ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୯
ଡ୍ୟୁଡୋରେଣ୍ଟର କଥା ମାନେ ଦେହର ଝାଳ କଥା ଅବଶ୍ୟ ଆସିବ।
ଝାଳକୁ ନେଇ ଆମର ଅନେକ ଗୌରବଗାଥା ପ୍ରଚଳିତ ରହିଛି। ଅସଲରେ ଆମେ “ମୁଣ୍ଡ ଝାଳକୁ ତୁଣ୍ଡରେ ମାରିବା ” ଭଳି ଯେତିକି ଯେତିକି ଆତ୍ମମୋହିତ ହେବା ଭଳି କଥାମାନ କହିଥାଉ ବା ସେଇଭଳି ଯେତେ କଥାରେ ନିରନ୍ତର ବିଶ୍ୱାସ ରଖିଥାଉ ତାହା ଅସଲରେ ହେଉଛି ଝାଳର ମାର୍ଫତ୍ ରେ ଆମର ଶ୍ରମର ଗୌରବଗାନ କରିବାର କଥା। ଝାଳ ହେଉଛି ଆମର ଶ୍ରମର ଉପଜ ଆଉ ଆମର ଶ୍ରମ ହେଉଛି ଆମର ଅଭୀଷ୍ଟ ଲକ୍ଷ୍ୟ ର ଉଦ୍ଦେଶ୍ୟରେ ଯାତ୍ରାପଥର କାରକ ତଥା ଆମର କର୍ମର ମାଧ୍ୟମ। ତେଣୁ ଝାଳ ଭିତରେ ଆମେ ବସ୍ତୁତଃ ଆମର ଶ୍ରମ,କର୍ମ ଏବଂ ଆମର ଲକ୍ଷ୍ୟ ଏହି ସମସ୍ତ ଏକାଠି ପରିଭାଷିତ ହୋଇଥିବାର ଦେଖିଥାଉ। ଯେହେତୁ ଆମର ଲକ୍ଷ୍ୟ ତଦନୁଯାୟୀ କର୍ମ,କର୍ମର ବିହିତାର୍ଥରେ ଶ୍ରମ ଏବଂ ଶେଷରେ ଏ ସବୁର ଏକ ଦୃଶ୍ୟସଂଗତ ପରିଣତି ତଥା ଝାଳ,ଏଇ ଭଳି ଗୋଟିଏ ପ୍ରକ୍ରୀୟାରେ ଭିତରେ ଯେଉଁ ସ୍ଥିତାବସ୍ଥା ସେଥିରେ ରହିଥାଏ ଆମର ବ୍ୟକ୍ତିସତ୍ତା ବା ଆମର ଅସ୍ତିତ୍ୱ। ତେଣୁ ଝାଳକୁ ଅସ୍ୱୀକାର କରିବା କହିଲେ ଆମେ ଯେମିତି ଆମର ଅସ୍ତିତ୍ୱକୁ ଅସ୍ୱୀକାର କରିବା ଭଳି କଥା ହୋଇଥାଏ ।
ସେ ଦୃଷ୍ଟିରୁ ଝାଳ ଆମର ନିଜର ଏକ ପ୍ରତିରୂପ ଆକାରରେ ସାଧାରଣତଃ ଗଢା ।
ମଣିଷର ଶରୀର ଭିତରୁ ଯେତେଯେତେ ରସ ବା ଫ୍ଲୁଇଡ୍ କ୍ଷରିତ ହୋଇଥାଏ ସେଇ ସବୁ ସବୁବେଳେ ଅପବିତ୍ର ବର୍ଜ୍ୟବସ୍ତୁ। ସବୁବେଳେ “ନିର୍ମଳ ମଳବାହୀ” ଶରୀରରୁ ଯାହା ନିର୍ଗତ ହେବ ତାହା ନିଶ୍ଚୟ ଏକ ମଳ ବାଚକ ପଦାର୍ଥ,ଏଇ ଭଳି ଗୋଟିଏ ବିଶ୍ୱାସ ଆମର ଶରୀର-ଧାରଣା ରେ ରହିଅଛି। ମାତ୍ର ଝାଳ ଶରୀରର ଅଭ୍ୟନ୍ତରରୁ ନିର୍ଗତ ହୋଇଥିଲେ ହେଁ ଏହା ସେହି ଭଳି ମଳ-ବାଚକ ଶବ୍ଦ ନହୋଇ ଆମର ଏକ ଅସ୍ତିତ୍ୱ-ବାଚକ ସମ୍ମାନ ଶବ୍ଦ।
