ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୯
ଜଣେ ରାଜାଙ୍କର କେବଳ ଗୋଟିଏ ଦିନକୁ ନେଇ ଏଇ କାହାଣୀ।
ରାଜା ଜଣକ ଚୀନ ଦେଶର। ତାଙ୍କର ନାଆଁ ହେଉଛି ୱାଙ୍ଗ୍ ମାଙ୍ଗ୍ । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀର ଆଦ୍ୟ ଚତୁର୍ଭାଗ ର କଥା ଇଏ।
ନିର୍ଦ୍ଦିଷ୍ଟ ଭାବରେ କହିଲେ ସେଦିନ ଥିଲା ୬ ଅକ୍ଟୋବର ୨୩ ମସିହା ।
ଏଇଠି ଏଇ କାହାଣୀ ସେଇ ଗୋଟିଏ ବିଶେଷ ଦିନକୁ କେନ୍ଦ୍ର କରି ଏପଟ ସେପଟ ହେବ ।
ମାତ୍ର ତାହା ଆଗରୁ ଯେଉଁ ପ୍ରଶ୍ନମାଳା କାହାକୁ ଆକ୍ରାନ୍ତ କରିପାରେ ତାହା ଏହିପରି :
ରାଜା କାହିଁକି ? କାହିଁକି ସେ ଆସୁଛନ୍ତି ଏଇ କାହାଣୀରେ ? ନିଜର ଶିରାଧମନୀରେ କ୍ଷମତା ପ୍ରତି ତମର ଯେଉଁ ଆନୁଗତ୍ୟ ରକ୍ତଧାରା ହୋଇ ବହୁଛି ତାହାର କ’ଣ ଇଏ ଏକ ଆବରଣଯୁକ୍ତ ପରିପ୍ରକାଶ ?
ଏମିତି କି ?
ରାଜା କଥା ଲେଖୁଛ ମାନେ ତମର ସମ୍ଭ୍ରାନ୍ତ ପ୍ରତି ଏକ ଅହେତୁକ ଆଖି-ଝଲସା ମୋହ ରହିଅଛି ଯାହା ପ୍ରକାରାନ୍ତେ ତମର ଅବଦମିତ ବିଫଳତା ସବୁକୁ କୁହୁଡିଆ କରିଦେବା ସହ ତମକୁ ତମର କଳ୍ପିତ ସ୍ୱପ୍ନ ଲୋକ କୁ ଯେମିତି କୌଣସି ଯାଦୁକରୀ ସ୍ପର୍ଶରେ ଦେଖାଇଦେବ ସେଇଭଳି ଗୋଟିଏ ଆବହ ପ୍ରସ୍ତୁତ କରୁଛି ?
ସଂକ୍ଷେପରେ କହିଲେ,ତମେ ନିଜେ ଜୀବନରେ ଜଣେ ରାଜା ହୋଇପାରିଲନାହିଁ ବୋଲି କ’ଣ ତମର ରାଜଭାଗରେ ରହିଯାଇଛି ଏମିତି ଗୋଟିଏ ଡହକବିକଳ କରୁଥିବା ଦାୟ ?
