ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୫
ଆବୁତିଓର ଫାରୋହ
ଆବୁତିଓର ଫାରୋହ ଅଜ୍ଞାତ ।
ଆବୁତିଓ ଅର୍ଥାତ୍ ଇଂରେଜୀରେ ଯାହାର ବନାନ ହେବ Abuwtiyuw,ସେ ହେଉଛି ଗୋଟିଏ ଇତିହାସ ପ୍ରସିଦ୍ଧ ନାମ। ଏଇ ନାଆଟିକୁ ଶେଷ ଯାଏଁ ଗୋପନ କରିବାର ଆଗ୍ରହ ରହିଥିଲେ ବି ପ୍ରଥମରୁ ଏ ସମ୍ପର୍କିତ ସମସ୍ତ କୌତୁହଳକୁ ନିବାରଣ କରାଯିବ ।
ଏହି ନାଆଁଟି ଆମମାନଙ୍କ ପାଇଁ ଗୋଟିଏ ଚର୍ଚ୍ଚିତ ନାଆଁ ହେବାର ସମସ୍ତ ଗୁଣାବଳୀ ନିଜ ଭିତରେ ଧାରଣ କରିଛି ।
ଖ୍ରୀପୂ ୩୧୦୦ ଅର୍ଥାତ୍ ଆଜକୁ ପ୍ରାୟ ପାଞ୍ଚହଜାର ବର୍ଷ ତଳେ ନୀଳନଦୀ ସଭ୍ୟତାର ଅଞ୍ଚଳରୁ ଏଇ ନାଆଁଟି ଆମକୁ ମିଳିଛି । ଏଇ ନାଆଁଟି ମିଳିଯିବା ପରେ ମିଶରବିତ୍ ବା ଇଜିପ୍ଟୋଲୋଜିଷ୍ଟମାନେ ପ୍ରାମାଣିକ ଭାବରେ କହିବାକୁ ଆରମ୍ଭ କରିଛନ୍ତି ଯେ, ପୃଥିବୀର ସର୍ବପ୍ରଥମ ପ୍ରାମାଣିକ ନଥିଭୂକ୍ତ ଶ୍ୱାନ-ନାମ ଟି ହେଉଛି ଆବୁତିଓ ।
ଏ ସମ୍ପର୍କରେ ସବୁଠୁ ରୋଚକ ତଥ୍ୟଟି ହେଉଛି ଯେ, ଆମ ପାଖରେ ଆବୁତିଓ ବୋଲି ଏକ କୁକୁର ର ବିଶେଷ ବର୍ଣ୍ଣନା ରହିଥିଲେ ହେଁ ତାହାର ମାଲିକ ଅର୍ଥାତ୍ ଯେଉଁ ସମ୍ରାଟ ବା ଫାରୋହଙ୍କର ସେ ପୋଷା ତଥା ଅତି ଆଦରର ଥିଲା ତାଙ୍କର ନାଆଁ କି ଆଉ କୌଣସି ବିଶେଷ ବିବରଣୀ ମିଳିପାରିନାହିଁ ।
ଏଠାରେ ସେହି ଐତିହାସିକ ମାଲିକ ଜଣକ ଅଜ୍ଞାତ ମାତ୍ର ତାଙ୍କର ପୋଷା କୁକୁରର ନାଆଁଟିଏ ପ୍ରଚଳିତ ରହିଛି, ଆବୁତିଓ ।
ଆବୁତିଓର ଫାରୋହ ଅଜ୍ଞାତ ।
ନୀଳନଦୀ ସଭ୍ୟତାର ପୃଷ୍ଟଭୂମୀକୁ ଟିକିଏ ଆଲୋଚନା କଲେ ଆମେ ଦେଖିବା ଯେ ନୀଳନଦୀ କୂଳରେ ପୃଥିବୀର ଯେଉଁ ଆଦ୍ୟ ସଭ୍ୟତା ତାହା କେତେଗୁଡିଏ ସ୍ୱତନ୍ତ୍ର ନଗର-ରାଜ୍ୟ ବା ସିଟି-ଷ୍ଟେଟକୁ ନେଇ ବିକଶିତ ହୋଇଥିଲା । ସେହି ସବୁ ନଗର-ରାଜ୍ୟମାନ ବେଳେ ବେଳେ ରାଜନୈତିକ ଦୃଷ୍ଟିରୁ ଏକାଠି ହୋଇଛନ୍ତି ଏବଂ ସ୍ୱତନ୍ତ୍ର ହୋଇଛନ୍ତି । ସାମଗ୍ରିକ ଭାବରେ ଆଜି ଏହି ଅଞ୍ଚଳ ଅର୍ଥାତ୍ ମିଶର ପ୍ରତି ଦୃଷ୍ଟିପାତ କଲେ ଆମେ ନୀଳନଦୀ ସଭ୍ୟତାର ଏହି ଅଞ୍ଚଳକୁ ମୁଖ୍ୟତଃ ତିନୋଟି ଭାଗରେ ବିଭକ୍ତ କରିପାରିବା ଅର୍ଥାତ୍ ପ୍ରାଚୀନ ରାଜ୍ୟ, ମଧ୍ୟକାଳୀନ ରାଜ୍ୟ ଏବଂ ନୂତନ ରାଜ୍ୟ । ପ୍ରାୟ ତିନିହଜାର ବର୍ଷ ଧରି ଏହି ଅଞ୍ଚଳ ଅର୍ଥାତ୍ ମିଶରର ରୂପରେଖଟି ଏହିଭଳି ଆଉ ଏହା ପୃଥିବୀର ଆଦ୍ୟକାଳର ସଭ୍ୟତା ହିସାବରେ ନୀଳନଦୀ ସଭ୍ୟତାକୁ ଶ୍ରେଷ୍ଠ ଆକାରରେ ପୃଥିବୀ ସମକ୍ଷରେ ଉପସ୍ଥାପନ କରିପାରିଛି ।
ନୀଳନଦୀରେ ପ୍ରତିବର୍ଷ ବନ୍ୟାଆସେ । ସେଇ ବନ୍ୟାରେ ତାହାର ଅବବାହିକା ଅଞ୍ଚଳ ଉର୍ବର ହୁଏ । ଆଉ ସେହି ଉର୍ବରତା ହିଁ ପୃଥିବୀର ଏହି ଶ୍ରେଷ୍ଠ ଆଦ୍ୟ ସଭ୍ୟତାର ଗୋପନ ରହସ୍ୟ ।
ଆମର ସ୍ମୃତିରେ ପ୍ରାଚୀନ ମିଶର ଜୀବନରେ କିଏ କ’ଣ କରିଛି ତାହାର ବଖାଣ କାରଣରୁ ପ୍ରସିଦ୍ଧ ନୁହଁ । ପ୍ରାଚୀନ ମିଶରର ଯାହା ପ୍ରସିଦ୍ଧି ତାହା ସେମାନେ ମରଣ ପରେ ଯାହା ଯାହା ମରଣ-ସ୍ମୃତି ଆକାରରେ ଛାଡିଯାଇଛନ୍ତି ସେଥିରେ ହିଁ ପରିଭାଷିତ ହୋଇଛି । ବସ୍ତୁତଃ ପିରାମିଡ୍ କହିଲେ ପ୍ରାଚୀନ ମିଶରକୁ ବୁଝାଏ । ପିରାମିଡ ହେଉଛି ମିଶରର ଆଦ୍ୟକାଳର ସମ୍ରାଟ ବା ଫାରୋହଙ୍କର ସମାଧିସ୍ଥଳ । ସମାଧିସ୍ଥଳକୁ କେଉଁଭଳି ଭବ୍ୟ ଏବଂ ବିପୁଳ କରାଯାଇପାରିବ ସେଇ କଥା ପ୍ରାଚୀନ ମିଶର ଆମକୁ କହେ ।
ପ୍ରାଚୀନ ମିଶରର ବିଶ୍ୱାସରେ ଜଣେ ସମ୍ରାଟ ବା ଫାରୋହ ତାହାର ମରଣ ପରେ ମିଶରୀୟ ଦେବତତ୍ତ୍ୱର ଅଂଶବିଶେଷ ହେଉଥିଲା ଏବଂ ଅନ୍ୟମାନଙ୍କ ଦ୍ୱାରା ପୂଜିତ ହେଉଥିଲା । ତେଣୁ ସେମାନେ ଜଣେ ଯେତେବେଳେ ମରଣପରେ ଦେବତା ହେବାକୁ ଯାଉଛି ତାହାକୁ ସେଇ କାରଣରୁ ଏକ ଭବ୍ୟ ଅନ୍ତ୍ୟେଷ୍ଠି ପ୍ରଦାନ କରିବାକୁ ଶ୍ରେୟ ମଣୁଥିଲେ । ଏହା ବ୍ୟତିତ ତାହାର ପରଲୋକରେ ଯେମିତି ସାମାନ୍ୟତମ ଅସୁବିଧା ନହୁଏ ସେଇଥିପାଇଁ ତାହାର ସମସ୍ତ ପ୍ରିୟ ପାର୍ଥିବ ସାହଚର୍ଯ୍ୟମାନ ଯେମିତି ନିରବଚ୍ଛିନ୍ନ ଏବଂ ଅବ୍ୟାହତ ରହିବ ସେଇଥିପାଇଁ ମରଣ ଅର୍ଜନ କରିଥିବା ସମ୍ରାଟର ସମସ୍ତ ପ୍ରିୟ ବ୍ୟକ୍ତି ଏବଂ ବସ୍ତୁକୁ ତାଙ୍କ ସହିତ ସମାଧି ଭିତରକୁ ଯିବାକୁ ପଡୁଥିଲା ।
