ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୭
ଗୋଟିଏ ଶବ୍ଦରେ କହିଲେ ଆମେ ସମସ୍ତେ ହେଉଛୁ ଖାଦକ । ଜୀବନ ଧାରଣ ପାଇଁ ଏହା ଅପରିହାର୍ଯ୍ୟ ଆବଶ୍ୟକତା । ଯିଏ ଯାହା ଯେତେ ପରମାର୍ଥରେ କହୁ ପଛକେ ଆମେ ଏହି ଭଳି ଗୋଟିଏ ଅବସ୍ଥାନରୁ ତ କଦାପି ଅନ୍ୟତ୍ର ଯାଇପାରିବୁ ନାହିଁ। ସୁଖ ହେଉ କି ଦୁଃଖ ହେଉ, ଜନ୍ମ ହେଉ କି ମରଣ, ଭୂମିକମ୍ପ ହେଉ କି ନଈବଢି ସବୁବେଳେ ନିୟମିତ ବ୍ୟବଧାନରେ ଆମର ଖାଦକପଣ ପ୍ରତିଷ୍ଠିତ ହେଉଥିବା କଥା ଥୟ । ଆଉ ଆମର ଏହି ଦୁର୍ନିବାର ଖାଦକପଣକୁ ନେଇ ଆମର ଅନେକ ଅହଙ୍କାର ।
ଆମର ଠାଆରେ ଯଦି ଛଅ ତିଅଣ ନଅ ଭଜା ରହିଛି ସେଇଟି ଆମର ଅହଂକାର ଆଉ କ୍ଷମତାସଂପନ୍ନ ଆଭିଜାତ୍ୟ ର ପରିପ୍ରକାଶ । ସେହି ଦୃଷ୍ଟିରୁ ଆମେ ସମସ୍ତେ ନିଜକୁ ଜଣେ ଜଣେ ମହାନ ଖାଦକ ବୋଲି ମନେ କରିଥାଉ । ସମସାମୟିକ ସ୍ୱାସ୍ଥ୍ୟ ସଚେତନ ଯୁଗରେ ଖାଦ୍ୟକୁ ସଂଜତ ତଥା ନିୟନ୍ତ୍ରିତ କରି ରଖିବା ଭଳି ସଚେତନତାରେ ବି ଆମର ମହାନ ଖାଦକ ପଣର ପ୍ରକାଶ ଘଟୁଥାଏ ।
ତେଣୁ ଉଭୟ ଖାଦ୍ୟର ବହ୍ୱାଡମ୍ବରରେ ଏବଂ ଖାଦ୍ୟର ପରିସୀମୀତ ନିୟନ୍ତ୍ରଣରେ ଆମର ଖାଦକ ପଣ ରହିଥାଏ ବୋଲି କହିଲେ କଥାଟି ଭୁଲ୍ ହୋଇଯିବ ନାହିଁ ।ପ୍ରଥମେ ଜଣେ ଖାଦ୍ୟ ସଂସ୍କାରକଙ୍କ କଥା।
ସମସାମୟିକ ହେବାକୁ ହେଲେ ପ୍ରଥମେ ତମର ଖାଦ୍ୟକୁ ଯଥାସମ୍ଭବ ନିୟନ୍ତ୍ରଣକୁ ଆଣିବାକୁ ପଡିବ। ଏହିଭଳି ବିଶ୍ୱାସ ରଖୁଥିବା ତଥା ନିଜର ଜୀବନସାରା ଖାଦକ-ପ୍ରବୃତ୍ତିରେ ନିରନ୍ତର ସୁଧାର ଆଣିବା ପାଇଁ ଏହି ଉତ୍ସର୍ଗୀକୃତ ଖାଦ୍ୟ ସଂସ୍କାରକ ଜଣକ ହେଉଛନ୍ତି ସିଲଭେଷ୍ଟର ଗ୍ରାହାମ (୧୭୯୪-୧୮୫୧) । ସେ ବସ୍ତୁତଃ ଜଣେ ଆମେରିକୀୟ ଧର୍ମଧାରକ ମାତ୍ର ଜୀବନ ସାରା କେବଳ ମଣିଷର ଖାଦ୍ୟ ଅଭ୍ୟାସ କେଉଁପରି ହାନିକାରକ ନହୁଏ ସେଥିପ୍ରତି କହିବାକୁ ଗଲେ ସେ ନିଜର ସଂଗ୍ରାମ ଜାରି ରଖିଥିଲେ । ତାଙ୍କୁ ବିଶେଷରେ “ହସ୍ତ ମୈଥୁନ” ର ବିରୁଦ୍ଧରେ ଜଣେ ନିଷ୍ଠାପର କ୍ରୁସେଡର ହିସାବରେ ଗଣନା କରାଯାଏ । ମାଂସାହାର ଦ୍ୱାରା କାମ-ପ୍ରବୃତ୍ତି ଜାଗରିତ ହୋଇଥାଏ , ପାକସ୍ଥଳୀ ହେଉଛି ସମସ୍ତ ଅସୁଖର କେନ୍ଦ୍ରସ୍ଥଳ ଏବଂ କ୍ଷୁଧା ଓ ଯୌନାଚାର ମଣିଷର ସମସ୍ତ ପ୍ରତିଷେଧକ ଶକ୍ତିକୁ ନିର୍ବଳ କରିଥାଏ ବୋଲି ତିନୋଟି ନିଜ-ଧାରଣାକୁ ସେ ତତ୍ତ୍ୱ ଆକାରରେ ଲୋକମାନଙ୍କ ସାମ୍ନାରେ ଦୃଢତାର ସହ ଉପସ୍ଥାପନ କରୁଥିଲେ । ଗ୍ରାହାମଙ୍କର ଲୋକମାନଙ୍କ ପାଇଁ ଯେଉଁ ଖାଦ୍ୟ-ନିର୍ଦ୍ଦେଶିକା ଟି ରହିଥିଲା ତାହାକୁ ଅତି ସରଳରେ କହିଲେ ଏହିପରି ଥିଲା,ଏକ : ତମେ ତମର ରାତ୍ରୀକାଳୀନ ବୀର୍ଯ୍ୟ-ବମନକୁ ଯଥାସମ୍ଭବ ପରିହାର କରିବ, ଦୁଇ,ସହଜରେ ହଜମ ହୋଇ ପାରୁଥିବା ଖାଦ୍ୟ ଖାଇବ ଯାହା ଫଳରେ କୋଷ୍ଠକାଠିନ୍ୟ କୁ ଦୂରୀଭୂତ କରାଯାଇପାରିବ,ତିନି,ଯୌନ-ନରମ ପନ୍ଥୀ ଅର୍ଥାତ୍ ବିବାହିତ ଦମ୍ପତ୍ତିଙ୍କ କ୍ଷେତ୍ରରେ ମାସକରେ ନ୍ୟୁନତମ ଥରେ( ତାହା ପୁଣି ଅତ୍ୟନ୍ତ ଆବଶ୍ୟକ ହେଲେ) ସ୍ତ୍ରୀ-ସଂସର୍ଗ କରିପାର । ୧୮୩୪ ଖ୍ରୀଅ ରେ ସେ “ହିଜ୍ ଲେକଚର୍ ଟୁ ୟଙ୍ଗ ମ୍ୟାନ୍” ଶୀର୍ଷକରେ ବହିଟିଏ ଲେଖିଥିଲେ । ଏହି ବହିଟି ହେଉଛି ହସ୍ତ ମୈଥୁନ ର ଅପକାରିତା ସଂପର୍କରେ ପ୍ରଥମ ଚିକିତ୍ସାଶାସ୍ତ୍ର ଭିତ୍ତିକ ବୃତ୍ତାନ୍ତ ଯେଉଁଠି ଏହି ହସ୍ତକର୍ମଟି କେଉଁ ଭଳି ଉଭୟ ଶରୀର ଆଉ ମନକୁ ରୋଗାକ୍ରାନ୍ତ କରିଥାଏ ତାହାର ସବିଶେଷ ବିବରଣୀ ରହିଅଛି । ବସ୍ତୁତଃ ନିରାମିଷାଶୀ ଖାଦ୍ୟର ପ୍ରବକ୍ତା ଏହି ସିଲଭେଷ୍ଟର ଗ୍ରାହାମ ଙ୍କ ଖାଦ୍ୟ ସଂସ୍କାର ତଥା ହସ୍ତ ମୈଥୁନ ବିରୋଧୀ ଆନ୍ଦୋଳନର ପ୍ରଭାବ ସେତେବେଳେ ଯଥେଷ୍ଟ ଥିଲା । ଆମର ଆଜି କାଲି ଯାହା ପ୍ରାତଃରାଶରେ ହୁଏତ ଥାଏ ଅର୍ଥାତ୍ ସେହି “କର୍ଣ୍ଣ-ଫ୍ଲେକସ୍” ର ଉଦ୍ଭାବକ ଜନ୍ ହାର୍ଭେ କେଲୋଗ୍ ଏହି ସାଲଭେଷ୍ଟର ଗ୍ରାହାମଙ୍କ ଖାଦ୍ୟ-ଚିନ୍ତା ତଥା ଖାଦ୍ୟ-ସଂସ୍କାର ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ଥିଲେ । ଆଉ ଗୋଟିଏ କଥା । ଏହି ଖାଦ୍ୟ-ସୁଧାରକ ଙ୍କ ନାଆଁରେ ଗୋଟିଏ ଖାଦ୍ୟ ଉଦ୍ଭାବନର କୃତିତ୍ତ୍ୱ ରହିଅଛି । ତାହାର ନାଆଁ ହେଉଛି ଗ୍ରାହାମ’ସ କ୍ରାକର୍ । ନା,କ୍ରାକର କହିଲେ ବାଣ ନୁହଁ,ଅଟାରେ ତିଆରି ଏକପ୍ରକାର ମୁଡମୁଡିଆ ବିସ୍କୁଟ,ତାହା କିନ୍ତୁ ପୁରାପୁରି ବିସ୍କୁଟ ନୁହଁ ।
ଖାଦ୍ୟ-ସଂସ୍କାରକଙ୍କ ପାଖରୁ ଏବେ ଜଣେ ମହାନ ଖାଦକଙ୍କ ପାଖକୁ ଯିବା । ଖାଦ୍ୟ ନିୟନ୍ତ୍ରଣରୁ ଏବେ ସଂପୂର୍ଣ୍ଣ ଖାଦ୍ୟ-ବ୍ୟଭିଚାର ର ଗୋଟିଏ ଅଦ୍ଭୁତ କଥା। ଏହି ମହାନ ଖାଦକ ହେଉଛନ୍ତି ଜଣେ ରାଜା । ଆମେ ଯେତେବେଳେ ଖାଦ୍ୟ ଆଉ ରାଜାକୁ ଏକାଠି କରିବା ସେତେବେଳେ ଦେଖିବା ଯେ କ୍ଷମତା ର ଅଂହକାର ଖାଦ୍ୟକୁ ବି ସ୍ୱୈରାଚାରିତା ରେ ରାଜାର ଅନୁରୂପ ଯଥେଷ୍ଟ ପରିଭାଷିତ କରିଥାଏ ।
ଏହି ମହାନ ଖାଦକ ଅର୍ଥାତ୍ ଏହି ରାଜା-ଖାଦକଙ୍କ ନାଆଁ ହେଉଛି ସମ୍ରାଟ୍ ଏଲେଗାବାଲୁସ୍ । ଏଲେଗାବାଲୁସ୍ ହେଉଛନ୍ତି ଜଣେ ରୋମାନ୍ ନରପତି । ତାଙ୍କର ସମଗ୍ର ଆୟୁକାଳ ହେଉଛି ୨୦୪ ଖ୍ରୀଅ ରୁ ୨୨୨ ଖ୍ରୀଅ,ମାତ୍ର ଅଠର ବର୍ଷ ର ସମୟ । ଏହି ଅଠର ବର୍ଷ ର ସମୟରୁ ସେ ଶେଷ ଆଡକୁ ମାତ୍ର ଚାରି ବର୍ଷ ପାଇଁ ରୋମ୍ ର ସମ୍ରାଟ ଥିଲେ । ଆଉ ଅଧିକ ସମୟ କାହିଁକି ସେ ଶାସନ ଗାଦୀରେ ରହି ପାରିଲେ ନାହିଁ,କାହିଁକି ତାଙ୍କର ଅପଘାତ ରେ ମୃତ୍ୟୁ ହେଲା ତାହା ବିସ୍ତାରରେ କହିବା ଆବଶ୍ୟକ ହେବ ନାହିଁ ।ତାଙ୍କର ଖାଦକ ପଣରୁ ଏଇ ପ୍ରସଂଗଟି ଆପଣମାନେ ଠିକ୍ ଧରିପାରିବେ । ଅବଶ୍ୟ ତାଙ୍କର ଖାଦକ-ପଣ ବ୍ୟତୀତ ତାଙ୍କ ବିଷୟରେ ଅଧିକ ସେମିତି କିଛି କହିବା ପାଇଁ ମିଳିବ ନାହିଁ।
ସମ୍ରାଟ ଏଲେଗାବାଲୁସ୍ ଅତ୍ୟନ୍ତ ଖାଦ୍ୟପ୍ରିୟ ଥିଲେ । ପ୍ରତି ବାରଘଣ୍ଟା ଅନ୍ତରରେ ତାଙ୍କର ଉଆସରେ ରାଜକୀୟ-ଭୋଜ ବା ବାଙ୍କ୍ୟୁଏଟ୍ ମାନ ଆୟୋଜନ କରାଯାଉଥିଲା । ସେ ସମୟର ସଂଭ୍ରାନ୍ତ ମାନଙ୍କ ଭିତରୁ ନିର୍ବାଚିତ କରି ନିୟମିତ ଭାବରେ ସେହି ଭୋଜିସଭାରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ରାଜା ଏଲେଗାବାଲୁସ୍ ସେହି ଭୋଜିରେ ପରଷାଯାଉଥିବା ଖାଦ୍ୟରେ ସବୁବେଳେ ନୂତନତା , ବୈଚିତ୍ର୍ୟ ତଥା ପରୀକ୍ଷାମୂଳକ ଅଭିନବତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କରୁଥିଲେ ।ସେଇଥିପାଇଁ ସମ୍ରାଟ ଙ୍କୁ ଯେଉଁ ବିଚିତ୍ର ଖାଦ୍ୟ ପରଷା ଯାଉଥିଲା ତାହା ଭିତରେ ରହିଥିଲା ଓଟ ର ବ୍ରେନ୍, କୁକୁଡାର ମୁକୁଟ, ମୟୁର ଆଉ ନାଇଟିଙ୍ଗେଲର ଜିଭ, ଫ୍ଲେମିଙ୍ଗୋ, ପାରା ପ୍ରଭୃତି ପକ୍ଷୀଙ୍କ ମଥା, ମୁଲେଟ୍ ବୋଲି ଗୋଟିଏ ସମୁଦ୍ରମାଛର କଲିଜା, ଘୁଷୁରି ଛୁଆର ଥନ, ଏଇ ଭଳି ଅନେକ କିଛି ।