ଏହାପରେ ଲେଖକର ଉତ୍ତର ହେବ ଯେ,ଯାହା ଯାହା ପ୍ରଶ୍ନ ଏଇଠି ଉଠିଛି,ସେସବୁ ବ୍ୟବହାରିକ ଦୃଷ୍ଟିକୋଣରୁ ନିରାଟ ସତ । ରାଜା ବନାମ କାହାଣୀଲେଖକର ଏହି ଅସମ ଦ୍ୱନ୍ଦ୍ୱକୁ ଟିକିଏ ସମତୁଲ କରିବାକୁ ଯାଇ ଲେଖକ କହିବ,କାହାଣୀର ଚରିତ୍ର ହିସାବରେ ରାଜା ଯାହାକୁ କହନ୍ତି ଏକ ସମ୍ପୂର୍ଣ୍ଣ ଚରିତ୍ର ବା ରାଉଣ୍ଡ କ୍ୟାରେକ୍ଟର । କୌଣସି ସାଧାରଣ ଚରିତ୍ର ଉପରେ ତାହାର ପାରିପାର୍ଶ୍ବିକର ପ୍ରଭାବ ଏହିପରି ରହିଥାଏ ଯେ,ସେ ତାହାକୁ ଏଡ଼ାଇଯିବା ବେଳେ ଚରିତ୍ରଟି ଅନେକ କ୍ଷେତ୍ରରେ ଆହୁରି ସାଧାରଣ ଆଉ ଅବସାଦଗ୍ରସ୍ତ ହୋଇ ରହିଯାଏ । ଅନ୍ୟପକ୍ଷରେ ସେଇଭଳି ପାରିପାର୍ଶ୍ବିକର ପ୍ରଭାବକୁ ପ୍ରତିହତ କଲାବେଳେ ରାଜାର ଅବସାଦର ମାତ୍ରା ଅନେକ ପରିମାଣରେ କମ୍ । ରାଜା ଦୃଢ । ରାଜା ସେତେବେଳେ ଅନେକ ଅଦ୍ଭୁତ କାର୍ଯ୍ୟ କରିପାରେ କାରଣ ଏକ ପ୍ରକାର ନିରଙ୍କୁଶ ଅବବୋଧରେ ଅବସ୍ଥାନ କରିବାରେ ସେ ଅଭ୍ୟସ୍ତ ।
ବିନାକାରଣରେ ସବୁ ଘଟିଥାଏ। କାହାଣୀରେ ।
ବନ୍ଦୀର ମୁକ୍ତ ଚିନ୍ତା ଅଥବା ମୁକ୍ତର ବନ୍ଦୀଚିନ୍ତା ? ଏହା ଭିତରୁ ଶେଷଟି ଅର୍ଥାତ୍ ମୁକ୍ତର ବନ୍ଦୀଚିନ୍ତାକୁ ବୁଝିବା ପାଇଁ କାହାଣୀ ଲେଖକ ରାଜା ଚରିତ୍ର ଉପରକୁ ଆଗ୍ରହର ସହ ଝାମ୍ପି ପଡିଥାଏ, ସୁଯୋଗ ପାଇଲେ ।
ଖ୍ରୀଷ୍ଟ୍ରୀୟ ପ୍ରଥମ ଶତାବ୍ଦୀର ଆଦ୍ୟଭାଗରେ ଚାଇନାର ସମ୍ରାଟ ୱାଙ୍ଗ୍ ମାଙ୍ଗଙ୍କ ଆଚରଣ ସେ ସମ୍ପର୍କରେ ସଠିକ ଭାବରେ କେହି କିଛି କହିପାରିବ ନାହିଁ । ସମସ୍ତ ପ୍ରକାରର ପ୍ରଚଳିତ ପୂର୍ବାନୁମାନର ବାହାରେ ଥାଆନ୍ତି ସେ ସବୁବେଳେ । ସାଧାରଣତଃ ଜଣେ ରାଜାର ଆଚରଣକୁ ତାହାର ପ୍ରତିପକ୍ଷ ସହ ସଂଘର୍ଷ କରୁଥିବା ସମୟରେ ଯୁଦ୍ଧକ୍ଷେତ୍ରରେ ସଠିକ ବୁଝାଯାଇଥାଏ । ଯୁଦ୍ଧକ୍ଷେତ୍ରରେ ପ୍ରତିପକ୍ଷ ସହିତ ସଂଘର୍ଷ କଲା ବେଳେ ରାଜା ଆଗରେ ଦୁଇଟି ସମ୍ଭାବ୍ୟ ପରିଣତି ଝୁଲୁଥାଏ,ବିଜୟ ନତୁବା ମୃତ୍ୟୁ । ଏଇ ଉଭୟ ପରିଣତିର ଯେକୌଣସି ଗୋଟିକ ଆଡକୁ କରିବାବେଳେ ରାଜା ନିଜର ସାମର୍ଥ୍ୟର ଭରପୁର ପରିଚୟ ପ୍ରଦାନ କରିଥାଏ । ପରିଣତି ଯାହାହେଉ ଶେଷରେ ତାହାର ଆସିବା ଯାଏଁ ଲଢିଚାଲିଥାଏ ରାଜା ।
