ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୧
କବିଗୁରୁ ରବୀନ୍ଦ୍ରନାଥଙ୍କ ଅଗ୍ରଜ ତଥା ଭାରତର ପ୍ରଥମ ଆଇ ସି ଏସ୍ ଅଫିସର୍ ସତ୍ୟେନ୍ଦ୍ର ନାଥ ଟାଗୋରଙ୍କ ପତ୍ନୀ ହେଉଛନ୍ତି ଜ୍ଞାନଦାନନ୍ଦିନୀ ଦେବୀ । ଏଠାରେ ଜ୍ଞାନଦାନନ୍ଦିନୀଙ୍କ ସମ୍ପର୍କରେ ସ୍ୱଳ୍ପ ଗଳ୍ପରେ ବଖାଣ କରିବା ପଛରେ ପ୍ରମୁଖ କାରଣ ହେଉଛି ସେ ଭାରତୀୟ ନାରୀର ଅଙ୍ଗସଜ୍ଜା ଉଦ୍ଦେଶ୍ୟରେ ଏକ ବିଶେଷ ପୋଷାକର ଉଦ୍ଭାବନ କରିଥିଲେ । ସେହି ବିଶେଷ ପୋଷାକଟି ବର୍ତ୍ତମାନ ଭାରତୀୟ ନାରୀର ଏକ ଅପରିହାର୍ଯ୍ୟ ପୋଷାକ ବିଶେଷ ହିସାବରେ ଆଦୃତ ହୋଇ ଆସୁଛି ।
ଆମ ଭିତରୁ ଅନେକେ କିନ୍ତୁ ଏକଥା ଜାଣନ୍ତି ନାହିଁ ଯେ ସେହି ନିର୍ଦ୍ଦିଷ୍ଟ ଅପରିହାର୍ଯ୍ୟ ନାରୀର ଅଙ୍ଗବସ୍ତ୍ରର ପରିକଳ୍ପନା କରିଛନ୍ତି ଜ୍ଞାନଦାନନ୍ଦିନୀ ଦେବୀ ।
ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଜ୍ଞାନଦାନନ୍ଦିନୀ ଜଣେ ଆଇ ସି ଏସ୍ ଅଫିସରଙ୍କ ପତ୍ନୀ ତଥା ସେ ସମୟର ବିଶେଷ ଧନାଢ୍ୟ ବ୍ୟକ୍ତି ଦ୍ୱାରିକାନାଥ ଟାଗୋରଙ୍କ ପରିବାର ର ସଦସ୍ୟ ହୋଇଥିବା ସତ୍ତ୍ୱେ ଏକ ଇଉରୋପୀୟ କ୍ଲବ ତାଙ୍କର ପ୍ରବେଶକୁ ନିଷେଧ କରିଥିଲା। ଦ୍ୱାରିକାନାଥଙ୍କର ବ୍ରିଟିଶମାନଙ୍କ ସହ ଯଥେଷ୍ଟ ପ୍ରୀତି ଥିଲା । ସେ ଜୋରାଶଙ୍ଖ ଠାରେ ଥିବା ନିଜର ବାସଭବନରେ ବ୍ରିଟିଶ୍ ଇଷ୍ଟଇଣ୍ଡିଆ କମ୍ପାନୀର ପଦସ୍ଥ ଅଫିସରମାନଙ୍କୁ ନିୟମିତ ପାନାହାରରେ ଆପ୍ୟାୟିତ