ମାତ୍ର ଏଇ କଥାଟି ଆମକୁ ଆଶ୍ଚର୍ଯ୍ୟ କରିପାରେ ଯେ ଆମ ଦେହରୁ ନିର୍ଗତ ହେଉଥିବା ଝାଳର କୌଣସି ଗନ୍ଧ ବା ଓଡର୍ ନାହିଁ ,ଯଦିଓ ଝାଳଗନ୍ଧ ବୋଲି କିଛି ଗନ୍ଧ ଆମ ପାଖରେ ଥାଏ । ବାକ୍ଟେରିଆ ମାନେ ମଣିଷର ଝାଳର ଉଷ୍ମତା ଆଉ ଆର୍ଦ୍ରତାକୁ ନିଜପାଇଁ ଏକ ଅନୁକୂଳ ପରିସ୍ଥିତି ଦେଖି ସେଇଠି ଝାଳକୁ ପଚନ ବା ଫର୍ମେଣ୍ଟ କରି ଏକ ପ୍ରକାର ଦୁର୍ଗନ୍ଧଯୁକ୍ତ ପଦାର୍ଥରେ ପରିଣତ କରିଦେଇଥାନ୍ତି । ବିଶେଷରେ ଆମର କାଖତଳରେ ଯେଉଁ ବାଳ ରହିଥାଏ ତାହା ଏହି ବାକ୍ଟେରିଆମାନଙ୍କର ଅଭିବୃଦ୍ଧି ପାଇଁ ଅଧିକ ଇଲାକା ବା “ସର୍ଫେସ୍ ଏରିଆ” ପ୍ରଦାନ କରୁଥିବାରୁ ଝାଳର ସବୁଠୁ ଅଧିକ ଦୁର୍ଗନ୍ଧ ସେଇଠି।
ମଣିଷର ଦେହରୁ ବାହାରୁଥିବା ଝାଳ ବାକ୍ଟେରିଆମାନଙ୍କ ଯୋଗୁ ଦୁର୍ଗନ୍ଧଯୁକ୍ତ ହୋଇଯାଉଥିବା କାରଣରୁ ତାହାକୁ ପ୍ରତିହତ କରିବା ପାଇଁ ଯେଉଁ ପଦକ୍ଷେପମାନ ନିଆଯାଇଥାଏ ତାହା ହେଉଛି,ପ୍ରଥମରେ ଆର୍ଦ୍ରତାକୁ କମ୍ କରିବା,ଦ୍ୱିତୀୟରେ ବାକ୍ଟେରିଆକୁ ମାରିବା ଏବଂ ଶେଷରେ ସୁଗନ୍ଧ ବା ପରଫ୍ୟୁମ୍ ର ବ୍ୟବହାର କରିବା ଯାହା ଫଳରେ କି ଝାଳର ଦୁର୍ଗନ୍ଧ ଆଉ ଆସିବ ନାହିଁ।
ଆମେ ବ୍ୟବହାର କରୁଥିବା ବଡି-ସ୍ପ୍ରେ ବା ଡ୍ୟୁଡୋରାଣ୍ଟରେ ଏହି ତିନୋଟି କାମ କରାଯାଇଥାଏ । ଝାଳକୁ ନିରୋଧ କରିବା ପାଇଁ ଅର୍ଥାତ୍ ଆଣ୍ଟିପରସ୍ପିରାଣ୍ଟ ହିସାବରେ ସେଥିରେ ଆଲୁମିନିଅମ କ୍ଲୋରୋହାଇଡ୍ରେଟ୍,ଆଲୁମିନିଅମ୍ କ୍ଳୋରାଇଡ୍ ଅଥବା ଆଲୁମିନିଅମ ଜିରକୋନିଅମ୍ ର ବ୍ୟବହାର କରାଯାଇଥାଏ ତାହା ବାକ୍ଟେରିଆକୁ ବଢିବାକୁ ନଦେବା ସହିତ ଆର୍ଦ୍ରତାକୁ କମ୍ କରିଥାନ୍ତି। ଏଠାରେ କହିବା କଥା ହେଉଛି ଆଲୁମିନିଅମ୍ ର ଯେଉଁ ଯୌଗପଦାର୍ଥ ଗୁଡିକ ଏହି ଡ୍ୟୁଡୋରେଣ୍ଟରେ ବ୍ୟବହାର ହୋଇଥାଏ ତାହା ମଣିଷର ଝାଳର ସଂସ୍ପର୍ଶରେ ଆସି ଗୋଟିଏ ଅଠାଳିଆ ପଦାର୍ଥ ବା “ଜେଲ୍” ସୃଷ୍ଟି କରିଥାନ୍ତି । ଝାଳ ଏହିଭଳି ଜେଲ୍ ରେ ପରିବର୍ତ୍ତିତ ହୋଇ ଏହା ଆମର ଯେତେକ ଝାଳଗ୍ରନ୍ଥି ଅଛି ତାହାର ପ୍ରବେଶ ପଥକୁ ଏକପ୍ରକାର ସିଲ୍ କରିଦେଇଥାଏ । ଫଳରେ ଆମର ଝାଳଗ୍ରନ୍ଥିରୁ ଆଉ ଝାଳ ବାହାରିନଥାଏ।