ଚାଇନାର ପ୍ରସିଦ୍ଧ ସିନ୍ ରାଜବଂଶର ଅନ୍ୟତମ ନରପତି ୱାଙ୍ଗ୍ ମାଙ୍ଗ୍ କିନ୍ତୁ ସେଦିନ ସେଭିତି କୌଣସି ପରିଣତି ପାଇଁ ଅପେକ୍ଷା କରି ନଥିଲେ । ସେଦିନ ମାନେ ୬ ଅକ୍ଟୋବର ୨୩ ମସିହା । ଖବର ମିଳିଲା, ତାଙ୍କ ବିରୁଦ୍ଧରେ ବିଦ୍ରୋହୀମାନେ ଏକତ୍ରିତ ହେବାରେ ଲାଗିଛନ୍ତି।
ଗୁପ୍ତଚରମାନଙ୍କଠାରୁ ରାଜା ୱାଙ୍ଗ୍ ମାଙ୍ଗ୍ ସମସ୍ତ କଥା ଶୁଣିଲେ । ବିସ୍ତୃତ ଭାବରେ କେଉଁଠି କେତେଜଣ ବିଦ୍ରୋହୀ ଏକତ୍ରିତ ହୋଇ ତାଙ୍କ ବିରୁଦ୍ଧରେ କ’ଣ ସବୁ ଯୋଜନା କରୁଛନ୍ତି ସେସବୁ କଥାକୁ ସେ ଟିକିନିଖି କରି ଶୁଣିଲେ । ଗୁପ୍ତଚରମାନଙ୍କ ସହ ବେଶ୍ ସାବଲୀଳ ଆଉ ନିରୁଦବିଗ୍ନ ଭାବରେ ସେ ସମସ୍ତ ବିଷୟ ଆଲୋଚନା କରିଥିଲେ ।
ସମସ୍ତେ ଅପେକ୍ଷା କରିଛନ୍ତି ରାଜା ୱାଙ୍ଗ୍ ମାଙ୍ଗଙ୍କର ଏହା ପରର ପଦକ୍ଷେପ କ’ଣ ହେବ ?କେଉଁ ଭଳି ସେ ଏହାପରେ ତାଙ୍କର ପ୍ରତିପକ୍ଷ ବିଦ୍ରୋହୀମାନଙ୍କୁ ଦମନ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ । ବିଦ୍ରୋହୀ ମାନଙ୍କ ପ୍ରତି ସେ କେଉଁ ଭଳି ରୁକ୍ଷ ସେକଥା ସମସ୍ତେ ଜାଣନ୍ତି । ଥରେ ଗୋଟିଏ ବିଦ୍ରୋହୀକୁ ଗୋଟିଏ ଅଦ୍ଭୁତ ଦଣ୍ଡ ପ୍ରଦାନ କରିଥିଲେ । ବିଦ୍ରୋହୀକୁ ଗୋଟିଏ ଖୁଣ୍ଟରେ ବନ୍ଧା ଯାଇଥିଲା। ତାହାର ଚାରିପଟେ ରହିଥାନ୍ତି ଅନେକ ରମଣୀ, ସମସ୍ତେ ଉଲଗ୍ନ । ସମ୍ପୃକ୍ତ ବିଦ୍ରୋହୀ ଜଣକ ଏକ ସାଧୁ ପ୍ରକୃତିର ବ୍ୟକ୍ତି ଥିଲା । ରାଜାଙ୍କ ସ୍ୱୈରାଚାରୀତାକୁ ପ୍ରତିବାଦ କରୁଥିଲା ସବୁବେଳେ । ରାଜାଦେଶରେ ସୈନିକ ମାନେ ଉଲଗ୍ନ ରମଣୀ ପରିବେଷ୍ଟିତ ସେହି ବିଦ୍ରୋହୀର ଯୌନାଙ୍ଗକୁ ଛେଦନ କରିଥିଲେ ଏବଂ ସେହି ଯୌନାଙ୍ଗକୁ ବିଦ୍ରୋହୀ ର ଆଖିଆଗରେ ଗୋଟିଏ ମଶାଲରେ ଜାଳି ଭସ୍ମୀଭୂତ କରିଦେଇଥିଲେ । ଏତିକିରେ ରାଜାଦେଶର ଶେଷ ହୋଇନଥିଲା । ତାହାପରେ ଉଲଗ୍ନା ରମଣୀମାନେ ସେହି ପାଉଁଶକୁ ନିଜ ହାତରେ ଧରି ବିଦ୍ରୋହୀର ଦେହସାରା ବୋଳିଥିଲେ ଆଉ ତାହାପରେ ଦଣଡାଦେଶର ଶେଷ ହୋଇଥିଲା ସେଥର ।
