Latest Odisha News

ସ୍ୱଳ୍ପ ଗଳ୍ପ : ଅଗ୍ନି ପରୀକ୍ଷା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୫୯ 

ଇନଗ୍ରୀଡ୍ ବର୍ଗମ୍ୟାନ ।
ପ୍ରସିଦ୍ଧ ଅଭିନେତ୍ରୀ।

କିଛିଦିନ ଆଗରୁ ତାଙ୍କୁ ଗୋଟିଏ ଭୀଡର ଦୃଶ୍ୟପରକ ସମସ୍ତ ଉତ୍ସୁକତାର ସାମ୍ନାରେ ନିଆଁରେ ଜିଅନ୍ତା ଜାଳି ଦିଆଯାଇଥିଲା।

ସେ ସେହି ଲେଲିହାନ ନିଆଁରେ ଜଳିପୋଡି ପାଉଁଶ ହୋଇଯାଇଥିବା ଭଳି ଗୋଟିଏ ଦୃଶ୍ୟକୁ ପ୍ରତ୍ୟକ୍ଷ କରି ସଭିଏଁ ଫେରି ଯାଇଥିଲେ ନିଜନିଜର ନୈମିତ୍ତିକତାକୁ ।

ଆମେ ସାଧାରଣତଃ ଯେତେବେଳେ ନିଜ ନିଜର ଦୈନନ୍ଦିନ ରୁଟିନମାଫିକ୍ ଜୀବନକୁ ପ୍ରତ୍ୟାବର୍ତ୍ତନ କରିଥାଉ ସେତେବେଳେ ଆମ ସହିତ ରହିଥାଏ ପ୍ରଚୁର ବିରୋଧାଭାଷ,ମିଶ୍ରିତ ସମନ୍ୱୟ । ଆଉ ସେଇଥିପାଇଁ ତ ଆମ ଭିତରେ ସବୁବେଳେ ସେହି ଚିରାଚରିତ ହାମଲେଟ୍ ର ଦ୍ୱନ୍ଦ୍ୱ,ଟୁ ବି ଅର୍ ନଟ୍ ଟୁ ବି ।

ଇନଗ୍ରିଡ ବର୍ଗମ୍ୟାନ । ପ୍ରସିଦ୍ଧ ଅଭିନେତ୍ରୀ।

ସେ ବି ସେମିତି ସେଦିନର ସେହି ଜଳନ୍ତା ନିଆଁର ପାଉଁଶ ଭିତରୁ ବାହାରି ଆସି ଟିକିଏ ସାଷ୍ଟାମ ହୋଇଛନ୍ତିକି ନାହିଁ ,ନିଜର ପ୍ରିୟ ମିକ୍ସଡ ଫ୍ରୁଟଜୁସ୍ କୁ ପାଟିପାଖକୁ ଥରୁଟିଏ ନେଇଛନ୍ତି କି ନାହିଁ ,ଖବର ଆସିଥିଲା । ପୁଣି ନିଆଁ ଜାଳିବାର ସମସ୍ତ ଆୟୋଜନ ହୋଇସାରିଲାଣି। ପୁଣି ଥରେ ତାଙ୍କୁ ସେଥିରେ ଜାଳି ଦିଆଯିବ ।

ଇନଗ୍ରୀଡ ବର୍ଗମ୍ୟାନ । ପ୍ରସିଦ୍ଧ ଅଭିନେତ୍ରୀ ।

“ଜୁଆନ୍ ଅଫ୍ ଆର୍କ ” ଚଳଚ୍ଚିତ୍ରରେ “ଜୁଆନ୍” ର ନାମ ଭୂମିକାରେ ଅଭିନୟ କରିବା କାରଣରୁ ଦୃଶ୍ୟତଃ ତାଙ୍କୁ ଜଳନ୍ତା ନିଆଁକୁ ପ୍ରବେଶ କରିବାକୁ ହୋଇଥିଲା । ମାତ୍ର ସୁଟିଂ ଶେଷ କରି ସେ ଘରକୁ ଫେରିବାପରେ ତାଙ୍କୁ ଖବର ମିଳିଥିଲା ଯେ ଆମେରିକାର କଲୋରାଡୋ ସହରର ସିନେଟର୍ ଏଡୱିନ୍ ସି.ଜନସନ୍ ତାଙ୍କୁ ନିଆଁରେ ଜାଳି ଦେବା ପାଇଁ ଗୋଟିଏ ସଦ୍ୟ ଆହ୍ୱାନ ଦେଇଛନ୍ତି ।

