ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୨୯
ଗ୍ଲାଡିଏଟର କହିଲେ ସାଧାରଣତଃ ପୁରୁଷ ବୀରମାନଙ୍କୁ ବୁଝାଏ ଯେଉଁମାନେ ରୋମାନ ସାମ୍ରାଜ୍ୟର ଆଦ୍ୟକାଳରେ ସମ୍ରାଟ ତଥା ସର୍ବସାଧାରଣଙ୍କ ସମ୍ମୁଖରେ ହିଂସ୍ର ଜନ୍ତୁ ତଥା ମୃତ୍ୟୁଦଣ୍ଡାଦେଶପ୍ରାପ୍ତ ହୋଇଥିବା ଅପରାଧିଙ୍କ ସହିତ ମରଣଖେଳ ଭଳି ଯୁଦ୍ଧକୁ ଲଢ଼ିଥାଆନ୍ତି । ମରଣ ଖେଳ କହିବାର ଉଦ୍ଦେଶ୍ୟ ହେଉଛି ଗ୍ଲାଡିଏଟରମାନଙ୍କର ଏହି ଖେଳଟିର ସମାପ୍ତି ହୁଏ ଯେତେବେଳେ ପକ୍ଷ ଅଥବା ପ୍ରତିପକ୍ଷ ମଧ୍ୟରୁ କାହାର ଜଣକର ମୃତ୍ୟୁ ଘଟିଥାଏ । ହିଂସ୍ର ଜନ୍ତୁ ଅର୍ଥାତ୍ ସାଧାରଣତଃ ସିଂହକୁ କ୍ଷୁଧାର୍ତ୍ତ କରି ପୂର୍ବରୁ ଏହି ଖେଳ ନିମନ୍ତେ ପ୍ରସ୍ତୁତ କରି ରଖାଯାଇଥାଏ ଆଉ ସେଇଥିପାଇଁ ସେହି ସିଂହଟି ତାହାର ଯଥାଶକ୍ତିକୁ ବିନିଯୋଗକରି ଗ୍ଲାଡିଏଟରକୁ ଶିକାର କରିବା ପାଇଁ ଅଧିକ ହିଂସ୍ର ହୋଇଯାଏ। ଅନ୍ୟ ପକ୍ଷରେ ଗ୍ଲାଡିଏଟର୍ ସେହି ସିଂହ ସହିତ ଲଢି ତାହାକୁ ନିଜର ଶରୀରୀ ସାମର୍ଥ୍ୟରେ ସମ୍ପୂର୍ଣ୍ଣ ପରାସ୍ତ ତଥା ମାରିଦେବାକୁ ପ୍ରୟାସ କରିଥାଏ । ଠିକ୍ ସେହି ଭଳି ଏଇ ଲଢେଇରେ ମୃତ୍ୟୁଦଣ୍ଡାଦେଶ ପାଇଥିବା କଠୋର ଅପରାଧିକୁ ଏକ ଶେଷ ସୁଯୋଗ ମିଳେ । ଯଦି ସେ ଏଥିରେ ତାହାର ବିପକ୍ଷରେ ଲଢୁଥିବା ଗ୍ଲାଡିଏଟରକୁ ହତ୍ୟାକରି ପାରୁଥିଲା ତେବେ ତାହାକୁ ମୁକ୍ତି ଦିଆଯାଇଥିଲା। ତେଣୁ ସେ ଏଇ ଲଢେଇରେ “ଏମିତିରେ ତ ମରଣ ଆଉ ସେମିତିରେ ତ ମରଣ” ତାହାକୁ ଆଖି ଆଗରେ ରଖି ହୁଏତ ମୁକ୍ତିର ଗୋଟିଏ ଶେଷ ସୁଯୋଗ ମିଳିଯାଇପାରେ। ସେହି ଆଶାରେ ନିହାତି ଉଗ୍ର ଭାବରେ ନିଜର ସମସ୍ତ ଶକ୍ତି ଦେଇ ଲଢେଇ ଲଢୁଥିଲା । ଏପଟେ ଗ୍ଲାଡିଏଟରମାନଙ୍କର ତତ୍କାଳୀନ ରୋମାନ ସାମ୍ରାଜ୍ୟରେ ସେମାନଙ୍କର ବୀରତ୍ୱ ଯୋଗୁଁ ଯଥେଷ୍ଟ ଖ୍ୟାତି ରହିଥିଲା ।
