ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୦
ନିହାତି ସରଳ ଆଉ ଆଟୋପହୀନ ଭାବରେ କହିଲେ ଆଜିର ଶୀର୍ଷକ ହେଉଛି ଗୋଟିଏ ଅସଲି ଦନ୍ତ କଥା । ଅର୍ଥାତ୍ ଏଠାରେ ଦାନ୍ତକୁ ନେଇ ବିଶେଷ ଭାବରେ ମଣିଷର ଦାନ୍ତକୁ ନେଇ କିଛି କଥାର ଉପସ୍ଥାପନା କରାଯାଉଛି।
ଏଇ ଦନ୍ତ କଥାର ଆରମ୍ଭଟି ଜଣେ ବିଶ୍ୱବିଖ୍ୟାତ ଚିନ୍ତାନାୟକ ଙ୍କ ଅଭିମତରୁ ଆରମ୍ଭ ହେଉ। ବିଶ୍ୱର ଦର୍ଶନ ଜଗତର ଅଦ୍ୟାବଧି ଜଣେ ତୁଙ୍ଗ ଦାର୍ଶନିକ ଆରିଷ୍ଟୋଟଲ୍ ଦାନ୍ତକୁ ନେଇ ତାଙ୍କର ବିଚାରକୁ ଏଇଭଳି ରଖିଥିଲେ ।
୩୮୪ ଖ୍ରୀପୂ ରୁ ୩୨୨ ଖ୍ରୀପୂ ସମୟରେ ଆରିଷ୍ଟୋଟଲ୍ ଙ୍କ ବିଚାର ଯାହା ପରେ ସଂକଳିତ ହୋଇଛି ହିଷ୍ଟୋରି ଅଫ୍ ଆନିମାଲସ୍ ନାମକ ପୁସ୍ତକରେ ,ସେଥିରେ ଦାନ୍ତକୁ ନେଇ ତାଙ୍କର କହିବା କଥା ଏଇ ଭଳି ରହିଛି :
” ମଣିଷମାନଙ୍କ ଭିତରେ ପୁରୁଷର ନାରୀମାନଙ୍କ ଅପେକ୍ଷା ଅଧିକ ଦାନ୍ତ ଥାଏ ଏବଂ ମେଣ୍ଢା,ଛେଳି ଆଉ ଘୁଷୁରି ମାନଙ୍କ ଭିତରେ ବି ଏହିଭଳି ସମାନ କଥା ଦେଖାଯାଏ । କିନ୍ତୁ ଏମାନଙ୍କ ବ୍ୟତିତ ଆଉ କୌଣସି ପ୍ରାଣୀଜଗତରେ ଏକଥା ଦେଖାଯାଇନଥାଏ । ଯେଉଁମାନଙ୍କ ପାଖରେ ଅଧିକ ଦାନ୍ତ ରହିଛି ସେମାନେ ଅଧିକ ଦିନ ବଞ୍ଚିଥାନ୍ତି । ଯେଉଁମାନଙ୍କର ଦାନ୍ତ ଭିତରେ ଫାଙ୍କ ଅଧିକ, ଯେଉଁମାନଙ୍କର ଦାନ୍ତ ସଂଖ୍ୟାରେ କମ୍ ଆଉ ମାଢିରେ ଅସଜଡା ସେମାନେ ସାଧାରଣତଃ ସ୍ୱଳ୍ପାୟୁ ।”
ମହାପଣ୍ଡିତ ଆରିଷ୍ଟୋଟଲଙ୍କର ଏହି ଭଳି ଗୋଟିଏ ଦନ୍ତବହୁଳ ତତ୍ତ୍ୱ ବା ଟୁଥ୍ ମେଜୋରିଟାରିଆନିଜମର ପ୍ରସଙ୍ଗକୁ ହୁଏତ ଆଜି ଆପଣମାନେ ବାସ୍ତବ ଅପେକ୍ଷା ପ୍ରତୀକରେ ଅଧିକ ଦେଖିପାରନ୍ତି ।