କରୁଥିଲେ । ସେହି ପାନାହାରର ଭବ୍ୟତା ସେ ସମୟର ଲୋକଚର୍ଚ୍ଚାର ଏକ ରୋଚକ ଉପାଦାନ ଥିଲା । ଜ୍ଞାନଦାନନ୍ଦିନୀ ହେଉଛନ୍ତି ପ୍ରିନ୍ସ ଦ୍ୱାରିକାନାଥ (ବ୍ରିଟିଶମାନେ ରାଜବଂଶଜ ହୋଇନଥିଲେ ମଧ୍ୟ ତାଙ୍କୁ ପ୍ରିନ୍ସ ବୋଲି ଡାକୁଥିଲେ।) ଙ୍କ ପୁତ୍ର ମହର୍ଷି ଦେବେନ୍ଦ୍ର ନାଥ ଟାଗୋରଙ୍କ ପୁତ୍ରବଧୂ। କହିବା କଥା ହେଉଛି ଏଇଭଳି ସମ୍ପୂର୍ଣ୍ଣ ଇଉରୋପୀୟ ପ୍ରୀତି ପାଳନ କରୁଥିବା ଗୋଟିଏ ଆଧୁନିକ ପରିବାରର ବଧୂ ତଥା ଜଣେ ଆଇସିଏସଙ୍କ ପତ୍ନୀ ଜ୍ଞାନଦାନନ୍ଦିନୀଙ୍କୁ ଏକ ଇଉରୋପୀୟ କ୍ଲବର ପରିସର ଭିତରକୁ ନିଷେଧ କରାଯିବା ଘଟଣା ବସ୍ତୁତଃ ସେମିତି କିଛି ସାଧାରଣ ଘଟଣା ନଥିଲା ।
ଜ୍ଞାନଦାନନ୍ଦିନୀଙ୍କୁ ସେହି ଇଉରୋପୀୟ କ୍ଲବର ପରିସର ଭିତରକୁ ନିଷେଧ କରାଯିବା ପଛର କାରଣଟି ଭାରତୀୟ ନାରୀର ସ୍ୱାଭାବିକ ବେଶଭୂଷା ଆଧାରିତ ଥିଲା। ଅର୍ଥାତ୍ ସେହି କ୍ଲବର ବିଧାନ ଅନୁସାରେ ଜଣେ ଭାରତୀୟ ଉଚ୍ଚବଂଶଜ ଓ ପ୍ରତିଷ୍ଠିତ ନାରୀ ଏହି ଭଳି କ୍ଲବ୍ ଭିତରକୁ ଯାଇପାରିବ ମାତ୍ର ସେ ସେଠିକୁ ଯିବାବେଳେ ପୂର୍ଣ୍ଣତଃ ପ୍ରଚଳିତ ଇଉରୋପୀୟ ସଂଭ୍ରାନ୍ତ ବେଶାଭୂଷାରେ ଭୂଷିତ ହୋଇ ରହିଥିବା ଆବଶ୍ୟକ । ଜ୍ଞାନଦାନନ୍ଦିନୀଙ୍କୁ ସେମାନେ ବାରଣ କରିଥିଲେ କାରଣ ତତ୍କାଳୀନ ପ୍ରଥା ଅନୁଯାୟୀ ଭାରତୀୟ ନାରୀର ଶାଢୀର ଆବରଣ ତଳେ ଛାତି ଓ ସ୍ତନ ଯୁଗଳ ଫୁଙ୍ଗୁଳା ରହିଥାଏ ବୋଲି ସେମାନଙ୍କର ଏକ ବଦ୍ଧମୂଳ ଧାରଣା ରହିଥିଲା। ଆଉ ସେତେବେଳେ ଗୋଟିଏ ଦାମିକା ଢାକା ପ୍ରସ୍ତୁତ ଜାମଦାନି ଶାଢୀ ପରିବୃତ୍ତା ହୋଇ ଜ୍ଞାନଦାନନ୍ଦିନୀ ନିଜ ଆଇସିଏସ୍ ଅଫିସର୍ ସ୍ୱାମୀଙ୍କ ସହ ସେଇ ଇଉରୋପୀୟ କ୍ଲବର ପରିସରକୁ ଆସିଥିଲେ । ସେତେବେଳେ ତ ଆଉ ଆଜିଭଳି ଏମିତି କୌଣସି କ୍ଲବରେ କୌଣସି ନାରୀ କର୍ମଚାରୀ ରହୁନଥିଲେ ଯିଏ କୌଣସି ଆଗନ୍ତୁକା ନାରୀକୁ ସନ୍ଦେହ ହେଲେ ତାହାକୁ ଏକ ଆଢୁଆଳକୁ ନେଇ ସମ୍ପୂର୍ଣ୍ଣ ଓ ମୁକ୍ତ ପରୀକ୍ଷାର କାର୍ଯ୍ୟକୁ ସମ୍ପାଦନ କରିବେ।