ଏହା ୧୪ ମାର୍ଚ୍ଚ ୧୯୫୦ ମସିହାର କଥା ।

ସିନେଟର୍ ଏଡୱିନ ଜନସନଙ୍କର ଅଭିନେତ୍ରୀ ଇନଗ୍ରୀଡ ବର୍ଗମ୍ୟାନଙ୍କ ପ୍ରତି ଅନେକ ଦିନରୁ ପୁଞ୍ଜିଭୂତ କ୍ରୋଧ ରହିଥିଲା । ସେ ମନେକରୁଥିଲେ ଏହି ଲାବଣ୍ୟମୟୀ ଅଭିନେତ୍ରୀ ଜଣକ ବାସ୍ତବରେ ହେଉଛନ୍ତି,ସମାଜରେ ସମସ୍ତ ପାପର ଏକ କାରକ ଉପସ୍ଥିତି। ଅଭିନେତ୍ରୀ ଇନଗ୍ରୀଡଙ୍କର ଯେଉଁ ଆଭିମୁଖ୍ୟକୁ ତାଙ୍କର ରାଜନୈତିକ ଦୃଷ୍ଟିକୋଣରୁ ନାପସନ୍ଦ ଅଥବା ଦୃଢ ଭାବରେ ପ୍ରତ୍ୟାଖ୍ୟାନ କରିବା କଥା,ସେଥିପ୍ରତି କିନ୍ତୁ ସିନେଟର୍ ଜନସନ୍ ବେପରବାୟ ଥିଲେ । ବିଚାରଗତ ଭାବେ ଅଭିନେତ୍ରୀ ଇନଗ୍ରିଡଙ୍କର କମ୍ୟୁନିଷ୍ଟ ସଂଲଗ୍ନତା ରାଜନୀତିଗତ ଦୃଷ୍ଟିରୁ କୌଣସି ଆମେରିକୀୟ ରାଜନେତାକୁ ସହଜ ମନେହୁଏ ନାହିଁ । ମାତ୍ର ଏଇଠି କଲୋରାଡୋର ଏହି ସିନେଟର୍ ଙ୍କର ଦୃଷ୍ଟି ଅଲଗା। ସେ ମଣିଷର ନୈତିକତାର ପ୍ରଶ୍ନ ଉଠାଇ ସେଥିପ୍ରତି ଇନଗ୍ରିଡ୍ କେତେପରିମାଣର ଗୋଟିଏ ବଡ ବିପଦ ସେହି କଥାକୁ ଦୃଢଭାବରେ ସର୍ବତ୍ର କହୁଥିଲେ ।