ସେ ସମୟର ରୋମାନ ସମାଜରେ ଗ୍ଲାଡିଏଟରମାନଙ୍କର ଗୋଟିଏ ସମ୍ମାନଜନକ ଭୂମିକା କେଉଁପରି ରହିଥିଲା ତାହା ଗୋଟିଏ ଉଦାହାରଣରୁ ସ୍ପଷ୍ଟ ବୁଝାଯାଇପାରିବ ।
ସେତେବେଳେ ରୋମାନମାନଙ୍କର ବିଶ୍ୱାସ ଥିଲା ଯେ ସମସ୍ତ ପ୍ରକାର ଅସୁଖର ଏକ ପ୍ରତିଷେଧକ ହେଉଛି ଗ୍ଲାଡିଏଟରମାନଙ୍କ ଦେହରୁ ନିର୍ଗତ ହେଉଥିବା ଝାଳ । ରୋମାନମାନେ ସେଇଥିପାଇଁ ଅତ୍ୟନ୍ତ ଆଗ୍ରହର ସହ ଗ୍ଲାଡିଏଟର୍ ମାନଙ୍କର ଦେହର ଝାଳକୁ ସଂଗ୍ରହ କରି ଅସୁଖର ପ୍ରତିଷେଧକ ଆକାରରେ ନିଜ ନିଜର ଦେହରେ ବୋଳି ହେଉଥିଲେ ।
ଗ୍ଲାଡିଏଟରମାନେ ସାଧାରଣତଃ ସେସମୟର ରୋମାନ ସମାଜର ନିମ୍ନ ବର୍ଗରୁ ଆସୁଥିଲେ । ଆଉ ଗ୍ଲାଡିଏଟର୍ ହୋଇଗଲା ପରେ ସେମାନେ ଅର୍ଥ, ସମ୍ମାନ ଏବଂ ନାରୀ ଭଳି ସମସ୍ତ ସୁଖ ଓ ବିଳାସ ଅର୍ଜନ କରିପାରୁଥିଲେ । ସେ ପରିପ୍ରେକ୍ଷୀରେ ଏକଥା ଉଲ୍ଲେଖ ଯୋଗ୍ୟ ଯେ, ରୋମାନ ସାମ୍ରାଜ୍ୟରେ ଗ୍ଲାଡିଏଟରମାନଙ୍କର ଅଭ୍ୟୁଦୟ ଏବଂ ବିକାଶର କାଳଟି ଖ୍ରୀଷ୍ଟ ପୂର୍ବ ପ୍ରଥମ ଶତାବ୍ଦୀ ଏବଂ ଖ୍ରୀଷ୍ଟୀୟ ଦ୍ୱିତୀୟ ଶତାବ୍ଦୀର କାଳଖଣ୍ଡ ମଧ୍ୟରେ ସୀମାବଦ୍ଧ ରହିଥିଲା ।
ଗ୍ଲାଡିଏଟରମାନେ ଯଦିଓ ମୁଖ୍ୟତଃ ପୁରୁଷ ବୀର ଥିଲେ ତଥାପି ସେ ସମୟରେ ନାରୀ-ଗ୍ଲାଡିଏଟର୍ମାନଙ୍କ ପାଇଁ ଗୋଟିଏ ଶବ୍ଦ ପ୍ରଚଳିତ ଥିଲା । ତାହା ହେଉଛି “ଗ୍ଲାଡିଆଟ୍ରିକସ୍” । ଏଇ ଭଳି ନାରୀ-ଗ୍ଲାଡିଏଟର୍ ମାନଙ୍କ ପାଇଁ ଗ୍ଲାଡିଆଟ୍ରିକସ୍ ବୋଲି ଗୋଟିଏ ଶବ୍ଦର