ସେ ଯାହାହେଉ ସାଳଙ୍କାରା ଓ ଉଜ୍ଜଳ ଶାଢୀ ପରିବୃତ୍ତା ହୋଇଥିବା ଓ ଇଉରୋପୀୟ ଚଳଣୀ ସହ ଆଦ୍ୟପ୍ରାନ୍ତ ଜଡିତ ଜଣେ ଉଚ୍ଚବର୍ଗର ମହିଳା ଜ୍ଞାନଦାନନ୍ଦିନୀ ଏମିତି ଏକ କ୍ଲବରୁ ପ୍ରତ୍ୟାଖ୍ୟାତ ହୋଇ ଫେରି ଆସିବା ଘଟଣାରେ ବେଶ୍ ବ୍ୟଥିତ ହୋଇଥିଲେ ।
ଭାରତୀୟ ନାରୀର ଅସଲ ଭୂଷଣ ଲଜ୍ଜା ବୋଲି ଆପ୍ତବାକ୍ୟ ସହିତ ତାହାକୁ ବାରହାତି କି ଚଉଦହାତି ଶାଢୀରେ ଯେତେ ଯେତେ ଘୋଡିଘାଡି ଦେଇ ଗୋଟିଏ ଗଣ୍ଠିଲି ଭଳି ଯେତେ ଦେଖାଯାଉ ପଛକେ ଇଉରୋପୀୟ ଜଗତରେ ତାହାର ଛାତିଟି ଫୁଙ୍ଗୁଳା ରହିଥାଏ ବୋଲି ଅପବାଦରୁ ତାହାର ନିସ୍ତାର ନଥିଲା ।
ଜ୍ଞାନଦାନନ୍ଦିନୀ ଦେବୀ ସେ ଦିନର ଘଟଣା ପରେ ନିଜର ବ୍ୟକ୍ତିଗତ ଅପମାନକୁ ଏକ ପ୍ରତିବାଦୀ ଶକ୍ତିରେ ରୂପାନ୍ତର କରି ନାରୀର ଫୁଙ୍ଗୁଳା ଛାତିକୁ କେମିତି ଆବୃତ ହୋଇରହିଛି ବୋଲି ସାର୍ବଜନୀନ ଅବବୋଧ ଟିଏ ସୃଷ୍ଟି କରାଯାଇପାରିବ ସେହି ଭଳି ଏକ ଆଭରଣ-ଚର୍ଚ୍ଚାରେ ଗଭୀର ମନୋନିବେଶ କରିଥିଲେ। ଆଉ ଏହା ସହିତ କହିବା ବାହୁଲ୍ୟ ଯେ ସେଇଥିପାଇଁ ତାଙ୍କର ପରିବେଶ ଅର୍ଥାତ୍ ତାଙ୍କର ସ୍ୱାମୀଗୃହ ଓ ତାଙ୍କର ଶ୍ୱଶୁରାଳୟ ଉଭୟରେ ଗ୍ରହଣୀୟ ହୋଇଥିବା ଉଇରୋପୀୟ ଚଳଣୀ ତାଙ୍କୁ ଯଥେଷ୍ଟ ପରିମାଣରେ ସାହାଯ୍ୟ କରିଥିଲା ।