ଆବୁତିଓର ଫାରୋହ ଅଜ୍ଞାତ।
ତେଣୁ ଆବୁତିଓଙ୍କ ଫାରୋହ ଯେତେବେଳେ ନିଜ ଆଖିଆଗରେ ତାଙ୍କର ପ୍ରିୟ ଆବୁତିଓର ମରଣ ହେବା ଦେଖିଲେ ସେ ଭାରି ବ୍ୟଥିତ ହୋଇଥିଲେ ଏବଂ ତାହାକୁ ଗୋଟିଏ ଭବ୍ୟ ସମାଧି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଭବ୍ୟ ସମାଧି ଏଇଥିପାଇଁ ଯେ,ମରଣ ପରେ ଆବୁତିଓର ଆତ୍ମା ଯାହାକୁ ପ୍ରାଚୀନ ମିଶରରେ “କା” ବୋଲି କୁହାଯାଉଥିଲା ତାହା ସମ୍ରାଟଙ୍କର ପରଲୋକ ପରେ ତାଙ୍କୁ ସାହଚର୍ଯ୍ୟ ଦେବାପାଇଁ ଅପେକ୍ଷା କରି ରହିଥିବ । ପ୍ରାଚୀନ ମିଶରରେ ଏହିଭଳି ଅନେକ କୁକୁରଙ୍କ “ମମ୍ମି” ଅର୍ଥାତ୍ ସଂରକ୍ଷିତ ମୃତଦେହ ଦେଖିବାକୁ ମିଳିଛି ଯେଉଁମାନେ ତାଙ୍କର ମାଲିକ ମାନଙ୍କ ସହ ଏକାଠି ସମାଧି ଭିତରକୁ ଯାଇଛନ୍ତି । ଆବିଡସ୍ ସହରରେ କୁକୁରମାନଙ୍କ ପାଇଁ ସ୍ୱତନ୍ତ୍ର ସମାଧି ରହିଥିଲା । ବିଶେଷ ଭାବରେ ପ୍ରାଚୀନ ମିଶର ସର୍ବବୃହତ ଶ୍ୱାନ-ସମାଧି ରହିଥିଲା ଆସକେଲନ୍ ସମାଧିସ୍ଥଳରେ । ଏବେ ସେଇ ଅଞ୍ଚଳଟି ଆଧୁନିକ ଇସ୍ରାଏଲ୍ ରେ ଅବସ୍ଥିତ ।ମାତ୍ର ସେତେବେଳେ ତାହା ପ୍ରାଚୀନ ମିଶରର ଅନ୍ତର୍ଭୂକ୍ତ ଥିଲା । ଶ୍ୱାନ-ସମାଧି ସ୍ଥଳରେ ସମାଧି ର କାନ୍ଥରେ ଶ୍ୱାନ ମାନଙ୍କର ଚିତ୍ର ଅଂକନ କରାଯାଉଥିଲା । ଆଉ ସେଥିରୁ ଯେଉଁ ନିଷ୍କର୍ଷ ଟି ଆମକୁ ମିଳୁଛି ତାହା ହେଉଛି ପ୍ରାୟ ପାଞ୍ଚ ହଜାର ବର୍ଷ ତଳେ ମିଶରୀୟ ମାନେ ଶ୍ୱାନର ବେକରେ ପଟିର ବ୍ୟବହାର ଜାଣିଥିଲେ ।
ଆବୁତିଓର ଫାରୋହ ଅଜ୍ଞାତ।