ଉପସ୍ଥିତି ରହିଥିବା ପ୍ରମାଣ କରେ ଯେ ସେ ସମୟରେ ନାରୀମାନେ ବି ଏହି ଗ୍ଲାଡିଏଟରର ମରଣଖେଳରେ ସିଧା ସଳଖ ଭାଗ ନେଇଥିଲେ । ଏହି ଭଳି ଲଢେଇ ପାଇଁ ଆସୁଥିବା ନାରୀମାନେ ସେତେବେଳର ଗ୍ଲାଡିଏଟର୍ ତଥା ପୁରୁଷ ବୀରଙ୍କ ଭଳି ସମାଜର ନିମ୍ନ ବର୍ଗରୁ ଆସୁ ନଥିଲେ । ସେମାନେ ସାଧାରଣତଃ ଉଚ୍ଚବର୍ଗର ଥିଲେ । ବିଶେଷରେ ଉଚ୍ଚ ବର୍ଗର ଯେଉଁ ନାରୀମାନଙ୍କ ଭିତରେ ଏହି ଭଳି ମରଣଖେଳ ନିମନ୍ତେ ଉନ୍ମାଦନା ଭରି ରହିଥିଲା ସେମାନେ ଏହି ଖେଳରେ ଯୋଗ ଦେଉଥିଲେ । ଯେଉଁ ନାରୀମାନେ ଏହିଭଳି ରକ୍ତକ୍ଷୟୀ ଉନ୍ମାଦନାର ଆକର୍ଷଣରେ ଏହି ମରଣ ଖେଳ ପ୍ରତି ଆଗ୍ରହୀ ହୋଇ ଆସୁଥିଲେ ସେମାନେ ଉଚ୍ଚବର୍ଗ ବିଶେଷର ଅନ୍ତର୍ଭୂକ୍ତ ହୋଇଥିବା କାରଣରୁ ସେମାନଙ୍କର ବାସ୍ତବ ପରିଚୟକୁ ଯଥାସମ୍ଭବ ଗୋପନ କରି ରଖାଯାଉଥିଲା ।
ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ରୋମାନ ଐତିହାସିକ ସୁଏତୋନିଅସଙ୍କ ବର୍ଣ୍ଣନାରେ ରାଜା ଡୋମିନିଅସ୍ ଏଇ ଭଳି ଗୋଟିଏ ଖେଳର ଆୟୋଜନ କରିଥିଲେ ଯେଉଁଥିରେ ଉଭୟ ପୁରୁଷ ଆଉ ନାରୀ ଗ୍ଲାଡିଏଟର୍ ମାନେ ଅଂଶ ଗ୍ରହଣ କରିଥିଲେ ବୋଲି ଉଲ୍ଲେଖ ଅଛି। ଆଉ ଜଣେ ରୋମାନ ବ୍ୟଙ୍ଗକାର ଜୁଭେନାଲ୍ ନାରୀମାନଙ୍କର ଏଇଭଳି ମରଣଖେଳରେ ଯୋଗ ଦେବା କଥାକୁ ସେସମୟରେ ବ୍ୟଙ୍ଗ କରି ଲେଖିଛନ୍ତି,”ଏଥିରେ ସଂଭ୍ରାନ୍ତବୋଧ କାହିଁ ? ଜଣେ ନାରୀ ନିଜର ମୁହଁକୁ ହେଲମେଟରେ ଢାଙ୍କି ତାହାର ନାରୀତ୍ୱର ଅମର୍ଯ୍ୟଦା କରୁଛି ଆଉ ଶରୀରର ବଳକୁ ନେଇ ଆନନ୍ଦରେ ଆତ୍ମହରା ହେଉଛି, ତାହାକୁ କ’ଣ ଆଉ କହିବା ?” ଠିକ୍ ସେହିପରି ଏଇ ଘଟଣାର