ସେ ଯାହାହେଉ ଆମକୁ ଏଇଠି ଗୋଟିଏ କଥା ମନେ ରଖିବାକୁ ହେବ ଯେ, ମଣିଷ ସଭ୍ୟତାର ଆରମ୍ଭରୁ ଯେଉଁ ଦୁଇଟି ଅସୁଖ ସହିତ ମଣିଷର ପରିଚୟ ହୋଇଥିଲା ତାହା ହେଉଛି ଦାନ୍ତବିନ୍ଧା ତଥା ଦନ୍ତକ୍ଷୟ ଏବଂ ଅଜୀର୍ଣ୍ଣ ଝାଡା । ତେଣୁ ସଭ୍ୟତାର ଆରମ୍ଭରୁ ମଣିଷ ଏହି ଦୁଇଟି ଅସୁଖ ସମ୍ପର୍କରେ ନିଜର କଳ୍ପନା ଏବଂ ତାହାର ପ୍ରତିକାରର କଥା ଚିନ୍ତାକରି ଆସିଛି।
ସୁଦୂର ଅତୀତରେ ମଣିଷର ବସ୍ତୁସ୍ଥିତି ତଥା ଆକଳନର ପରିପ୍ରେକ୍ଷୀରେ ସଂଜାତ କଳ୍ପନାକୁ ଆଜି ଆମେ ହୁଏତ ହସରେ ଉଡାଇଦେଇପାରୁ ମାତ୍ର ସେମାନଙ୍କର ପାରିପାର୍ଶ୍ୱିକରୁ ସେମାନଙ୍କର ବୈଜ୍ଞାନିକ ଚିନ୍ତନର -ଯଦି କିଛି ଅବଶେଷ ମିଳିପାରିବ-ସେଇ ବିବର୍ତ୍ତନର ଆଦିମ ବିନ୍ଦୁକୁ ଆମର ସ୍ମରଣର ପରିସରକୁ ଆଣିବା ଉଚିତ।
ଦନ୍ତକ୍ଷୟ ଯାହାକୁ ଆମେ “ଡେଣ୍ଟାଲ୍ କାରିଜ୍”ବା “ଡେଣ୍ଟାଲ୍ କାଭିଟି” ବୋଲି କହୁ ତାହାର କାରଣ ହେଉଛି ବାକଟେରିଆ ଯାହା ସାଧାରଣତଃ ଏସିଡ୍ ସୃଷ୍ଟିକରିଥାଏ । ଏହି ଏସିଡର ପ୍ରଭାବରେ ଆମର ଦନ୍ତକ୍ଷୟ ହୋଇଥାଏ । ମାତ୍ର ଆଦିମ କାଳରେ ଦନ୍ତକ୍ଷୟକୁ ନେଇ ମଣିଷର କଳ୍ପନା ଥିଲା ଯେ ଗୋଟିଏ ପ୍ରକାର ଦାନ୍ତ-ପୋକ ବା ଟୁଥ୍ -ୱାର୍ମ ଦାନ୍ତ ମୂଳକୁ ଚୋବାଇ କଣା କରିଦେଇଥାନ୍ତି । ଏହି ଦାନ୍ତ-ପୋକମାନେ ସବୁବେଳେ ବଡ ଅସ୍ଥିର ଆଉ ସବୁବେଳେ ତାଙ୍କର ଖାଇ ଖାଇ ଭାବ। ସେମାନେ ଆମର ଦାନ୍ତକୁ ଖାଇବା ଆରମ୍ଭ କରିବା ମାତ୍ରକେ ଆମେ ଯନ୍ତ୍ରଣାରେ କାତର ହୋଇପଡୁ। ଏହି ଭଳି ଯେଉଁ ଦାନ୍ତ-ପୋକ ତାହା ସମ୍ପର୍କରେ ସର୍ବପ୍ରଥମ ବିବରଣୀ ସୁମେରୀୟ ସଭ୍ୟତାର ଏକ ବିବରଣୀରେ ଦେଖିବାକୁ ମିଳିଛି ଏବଂ ପୃଥିବୀର ସମସ୍ତ ଆଦ୍ୟ ସଭ୍ୟତାରେ ଏହି ଭଳି ଦାନ୍ତ-ପୋକ ଯିଏ ମଣିଷର ଦାନ୍ତକୁ ଚରିଯାଉଥାଏ ତାହାର ପ୍ରାଧାନ୍ୟର କଥା ଦେଖିବାକୁ ମିଳିଛି ।