ସିନେଟର୍ ଏଡୱିନ୍ ଜନସନଙ୍କର ଅଭିନେତ୍ରୀ ଇନଗ୍ରୀଡ୍ ଙ୍କ ପ୍ରତି ରହିଥିବା ଅସମ୍ଭବ କ୍ରୋଧ ଆଉ ଘୃଣାର କାରଣ କୁ ସରଳ ଭାବରେ କହିଲେ ଏହିପରି ହେବ ଯେ,ଏହି ଅଭିନେତ୍ରୀ ଜଣକ ନିଜର ଅଭିନୟ ଜୀବନରେ ଅବକ୍ଷୟବାଦୀ ନୈତିକତା ର ଗୋଟିଏ ଜ୍ୱଳନ୍ତ ଉଦାହାରଣ ଆକାରରେ ସମସ୍ତ ସାମାଜିକ ମୂଲ୍ୟବୋଧକୁ ବିନଷ୍ଟ କରିଛନ୍ତି । ମୁକ୍ତ ଶାରୀରିକତାକୁ ନିଜର ଚଳଚ୍ଚିତ୍ରରେ ସେ ସବୁବେଳେ ପ୍ରଦର୍ଶନ କରିଆସିଛନ୍ତି । ସେ ଯେତେବେଳେ ନିଜର କନ୍ୟା ଆଉ ସ୍ୱାମୀଙ୍କୁ ଛାଡି ଇଟାଲୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରୋବେର୍ତ୍ତୋ ରୋସେଲିନଙ୍କ ଭଳି ଜଣେ ବିବାହିତ ପୁରୁଷ ସହିତ ଏକତ୍ର ରହିବା ଭଳି କାର୍ଯ୍ୟ କରିଛନ୍ତି,ସେଇକଥା ସିନେଟର୍ ଜନସନ୍ ଙ୍କୁ ଭାରି ଆହତ କରିଥିଲା । ଏଇଠି ସିନେଟର୍ ଜନସନ୍ ଙ୍କର କହିବା ଥିଲା,ବର୍ଗମ୍ୟାନ ଏହିଭଳି କରିବା ଦ୍ୱାରା ସମାଜରେ ବିବାହ ବୋଲି ଆମର ଯେଉଁ ପବିତ୍ର ଅନୁଷ୍ଠାନ କାଳକାଳରୁ ରହିଅଛି ତାହା କ୍ଷୁର୍ଣ୍ଣ ହେବ ଏବଂ ତାହା ପରିବର୍ତ୍ତେ ଏହି ସ୍ୱେଚ୍ଛାଚାରିତାର କାରଣରୁ ଯୌନ ଉତ୍ସୃଙ୍ଖଳତା ବୃଦ୍ଧି ପାଇବା ସହିତ ସାମାଜିକ ଶୂଚିତା ବିଘ୍ନିତ ହେବ । ଯେହେତୁ ଇନଗ୍ରିଡ ବର୍ଗମ୍ୟାନ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ଅଭିନେତ୍ରୀ ତେଣୁ ତାଙ୍କର ଏଇଭଳି ଆଚରଣ ଏବଂ ଅଭିନୟ ଆମେରିକୀୟ ଯୁବ ସମାଜକୁ ନିଶ୍ଚିତ ଭାବରେ ବିପଥଗାମୀ କରାଇବ । ସେଇଥିପାଇଁ ସିନେଟର୍ ଜନସନ୍ ମନେକରୁଥିଲେ ଯେ, ଅଭିନେତ୍ରୀ ବର୍ଗମ୍ୟାନ ନିଜର ପ୍ରେମିକ ପାଖକୁ ଆସିବା ସମୟରେ ପଛରେ ଛାଡିଦେଇ ଆସଥିବା ଗୋଟିଏ ନୀରିହ ଶିଶୁକନ୍ୟା ର ଦୁଃଖକୁ ବୁଝିବାକୁ ହେବ । ତାଙ୍କ ମତରେ,ହଲିଉଡ୍ ର ଚମକ ଆଉ ଅର୍ଥ ଆଗରେ ଏହି ଅଭିନେତ୍ରୀଙ୍କ ଆତ୍ମା ବନ୍ଧା ପଡିଯାଇଛି । ତେଣୁ ଏହାର ଏକମାତ୍ର ପ୍ରତିକାର ହେଉଛି ବର୍ଗମ୍ୟାନ ଭଳି ଅଭିନେତ୍ରୀ ମାନଙ୍କୁ ପ୍ରତ୍ୟାଖ୍ୟାନ ଏବଂ ସେଇଭଳି ଚରିତ୍ରମାନଙ୍କୁ ଚଳଚ୍ଚିତ୍ର ଜଗତରେ ସମ୍ପୂର୍ଣ୍ଣ ବାସନ୍ଦ।

