Latest Odisha News

ସ୍ୱଳ୍ପ ଗଳ୍ପ : ହାମଲେଟର ପ୍ରେତ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୨

ସେମାନଙ୍କୁ କୁହାଯାଉଥିଲା “ଶେକସପିଅରର୍ସ ବୟଜ୍”।

ସେମାନଙ୍କର କାମ କହିଲେ କେବଳ ଏତିକି । ଭିତରେ ପ୍ରେକ୍ଷାଳୟରେ ଯେଉଁ ଅଭିନେତାମାନେ ରିହର୍ସାଲ୍ ବା ଅଭିନୟ କରିବାକୁ ଯାଆନ୍ତି ସେମାନଙ୍କୁ ସେଇଠି ସେଇଥିପାଇଁ ଅନେକ ସମୟ ବିତାଇବାକୁ ପଡିଥାଏ ଆଉ ସେହି ଦୀର୍ଘ ସମୟତକ ସେମାନେ ଯେଉଁ ଘୋଡ଼ା ଉପରେ ସବାର ହୋଇ ନିଜ ଘରୁ ପ୍ରେକ୍ଷାଳୟ ଯାଏଁ ଯାଇଥାନ୍ତି ସେହି ଘୋଡ଼ାମାନଙ୍କର ଦେଖାଶୁଣା କରିବାର ଆବଶ୍ୟକତା ରହିଥାଏ । ଶେକସପିଅର୍ସ ବୟଜ୍ ନାମରେ ଖ୍ୟାତ ସହରତଳି ଅଞ୍ଚଳର ଏହି ଦରିଦ୍ର ତରୁଣ କିଶୋର ଦଳ ସେହି ଅଭିନେତା ମାନଙ୍କ ଅବର୍ତ୍ତମାନରେ ପ୍ରେକ୍ଷାଳୟର ବାହାରେ ସେମାନଙ୍କର ପ୍ରିୟ ଘୋଡାମାନଙ୍କର ଦେଖାଶୁଣା କରିଥାନ୍ତି । ପ୍ରେକ୍ଷାଳୟ ଭିତରେ ଚାଲୁଥିବା ନାଟକ ସବୁକୁ ସେମାନେ ପାଳି କରି ଦେଖନ୍ତି ଏବଂ ନାଟକ ଏବଂ ଅଭିନେତା ମାନଙ୍କ ସମ୍ପର୍କରେ ସେମାନଙ୍କର ବେଶ୍ ଭଲ ଧାରଣା ରହିଥାଏ । ବାହାରର ସେହି ଘୋଡ଼ା ଜଗାଳୀ ଦଳରେ ଅନେକ ସମୟରେ ଭାରି କଳି ତକରାଳ ହୁଏ । ଯିଏ ନାଟକରେ ନାୟକ ବା ସେମିତି ଦମଦାର୍ ଭୂମିକାରେ ଅଭିନୟ କରୁଥିବା କୌଣସି ଅଭିନେତାର ଘୋଡ଼ାକୁ ଜଗିବାର ଦାୟୀତ୍ୱରେ ଥାଏ ତାହାର ବାରମ୍ବାର ହାକିମାତିକୁ ଯିଏ କୌଣସି ଗୌଣ ଭୂମିକାରେ ଥିବା ଅଭିନେତାର ଘୋଡାକୁ ଜଗିଛି ସେ ମଥାପାତି ସହିଯିବ କାହିଁକି ? ସେ ଯେତେ ଦର୍ଶକର ହାତତାଳି ଆଉ ଚମତ୍କାର ଅଭିନୟର କଥା କହିଲେ ବି ଅନ୍ୟପକ୍ଷରେ ଥିବା ତରୁଣ ଜଣକ ନିଜପାଖରେ ଥିବା ନାୟକର ଘୋଡ଼ାକୁ ଆଉଁସି ଆଣୁଥିବା ବେଳେ ସେକଥାକୁ ମାନିବ କାହିଁକି ? କହିବା କଥା ହେଉଛି ଭିତରେ ପ୍ରେକ୍ଷାଳୟ ରେ ନାଟକରେ ଖଣ୍ଡାଯୁଦ୍ଧ ଚାଲିଥିବା ବେଳେ ପ୍ରେକ୍ଷାଳୟର ବାହାରେ ତରୁଣମାନଙ୍କ ଭିତରେ ଘୋଡ଼ା ଯୁଦ୍ଧ ଚାଲିଥାଏ । ଭିତରେ ଯେତିକି ଦ୍ୱନ୍ଦ୍ୱ ବାହାର ଦ୍ୱନ୍ଦ୍ୱ ବି ସେତେ କମ୍ ପରିମାଣର ନୁହଁ ।

ଶେକପିଅରର୍ସ ବୟଜ୍ ମାନଙ୍କ ଭିତରେ ଘୋଡାଯୁଦ୍ଧ ଯେତେବେଳେ ଘନଘୋର ହେବାକୁ ଆରମ୍ଭ କରେ ସେତେବେଳେ ଏହାକୁ ସମାଧାନ କରିବାକୁ ସେ ଆସିଥାନ୍ତି,ସ୍ୱୟଂ ଶେକସପିଅର୍ । ତାଙ୍କ ସମ୍ପର୍କରେ ସମସ୍ତଙ୍କର ସବୁଠୁ ବଡ ଅଭିଯୋଗ ଯେ ସେ ନିଜର ନାଆଁକୁ କେବେହେଲେ ଠିକ୍ ରେ ସନ୍ତକ କରିପାରିଲେ ନାହିଁ । ସନ୍ତକ କଲାବେଳେ ଭିନ୍ନ ଭିନ୍ନ ବନାନ । ଏଇ ଦୋଷଟି ତାଙ୍କର ଆଉ ବଦଳିଲା ନାହିଁ,ଶେଷ ଯାଏଁ ରହିଗଲା । ନିଜ ନାଆଁର ପାଞ୍ଚଟି ଭିନ୍ନ ଭିନ୍ନ ବନାନ କରିବା ଭଳି କୃତିତ୍ତ୍ୱ ତାଙ୍କର ନାଆଁରେ ରହିଛି । ଶେକସପିଅରର୍ସ ବୟଜଙ୍କ ଭିତରର ଘୋଡ଼ା ଯୁଦ୍ଧକୁ ସମାଧାନ କରିବାକୁ ଆସୁଥିବା ଶେକସପିଅର୍ କିନ୍ତୁ ସେତେବେଳକୁ ଆଜିକା ଭଳି ଶେକସପିଅର୍ ହୋଇ ନଥିଲେ ।

ଏହା ହେଉଛି ଏମିତି ସମୟର କଥା ଯେତେବେଳେଘୋଡ଼ା ଗାଡିର ସେମିତି ସର୍ବସାଧାରଣ ର ବ୍ୟକ୍ତିଗତ ପ୍ରଚଳନ ହୋଇ ନଥାଏ । ତେଣୁ ଅଭିନେତାମାନେ ନିଜ ନିଜ ଘୋଡାରେ ସବାର ହୋଇ ନିଜ ଘରୁ ପ୍ରେକ୍ଷାଳୟକୁ ଯିବା ଆସିବା କରୁଥାନ୍ତି । ଏହା ବି ହେଉଛି ସେହି ସମୟ ଯେତେବେଳେ ଶେକସପିଅର୍ ଙ୍କ ପ୍ରଥମ ପ୍ରେକ୍ଷାଳୟ ପଦାର୍ପଣ ଘଟିଥିଲା । ଶେକସପିଅର୍ ଯେତେବେଳେ ପ୍ରଥମେ ଲଣ୍ଡନରେ ପହଞ୍ଚିଥିଲେ ସେତେବେଳେ ଚଳିବା ପାଇଁ ତାଙ୍କ ପାଖରେ କିଛି ଅର୍ଥ ନଥିଲା କି ସେମିତି କୌଣସି ଚିହ୍ନାଜଣା ନଥିଲେ । ସେମିତି ଏକ ଦୁର୍ଦ୍ଦିନ ସମୟରେ ଯେତେବେଳେ ଆଗକୁ କ’ଣ କରାଯିବ ସେହି ଭଳି କୌଣସି ରାସ୍ତା ନଥିଲା ଆଉ ସେ ଯେତେବେଳେ ସମ୍ପୂର୍ଣ୍ଣ ଦୁଃସ୍ଥ ଆଉ ଅସହାୟ ସେତେବେଳେ ସେ ଅକସ୍ମାତ୍ ଗୋଟିଏ ପ୍ରେକ୍ଷାଳୟର ଦ୍ୱାରଦେଶରେ ପହଞ୍ଚିଯାଇଥିଲେ । ପ୍ରେକ୍ଷାଳୟରେ କୌଣସି ନାଟକର ରିହର୍ସାଲ୍ ଚାଲିଥିଲା ଆଉ ସେଥିରେ ଭାଗ ନେଉଥିବା ଜଣେ ନୂତନ ଅଭିନେତାର ଘୋଡାକୁ ସମ୍ଭାଳିବା କାମ ଶେକସପିଅରଙ୍କୁ ମିଳିଗଲା ।

କ୍ରମଶଃ ସେ ଏହି ଘୋଡ଼ା ଜଗିବା କାମରେ ଦକ୍ଷ ହୋଇ ଉଠିଲେ ଏବଂ ଅଭିନେତାମାନେ ନିଜର ଘୋଡ଼ାକୁ ତାଙ୍କର ଜିମାରେ ଛାଡି ଦେଇ ଭିତରକୁ ଯିବାରେ ସହଜ ଅନୁଭବ କରୁଥିଲେ। ଶେକସପିଅରଙ୍କ ଜିମାରେ ରହୁଥିବା ଘୋଡ଼ାଙ୍କ ସଂଖ୍ୟା କ୍ରମଶଃ ବଢିବାରେ ଲାଗିଲା । ଯେତେବେଳେ ସେ ଦେଖିଲେ ଯେ ସେ ଏକା ଏତେ ଗୁଡିଏ ଘୋଡ଼ାଙ୍କୁ ସମ୍ଭାଳିବା କଷ୍ଟକର ସେ ତେଣୁ ସହରତଳୀ ଅଂଚଳର କିଛି ପିଲାଙ୍କୁ ଡାକି ଆଣି ସେଥିରୁ ନିଜର ସହାୟକ ବାଛିଥିଲେ । ସେହି ସହାୟକ ପିଲାମାନଙ୍କୁ ଅଭିନେତାମାନେ ଗୋଟିଏ ନାଆଁରେ ଡାକୁଥିଲେ,ଶେକପିଅର୍ସ ବୟଜ୍ ।

ସେମାନଙ୍କର ଘୋଡାମାନଙ୍କୁ ଜଗାରଖା କରିବା ଯୋଗୁ ପ୍ରେକ୍ଷାଳୟ ଭିତରକୁ ଯାଉଥିବା ଅଭିନେତା ମାନଙ୍କ ସହ ଶେକସପିଅର୍ ଙ୍କ ବନ୍ଧୁତା ବଢିଲା । ସେମାନେ ଦେଖିଲେ ଯେ,ଏଇ ତରୁଣ ଜଣକ ଆଉ ଯାହା ହେଉନା କାହିଁକି ଭାରି ସୁନ୍ଦର କଥାବାର୍ତ୍ତା କରିପାରେ । ଜଣକୁ ମୋହିତ କରିଦେବା ଭଳି ସେ ଶବ୍ଦ ,ଯେମିତି ସଜ ତୋଳା ଫୁଲ ଚାଙ୍ଗୁଡିଏ ।

ଅଭିନେତାଙ୍କ ଭିତରୁ କିଏ ଜଣେ କହିଥିଲା ଶେକସପିଅରଙ୍କୁ, ଯିବ ଭିତରକୁ ? ମଞ୍ଚ ଉପରକୁ ଯାଇ ଏମିତି କହିବ ?

ଶେକସପିଅର୍ ୱାରୱିକ୍ କାଉଣ୍ଟିର ଷ୍ଟ୍ରାଟଫର୍ଡ-ଅପନ୍-ଏଭନ୍ ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାପା ବୃତ୍ତିରେ ଜଣେ କଂସେଇ ଥିଲେ । ଶେକସପିଅର୍ ଙ୍କୁ ଅନେକ ସମୟରେ ତାଙ୍କର ବାପାଙ୍କୁ ସେଇ କାମରେ ସାହାଯ୍ୟ କରିବାକୁ ହେଉଥିଲା । ପ୍ରତିବେଶୀ ମାନଙ୍କ କହିବା ଅନୁସାରେ ଆଉ ଜଣେ ପ୍ରତିବେଶି କଂସେଇ ର ପୁଅ ତାହାର ବାପାକୁ ଏମିତି ମାଂସ କଟାକଟି କାମରେ ସାହାଯ୍ୟ କରୁଥିଲା । ସେ ଅତ୍ୟନ୍ତ ପ୍ରତ୍ୟୁତ୍ପନ୍ନମତି ଥିଲା । ତାହାର ଚଟୁଳ କଥାବାର୍ତ୍ତାକୁ ଶୁଣିବା ପାଇଁ ସେହି “ବୁଚର୍ ସପ୍” ରେ ଗରାଖଙ୍କ ଧାଡି ଲାଗି ରହୁଥିଲା । ସେ କିନ୍ତୁ ବେଶିଦିନ ବଞ୍ଚି ରହିନଥିଲା । ସେ ଯାହାହେଉ ଶେକସପିଅର୍ କିନ୍ତୁ ସେହି ବ୍ୟାଧପୁତ୍ରକୁ ଅନୁକରଣ କରିବାକୁ ଚେଷ୍ଟା କରୁଥିଲେ । ଶେକସପିଅର୍ ତାଙ୍କ ପିତାଙ୍କୁ ସାହାଯ୍ୟ କଲାବେଳେ ମାଂସକାଟିବା କାମକୁ ଏକ କଳାତ୍ମକ ପର୍ଯ୍ୟାୟକୁ ନେଇଯାଇଥିଲେ। କୌଣସି ଜୀବକୁ ହତ୍ୟା କରିବା ପୂର୍ବରୁ ସବୁଥର ଶେକସପିଅର୍ ଉପସ୍ଥିତ ଗ୍ରାହକ ଜନତାକୁ ଏକ ଦୀର୍ଘ ସମ୍ବୋଧନର ସଂଳାପ ବ୍ୟକ୍ତ କରୁଥିଲେ । ଲୋକମାନଙ୍କର ସେହି ସଂଳାପ ନିମନ୍ତେ ପ୍ରଚୁର ଆକର୍ଷଣ ରହିଥିଲା ।