ଶହେ ବର୍ଷ ପରର ଗୋଟିଏ ଲେଖାରେ ଐତିହାସିକ କାସିଅସ୍ ଦାଇଓ ସମ୍ରାଟ ନିରୋଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ଏକ ଉତ୍ସବରେ ଉଭୟ ନାରୀ ଆଉ ପୁରୁଷ ଗ୍ଲାଡିଏଟର୍ ଯୋଗ ଦେଇଥିଲେ ବୋଲି ଲେଖିଛନ୍ତି । ତାଙ୍କ ଲେଖାରୁ ଜଣାପଡିଛି ଯେ ସମ୍ରାଟ ନିରୋଙ୍କର ସେହି ଉତ୍ସବରେ ଯେଉଁ ନାରୀ-ଗ୍ଲାଡିଏଟର୍ ମାନେ ଅଂଶଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ସେମାନଙ୍କର ଅନିଚ୍ଛା ସତ୍ତ୍ୱେ ବଳ ପ୍ରୟୋଗ କରି ସେଠାକୁ ଅଣାଯାଇଥିଲା ।
ବ୍ରିଟିଶ ମ୍ୟୁଜିଅମରେ ଥିବା ଦୁଇଟି ମାର୍ବଲ ରିଲିଫରେ ଦୁଇଟି ନାରୀ-ଗ୍ଲାଡିଏଟରର ଚିତ୍ର ରହିଛି । ସେଥିରୁ ଗୋଟିକର ନାଆଁ ଆମିଜୋନିଆ ବୋଲି ଉଲ୍ଲେଖ ଅଛି । କହିବା ବାହୁଲ୍ୟ ଏହା ସେହି ନାରୀ-ଗ୍ଲାଡିଏଟରର ନକଲ ନାମ । ସେହି ରିଲିଫରୁ ଜଣାଯାଏ ଯେ ନାରୀ-ଗ୍ଲାଡିଏଟର୍ ଲଢେଇ କଲାବେଳେ ନିଜର ଉର୍ଦ୍ଧ୍ୱାଙ୍ଗକୁ ଆବୃତ କରି ରଖିଛି । ଯେହେତୁ ସେହି ସମୟରେ ନାରୀର ଅନାବୃତ ଉର୍ଦ୍ଧ୍ୱାଙ୍ଗକୁ ସର୍ବସାଧାରଣ ଦେଖିବା ଭଳି ମାନସିକତା ନଥିଲା ତେଣୁ ନାରୀ-ଗ୍ଲାଡିଏଟର୍ ମାନେ ନିଜର ଉର୍ଦ୍ଧ୍ୱାଙ୍ଗକୁ ଲଢେଇ ବେଳେ ଏକ ପ୍ରକାର କନାରେ ବ୍ୟାଣ୍ଡେଜ ଭଳି ଗୁଡାଇ ରଖୁଥିଲେ । ଛାତିକୁ ଆବୃତ କରିବା ପାଇଁ ପରେ ରୋମାନ ମାନେ ଏକ ପ୍ରକାର ସ୍ୱତନ୍ତ୍ର କପଡା ପ୍ରସ୍ତୁତ କରିଥିଲେ । ଏହାକୁ “ଷ୍ଟ୍ରୋଫିଅମ୍ ” ବୋଲି କୁହାଯାଉଥିଲା । ଆଉ କହିବାକୁ ଗଲେ ଏହା ହେଉଛି ରୋମାନ ସ୍ପୋର୍ଟସ୍ ବ୍ରାର ଆଦ୍ୟରୂପ ।