ନାରୀର ଛାତି, ବିଶେଷତଃ ନାରୀର ଫୁଙ୍ଗୁଳା ଛାତି ଆଉ ତାହାସହିତ ଜଡିତ ଆମର ପୁରୁଷଗତ ଫୁଙ୍ଗୁଳାପଣକୁ ନେଇ ଆମର ସହଜାତ ଯୌନତାର ଅବବୋଧକୁ ବିଚାରକୁ ନେଲାବେଳେ ଆମ ଆଗରେ ନାରୀର ଛାତିର ଫୁଙ୍ଗୁଳାପଣ ମାତୃତ୍ୱର ମହତ୍ତ୍ୱପୂର୍ଣ୍ଣ ପରିଭାଷା ବି ପ୍ରସ୍ତୁତ କରିଥାଏ । ତେଣୁ ନାରୀର ଛାତି ତଥା ତାହାର ଫୁଙ୍ଗୁଳାପଣ ଆମ ଭିତରେ ଯୌନତା ଏବଂ ମାତୃତ୍ୱ ଏହିଭଳି ଦୁଇଟି ବିରୋଧାଭାସ ପ୍ରସ୍ତୁତ କରିଥାଏ । ଏହି ଭଳି ବିରୋଧାଭାସର କାରଣରୁ ଭାରତୀୟ ନାରୀର ଛାତିକୁ ସେମିତି ଆବୃତ କରି ରଖିବା ପାଇଁ ଆଗରୁ କାହାର ଆଗ୍ରହ ନଥିଲା ।
ଭାରତୀୟ ନାରୀର ଛାତି ଫୁଙ୍ଗୁଳା ଅଛି ବୋଲି ଅପବାଦ ସହିତ ସେ ଦିନ ସେହି ଇଉରୋପୀୟ କ୍ଲବର ଦ୍ୱାରଦେଶରୁ ଫେରି ଆସିବା ପରେ ଜ୍ଞାନଦାନନ୍ଦିନୀ ଦେବୀ ନିଜର ଭାରତୀୟ ଓ ଇଉରୋପୀୟ ବେଶଚର୍ଚ୍ଚାର ଧାରଣାକୁ ଆଧାର କରି ଏକ ବୈପ୍ଳବିକ ଉଦ୍ଭାବନ କରିବାକୁ ସମର୍ଥ ହୋଇଥିଲେ।
ତେଣୁ କହିବା କଥା ହେଉଛି ଆଜିର ଭାରତୀୟ ନାରୀମାନେ ନିଜର ବେଶସଜ୍ଜା କଲାବେଳେ ଜ୍ଞାନଦାନନ୍ଦିନୀ ଦେବୀଙ୍କୁ ସ୍ମରଣ କରିବାର ପ୍ରୟୋଜନ ରହିଛି ।କାରଣ ଭାରତୀୟ ନାରୀର ଛାତି ଯେ ଆଉ ଫୁଙ୍ଗୁଳାହୋଇ ରହିନାହିଁ ତାହାର ବିକଳ୍ପ ହିସାବରେ ଗୋଟିଏ ଅଙ୍ଗବସ୍ତ୍ର ତାହା ସହିତ ଦୃଶ୍ୟମାନ ରହିଛି ,ଏହି କଥାକୁ ସେ କାର୍ଯ୍ୟକାରୀ କରିବାକୁ ସମର୍ଥ ହୋଇଛନ୍ତି।
ଭାରତୀୟ ନାରୀମାନେ ଆଜି ଯେଉଁ ବ୍ଲାଉଜ୍ ପିନ୍ଧିଥାନ୍ତି ସେଇ ବ୍ଲାଉଜ୍ ଭଳି ପୋଷାକର ସେ ହେଉଛନ୍ତି ସୃଷ୍ଟିକର୍ତ୍ତା, ଜନନୀ।ତାହା ସହିତ ସେମିଜ୍ ବୋଲି ନାରୀମାନଙ୍କ ଯେଉଁ ଅନ୍ତର୍ବାସ ରହିଛି ତାହାର ସେ ହେଉଛନ୍ତି ଆଦ୍ୟକର୍ତ୍ତୀ।