ସୃଜନ କର୍ମରେ କାହାଣୀ ନିର୍ମାଣ ବେଳେ ଆମକୁ ଏଥିରୁ ଗୋଟିଏ କଥା ଅନ୍ତତଃ ଶିଖିବାକୁ ମିଳିଲା ଯେ, ଆମେ ବାସ୍ତବ ବା ଅବାସ୍ତବ ଯେଉଁ ଭଳି ହତ୍ୟା କରିବାକୁ ଯାଉଛେ ତାହାକୁ ଯଥାସମ୍ଭବ କଳାତ୍ମକ କରିବାକୁ ଚେଷ୍ଟା କରିବା ।

ଉଇଲିଅମ୍ ଶେକସପିଅର୍ ପ୍ରେକ୍ଷାଳୟ ଭିତରକୁ ଯାଇଥିଲେ । ଚରିତ୍ରରେ ଅଭିନୟ ବି କରିଥିଲେ । ମାତ୍ର ଚରିତ୍ରରେ ଅଭିନୟ ତୁଳନାରେ ଚରିତ୍ରର ନିୟନ୍ତ୍ରକ ହିସାବରେ ସେ ଅଧିକ ଦକ୍ଷ ଆଉ ସଫଳ ହୋଇଥିଲେ । ଏକଥା ଆମ ସମସ୍ତଙ୍କୁ ଜଣା ।

ସେ ସମୟରେ ପ୍ରେକ୍ଷାଳୟର ବାହାରେ ଥିବା ପୋଷ୍ଟରରେ ନାଟକରେ ଉଭୟ ଅଭିନୟ କରୁଥିବା ଅଭିନେତାମାନଙ୍କ ନାମ ଏବଂ ସେମାନଙ୍କର ଅଭିନୟ କରୁଥିବା ଭୂମିକାର ନାମ ରହୁଥିଲା । ଏହା ସହିତ ବି ସେମାନେ ପୂର୍ବବର୍ତ୍ତୀ ନାଟକରେ କେଉଁ ଭୂମିକାରେ ଅଭିନୟ କରୁଥିଲେ ସେ କଥା ବି ରହୁଥିଲା । ମାତ୍ର ନାଟକରେ ଅଭିନୟ କରନ୍ତୁ କି ନ କରନ୍ତୁ ପ୍ରେକ୍ଷାଳୟର ବାହାରେ ପୋଷ୍ଟରରେ ଶେକସପିଅରଙ୍କ ନାଆଁ ସହିତ ଯେଉଁ ଭୂମିକାର ଉଲ୍ଲେଖ ରହୁଥିଲା ତାହା ହେଉଛି ହାମଲେଟର ପ୍ରେତ ବା ହାମଲେଟସ୍ ଘୋଷ୍ଟ ।

ଶେକସପିଅରଙ୍କ ହାମଲେଟ୍ ନାଟକରେ ଯେଉଁ ପ୍ରେତଟି ଭୂମିକାରେ ଆସେ ତାହା ଅସଲରେ ହାମଲେଟର ପିତାଙ୍କ ପ୍ରେତ । ତାହାର ନାଆଁ ବି ହାମଲେଟ୍ । ଏହି ହାମଲେଟ୍ ନାମକ ପ୍ରେତ ସମ୍ପୂର୍ଣ୍ଣ ନାଟକରେ ତିନି ଥର ଆବିର୍ଭାବ ହୋଇଛି । କାହାଣୀକୁ ନିୟନ୍ତ୍ରଣକୁ ଆଣି ଶୀର୍ଷବିନ୍ଦୁ ଯାଏଁ ସୁବିଧାରେ ପହଞ୍ଚାଇବା ତାହାର ଏକମାତ୍ର କାମ।

Comments are closed.