ଶରୀର ବଳର ଏହି ଭଳି ରକ୍ତାକ୍ତ ପ୍ରଦର୍ଶନ ରେ ନାରୀମାନଙ୍କୁ ଅଂଶଗ୍ରହଣ କରିବାରେ କ୍ରମଶଃ ପ୍ରତିବନ୍ଧକମାନ ଲାଗିବାକୁ ଆରମ୍ଭ କଲା । ଖ୍ରୀଷ୍ଟ୍ରୀୟ ପ୍ରଥମ ଶତାବ୍ଦୀର ଆଦ୍ୟଭାଗର ଏକ ରୋମାନ ଶିଳାଲେଖ ” ଟାବୁଲା ଲାରିନାସ୍ ” ରେ ସଂଭ୍ରାନ୍ତ ତଥା ମୁକ୍ତ ନାରୀମାନେ ଯେଉଁମାନଙ୍କର ବୟସ ୨୦ ବର୍ଷରୁ ଉର୍ଦ୍ଧ୍ୱ ସେମାନଙ୍କୁ ଗ୍ଲାଡିଏଟର୍ ହେବାକୁ ଦିଆଯିବ ନାହିଁ ବୋଲି ଉଲ୍ଲେଖ ଅଛି । ତେଣୁ ଏହି ଭଳି ଉଗ୍ର ଲଢେଇରେ ପ୍ରାଣନାଶର ଆଶଙ୍କା କାରଣରୁ ସାଧାରଣ ମୁକ୍ତ ନାରୀମାନଙ୍କର ଗ୍ଲାଡିଏଟର୍ ହେବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ବୋଲି ସହଜରେ ବୁଝାଯାଇପାରିବ । ତେଣୁ ଏହି ଉନ୍ମାଦନାର ବିଶେଷ କ୍ଷେତ୍ରଟି ସମ୍ଭ୍ରାନ୍ତ ନାରୀମାନଙ୍କ ପାଇଁ ଏକ ପ୍ରକାର ବନ୍ଦ ହେବାକୁ ଆରମ୍ଭ କରିଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।
ଖ୍ରୀଷ୍ଟ୍ରୀୟ ତୃତୀୟ ଶତାବ୍ଦୀରେ ରୋମାନ ସମ୍ରାଟ ସେପ୍ଟିମିଅସ୍ ସେଭେରସ୍ ନାରୀମାନଙ୍କର ଗ୍ଲାଡିଏଟର୍ ହେବା ଉପରେ ସମ୍ପୁର୍ଣ୍ଣ ନିଷେଧାଜ୍ଞା ଜାରି କରିଥିଲେ । ଏହି ଭଳି ନିଷେଧାଜ୍ଞା ଜାରି କରିବା ପଛରେ ତାଙ୍କର ଉଦ୍ଦେଶ୍ୟ ଥିଲା ଗୋଟିଏ । ସମ୍ରାଟ ସେପ୍ଟିମିଅସଙ୍କ ଦୃଷ୍ଟିରେ, ଏହି ଭଳି ମରଣ ଖେଳରେ ମରଣ ବା ରକ୍ତକ୍ଷୟରେ ସେମିତି କୌଣସି ନିଷ୍ଠୁରତା ନାହିଁ ବା ଏହା ସେମିତି କିଛି ବଡ କଥା ନୁହେଁ , ମାତ୍ର ଏହି ଲଢେଇ ସମୟରେ ସଂଭ୍ରାନ୍ତ ନାରୀ-ଗ୍ଲାଡିଏଟରମାନଙ୍କ ଉଦ୍ଦେଶ୍ୟରେ ସର୍ବସାଧାରଣ ଜନତାର ଅଶ୍ଳୀଳ ଚିତ୍କାର ଆଉ ଯାହା ହେଉ ପଛକେ ଆଦୌ ଗ୍ରହଣୀୟ ନୁହଁ !
Comments are closed.