ସବୁବେଳେ ଆମେ ପ୍ରଥମ ବୋଲି ଯେଉଁମାନେ ଭାବନ୍ତି ସେମାନେ ଆମ ମନ୍ଦିର ଗାତ୍ରରୁ କି ରୀତିଯୁଗୀୟ କବିତାରୁ କାଞ୍ଚଲାର ପ୍ରସଙ୍ଗ ଉଠାଇ ଏହି ବ୍ଲାଉଜ ପ୍ରସଙ୍ଗକୁ ନସ୍ୟାତ୍ କରିଦେଇପାରନ୍ତି। ମାତ୍ର କାଞ୍ଚଲାର ଦୃଶ୍ୟମାନତା କେବଳ ନଟୀ ଓ କିଶୋରୀ କ୍ଷେତ୍ରରେ ଅଧିକ ଦୃଶ୍ୟମାନ ଥାଏ,ବଧୂମାନଙ୍କ କ୍ଷେତ୍ରରେ ତାହା ସେମିତି ପ୍ରଚଳିତ ନଥିଲା ।
ଶେଷରେ ଗୋଟିଏ କ୍ଷୁଦ୍ର ସୂଚନା ସହ ଆଜିର ଆଲେଖ୍ୟର ଉପସଂହାର। ବ୍ଲାଉଜ ବି କେବଳ ନାରୀର ଛାତିକୁ ଆଢୁଆଳ କରି ରଖିବାକୁ ସମର୍ଥ ହୋଇନାହିଁ। ଆମର ପୁରୁଷକୈନ୍ଦ୍ରୀକ ଆଖିମାନ ଯଥେଷ୍ଠ ଫୁଙ୍ଗୁଳାପଣ ଦେଖିବାକୁ ଆଗ୍ରହୀ।ତେଣୁ ବ୍ଲାଉଜ ପଛରେ ଆଉ ଏକ ଆବରଣର ଆବଶ୍ୟକତା ପଡିଲା କ୍ରମଶଃ। ଦୁଇଟି ରୁମାଲ୍ କୁ ଏକତ୍ର ବାନ୍ଧିବାର ଧାରଣାଟିଏ ଆସିଥିଲା।ଆଉ ସେହି ଧାରଣା ଆଧୁନିକ ବ୍ରାର ରୂପ ନେଇଥିଲା। ଆଉ ଏହି ପରିକଳ୍ପନାର ପାଟେଣ୍ଟ ବା ମୂଳ ଅଧକାରଟି ଯାହା ପାଖରେ ରହିଛି ସେ ଜଣେ ଆମେରିକୀୟ ମହିଳା। ତାଙ୍କର ନାଆଁ ହେଉଛି ମେରି ଫେଲପ୍ସ ଜାକବ (୧୮୯୧-୧୯୭୦)।
ମାତ୍ର ମେରି ଜାକବଙ୍କୁ ବ୍ରା-ଜନନୀ ହିସାବରେ ସେତେ ଅଧିକ ଲୋକେ ଜାଣନ୍ତିନାହିଁ। ଅଧିକ ଲୋକେ ଜାଣନ୍ତି ସେ ଜଣେ ପୁସ୍ତକ ପ୍ରକାଶିକା, ଆର୍ଣ୍ଣେଷ୍ଟ ହେମିଙ୍ଗୱେ ଆଉ ହେନେରୀ ମିଲରଙ୍କ ଭଳି ବିଶ୍ୱ ବିଖ୍ୟାତ ଜନପ୍ରିୟ ଲେଖକମାନଙ୍କର ଲେଖାର ସେ ପ୍ରକାଶିକା।
( ଏହି ଲେଖାର ତଥ୍ୟସୂତ୍ର ପ୍ରଫେସର୍ ଗୁଲାମ ମୁର୍ଶିଦଙ୍କ ରଚିତ “ବେଙ୍ଗଲି କଲଚର୍ : ଓଭର୍ ଏ ଥାଉଜାଣ୍ଡ ଇୟରସ୍” ପୁସ୍ତକରୁ ଗୃହୀତ ।)
Comments are closed.