ଖ୍ରୀପୂ ୫୦୦୦ ରେ ବେବିଲୋନ ର ଜଣେ ଦନ୍ତକ୍ଷୟରେ ପୀଡିତ ବ୍ୟକ୍ତିକୁ ତାହାର ଅସୁଖର ପ୍ରତିକାର ହିସାବରେ ଯାହା ଉଲ୍ଲେଖ କରାଯାଯାଇଛି ତାହା ହେଉଛି ,” ଏଇ ଟାବଲେଟଟିକୁ ନିଅ ଆଉ ସକାଳେ ମୋ ସହିତ ମୋ ସହ କଥା ହୁଅ ।” ଏଠାରେ ଟାବଲେଟ୍ କହିଲେ ଆଜିକାଲିର ଟାବଲେଟ୍ ବା ବଟିକା ନୁହଁ । ଏହି ଟାବଲେଟ୍ ହେଉଛି ସେ ସମୟରେ ବେବିଲୋନରେ କାଦୁଆପଟା ଉପରେ କଣ୍ଟାଦ୍ୱାରା ଲେଖାଯାଉଥିବା କିଛି ବିବରଣୀ ।
ସେସମୟର ବେବିଲୋନରେ ଏକ ବିବରଣୀ ବା ଟାବଲେଟ୍ ର ଦନ୍ତକ୍ଷୟର ଉପଚାର କେଉଁ ପ୍ରକାରର ଭୂମିକା ତାହାହେଲେ ରହିଥିଲା ? ଏଥିରେ କୌଣସି ଦନ୍ତକ୍ଷୟର ବିବରଣୀ ନଥିଲା । ଦାନ୍ତକ୍ଷୟର ଉପଚାର ନିମନ୍ତେ ବ୍ୟବହାର ହେଉଥିବା ଟାବଲେଟ୍ ଗୁଡିକ ଏକ ବିଶେଷ ପ୍ରକାରର ଟାବଲେଟ୍ ଥିଲା।
ସେ ସମୟର ରାଜା ଅସୁରବନିପାଲଙ୍କ ସଂଗ୍ରହାଳୟରୁ ଏହି ଭଳି ଦାନ୍ତକ୍ଷୟର ଉପଚାର ନିମନ୍ତେ ବ୍ୟବହୃତ ହେଉଥିବା ଅନେକ ଟାବଲେଟର ସନ୍ଧାନ ମିଳିଅଛି।
ସେ ସମୟରେ ଦାନ୍ତକ୍ଷୟର କାରକ ହିସାବରେ ଯେଉଁ ଦାନ୍ତ-ପୋକ ବା ଟୁଥ୍-ୱାର୍ମର କଳ୍ପନା କରାଯାଉଥିଲା ସେମାନଙ୍କର ବିଶ୍ୱାସରେ ଥିଲା ଅସଲରେ ରାକ୍ଷସର ପ୍ରତିନିଧି। ରାକ୍ଷସ ବା ଡେମନ୍ ସହ ସଲାସୁତୁରା ହୋଇ ସେ ଗୋପନରେ ମଣିଷର ମୁହଁ ଭିତରକୁ ଯାଇ ନିଜର ଆସ୍ଥାନ ବୃଦ୍ଧି କରିଚାଲିଥିଲା। ମଣିଷ ନିଜର ଦାନ୍ତରେ ଖାଦ୍ୟ ପଦାର୍ଥକୁ ଚୋବାଇ ଖାଇବା ଭଳି ସେ ରାକ୍ଷସରାଜ ପ୍ରତିଷ୍ଠିତ କରିବାପାଇଁ ମଣିଷ ର ଦାନ୍ତକୁ ଚୋବାଇ ଖାଇଯାଉଥିଲା।
ତେଣୁ ଦନ୍ତକ୍ଷୟରେ ଉପଶମକାରୀ ହିସାବରେ ଯେଉଁ ଟାବଲେଟ୍ ର ସେସମୟରେ ବ୍ୟବହାର କରାଯାଉଥିଲା ତାହା ଆଜିକାଲି ର ବିଶ୍ୱାସ -ଉପଚାର ଆକାରରେ ବ୍ୟବହାର କରାଯାଉଥିବା ତାବିଜ ଭଳି ଏକପ୍ରକାର । ଏହି ସବୁ ବେବିଲୋନୀୟ ଟାବଲେଟର ବିଶେଷ ଭାବରେ ଦେବତାଙ୍କୁ ପ୍ରାର୍ଥନା କରାଯାଉଥିଲା । ଦେବତା ତାହାଫଳରେ ଉପସ୍ଥିତ ହୋଇ ନିଜର ଐଶ୍ୱରିକ ଶକ୍ତି ବଳରେ ମଣିଷ ଭିତରେ ରାକ୍ଷସରାଜ ପ୍ରତିଷ୍ଠିତ କରିବାପାଇଁ ସବୁବେଳେ ବ୍ୟଗ୍ର ତଥା ରାକ୍ଷସର ବିଶ୍ୱସ୍ତ ପ୍ରତିନିଧି ଦାନ୍ତ-ପୋକକୁ ପରାସ୍ତ କରିବେ ।