ଏହି ବଡି ସ୍ପ୍ରେ ବା ଡ୍ୟୁଡୋରାଣ୍ଟ ମାନ କେବଳ ଆମର କାଖ ତଳେ ବା କାଖତଳର ଝାଳଜନିତ ଦୁର୍ଗନ୍ଧକୁ ରୋକିବା କାମରେ ବ୍ୟବହୃତ ହୋଇଥାଏ । ପୂରା ଦେହରେ ଆମେ ଏହି ଝାଳନିରୋଧକ ମାନଙ୍କୁ କାହିଁକି ବ୍ୟବହାର କରୁନା ,ତାହାର କାରଣ ହେଉଛି ଯେ ଏହାର ପ୍ରୟୋଗ ଫଳରେ ଯେଉଁ ଅଧିକ ଉତ୍ତାପ ଶରୀରରେ ସୃଷ୍ଟି ହେବ ତାହାଫଳରେ ଅନ୍ୟାନ୍ୟ ପାରିପାର୍ଶ୍ୱିକ ସମସ୍ୟା ଦେଖାଯାଇପାରେ ।
ପୃଥିବୀର ସର୍ବପ୍ରଥମ ବାଣିଜ୍ୟିକ ଉତ୍ପାଦ ଆକାରରେ ଯେଉଁ ଡ୍ୟୁଡୋରେଣ୍ଟ ଟି ବାହାରିଥିଲା ତାହାର ନାଆଁ ଥିଲା,”ମମ୍”। ଏହା ୧୮୮୮ଖ୍ରୀଅର କଥା। ଫିଲାଡେଲଫିଆର ଜଣେ ଉଦ୍ଭାବକ ଏଇ ପଦାର୍ଥଟିକୁ ତିଆରି କରିଥିଲେ। ଝାଳର ଦୁର୍ଗନ୍ଧକୁ ରୋକିବା ପାଇଁ ଆମେମାନେ କାଖତଳରେ ଘଷିବା ପାଇଁ ଯେଉଁ “ରୋଲ୍ ଅନ୍” ଡ୍ୟୁଡୋରାଣ୍ଟ କୁ ବ୍ୟବହାର କରିଥାଉ ତାହା ୧୯୫୨ ମସିହାରେ ପ୍ରସ୍ତୁତ ହୋଇଥିଲା। ଏ ସଂକାନ୍ତ ରେ ଯେଉଁ ଅଜବ କଥାଟି ଜଡିତ ହୋଇ ରହିଛି ତାହା ହେଉଛି,ରୋଲ୍ ଅନ୍ ଡ୍ୟୁଡୋରାଣ୍ଟ ତିଆରି କରିବା ର ଧାରଣା ଟି ଏହାର ଉଦ୍ଭାବକ ବଲ୍-ପଏଣ୍ଟ ପେନ୍ ରୁ ପାଇଥିଲେ। ବଲ୍ ପଏଣ୍ଟ ପେନ୍ ଯେପରି କାଗଜ ସହ ଘଷି ହେଲେ ଅକ୍ଷରର ଉତ୍ପାଦନ ହେଉଛି ,ଠିକ୍ ସେଇଭଳି ରୋଲ୍ -ଅନ୍ ଡ୍ୟୁଡୋରାଣ୍ଟ ଘଷିବା ଦ୍ୱାରା କାଖତଳରେ ବାସ୍ନା ଚହଟି ଉଠିବ।
ଡ୍ୟୁଡୋରେଣ୍ଟ ପ୍ରସ୍ତୁତ କରିବା ପାଇଁ ବ୍ରିଟିଶ କମ୍ପାନୀ ୟୁନିଲିଭର ୧୦୦ଡିଗ୍ରୀ ଫାରେନହାଇଟ୍ ଉତ୍ତାପରେ ଆଉ ଶତକଡା ପଇଁତିରିଶ ଆର୍ଦ୍ରତାରେ ପ୍ରାୟ ୧୮୦୦୦ ସ୍ୱେଚ୍ଛାସେବୀଙ୍କ ନିକଟରୁ ଝାଳ ସଂଗ୍ରହ କରି ତାହାକୁ ଗଚ୍ଛିତ କରି ରଖିଛି।ଆଉ ସେହି ଝାଳକୁ ପରୀକ୍ଷା କରି ତାହାର ନିରୋଧକ ଡ୍ୟୁଡୋରେଣ୍ଟକୁ ପ୍ରସ୍ତୁତ କରିଛି।
ଅଠରହଜାର ଝାଳର ନମୁନାର ସଂରକ୍ଷଣ।
ଡ୍ୟୁଡୋରେଣ୍ଟର ସଫଳତା ପାଇଁ ଏହା ଅନିର୍ବାର୍ଯ୍ୟ ସତ,ମାତ୍ର ଏହା ସବୁବେଳେ ଆଉ ଗୋଟିଏ କଥା ହୁଏତ ବୁଝାଇ କହୁଛି : ମଣିଷ ଯେତିକି ,ତାହାର ଝାଳ ବି ସେତିକି।
Comments are closed.