Latest Odisha News

ଚେତନାର ସୌନ୍ଦର୍ଯ୍ୟ ହିଁ ନାରୀଶକ୍ତିର ବିଶେଷତ୍ବ

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ନାରୀ ସୃଜନର ଓଁକାର, ସଂକଲ୍ପ , ସାଧନାର ସୁନ୍ଦର ସବୁସକାଳ। ସେ ଗଢ଼ି ଦେଇପାରେ ସବୁକିଛି ସୁନ୍ଦର ଓ କରିପାରେ ସୁରଭିତ। ପ୍ରତି ନାରୀ ପାଖରେ ଥାଏ ବଉଳର ବାସ୍ନା, ତା’ ସ୍ବପ୍ନ ସହକାରର ମହକ । ତା’ଆଶା ଆକାଶରେ ସବୁବେଳେ ଥାଏ ଇନ୍ଦ୍ରଧନୁର ବର୍ଣ୍ଣବିଭା। ନାରୀଟିଏ ସମାଜର ଟିକିନିଖି ଘଟଣାରୁ ମଞ୍ଜଟି ବାହାର କରି ବିରଳଢ଼ଙ୍ଗରେ ପରଷି ଦେବାର ସାମର୍ଥ୍ୟ ରଖିଥାଏ ତା’ର କଳା,ସାହିତ୍ୟ, ସଙ୍ଗୀତ ବା ଅନ୍ୟାନ୍ୟ ସାମାଜିକ ଦାୟିତ୍ୱରେ। ସେ ଲାସ୍ୟମୟୀ, ସ୍ନେହମୟୀ, ମମତାମୟୀ ଓ ତା’ ସଂପ୍ରୀତିରେ ବାନ୍ଧି ରଖେ ବସୁନ୍ଧରା , ତ୍ୟାଗରେ ବିଭାସିତ କରେ ସଂସାର । କୌଣସି ପ୍ରାପ୍ତିର ପ୍ରତ୍ୟାଶା ନରଖି ସେ ଅକଳନ ଦୁଃଖ ଦହନକୁ ସ୍ବାହା କରିନେଇ ସବୁରି ଓଠରେ ଫୁଟାଇପାରେ ମଧୁର ହସ। ମାଟି ମା’ପରି ସେବା ଓ କରୁଣାର ମୁର୍ତ୍ତିମତୀ ମହୀୟସୀ ସେ । ପ୍ରାଚୀନ କାଳରୁ ବେଦରେ ନାରୀକୁ ତା’ଜୀବନର ଦୁର୍ଗମ ପଥ ଅତିକ୍ରମ କରିବା ପାଇଁ ପ୍ରେରଣା ଦିଆଯାଇଛି। ଅଥର୍ବ ବେଦରେ କୁହାଯାଇଛି ” ପ୍ରସ୍ତରପୂର୍ଣ୍ଣ ଭୟଙ୍କର ନଦୀ ବେଗରେ ପ୍ରବାହିତ ହେଉଛି। ନାରୀ ତୁମେ ଉଠ, ସଙ୍ଗଠିତ ହୁଅ, ଏହାକୁ ଅତିକ୍ରମ କର” । ବେଦରେ ଏହିପରି ଅନେକ ନାରୀ ବିଷୟକ ପ୍ରେରଣାଦାୟୀ ବର୍ଣ୍ଣନା ରହିଛି । ସେଗୁଡିକ ଅତ୍ୟନ୍ତ ଗୌରବପୂର୍ଣ୍ଣ ଭାବନାରେ ମଣ୍ଡିତ ।

ପୁରୁଷ ଓ ନାରୀ ଉଭୟ ଉଭୟଙ୍କ ପାଖରେ ବନ୍ଧା। ଦେଖିବାକୁ ଗଲେ ନାରୀଶକ୍ତି ଓ ପୁରୁଷ ଶକ୍ତି ବୋଲି ଦୁଇଟି ଅଲଗା ଶକ୍ତି କିଛି ନାହିଁ। ଶକ୍ତି ହେଉଛି ଗୋଟିଏ।ତାହା ଇଶ୍ବରଙ୍କ ଶକ୍ତି ବା ଆତ୍ମାର ଶକ୍ତି ମଧ୍ୟ କୁହାଯାଇପାରେ। ତେବେ ସେହି ଶକ୍ତିର ଗ୍ରହଣ ଓ ପ୍ରକାଶ ,ସଂଚରଣ ଓ ପ୍ରବାହ ନାରୀମାନଙ୍କ ଭିତରେ ବା ସେମାନଙ୍କ ମାଧ୍ୟମରେ ଅଧିକ ହୋଇଥାଏ। ନାରୀ ହିଁ ସନ୍ତାନକୁ ପ୍ରସବ କରି ଜନ୍ମ ଦେଇଥାଏ, ତାକୁ ଲାଳନପାଳନ କରେ । କାରଣ କେବଳ ନାରୀର ଦେହ ଓ ସତ୍ତା ଭିତରେ ଏହି କ୍ଷମତାକୁ ବିଶ୍ବପ୍ରକୃତି ଦେଇଛି। ଏ ଦିଗରେ ପୁରୁଷର ଭୂମିକା କେବଳ ସମର୍ଥନ ଓ ସହଯୋଗ। ନିଜର ଘରସଂସାର ,ପରିବାର ଛଡା ନାରୀଟି ଶିକ୍ଷିତ ହୋଇ ଅନେକ କ୍ଷେତ୍ରରେ କର୍ମଜୀବି ହୁଏ, ପରିବାରକୁ ନିର୍ଭରଶୀଳତା ଦିଏ ଓ ସେମାନଙ୍କ ମହନୀୟ ଦେବସତ୍ତାର ସେ ଅଂଶ ବିଶେଷ ପାଲଟି ଯାଏ। କିନ୍ତୁ ଏ ସବୁକୁ ଶୃଙ୍ଖଳିତ କରି ବିନିଯୋଗ କରିବାକୁ ହୁଏ ସମାଜର ରୁଚିପୂର୍ଣ୍ଣ ଜୀବନ , ସଂସ୍କୃତିର କାନ୍ଥ ମାଧ୍ୟମରେ। ବିକଶିତ ଶିକ୍ଷା ନାରୀକୁ ଆଲୋକ ଆଡ଼କୁ ହିଁ ନେଇଯାଏ ।