ପ୍ରାଚୀନ ମିଶରରେ ଲେଖନ କଳା ବିକଶିତ ହୋଇଥିଲା । ସେମାନେ ପାପିରସ୍ ପତ୍ର ଉପରେ ଲେଖନକର୍ମ ସମ୍ପାଦନ କରୁଥିଲେ । ଆବୁତିଓର ସମାଧି ସ୍ଥଳରୁ ଗୋଟିଏ ପାପିରସ୍ ଆବିଷ୍କାର କରାଯାଇଛି। ସେହି ପାପିରସ୍ ଟି ହେଉଛି ଏକ ନିର୍ଦ୍ଦେଶନାମା ,ଆବୁତିଓ ର ସମାଧି ନିର୍ମାଣର ନିର୍ଦ୍ଦେଶ ।
ତାହାର ପାଠୋଦ୍ଧାର ଏହିଭଳି :
” ଏହି କୁକୁରଟି ମହାମହିମଙ୍କ ସୁରକ୍ଷାରେ ନିୟୋଜିତ ଥିଲା । ତାହାର ନାଆଁ ଆବୁତିଓ । ମହାମହିମ ବିଧିବଦ୍ଧ ସମାରୋହ ସହ ତାହାକୁ ସମାଧିସ୍ଥ କରିବା ପାଇଁ ନିର୍ଦ୍ଦେଶ ଦେଇ ଅଛନ୍ତି। ତଦନୁଯାୟୀ ରାଜକୋଷରୁ କଫିନ୍ ର ବ୍ୟବସ୍ଥା କରାଯିବ,ସେଥିରେ ଉଚ୍ଚମାନର ଲିନେନ୍ ବସ୍ତ୍ର ର ପ୍ରଚୁର ବ୍ୟବହାର ହେବ, ଏହା ସହିତ ରହିବ ଯଥେଷ୍ଟ ବାସ୍ନାକାରକ ପଦାର୍ଥ । ସମ୍ରାଟ ସ୍ୱୟଂ ବାସ୍ନାଯୁକ୍ତ ମଲମ ସେଥିପାଇଁ ପ୍ରଦାନ କରିଛନ୍ତି ଏବଂ କୁଶଳୀ ପଥୁରିଆ ମାନଙ୍କୁ ନେଇ ତାହାର ସେଠାରେ ଗୋଟିଏ ସୁନ୍ଦର ସମାଧି ନିର୍ମାଣ ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ”
ଏହି ପାପିରସରୁ ଆବୁତିଓ ନାଆଁଟି ମିଳିଛି ଆଉ ଏହି ପାପିରସର କାଳଗଣନା କରି ଜଣାପଡିଛି ଯେ, ଆବୁତିଓ ହେଉଛି ସର୍ବପ୍ରାଚୀନ କୌଣସି ଶ୍ୱାନର ଶ୍ରଦ୍ଧା ନାମ ।
ଆବୁତିଓର ସମାଧି କାନ୍ଥରୁ ତାହାର ଯେଉଁ ଚିତ୍ର ଦେଖିବାକୁ ମିଳିଛି ସେଥିରୁ ତାହାର ପ୍ରଜାତିକୁ ଆଜିର ସମସାମୟିକ ପ୍ରଜାତିର ବିବେଚନାର ଆଧାରରେ କହିବା ସମ୍ଭବପର ନୁହଁ । ଆବୁତିଓର ଚିତ୍ରରୁ ଜଣାଯାଇଛି ଯେ ସେ ଯେଉଁ ପ୍ରଜାତିର ତାହାକୁ ସେତେବେଳେ “ତେସେମ୍ ” ବୋଲି କୁହାଯାଉଥିଲା । ସାଧାରଣତଃ ତେସେମ ପ୍ରଜାତିର କୁକୁରମାନଙ୍କର କାନ ବେଶ୍ ବଡ ଆଉ ସେମାନେ ଶିକାର କାର୍ଯ୍ୟରେ ନିୟୋଜିତ ହୋଇଥାଆନ୍ତି ।
ଆବୁତିଓର ଫାରୋହ ଅଜ୍ଞାତ । ନିଜର ନିର୍ଦ୍ଦେଶନାମା କାର୍ଯ୍ୟାନ୍ୱିତ କରିପାରିବା ସତ୍ତ୍ୱେ ସେ ଅଜ୍ଞାତ । ଇତିହାସ ନିଷ୍ଠୁର ଭାବରେ ତାଙ୍କର ପୋଷା କୁକୁର ନିକଟରୁ ତାଙ୍କୁ ପରାସ୍ତ କରିଦେଇଛି ।
Comments are closed.