ଏହି ଉପଶମକାରୀ ଟାବଲେଟ୍ ଗୁଡିକରେ ଅତଳର ଦେବତା ଇଆ ଏବଂ ଆକାଶର ଦେବତା ଅନୁଙ୍କୁ ଆରାଧନା ତଥା ଆବାହନ କରାଯାଉଥିଲା । ଅନୁ ଆକାଶ ସୃଷ୍ଟି କରିଛନ୍ତି ଏବଂ ଆକାଶରୁ ସୃଷ୍ଟି ହୋଇଛି ପୃଥିବୀ। ପୃଥିବୀରୁ ନଦୀ,ନଦୀରୁ କେନାଲ୍ ,କେନାଲରୁ ସନ୍ତସନ୍ତିଆ ଦଳ ବା ମାର୍ସ ର ସୃଷ୍ଟି ହୋଇଛି ଯଥାକ୍ରମେ। ଆଉ ଦନ୍ତକ୍ଷୟ ସୃଷ୍ଟି କରୁଥିବା ସେଇ ଦାନ୍ତ-ପୋକ ର ଜନ୍ମ ହୋଇଛି କେନାଲ୍ ରୁ ସୃଷ୍ଟି ହୋଇଥିବା ସେଇ ସନ୍ତସନ୍ତିଆ ଦଳରୁ। ଦାନ୍ତ-ପୋକ ଜନ୍ମ ନେଲା ପରେ ଅତଳର ଦେବତା ଇଆଙ୍କ ସନ୍ତାନ ଶାମାସ୍ ଙ୍କୁ ପ୍ରାର୍ଥନା କଲା,ମୋତେ କିଛି ଖାଦ୍ୟ ପ୍ରଦାନ କରନ୍ତୁ ମହାମହିମ। ଶାମାସ୍ ତାହାପାଇଁ ମଣିଷର ପାଟିର ଭିତରେ ରହି ମଣିଷ ସହ ସମସ୍ତ ସୁସ୍ୱାଦୁ ଖାଦ୍ୟ ଭକ୍ଷଣ କରିବାର ବ୍ୟବସ୍ଥା କରିଦେଇଥିଲେ । ମଣିଷ ସହ ସମସ୍ତ ସୁସ୍ୱାଦୁ ଖାଦ୍ୟ ଭକ୍ଷଣ କରିବାପରେ ଦାନ୍ତ-ପୋକର କ୍ଷମତା ତଥା ପ୍ରତିପତ୍ତି ବୃଦ୍ଧି ପାଇଥିଲା। କାରଣ ଖାଦ୍ୟ ହିଁ ଖାଦକକୁ ଏକ ପ୍ରକାର ପ୍ରତ୍ୟୟ ପ୍ରଦାନ କରିଥାଏ । ସେଇଠି ଖାଦ୍ୟର ଅପରିସୀମ ତୃଷ୍ଣା ଦାନ୍ତ-ପୋକକୁ ରାକ୍ଷସ ସହ ପରିଚୟ କରାଏ ଆଉ ସେ ମଣିଷର ଦାନ୍ତକୁ ଖାଇବାର ଉପକ୍ରମ କରେ।
ବେବିଲୋନ୍ ର ଦନ୍ତକ୍ଷୟର ଉପଶମ ଆକାରରେ ବ୍ୟବହୃତ ହେଉଥିବା ଟାବଲେଟ୍ ଗୁଡିକରେ ବିଶେଷ ଭାବରେ ଅତଳର ଦେବତା ଇଆଙ୍କର ସନ୍ତାନ ତଥା ଦାନ୍ତ-ପୋକର ପରିପାଳକ ଶାମାସଙ୍କର ଆରାଧନା ତଥା ଆବାହନ କଥା ଲେଖାରହିଥିଲା ।ଏଥିରେ ନିବେଦନ କରାଯାଉଥିଲା ଯେ,ଦେବତା ଶାମାସ୍ ପରମଦୟାବଶ ହୋଇ ଉପସ୍ଥିତ ବ୍ୟକ୍ତିର ମୁହଁ ଭିତରେ ଥିବା ଦନ୍ତ-ପୋକକୁ ଅନୁଜ୍ଞା ଦେବେ ଯେ,ଏହାପରଠାରୁ ତୋହର ସମସ୍ତ ଖାଦ୍ୟବିଧାନ ନିଷିଦ୍ଧ ହେଲା।