ଏହି ବିଶେଷ ଉଦ୍ଦେଶ୍ୟରେ କଲୋରାଡୋର ସିନେଟର୍ ଏଡୱିନ ସି ଜନସନ୍ ଗୋଟିଏ ବିଲ୍ ଉପସ୍ଥାପନ କରିଥିଲେ । ସେଦିନ ଥିଲା ୧୪ ମାର୍ଚ୍ଚ ୧୯୫୦ । ସମାଜର ଅନିଷ୍ଟପ୍ରଭାବବିସ୍ତାର କରୁଥିବା ଅଭିନେତା,ଅଭିନେତ୍ରୀ,ପ୍ରଯୋଜକ ଏବଂ ପରିଚାଳକମାନଙ୍କୁ ସମସ୍ତ ପ୍ରକାର ବ୍ୟବସାୟିକ ପ୍ରଦର୍ଶନରୁ ନିଷିଦ୍ଧ କରାଯିବା ଥିଲା ସେଇ ବିଲ୍ ର ଆଭିମୁଖ୍ୟ । ଖରାପ ଲୋକ ଚଳଚ୍ଚିତ୍ରରେ ସୁଯୋଗ ପାଇବା ଉଚିତ ନୁହଁ, ତାହା ଥିଲା ଏହି ବିଲ୍ ର ମୋଟାମୋଟି କଥା ।

ସିନେଟର୍ ଜନସନ୍ ବିଶ୍ୱାସ କରୁଥିଲେ, ଅଭିନେତ୍ରୀ ଇନଗ୍ରିଡ୍ ବର୍ଗମ୍ୟାନଙ୍କ ଠାରୁ ଏହାପରେ ଆଉ ଅଧିକ କିଛି ମିଳିବାର ଆଶା ନାହିଁ ମାତ୍ର ସେ ଜଳିପୋଡି ଜଳିପୋଡି ପାଉଁଶ ହୋଇଗଲେ ସେଇ ପାଉଁଶ ଭିତରୁ ହଲିଉଡ୍ ର ଆତ୍ମା ନିଶ୍ଚୟ ଆଉ ଏକ ନବୀନ ଉତ୍ସାହରେ ଉଦ୍ଦୀପନାରେ ନୂତନ ଭାବରେ ଜନ୍ମନେବ।

ଫିନିକ୍ସ ହେଉଛି ସେହି ଅଲୌକିକ ଅଗ୍ନିପକ୍ଷୀ ଆଉ ଅଗ୍ନି ହେଉଛି ଚିରକାଳ ତାହାର ସାର୍ଥକ ସୃଜକ।

ନୈତିକତାର ପ୍ରଶ୍ନ କୁ ନେଇ ବ୍ୟକ୍ତି ଆଉ ସମାଜର ଦ୍ୱନ୍ଦ୍ୱ ଚିରକାଳ ଅସମାହିତ । ସେଇଥିପାଇଁ ଚିରକାଳ ନିଆଁ ଜଳୁଥାଏ । ଲେଲିହାନ ଶିଖାରେ ଅଗ୍ନି ଆମର ତେଣୁ ଚିରକାଳର ଅଭୀଜ୍ଞ ପରୀକ୍ଷକ ।

ଏଇଠି । ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା।

ଇତିହାସରେ କେହିକେବେ ଜଳିପୋଡି ପାଉଁଶ ହୋଇନାହାଁନ୍ତି। ସଭିଏଁ ଶୁଦ୍ଧ ସୁବର୍ଣ୍ଣ ବର୍ଣ୍ଣରେ ଉଡିଆସିଛନ୍ତି ତାହାପରେ ଆମ ଗହଳୀକୁ ଆଉ ପୃଥିବୀ ର ମଧୁରତମ ଗଳାରେ ଆମକୁ କହୁଛନ୍ତି, ଯା,ଏଥର ତୋର ପରୀକ୍ଷା ଦେବାର ପାଳି ପରା,ମନେ ନାହିଁ ?

ଫିନିକ୍ସର କାକଳୀକୁ ଆମେ ଚିହ୍ନିପାରିବୁନି,ଏମିତି ବିସ୍ମରଣ କେବେ କାହାର ହୋଇଥିଲା ଯେ ଏବେ ହେବ ?

Leave A Reply

Your email address will not be published.