ପାତ୍ରମନ୍ତ୍ରୀ ସମସ୍ତେ ଅପେକ୍ଷା କରିଛନ୍ତି ଏହାପରେ ଅର୍ଥାତ୍ ଗୁପ୍ତଚରଠାରୁ ସମ୍ଭାବିତ ବିଦ୍ରୋହର ରୂପରେଖାର ଟିକିନିଖି ବୁଝିନେବା ପରେ ରାଜା ୱାଙ୍ଗ୍ ମାଙ୍ଗଙ୍କର ପରବର୍ତ୍ତି ପଦକ୍ଷେପ କ’ଣ ହେବ ? ଦଣ୍ଡାଦେଶରେ ସବୁବେଳେ ସେ ଅଦ୍ଭୁତ । ସେଇଥିପାଇଁ ସମସ୍ତଙ୍କର କୌତୁହଳ ।
ସମସ୍ତଙ୍କର କୌତୁହଳକୁ ଅସମାପ୍ତ ରଖି ରାଜା ୱାଙ୍ଗ୍ ମାଙ୍ଗ୍ ହଠାତ୍ ଏଇ ଟିକିଏ ଆସୁଛି ଭଳି ଉଆସର ଭିତରକୁ ଯାଇଥିଲେ । ସମସ୍ତେ ବାହାରେ ଆଗ୍ରହର ସହ ଅପେକ୍ଷା କରି ରହିଥାନ୍ତି ରାଜାଙ୍କର ପରବର୍ତ୍ତି ନିର୍ଦ୍ଦେଶ ହେବ କ’ଣ ?
ରାଜା ୱାଙ୍ଗ୍ ମାଙ୍ଗ୍ ଉଆସ ଭିତରର ନିଜର ହାରେମରେ ଯାଇ ଉପସ୍ଥିତ ହୋଇଥିଲେ । ତାହାପରେ ସେ ନିଜର ସମସ୍ତ ବୈଧ ଆଉ ଅବୈଧ ପତ୍ନୀମାନଙ୍କୁ ଏକାଠି ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଏକାଠି ହେବାପରେ ରାଜା ୱାଙ୍ଗ୍ ମାଙ୍ଗ୍ ସମସ୍ତଙ୍କୁ କହିଥିଲେ,ମୁଁ ତମକୁ ଗପ କହୁଛି,ଶୁଣ ।
ଏକାଠି ହୋଇଥିବା ସବୁ ରମଣୀଙ୍କର ମୁହଁ ଶୁଖିଯାଇଥିଲା ତାହାପରେ ।
ସମସ୍ତେ ଜାଣନ୍ତି ରାଜା ୱାଙ୍ଗ୍ ମାଙ୍ଗ୍ କାହାକୁ ତାହାର ଅସଲ ନାଆଁରେ ଡାକନ୍ତି ନାହିଁ । ସେ ନିଜେ ସମସ୍ତଙ୍କୁ ଗୋଟିଏ ଗୋଟିଏ ବ୍ୟକ୍ତିଗତ ନାଆଁରେ ସମ୍ବୋଧନ କରିଥାନ୍ତି । ରାଜାଙ୍କ ପ୍ରଦତ୍ତ ନାଆଁ କେବଳ ରାଜାଙ୍କର ବ୍ୟବହାରଯୋଗ୍ୟ । ସେଇ ନାଆଁରେ ସେହି ବ୍ୟକ୍ତିକୁ ଆଉ କେହି ଡାକିବା ଉପରେ ଏକ ଅଲିଖିତ ନିର୍ଦ୍ଦେଶନାମା ରହିଥିଲା ।