ସମ୍ରାଟଙ୍କ ସାମ୍ନାରେ ଏଇ ଭଳି ଖାଦ୍ୟ ପରଷାଯାଉଥିଲା ସତ ହେଲେ ସେହି ଭୋଜିସଭାରେ ଯୋଗ ଦେଉଥିବା ସଂଭ୍ରାନ୍ତମାନଙ୍କୁ ପରଷାଯାଉଥିବା ଖାଦ୍ୟ କିନ୍ତୁ ଭିନ୍ନ ପ୍ରକାର ର ଥିଲା । ସମ୍ରାଟଙ୍କୁ ଯାହା ଯାହା ଖାଦ୍ୟ ଆକାରରେ ପରଷା ଯାଉଥିଲା ଅବିକଳ ସେହି ଭଳି ଦେଖାଯାଉଥିବା ଖାଦ୍ୟ ସବୁ ସେଠାରେ ଉପସ୍ଥିତ ସଂଭ୍ରାନ୍ତମାନଙ୍କୁ ପରଷା ଯାଉଥିଲା । ସଂଭ୍ରାନ୍ତମାନଙ୍କୁ ପରଷା ଯାଉଥିବା ଖାଦ୍ୟ କିନ୍ତୁ ସମ୍ରାଟଙ୍କୁ ପରଷାଯାଉଥିବା ଖାଦ୍ୟ ଭଳି ଅସଲ ଖାଦ୍ୟ ନଥିଲା । ସଂଭ୍ରାନ୍ତମାନଙ୍କ ସାମ୍ନାରେ କାଠରେ, ପଥରରେ, ମାଟିରେ ଆଉ ହାତୀଦାନ୍ତରେ ତିଆରି ହୋଇଥିବା ସମ୍ରାଟଙ୍କୁ ଖାଦ୍ୟର ପ୍ରତିରୂପ ମାନ ହିଁ ପରଷା ଯାଉଥିଲା। ଉଦାହରଣ ଆକାରରେ କହିଲେ ଯଦି ସମ୍ରାଟଙ୍କ ସାମ୍ନାରେ ଖାଇବା ପାଇଁ ଅସଲ ଗୋରୁର ମଥା ରହିଛି ତେବେ ସଂଭ୍ରାନ୍ତମାନଙ୍କୁ ଦିଆଯାଇଛି ଠିକ୍ ସେହିଭଳି ଦିଶୁଥିବା ଗୋରୁର ମଥା, ମାତ୍ର ତାହା ଖାଦ୍ୟର ଏକ ସ୍ଥାପତ୍ୟ, ମାଟିରେ କି ପଥରରେ କି ଆଉ କେଉଁଥିରେ ତାହା ତିଆରି ।
ଉପସ୍ଥିତ ସଂଭ୍ରାନ୍ତମାନଙ୍କୁ ସେହି ଭଳି ପରଷାଯାଇଥିବା ଖାଦ୍ୟର ସ୍ଥାପତ୍ୟ ମାନଙ୍କୁ ଖାଇବାକୁ ପଡୁଥିଲା । ରାଜା ଅସଲ ଖାଦ୍ୟ ଖାଉଥିବା ବେଳେ ଉପସ୍ଥିତ ସଂଭ୍ରାନ୍ତରେମାନେ ଖାଇବାର ଅଭିନୟ କରୁଥିଲେ । ସନ୍ତୁଷ୍ଠ ହେବାର ଅଭିନୟ କରୁଥିଲେ । ଏବଂ ଏଇ ସବୁକୁ ଦେଖି ରାଜା ଏଲେଗାବାଲୁସଙ୍କ ଭୋଜନପର୍ବ ତୃପ୍ତିପ୍ରଦ ଭାବରେ ସମାହିତ ହେଉଥିଲା । ସେ ସମୟରେ ରୋମାନ ଭୋଜିସଭା ବା ବାଙ୍କ୍ୟୁଏଟର ମଝିରେ ନିର୍ଦ୍ଧାରିତ ପ୍ରକୋଷ୍ଠକୁ ଯାଇ ବାନ୍ତି କରିବା ଏବଂ ତାହାପରେ ଆସି ପୁଣି ଭୋଜନରେ ଯୋଗଦେବାର ବ୍ୟବସ୍ଥା ରହୁଥିଲା । ତାହା ସହିତ ଭୋଜିର ମଝିରେ ସେଇଭଳି ଅନ୍ୟପ୍ରକୋଷ୍ଟକୁ ଯାଇ ସେଠାରେ ସ୍ତ୍ରୀ-ସଂସର୍ଗ କରି ତାହାପରେ ଆସି