛି ଯେହେତୁ ଭଲପାଇବାରେ ଅଛି ।
ତୁମର
“ମୁଁ “

Leave A Reply

Your email address will not be published.