ସାଧାରଣତଃ ସାହିତ୍ୟ, କଳା,ସଙ୍ଗୀତ ଆଦି ସୃଜନଶୀଳ କ୍ରିୟା କଳାପରେ ନାରୀର ଦୈହିକ ସୌନ୍ଦର୍ଯ୍ୟକୁ ଚେତନାର ସୌନ୍ଦର୍ଯ୍ୟ ଅପେକ୍ଷା ଅଧିକ ସ୍ଥାନ ଦିଆଯାଇଛି। କିନ୍ତୁ ଚେତନାର ସୌନ୍ଦର୍ଯ୍ୟ ହିଁ ନାରୀଶକ୍ତି ର ବିଶେଷତ୍ବ । ନାରୀର ଚେତନା ସୂକ୍ଷ୍ମ ବିଚାର ଓ ଜ୍ଞାନ, ସହିଷ୍ଣୁତା ,ହୃଦୟବତ୍ତା ତଥା ସବୁ କ୍ଷେତ୍ରରେ ପରିଚାଳନାଗତ ସାମର୍ଥ୍ୟ ଆଦିର ବିପୁଳ ଭଣ୍ଡାର। ସମାଜର ବିକାଶ କ୍ଷେତ୍ରରେ ସେଗୁଡିକର ଠିକ୍ ଉପଯୋଗ ହେବା ଉଚିତ। କର୍ମକ୍ଷେତ୍ରରେ ଯେତେବେଳେ ନାନା ସଂଶୟ, ଦ୍ବନ୍ଦ, ମତଭେଦ ଓ ଅଭିଯୋଗ ଆଦିର ଭୂଲ ବାତାବରଣ ସୃଷ୍ଟି ହୁଏ ସେତେବେଳେ ଏ ସବୁର ସୁଚାରୁରୂପେ ସମାଧାନ ଆଣିବାର ନେତୃତ୍ବ ବା ସୂତ୍ର ନାରୀ ଚେତନାରେ ଅଧିକ ଥିବାର ଦେଖାଯାଏ।କାରଣ ନାରୀ ଚେତନାରେ ହିଁ ରହିଛି ଉଭୟ କୋମଳତା ଓ କଠୋରତାର ଅପୂର୍ବ ସମନ୍ବୟ। ପ୍ରକୃତ ସତ୍ୟକୁ ବୁଝିବାକୁ ତା’ ଅନ୍ତର୍ଦୃଷ୍ଟି ଅଧିକ ଥାଏ। କେତେବେଳେ କେଉଁଠାରେ ଶୃଙ୍ଖଳାର ଅଧିକ ପ୍ରୟୋଗ ବା କୋହଳ ଓ ଶିଥିଳ କରିଦେବା ଉଚିତ ,ନାରୀ ଚେତନା ତାହା ଅଧିକ ଭଲ ଭାବରେ ବୁଝିପାରେ,ହୁଏତ ନାରୀମାନେ ନିଜର ଏହି ଅନ୍ତର୍ନିହିତ ଶକ୍ତି ସମ୍ପର୍କରେ ଯଥେଷ୍ଟ ଆତ୍ମସଚେତନ ନୁହନ୍ତି , କିନ୍ତୁ ସେମାନଙ୍କ ପାଇଁ ଆତ୍ମସଚେତନତାର ସେହି ସୁଯୋଗର ଦ୍ବାର ଖୋଲିଦେବା ଏକ ସାମାଜିକ ଦାୟିତ୍ୱ।

ଜୀବନ ହେଲା ଏକ ଗତି ଓ ପ୍ରୟାସ।ଆଗକୁ ଆଗକୁ ମାଡ଼ି ଚାଲିବାକୁ ହେବ ଆମକୁ। ସୁତରାଂ ଭବିଷ୍ୟତର ଏକ ଉଜ୍ଜ୍ୱଳ ସମ୍ଭାବନା ପାଇଁ ନାରୀ ର ଅନ୍ତର୍ଚେତନାର ବିକାଶ ଅପରିହାର୍ଯ୍ୟ।

ଫୋନ-୮୨୮୦୯୫୨୭୫୦

Comments are closed, but trackbacks and pingbacks are open.