ପୁଣି ଖାଦ୍ୟରେ ଯୋଗଦେବାର ନିୟମ ଥିଲା । ରାଜା ଏଲେଗାବାଲୁସ୍ ଏହି ସମସ୍ତ ଭୋଜନପର୍ବର ମଧ୍ୟାନ୍ତରରେ ଯାଇ ବମନକ୍ରିୟା ତଥା ଶରୀରକ୍ରିୟା ସମାପ୍ତ କରି ପୁନଶ୍ଚ ଭୋଜନ ପର୍ବକୁ ପ୍ରତ୍ୟାଗମନ କରିବା ଭଳି କଥାକୁ ଉପସ୍ଥିତ ସଂଭ୍ରାନ୍ତ ବର୍ଗଙ୍କୁ ବି ଅନୁକରଣ କରିବାକୁ ହେଉଥିଲା । ମାତ୍ର ସଂଭ୍ରାନ୍ତମାନେ ନିର୍ଦ୍ଧାରିତ ପ୍ରକୋଷ୍ଟକୁ ଯାଇ ଖାଇବା ଭଳି ବମନକ୍ରିୟାର ଅଭିନୟ କରୁଥିଲେ,ଶରୀରକ୍ରିୟାର ବିକଳ୍ପ ଭାବରେ ସେମାନଙ୍କୁ ହସ୍ତ ମୈଥୁନ କରିବାକୁ
ହେଉଥିଲା ।
ଥରେ ସଂଭ୍ରାନ୍ତମାନେ ରାଜା ଏଲେଗାବାଲୁସଙ୍କୁ ଏହିଭଳି ଗୋଟିଏ ରାତ୍ରଭୋଜ ପାଇଁ କୃତଜ୍ଞତା ଜଣାଇଥିଲେ । କୃତଜ୍ଞତା ଜଣାଇବା ସମୟରେ ସେଠିକାର ଗୋଲାପଫୁଲ ର ସାଜସଜ୍ଜାକୁ ପ୍ରଶଂସା କଲାବେଳେ ସେମାନଙ୍କ ଭିତରୁ କିଏ ଜଣେ କହିଦେଇଥିଲା, ଫୁଲରେ ଯଦି ଆଉ ଟିକିଏ ବାସ୍ନା ଥାଆନ୍ତା ତାହାହେଲେ ଖାଇବାର ଆନନ୍ଦ ଅଧିକ ହୋଇଥାନ୍ତା । ରାଜା ଏଲେଗାବାଲୁସ ସେମାନଙ୍କୁ ଅନୁଗୃହିତ କରିଥିଲେ ପରବର୍ତ୍ତି ରାତ୍ରଭୋଜରେ । ସେଇଠି ସେସମସ୍ତଙ୍କୁ ଜଣକପରେ ଜଣଙ୍କୁ ହତ୍ୟାକରାଯାଇଯାଇ ସେମାନଙ୍କର ରକ୍ତରେ ଗୋଲାପଫୁଲକୁ ଆହୁରି ଗାଢ କରାଯାଇଥିଲା । ଆଉ ତାହାପରେ ନିଜର ଭୋଜନସ୍ଥାନରେ ବସି ରାଜା ଏଲେଗାବାଲୁସ ଏକେଲା ଯେମିତି ପୃଥିବୀର ସବୁଠୁ ମଧୁରତମ ସୁବାସ ଆଘ୍ରାଣ କରିବାକୁ ସମର୍ଥ ହେଉଛନ୍ତି ,ସେଇଭଳି ତୃପ୍ତି ର ସହ କହିଥିଲେ, ଆଃ ।
ତେଣୁ ଖାଦକ ପାଇଁ କେବଳ ଖାଦ୍ୟ ବା ପାଚକ ନୁହଁ , ସେଇଠି କଳାକାର ଥାଏ , ଅହଂକାର ବି ଥାଏ, କେଉଁଠି ମାତ୍ରାରେ ଅଧିକ ତ କେଉଁଠି ନିହାତି କମ୍ ।
Comments are closed.