ଅନ୍ୟକୁ ନାଆଁ ଦେବାରେ ରାଜାଙ୍କର ଦକ୍ଷତା ଏବଂ ସ୍ମୃତିକୁ ସମସ୍ତେ ଜାଣନ୍ତି । ଅନ୍ୟକୁ ନାମକରଣ କଲାବେଳେ ସେ ବ୍ୟକ୍ତିର ନାଆଁକୁ ପର୍ଯ୍ୟାୟ କ୍ରମରେ ସ୍ଥିର କରିଥାନ୍ତି । ଉଦାହାରଣ ସ୍ୱରୂପ ସେ ହାରେମର ରମଣୀମାନଙ୍କୁ ଗୋଟିଏ ଗୋଟିଏ ଫୁଲର ନାଆଁରେ ସମ୍ବୋଧନ କଲାବେଳେ ନିଜର ସେନାପତିମାନଙ୍କୁ ସେ ଚୈନିକ ରାଶିଚକ୍ରରେ ଥିବା ବାରୋଟି ପ୍ରାଣୀଙ୍କ ନାଆଁରେ ସମ୍ବୋଧନ କରିଥାନ୍ତି ଏବଂ ଏ ସଂକ୍ରାନ୍ତରେ ସବୁଠୁ ବଡକଥା ହେଉଛି ଯେ, ସେ ଯାହାକୁ ଯାହା ନାଆଁ ଦେଇଥାନ୍ତି ପ୍ରାୟତଃ ସେକଥାକୁ ସେ ଆଦୌ ଭୁଲିଯାଇନଥାନ୍ତି ।
ହାରେମର ନାରୀମାନଙ୍କୁ ୱାଙ୍ଗ୍ ମାଙ୍ଗ୍ ଯେଉଁ କାହାଣୀ ଶୁଣାଉଥିଲେ ତାହା ଅତି ସାଧାରଣ ଆଉ କାହାଣୀ ଆକାରରେ ଦେଖିଲେ ଗୋଟିଏ ସଂକ୍ଷିପ୍ତ କ୍ରିୟା ମାତ୍ର । କାହାଣୀ କହିବା ଆଗରୁ ରାଜା ୱାଙ୍ଗ୍ ମାଙ୍ଗ୍ ମାତ୍ରାଧିକ ପରିମାଣର ଅଫିମ ସେବନ କରିଥିଲେ । ସେଦିନ କାହାଣୀ କହିବା ବେଳେ ତେଣୁ ସେ ଯଥେଷ୍ଟ ପରିମାଣରେ ଅଂସଜତ ହୋଇ ପଡୁଥିଲେ । ତଥାପି ସେ ଚରିତ୍ରମାନଙ୍କର ଯେଉଁ ନାଆଁ ଗୁଡିକ ନିଜେ ବିଧାନ କରିଥିଲେ କାହାଣୀ କହିବା ବେଳେ ଯଥେଷ୍ଟ ନିଶାଗ୍ରସ୍ତ ଥିଲେ ବି ସେହି ନାଆଁରେ ସାମାନ୍ୟ ତ୍ରୁଟି ଦେଖାଯାଉ ନଥିଲା।
ରାଜା ୱାଙ୍ଗ୍ ମାଙ୍ଗଙ୍କର ସେଦିନର କାହାଣୀ ତ ଗୋଟିଏ ଗୋଟିଏ ସଂକ୍ଷିପ୍ତ କ୍ରିୟା । ପ୍ରତ୍ୟେକ ସେନାପତି କେମିତି ନିଜର ଅସ୍ତ୍ରଶସ୍ତ୍ର ଧରି କେମିତି ନିଜର ପ୍ରତିପକ୍ଷକୁ ସଂହାର କରୁଛି ତାହାର ସଂକ୍ଷିପ୍ତ ଧାରାବିବରଣୀ ଥିଲା ହାରେମ୍ ର ନାରୀମାନଙ୍କ ସାମ୍ନାରେ ତାଙ୍କର ସେଦିନ ର କାହାଣୀ । ଉଦାହାରଣ ସ୍ୱରୂପ,ଏଇ ଦେଖ ମୂଷା,ଏଇ ଦେଖ ଛେଳି ,ଏଇ ଦେଖ କୁକୁର ତାହାର ଖଣ୍ଡାକୁ ଦେଖୁଛି,ଧାରକୁ ପରୀକ୍ଷା କରୁଛି ,ନାକ ପାଖକୁ ନେଇ ଘଡିଏ ଶୁଙ୍ଘୁଛି,ଶୂନ୍ୟରେ କାହା ସହ ଯୁଦ୍ଧ କରିବା ଭଳି ଚକ୍ରାକାରରେ ଅସ୍ତ୍ରଚାଳନା କରୁଛି,ତାହାପରେ ଯାଇ ପ୍ରତିପକ୍ଷକୁ ଛେଦି ଦେଉଛି ।
କାହାଣୀରେ ଏଇ ଭଳି ଗୋଟିଏ ଅଂଶର ବଖାଣର ପରେ ରାଜା ୱାଙ୍ଗ୍ ମାଙ୍ଗ୍ ଟିକିଏ ଆଗେଇ ଯାଉଥିଲେ ଆଉ ହାରେମ୍ ଜଣେ ନାରୀ ଉପରେ ଶସ୍ତ୍ରାଘାତ କରୁଥିଲେ ।
