Latest Odisha News

BREAKING NEWS

ଭାଷା ଭାଗବତ : ଭବିଷ୍ୟତ ଚିଂତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୩୮ 

ସର୍ବେ ସମ୍ମତ ହେବା ପାଇଁ
ଆଉ ଅଟକି ହେବନାହିଁ
ସଭିଏଁ ହେବେ ମୁକ୍ତମନା
ଏହା ତ କେବଳ କଳ୍ପନା

ବ୍ୟକ୍ତି ମାନିଲେ ନିଜ ନୀତି
ସ୍ବଭାଷା କରିବ ଉନ୍ନତି
ଅଯଥା କରିଲେ ପ୍ରତୀକ୍ଷା
କରିହେବନି ଭାଷାରକ୍ଷା

ଜଣେ ବୁଝିଲେ, ବୁଝେ ଗଣ
ଅନାବଶ୍ୟକ ଶବ୍ଦରଣ
ପ୍ରୟୋଗ ଓ ଉଦାହରଣ
ବଢ଼ାଏ ଭାଷାର ସମ୍ମାନ

ସରଳ ଭାଷାକୁ ଜଟିଳ
କରିବା ପଂଡିତିଆ ଖେଳ
ଏବେ ତ କରିଦେଉଁ ବଂଦ
କିଛି ବି ହେବନାହିଁ ମଂଦ

ଯାହାର ଯେଉଁଭଳି ମନ
ଯାହାର ଯେତେ ପ୍ରୟୋଜନ
ତଦନୁଯାୟୀ କଲେ କାମ
ସର୍ବଦା ହୁଅଇ ଉତ୍ତମ

ଭବିଷ୍ୟତର କଥା ଚିଂତା
କରିବା ପାଇଁ ଖଟୁ ମଥା
ଏବର ଶିଶୁ ହୋଇ ବଡ଼
ହେବେନି ଆମ ପରି ଜଡ଼

ଆମେ ତ ନିଜ ଭାଷା ଛାଡ଼ି
ତଳକୁ ଖସିଲୁଣି ଗଡ଼ି
ଭବିଷ୍ୟତର ଶିଶୁଗଣ
ଭୋଗଂତୁନାହିଁ ଏ କଷଣ

ଶିଶୁଂକୁ କଲେ ଏବେ ଯତ୍ନ
ପାଇବେ ଦିବ୍ୟ ଜ୍ଞାନରତ୍ନ
ଭାଷାର ରକ୍ଷଣାବେକ୍ଷଣ
ଆଡ଼କୁ ଦେବେ ବେଶି ଧ୍ୟାନ

ନ ହୋଇ ଦୋଦୋପାଂଚ ଆମେ
ଲାଗିଲେ ଏବେ ଭାଷା କାମେ
ପୁନଶ୍ଚ ଘଟିବ ଉତ୍‌ଥାନ
ସ୍ବଭାଷା ହେବନି ମଳିନ

କରିଲେ ଭାଷା ବିଚ୍ଛୁରଣ
ପାଇବ ବହୁ ମନେ ସ୍ଥାନ
ସଂଭବ ସମୂହ ଉନ୍ନତି
ବଦଳାଇଲେ ଆମ ମତି

ଯାହା ପାଇଛୁଁ, ତାହା ଦେଇ
ଉନ୍ନତି କରି ହେବନାହିଁ
ଚଳାଉଁ ସବୁଆଡ଼େ ମନ
ପାଇବା ଏବେ ସଜ ଜ୍ଞାନ

Leave A Reply

Your email address will not be published.