ଦନ୍ତକ୍ଷୟର ଅପରିସୀମ ଯନ୍ତ୍ରଣାରେ କାତର ବ୍ୟକ୍ତିକୁ ଏହି ଭଳି ଗୋଟିଏ ଗୋଟିଏ ଟାବଲେଟକୁ ମାଳା କରି ନିଜ ବେକରେ ପିନ୍ଧିବାକୁ ହେଉଥିଲା ।
ଦନ୍ତକ୍ଷୟର ଉପଶମକାରୀମାନେ ବାହାରକୁ ଗଲାବେଳେ ସାଥିରେ ଏଇଭଳି “ଥେରାପ୍ୟୁଟିକ୍ ଟାବଲେଟ୍” ରୁ ପ୍ରାୟ ଚାଳିଶ ପଚାଶଗୋଟି ସାଥିରେ ଧରି ଯାଉଥିଲେ । ସେଥିରୁ ଜଣାପଡିବ ଯେ ଏହି ସବୁ ଟାବଲେଟ୍ ର ଆଗ୍ରହ ସର୍ବସାଧାରଣରେ କେତେ ପରିମାଣରେ ରହିଥିଲା ।
ବିଶ୍ୱାସର ଉପଚାର, ସେମିତି କହିବାକୁ ଗଲେ ସମସ୍ତ ଅସୁଖର ଅନ୍ୟତମ ସଶକ୍ତ ଉପଚାର ହିସାବରେ ଏଯାଏଁ ବି ରହିଆସିଅଛି । ସେଇଥିପାଇଁ ତ ସଭ୍ୟତାର ଆଦିମ କାଳରୁ (ଏ ପର୍ଯ୍ୟନ୍ତ ବି !) ଅସୁଖର ଉପଶମ ନିମନ୍ତେ ଚିକିତ୍ସକ ଆଉ ଦେବତା ,ଏଇ ଦୁଇଟିର ତୁଳନାତ୍ମକ ସ୍ଥିତିକୁ ମଣିଷ ସବୁବେଳେ କଳନା କରି ଆସୁଛି ଏବଂ ଦେବତାକୁ ହିଁ ଅଧିକ ମହତ୍ୱ ଦେଇ ଆସିଛି। ଆଉ ସେଇଥିପାଇଁ ତ ଅସୁଖ-ବିଚାରରେ ଆମର ସମସ୍ତ ଅସୁଖ ର ସୃଷ୍ଟିର କାରଣ କେବଳ ବହିର୍ମୁଖୀ। ଏହି ବହିର୍ମୁଖୀ ଚିନ୍ତନ କାରଣରୁ ଆମର ଦୈବିକନିର୍ଭରତା ସାଧାରଣତଃ ଅଧିକ।
ପ୍ରାଚୀନ ସୁମେରୀୟ ସଭ୍ୟତାଠାରୁ ଆରମ୍ଭ କରି ଆଜି ଯାଏଁ ( ହଁ ,ଆଜି ଯାଏଁ ,ଏମିତି କିଛି ବ୍ୟକ୍ତି ଆଜିବି ଏଇଠେ ଅଛନ୍ତି ଯେଉଁମାନେ ମନ୍ତ୍ର ପଢି ଦାନ୍ତ ବିନ୍ଧିଲେ ପାଟିରୁ ପୋକ ମନ୍ତ୍ରସିଦ୍ଧ ଜଳରେ ବାହାର କରିପାରିବାର ସାମର୍ଥ୍ୟ ରଖନ୍ତି ) ଦାନ୍ତ-ପୋକର ବହୁତ ବର୍ଣ୍ଣନା ରହିଅଛି । ଦେଖିବାକୁ ଏହା କୌଣସି ଲାର୍ଭା ବା ମାଗଟ୍ ଭଳି , ଦେହର ରଙ୍ଗ କେତେବେଳେ ଧଳା ତ କେତେବେଳେ କଳା, ଧୂସର ଆଉ ବାଇଗେଣୀ ।
ଆଜି ପର୍ଯ୍ୟନ୍ତ ସତ କହିଲେ କେହି ନିଜର ଚର୍ମଚକ୍ଷୁରେ ଦାନ୍ତ-ପୋକକୁ ଏମିତି ପ୍ରତ୍ୟକ୍ଷ କରିନାହିଁ।
Comments are closed.