ଉଆସ ଭିତରେ ସେଦିନ ରାଜାଙ୍କ ହାତରେ ଥିବା ଅସ୍ତ୍ରରେ ରକ୍ତ । ଚାରିଆଡ ରକ୍ତପାତ । ବଞ୍ଚିବାର ଆର୍ତ୍ତିର କରୁଣତମ ଚିତ୍କାର । ବାହାରକୁ ଯିବାର କବାଟ ବନ୍ଦ । ରାଜାଙ୍କର ପ୍ରିୟ ଅଂଗରକ୍ଷୀ ମାନେ ଜାଣିଛନ୍ତି ରାଜା ଏହି ଭଳି କାହାଣୀକୁ କେଉଁପରି ବିନାବାଧାରେ କହିପାରିବେ । ସେଇଥିପାଇଁ ତ ଆଗରୁ ହାରେମ୍ ର ନାରୀମାନଙ୍କର ହାତପାଦକୁ ଭଲଭାବରେ ବାନ୍ଧି ଦିଆଯାଇଥିଲା ।
ବାହାରେ ଅପେକ୍ଷାରତ ରାଜାଙ୍କର ସୁରକ୍ଷା ପାଇଁ ନିମଜ୍ଜିତ ସୈନିକ ଓ ସେନାପତି । ସେମାନେ ଅପେକ୍ଷା କରିଥାଆନ୍ତି କେତେବେଳେ ରାଜାଙ୍କର କୌଣସି ବିଶେଷ ନିର୍ଦ୍ଦେଶ ଆସିବ । ହେଲେ ସେଦିନ ରାଜା ୱାଙ୍ଗ୍ ମାଙ୍ଗ୍ ଙ୍କର ଆଉ କୌଣସି ନିର୍ଦ୍ଦେଶ ଆସିନାହିଁ ।
କୁହାଯାଏ ରାଜାଙ୍କର ମସ୍ତିଷ୍କ ସେଦିନ କୁହୁଡିରେ ଆଚ୍ଛନ୍ନ ହୋଇଯାଇଥିଲା ।
ବିଦ୍ରୋହୀମାନେ ରାଜ ଉଆସକୁ ନିଜର କରାଗତ କରିଥିଲେ । ଭିତରେ ରକ୍ତ ଜୁଡୁବୁଡୁ ନିଦ୍ରାଳୁ ରାଜା ୱାଙ୍ଗ୍ ମାଙ୍ଗଙ୍କୁ ତାହାପରେ ପଥର ଫୋପାଡି ଫୋପାଡି ହତ୍ୟାକରିଥିଲେ। ରାଜାଙ୍କ ବେକକୁ କାଟି ନେଇ ସହର ର ପ୍ରମୁଖ ବଜାରରେ ଗୋଟିଏ ବାଉଁଶ ଖମ୍ବରେ ଲୋକଙ୍କର ଦେଖିବା ପାଇଁ ଟାଙ୍ଗି ଦେଇଥିଲେ । ମାତ୍ର ତାହା ସେହି ବାଉଁଶ ଖମ୍ବରେ ଅଧିକ ସମୟ ଟଙ୍ଗା ହୋଇ ରହିପାରିନଥିଲା । ତଳକୁ ଖସି ପଡିଥିଲା ।
ତଥାପି ଭୂଇଁରେ ତଳେ ପଡିଥିବା ରାଜାଙ୍କ ମୁଣ୍ଡ ଉପରକୁ ଜନସାଧାରଣ ପଥରବୃଷ୍ଟି କରିବା ଜାରି ରଖିଥାନ୍ତି ।
ଶେଷରେ କିଏ ଜଣେ ଆସେ ।
ରାଜାଙ୍କ ମୁହଁରୁ ଜିଭକୁ ବାହାରକୁ ଟାଣିଆଣି ନିଜର ଛୁରୀରେ କାଟି ତାହାକୁ ଅଲଗା କରିଦିଏ ସେ ଆଉ ସେଇଠି ତାହାପରେ ସମସ୍ତଙ୍କ ଆଗରେ ରାଜାଙ୍କର ଜିଭକୁ ପରମ ସନ୍ତୋଷରେ ଚୋବାଇ ଚାଲିଥାଏ ।
ରାଜାଙ୍କ ଜିଭ ତ, କାହାଣୀର ଜିଭ ଭଳି ଭାରି ସୁଆଦିଆ ।
Comments are closed.